କୂଅ ସହିତ ବଗିଚାର ବାହାଘର!

କୂଅ ସହିତ ବଗିଚାର ବାହାଘର!

ଆମ ସଂସ୍କୃତିରେ ବିବାହ ଏମିତି ଏକ ପାରମ୍ପରିକ ଉତ୍ସବ, ଯହିଁରେ ବର ରୂପରେ ଜଣେ ପୁରୁଷ ଓ କନ୍ୟା ଭାବରେ ଜଣେ ମହିଳାଙ୍କ ମଧ୍ୟରେ ସଂପର୍କ ସ୍ଥାପନ ପାଇଁ ସାମାଜିକ ସ୍ବୀକୃତି ମିଳିଥାଏ। ବିବାହ ପରି ଏକ ପବିତ୍ର ସାମାଜିକ ସମାରୋହରେ ବର ଓ କନ୍ୟାଙ୍କର ଉପସ୍ଥିତି ନିହାତି ଜରୁରୀ। ମାତ୍ର ନିକଟରେ ଉତ୍ତରପ୍ରଦେଶରେ ସଂଘଟିତ ଏକ ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ହୋଇଛି ଯେଉଁଥିରେ ବେଦି ଉପରେ ହାତଗଣ୍ଠି ପକାଇ ପରସ୍ପରକୁ ଆଦରି ନେବା ପାଇଁ କୌଣସି ବର କି କନ୍ୟା ନଥିଲେ। ଉତ୍ତରପ୍ରଦେଶର ବହରାଇଚ୍‌ ଜିଲ୍ଲା ଅନ୍ତର୍ଗତ କୈଶରଗଞ୍ଜ ସ୍ଥିତ ଏକ ବିବାହ ମଣ୍ଡପରେ ସ୍ଥାନୀୟ ଉପଜିଲ୍ଲାପାଳ ମହେଶ କୁମାର କୈଥାଲଙ୍କ ଉପସ୍ଥିତିରେ ଏହି ବିବାହ ସଂପନ୍ନ ହୋଇଥିଲା।

ରୀତିନୀତି ମୁତାବକ ବେଦି ପାଖରେ ବ୍ରାହ୍ମଣ, ବାରିକଙ୍କ ଉପସ୍ଥିତି ସହ ବିଭିନ୍ନ ବିବାହ ସାମଗ୍ରୀ ମଧ୍ୟ ମହଜୁଦ ଥିଲା। ଏତେ ସବୁ ଆୟୋଜନ ହୋଇଥିଲା ସେଠାରେ ଏକ କୂଅ ସହିତ ଏକ ବଗିଚାର ବିଭାଘର ପାଇଁ। ସୂଚନାଯୋଗ୍ୟ, ଉକ୍ତ ଗାଁରେ ଥିବା ଏକ ପୁରୁଣା କୂଅଟିରୁ ପାଣି ଶୁଖିଯିବା ସହ ତାହା ପରିତ୍ୟକ୍ତ ଅବସ୍ଥାକୁ ଆସିଯାଇଥିଲା। ଫଳରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ଗାଁର ପୁରୁଖା ମହିଳା ୮୫ ବର୍ଷୀୟା କିଶୋରୀ ଦେବୀଙ୍କ ପରାମର୍ଶ ହେଲା- କୂଅଟିକୁ କୌଣସି ବଗିଚା ସହ ବିବାହ କରିଦେଲେ ତାହା ବର୍ଷସାରା ଜଳପୂର୍ଣ୍ଣ ହୋଇ ରହିବ। ବାସ୍‌, ଏହି ପ୍ରସ୍ତାବଟି ଗ୍ରାମବାସୀଙ୍କ ମନକୁ ଛୁଇଁଥିଲା ଏବଂ ବାହାଘରର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଭୋଜିରେ ଯୋଗ ଦେବା ପାଇଁ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଆଖପାଖ ଗାଆଁର ୧୫୦୦ ଜଣ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe