Thai Tattoo Cafe
ଗତ ସପ୍ତାହରେ ପୃଥିବୀ ସାରା ପ୍ରଣୟ ଦିବସ ବା ଭାଲେଣ୍ଟାଇନ୍ ଡେ’ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରେମୀଯୁଗଳମାନେ ନିଜ ସାଥୀଙ୍କୁ ନାନା ଉପହାର ଦେଇ ସ୍ମୃତିସ୍ନିଗ୍ଧ କରିଥିବା ଦେଖିବାକୁ ମିଳିଥିଲା। ତେବେ ଥାଇଲାଣ୍ଡର ଜଣେ ଯୁବକ ନିଜ ପ୍ରେମିକା ତଥା ପତ୍ନୀଙ୍କୁ ଏକ ନିଆରା ଉପହାର ଦେବା ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ଥାଇଲାଣ୍ଡର କାଏଙ୍ଗ ଖୋଇ ଅଞ୍ଚଳର ବାସିନ୍ଦା ୩୪ ବର୍ଷୀୟ ଭାଲ ଅନ୍ୟମାନଙ୍କ ପରି ଚକୋଲେଟ ବାକ୍ସ କି ଫୁଲତୋଡ଼ା ଅବା କିଛି ଈପ୍ସିତ ଉପହାର ନଦେଇ ସେ ନିଜ ହାତରେ କୁଟାଇଥିବା ଚିତା ହିଁ ଚର୍ଚ୍ଚିତ ହେବାରେ ଲାଗିଛି। ସେ ତାଙ୍କ ବିବାହ ସମୟର ଅଦାଲତ ପ୍ରମାଣପତ୍ରର ଅବିକଳ ନକଲକୁ ନିଜ ହାତରେ ଅଙ୍କନ କରି ତାହାର ଫଟୋଚିତ୍ରକୁ ପତ୍ନୀଙ୍କ ପାଖକୁ ପଠେଇଛନ୍ତି।
ଏହାଦ୍ବାରା ତାଙ୍କ ଦାମ୍ପତ୍ୟ ଜୀବନର ନିବିଡ଼ ସମ୍ପର୍କକୁ ଭିନ୍ନ ଉପାୟରେ ପ୍ରମାଣିତ କରି ସେ ପତ୍ନୀଙ୍କୁ ଚକିତ କରିଦେଇଛନ୍ତି। ଏଥିପାଇଁ ସେ ଜଣେ ବିଖ୍ୟାତ ଚିତାକୁଟାଳିଙ୍କୁ ଡକାଇ ଦୀର୍ଘ ଆଠ ଘଣ୍ଟା ଧରି ଧୈର୍ଯ୍ୟର ସହ ହାତକୁ ଦେଖାଇଥିଲେ। ଶେଷରେ ବିବାହ ପ୍ରମାଣପତ୍ରର ଅବିକଳ ରଙ୍ଗିନ ଚିତ୍ରକୁ ନିଜ ହାତରେ ଦେଖି ସେ ମଧ୍ୟ ନିଜ ଆଖିକୁ ବିଶ୍ବାସ କରିପାରିନଥିଲେ। ଏହାକୁ ତାଙ୍କ ପତ୍ନୀ ମଧ୍ୟ ପ୍ରଥମେ ଦେଖି ଘାବରେଇଯାଇଥିଲେ, ତେବେ ପରେ ସେ ସ୍ବାମୀ ଭାଲଙ୍କର ଉଦ୍ଦେଶ୍ୟ ବୁଝିପାରି ନିଜକୁ ସୌଭାଗ୍ୟବତୀ ମନେ କରିଥିଲେ। ଭାଲଙ୍କ କହିବା କଥା, ସାଂସାରିକ ଜୀବନରେ ଯଦି କେବେ କାଁ ଭାଁ ମନୋମାଳିନ୍ୟ ହୁଏ, ତେବେ ସେ ହାତରେ ଚିତା କୁଟାଯାଇଥିବା ସେମାନଙ୍କର ବିବାହ ପ୍ରମାଣପତ୍ରକୁ ଦେଖି ନିଜ ମନ ବୁଝେଇନେବେ। ବାଃ! ଚମତ୍କାର ତାଙ୍କର ପରିକଳ୍ପନା।
Follow Us