ବିଦାୟ ନେଉଛି ୨୦୨୫। ଓଡ଼ିଶା କ୍ରୀଡ଼ାକୁ ଦେଇଯାଉଛି ଅନେକ ଯୁବ ପ୍ରତିଭା। ଥମି ଯାଇଥିବା ରାଜ୍ୟ କ୍ରୀଡ଼ା ଏବେ ନୂଆ ବେଗ ଧରିବାର ରାହା ବି ପାଇଛି ଏହି ଉଦୀୟମାନ ଖେଳାଳିଙ୍କ ଜରିଆରେ। ପଚିଶରେ ଓଡ଼ିଶା କ୍ରୀଡ଼ା ଯେଭଳି ଭାବେ ସଫଳତାର ନୂଆ ଶିଖର ଛୁଇଁଥିଲା, ସେହିଭଳି ଅନେକ ବିଫଳତା ପାଇଁ ଭୁଲୁଣ୍ଠିତ ବି ହୋଇଥିଲା। କିନ୍ତୁ ଏହାରି ଭିତରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏଭଳି କିଛି ଖେଳାଳି ଉଭା ହୋଇଛନ୍ତି ଯେଉଁମାନେ ଭବିଷ୍ୟତ ପାଇଁ ଅଜସ୍ର ସମ୍ଭାବନା ଓ ଉଜ୍ଜ୍ବଳ ପ୍ରତିଶ୍ରୁତିର ବିଶ୍ବାସ ଭରି ଦେଇଛନ୍ତି।
ପ୍ରସ୍ତୁତି: ସୁରେଶ ସ୍ବାଇଁ   ଅଳଙ୍କରଣ: ଦୀପ୍ତି ରଞ୍ଜନ ଆଚାର୍ଯ୍ୟ

Advertisment

ପୁରସ୍କାର ଓ ସମ୍ମାନ

ରାଜ୍ୟର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜ୍ୟ ସରକାରଙ୍କ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଥିଲେ ଅନିମେଷ କୁଜୁର, ରାଖାଲ କୁମାର ସେଠୀ, ସାତ୍ତ୍ବିକ ସ୍ବାଇଁ, ବିଜୟ ଶତପଥୀ, ପ୍ରଦ୍ୟୁମ୍ନ ମିଶ୍ର, ସୁଷମା ନନ୍ଦ, ବିମଳ କୁମାର ରାଉଳ। ଓସ୍‌ଜା ସମ୍ମାନ ହାତେଇଥିଲେ ପ୍ରତ୍ୟାଶା ରାୟ ଓ ମହମ୍ମଦ ସାହିଦ୍‌ ଜବାର। ଏକଲବ୍ୟ ପୁରସ୍କାର ଗୌରବ ପାଇଥିଲେ ଶ୍ବେତପର୍ଣ୍ଣା ପଣ୍ଡା, ଆହାନ ଲାଡ଼ୋ, ପ୍ରୀତିସ୍ମିତା ଭୋଇ। ଦିଲୀପ ତିର୍କିଙ୍କୁ କୋଲକାତା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ୍‌ କ୍ଲବ୍‌ ପ୍ରଦାନ କରିଥିଲା ଜୀବନବ୍ୟାପୀ କୃତିତ୍ବ ସମ୍ମାନ। ଏଭେରେଷ୍ଟର୍‌ ଦେବୀଦତ୍ତ ପଣ୍ଡାଙ୍କୁ ମିଳିଥିଲା ଏମ୍‌ସି ଗ୍ରେଗର ପଦକ।

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ଚାଲିଗଲେ ମହାନ

ବିଦାୟୀ ପଚିଶ ବି ଆମ ନିକଟରୁ ଛଡ଼ାଇ ନେଇଛି ଅର୍ଜୁନ ପୁରସ୍କାର ବିଜେତା ବିଜୟ ଶତପଥୀ (୭୧ ବର୍ଷ)ଙ୍କ ସହିତ ଅନେକ କ୍ରୀଡ଼ା ବ୍ୟକ୍ତିତ୍ବଙ୍କୁ। ପୂର୍ବତନ ଅନ୍ତର୍ଜାତୀୟ ବଡିବିଲ୍ଡର ଓ ପ୍ରଶାସକ ନାରାୟଣ ବେହେରା (୮୯), ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ୍‌ ସୁଶୀଲ ଦାସ, ସନ୍ତୋଷ ଟ୍ରଫି ଖେଳାଳି ସୁକାନ୍ତ ଦତ୍ତରାୟ (୮୪), ପୂର୍ବତନ ଅଧିନାୟକ ବୀରେନ୍ଦ୍ର ସିଂହ (୮୧), ମନ୍ମଥନାଥ ସିଂହ (୮୦), କ୍ରୀଡ଼ା ପ୍ରଶାସକ ତଥା ଓଡ଼ିଶା କବାଡ଼ି ସଂଘ ସଭାପତି ଶରତ ସାହୁ ବି ପଚିଶରେ ନେଇଥିଲେ ଶେଷ ନିଶ୍ବାସ।

ବାରବାଟୀରେ ଡବଲ୍‌

ବାରବାଟୀ ଷ୍ଟାଡିୟମ୍‌ ପ୍ରଥମଥର ପାଇଁ ୨୦୨୫ରେ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନର ଗୌରବ ପାଇଥିଲା।  ଫେବ୍ରୁଆରି ୯ରେ ଅନୁଷ୍ଠିତ ଦିନିକିଆରେ ଇଂଲଣ୍ଡ ସହ ଏବଂ ଡିସେମ୍ବର ୯ରେ ଦକ୍ଷିଣ ଆଫ୍ରିକା ସହ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା। ଭାରତୀୟ ଦଳ ଉଭୟ ମ୍ୟାଚ୍‌ ଜିତିଯାଇଥିଲା। କିନ୍ତୁ ଏହାରି ଭିତରେ ଏଠାରେ ଅନୁଷ୍ଠିତ ଉଭୟ ରଣଜୀ ଟ୍ରଫି ମ୍ୟାଚ୍‌ରେ ବ‌ରୋଦା ଓ ଆନ୍ଧ୍ରପ୍ରଦେଶ ନିକଟରୁ ଓଡ଼ିଶା ହାରିଯିବା ରାଜ୍ୟର ବାରବାଟୀ ଗୌରବରେ କଳଙ୍କ ଲଗାଇ ଦେଇଥିଲା। ପଙ୍କଜ ମହାନ୍ତି ପୁଣି ‘ଓସିଏ’ ସଭାପତି ପଦକୁ ଫେରିବା, ଫ୍ଲଡ୍‌ଲାଇଟ୍‌ ଫେଲ୍‌ ବିବାଦ ହଜିଯିବା, ଆଇପିଏଲ୍‌ ଓଡ଼ିଆଶୂନ୍ୟ ରହିବା ଭିତରେ ଓଡ଼ିଶା ବରିଷ୍ଠ ପୁରୁଷ ଓ ମହିଳା ଦଳର ଦୟନୀୟ ପ୍ରଦର୍ଶନ ଚର୍ଚ୍ଚାରେ ରହିଥିଲା। ତଥାପି ସମ୍ବିତ ବରାଳ, ତାପସ ଦାସ, ଅନିଲ ପରିଡ଼ାଙ୍କ ଭଳି କିଛି ପ୍ରତିଭାସମ୍ପନ୍ନ କ୍ରିକେଟର୍‌ଙ୍କ ଆବିର୍ଭାବ ଆଶା ଦେଖାଇଥିଲା। ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌ ବିଶ୍ବକପ୍‌ ବିଜେତା ଭାରତୀୟ ଦଳରେ ସାମିଲ ରହି ଫୁଲ ସୋରେନ, ଯମୁନାରାଣୀ ଟୁଡୁ, ବାସନ୍ତୀ ହାଁସ୍‌ଦା ଓ ପାର୍ବତୀ ମାର୍ଣ୍ଡି ଗୌରବ ବଢ଼ାଇଥିଲେ।

India Vs SriLanka T-20 : ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତୀୟ ମହିଳା ଦଳ

ଅବସର

ଅନ୍ତର୍ଜାତୀୟ ଜିମ୍ନାଷ୍ଟ୍‌ ରାକେଶ ପାତ୍ର ଅବସର‌ ଘୋଷଣା କରିବା ସହ ଭାରତୀୟ ଦଳର ପ୍ରଶିକ୍ଷକ ହୋଇଥିଲେ। ବୀରେନ୍ଦ୍ର ଲାକ୍ରା ବି ଅବସର ଘୋଷଣା ନ କରି ଭାରତୀୟ କନିଷ୍ଠ ହକି ଦଳକୁ ବିଶ୍ବକପ୍‌ କାଂସ୍ୟ ବିଜେତା କରାଇଥିଲେ। ମହିଳା କ୍ରିକେଟର୍‌ ରସ୍‌ନାରା ପରବିନ୍‌ ଏବଂ ରଣଜୀ ଟ୍ରଫି ଓ ଦଲିପ ଟ୍ରଫି ଖେଳାଳି ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ଖେଳକୁ କହି ଦେଇଥିଲେ ଅଲ୍‌ବିଦା।

ବିବାହ ବନ୍ଧନ

ରାଜ୍ୟର ଏକ ନମ୍ବର ଦ୍ରୁତ ବୋଲର ରାଜେଶ ମହାନ୍ତି ଫେବ୍ରୁଆରିରେ ଧରିତ୍ରୀ ଦାସଙ୍କୁ, ସଫଳ ଧାବକ ଅମିୟ ମଲ୍ଲିକ ଫିଜିଓଥେରାପିଷ୍ଟ୍ ‌ଶ୍ବେତା ଆତିଲିଙ୍କୁ ନଭେମ୍ବର ମାସରେ ଏବଂ ପାରା ଆଥଲେଟ୍‌ ଜୟନ୍ତୀ ବେହେରା ଡିସେମ୍ବରରେ ସୋମନାଥ ବାରିକଙ୍କୁ ବିବାହ କରିଛନ୍ତି।

ନୂଆ ଖେଳର ଉଦୟ
ଏକାଧିକ ନୂଆ ଖେଳ ପଚିଶରେ କେବଳ ଓଡ଼ିଶା ପ୍ରବେଶ କରି ନଥିଲେ, ଅନେକରେ ବି ଓଡ଼ିଆ ଖେଳାଳି ଚମକ ଛାଡ଼ିଥିଲେ। କୁଡ଼ୋ, ବୋଚିଆ, ବାଟୁଳି, ଭୋଭିନମ୍‌, ସ୍ପୋଗୋମି, ପାଇଥିଆନ୍‌, ରିଙ୍ଗ୍‌ ଟେନିିସ୍‌, ପିଟୁ ଆଦି ଖେଳର ଆଗମନ ଓଡ଼ିଶାର ଖେଳ ପରିସରକୁ ବ୍ୟାପ୍ତ କରିଥିଲା।

ଓଡ଼ିଶାରେ ଖୋଖୋ ବିଶ୍ବକପ୍‌
ଭାରତୀୟ ପୁରୁଷ ଓ ମହିଳା ଦଳ ୨୦୨୫ରେ ଖୋଖୋ ବିଶ୍ବକପ୍‌ ଜିତିଥିବା ବେଳେ ଓଡ଼ିଶାର ୩ ଖେଳାଳି ମାଗାଇ ମାଝୀ, ଶୁଭଶ୍ରୀ ସିଂହ ଓ ପ୍ରବାଣୀ ଶବର ସାମିଲ ରହିଥିଲେ। ଓଡ଼ିଶା ସରକାର ଏହା ପୂର୍ବରୁ ଖୋଖୋକୁ ପ୍ରାୟୋଜିତ କରି ପ୍ରଶଂସା ସାଉଁଟିଥିଲେ।