ବର୍ଷ ୨୦୨୫ ଓଡ଼ିଶା ବିଚାର ବିଭାଗ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା। ନୂଆ ମୁଖ୍ୟ ଓ ଦୁଇ ବିଚାରପତି ହାଇକୋର୍ଟରେ ନିଯୁକ୍ତ ହୋଇଥିଲେ। ଏଥି ସହିତ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା। ସାହିତ୍ୟ ଏକାଡେମି ସଭାପତି ଓ ସଦସ୍ୟ ପଦ ପୂରଣଠାରୁ ଆରମ୍ଭ କରି ରାଜ୍ୟର ୧୫ଟି ବିଶ୍ବବିଦ୍ୟାଳୟରେ ଖାଲିଥିବା ୧୩ଶହ ଅଧ୍ୟାପକ ପଦ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ସବୁ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା କରିବା ପାଇଁ ହାଇକୋର୍ଟ ଐତିହାସିକ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷକଙ୍କ ବଦଳିରେ ରାଜନୈତିକ ହସ୍ତକ୍ଷେପ ଉପରେ ଅଦାଲତୀ ଅଙ୍କୁଶ ଲାଗିଥିଲା। ଶ୍ରୀଜଗନ୍ନାଥଙ୍କ ସଂପତ୍ତି ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ହାଇକୋର୍ଟ ପ୍ରଦାନ କରିଥିଲେ।
ପ୍ରସ୍ତୁତି: ଚୌଧୁରୀ ଅଶ୍ବିନୀ କୁମାର ଦାସ
ଅଳଙ୍କରଣ: ଦୀପ୍ତି ରଞ୍ଜନ ଆଚାର୍ଯ୍ୟ
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
୨୦୨୫ ମାର୍ଚ୍ଚ ୨୬ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରୀଶ ଟଣ୍ଡନ ଶପଥ ଗ୍ରହଣ କରିଥିଲେ। ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଟଣ୍ଡନ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିବା ପରେ ମାର୍ଚ୍ଚ ୨୧ରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥି ସହିତ ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ମାନସ ରଂଜନ ପାଠକ ଓ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ୨୦୨୫ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।
Punjab & Sind Bank: ଗ୍ରାମୀଣ ଉଦ୍ୟୋଗ ଓ କୃଷି ବିକାଶରେ ବ୍ୟାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ
୭୧୧ ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ
୭୧୧ଟି ହିନ୍ଦୀ ଶିକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଥିଲେ। ହିନ୍ଦୀ ଶିକ୍ଷକ ପଦ ପାଇଁ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ମୂଳ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହେବା ପରେ ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ। ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ହିନ୍ଦୀ ଶିକ୍ଷକ ପଦ ପାଇଁ ପ୍ରିଲିମିନାରି ପରୀକ୍ଷା କରିବା ପାଇଁ କମିସନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ପୂର୍ବରୁ ହିନ୍ଦୀ ଶିକ୍ଷକ ପଦ ପାଇଁ କମିସନ୍ ପକ୍ଷରୁ ଅନୁଷ୍ଠିତ ଲିଖିତ ପରୀକ୍ଷା ମୂଲ୍ୟହୀନ ହୋଇ ଯାଇଥିଲା। ସମସ୍ତ ପ୍ରାର୍ଥୀ ପ୍ରଥମେ ପ୍ରିଲିମିନାରି ପରୀକ୍ଷାରେ ଅଂଶଗ୍ରହଣ କରିବେ। ପ୍ରିଲିମିନାରି ପ୍ରରୀକ୍ଷାରେ ଯେଉଁ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିବେ ସେମାନେ ଲିଖିତ ପରୀକ୍ଷା ଦେବେ। ଏଥି ସହିତ ମୂଳ ନିଯୁକ୍ତି ବିଜ୍ଞପ୍ତି ଅନୁସାରେ ପରୀକ୍ଷାରେ ଦ୍ବିଭାଷୀ (ହିନ୍ଦୀ ଓ ଇଂରାଜୀ) ସୁବିଧା ପ୍ରାର୍ଥୀଙ୍କୁ କମିସନ ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ
ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ନିୟମ ଅନୁସାରେ ଆବଶ୍ୟକ ବ୍ୟବସ୍ଥା କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆମିକସ୍କ୍ୟୁରି ବିଜୟ କୁମାର ଦାଶ ଓ ଆଡଭୋକେଟ୍ କମିଟି ସଦସ୍ୟ ବିଭୂତି ଭୂଷଣ ଚୌଧୁରୀ ଅକ୍ଟୋବର ୧୬ ତାରିଖ ‘ସମ୍ବାଦ’ରେ ‘ଶୈଳବାଳା ମହିଳା କଲେଜରେ ଦିବ୍ୟାଙ୍ଗ ଛାତ୍ରୀଙ୍କ ପାଇଁ ନାହିଁ ଆବଶ୍ୟକ ବ୍ୟବସ୍ଥା, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ଉଲ୍ଲଂଘନ’ ଶୀର୍ଷକ ଖବର ପ୍ରସଙ୍ଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଶୈଳବାଳା ସହିତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଶ୍ରେଣୀକକ୍ଷ, ପାଠାଗାର, ହଷ୍ଟେଲ୍ ଓ ଅନ୍ୟ ବ୍ୟବସ୍ଥା ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଐତିହାସିକ ନିର୍ଦ୍ଦେଶ ପରେ ସରକାରଙ୍କ ତରଫରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଉଛି।
ଓଡ଼ିଶା ହାଇକୋର୍ଟରେ ଏକ ତୃତୀୟାଂଶ ବିଚାରପତି ପଦ ଖାଲି
ସୁପ୍ରିମକୋର୍ଟରେ ଓଡ଼ିଶାର ପ୍ରତିନିଧିତ୍ବ ପ୍ରସଙ୍ଗରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର। ୨୦୧୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ଅବସର ଗ୍ରହଣ କରିଥିଲେ। ତା’ ପରଠାରୁ ଗଲା ୭ ବର୍ଷ ହେଲା ସୁପ୍ରିମକୋର୍ଟରେ ଓଡ଼ିଶାର ପ୍ରତିନିଧିତ୍ବ ନାହିଁ। ଡିସେମ୍ବର ୧୪ରେ ସହିଦ ଭବନରେ ହାଇକୋର୍ଟ ବାର୍ ଆସୋସିଏସନ ତରଫରୁ ଅନୁଷ୍ଠିତ ଆଲୋଚନାଚକ୍ରରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବାର୍ ସଭାପତି ଶ୍ରୀ ମିଶ୍ର ସୁପ୍ରିମକୋର୍ଟରେ ଓଡ଼ିଶାର ପ୍ରତିନିଧିତ୍ବ ପ୍ରସଙ୍ଗରେ ବିଚାର କରିବାକୁ ନିବେଦନ କରିଥିଲେ। ଏଥି ସହିତ ଓଡ଼ିଶାର ବିଚାରପତି ଦେଶରେ କୌଣସି ହାଇକୋର୍ଟରେ ମୁଖ୍ୟ ବିଚାରପତି ନାହାନ୍ତି। ଓଡ଼ିଶାର ଦକ୍ଷ ଓ ଯୋଗ୍ୟ ବିଚାରପତିଙ୍କୁ ଅନ୍ୟ ରାଜ୍ୟର ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ବିଚାର କରିବାକୁ ଶ୍ରୀ ମିଶ୍ର ନିବେଦନ କରିଥିଲେ। ଓଡ଼ିଶା ହାଇକୋର୍ଟରେ ଏକ ତୃତୀୟାଂଶ ବିଚାରପତି ପଦ ଖାଲି ପଡ଼ିଥିବା ବେଳେ ଦେଢ଼ଲକ୍ଷରୁ ଅଧିକ ସଂଖ୍ୟକ ମାମଲା ଏବେ ବିଚାରାଧୀନ ରହିଛି।
/filters:format(webp)/sambad/media/media_files/2025/12/26/dghagadzvc-2025-12-26-03-06-06.jpg)
ଇଚ୍ଛାମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା
ଇଚ୍ଛାମୃତ୍ୟୁ ପ୍ରସଙ୍ଗକୁ ନେଇ ଡକ୍ଟର କହ୍ନେୟାଲାଲ ଶର୍ମା ହାଇକୋର୍ଟରେ ମାମଲା ଦାୟର କରିଥିବା ବେଳେ ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଇଚ୍ଛାମୃତ୍ୟୁ ପ୍ରସଙ୍ଗରେ ୨୦୨୩ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ହାଇକୋର୍ଟଙ୍କୁ ଜଣାଇଥିଲେ। ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିବା ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ସୁପ୍ରିମକୋର୍ଟଙ୍କ ୨୦୨୩ ଜାନୁଆରି ୨୪ର ନିର୍ଦ୍ଦେଶ ଅନୁସାରେ ୨୦୨୩ ସେପ୍ଟେମ୍ବର ୭ରେ ଗଠନ କରାଯାଇଥିବା କମିଟିର ପୁନର୍ଗଠନ କରାଯିବା ନେଇ ୨୦୨୫ ଏପ୍ରିଲ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି କମିଟିର ବୈଠକ ମେ ୨୦ରେ ଅନୁଷ୍ଠିତ ହୋଇଥିଲା। ପ୍ରାଥମିକ ଭାବେ ଆଡଭାନ୍ସ ମେଡିକାଲ ଡାଇରେକ୍ଟିଭ୍ (ଏଏମ୍ଡି) ମେଡିକାଲ କଲେଜ, ସୁପରସ୍ପେସାଲିଟି ହସ୍ପିଟାଲ, ଅସାଧ୍ୟ ଭାବେ ବେମାର ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ପାଇଁ କମିଟି ପରାମର୍ଶ ଦେଇଛି। କମିଟି ପରାମର୍ଶ ଅନ୍ତର୍ଭୁକ୍ତ କରି ଚିଠା ପ୍ରସ୍ତାବ ପୁନଃଯାଞ୍ଚ ଓ ଚୂଡ଼ାନ୍ତ ଅନୁମୋଦନ ପାଇଁ ବିଭିନ୍ନ ବିଭାଗକୁ ପଠାଯାଇଛି। ଆଇନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ସମେତ ବିଭିନ୍ନ ବିଭାଗରୁ ମତାମତ ମିଳିବା ପରେ ଏହାକୁ ଅନୁମୋଦନ ପାଇଁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ।
ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ସଙ୍ଗମ କୁମାର ସାହୁ
ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଡିସେମ୍ବର ୧୮ରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨୦୧୪ ଜୁଲାଇ ୨ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
/filters:format(webp)/sambad/media/media_files/2025/12/26/dgadgzvcvzcv-2025-12-26-03-06-21.jpg)
ବିଧାୟକ ଓ ସାଂସଦଙ୍କ ସୁପାରିସରେ ଶିକ୍ଷକ ବଦଳିକୁ ନା
ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଅଦାଲତୀ ଝଟକା ଲାଗିଥିଲା। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିିଭାଗ ତରଫରୁ ମେ ୧୩ରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖା ଯାଇଥିବା ଚିଠିକୁ ହାଇକୋର୍ଟ ନଭେମ୍ବର ୨୭ରେ ରଦ୍ଦ କରିଥିଲେ। ଶିକ୍ଷକ ବଦଳି କ୍ଷେତ୍ରରେ ଏପରି ସୁପାରିସ ବ୍ୟବସ୍ଥା ଗ୍ରହଣୀୟ ନୁହେଁ। ବିଶେଷ କରି ବିଧାୟକ ଓ ସାଂସଦଙ୍କ ସୁପାରିସ ଦ୍ବାରା ବଦଳି ହେଲେ, ଶିକ୍ଷକ ଗୋଷ୍ଠୀ ସହ ରାଜନୈତିକ ଦଳ ଓ ବ୍ୟକ୍ତିଙ୍କ ମଧ୍ୟରେ ଗଠବନ୍ଧନ ସୃଷ୍ଟିର ସମ୍ଭାବନା ରହିଛି, ଯାହା ଶୁଭଙ୍କର ନୁହେଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଥିଲା।
Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟଣାରେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ
ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଉପଯୁକ୍ତ ଚିକିତ୍ସା ସେବା ନ ପାଇ ପୁରୀ ଜିଲ୍ଲା ନିମାପଡ଼ା ସବ୍ଜେଲ୍ର ବିଚାରାଧୀନ ବନ୍ଦୀ କୃତ୍ତିବାସ ଖଟେଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ମୃତକଙ୍କ ପତ୍ନୀଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରେକର୍ଡରେ ଉପଲବ୍ଧ ତଥ୍ୟ, ମୃତବ୍ୟକ୍ତିଙ୍କ ରୋଜଗାର ଓ ଆବେଦନକାରୀଙ୍କ ଭବିଷ୍ୟତ ଜୀବନକୁ ବିଚାରକୁ ନେଇ ଆବେଦନକାରୀ ଉକ୍ତ କ୍ଷତିପୂରଣ ରାଶି ପାଇବାକୁ ହକ୍ଦାର। ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସବିତା ନିଶଙ୍କଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/26/dgdadadg-2025-12-26-03-05-54.jpg)