ଟ୍ୱିଟରର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ଏକ ନୂତନ ମେସେଜିଂ ଆପ୍ ଲଞ୍ଚ କରିଛନ୍ତି, ଯାହା ଲାଗି ଇଣ୍ଟରନେଟ୍ ସଂଯୋଗ ଅନାବଶ୍ୟକ। ‘ବିଟ୍ଚାଟ୍’ ନାମକ ଏହି ଆପ୍ ମୋବାଇଲ୍ ଡେଟା, ୱାଇ-ଫାଇ, ସର୍ଭର କିମ୍ବା ଫୋନ୍ ନମ୍ବର ଉପରେ ନିର୍ଭର ନକରି ବ୍ଲୁଟୁଥ୍ ମେସ୍ ନେଟୱାର୍କିଂ ସାହାଯ୍ୟରେ ବ୍ୟବହାରକାରୀମାନଙ୍କୁ ସିଧାସଳଖ ବାର୍ତ୍ତା ଆଦାନପ୍ରଦାନର ସୁଯୋଗ ଦେବ। ଏହି ଆପ୍ଟି ଏବେ ପରୀକ୍ଷାମୂଳକ ଭାବେ ଉପଲବ୍ଧ ହୋଇଛି। ଉଲ୍ଲେଖଯୋଗ୍ୟ, ହ୍ୱାଟ୍ସଆପ୍ ଓ ମେସେଞ୍ଜରରୁ ବିପରୀତ ‘ବିଟ୍ଚାଟ୍’ ସମ୍ପୂର୍ଣ୍ଣ ଭାବରେ ପିଅର୍-ଟୁ-ପିଅର୍ ଏବଂ ପ୍ରେରିତ ମେସେଜ୍ କୌଣସି ସର୍ଭରକୁ ଯାଏ ନାହିଁ।
ତେଣୁ ମେସେଜଗୁଡ଼ିକ କେବଳ ବ୍ୟବହାରକାରୀଙ୍କ ଫୋନରେ ରହିଥାଏ ଏବଂ ସମୟ ସହିତ ଆପେ ଡିଲିଟ୍ ହୋଇଯାଏ। ଏହି ଆପ୍ ବ୍ୟବହାର କରିବାକୁ ଫୋନ୍ ନମ୍ବର ଦେଇ ଆକାଉଣ୍ଟ ଖୋଲିବା ଅନାବଶ୍ୟକ। ପରସ୍ପରଠାରୁ ୩୦୦ ମିଟର ମଧ୍ୟରେ ଥିବା ଡିଭାଇସ୍ଗୁଡ଼ିକ ନେଟୱାର୍କ ସହିତ ଏହି ଆପ୍ ମେସେଜ୍ ଆଦାନପ୍ରଦାନ କରିପାରିବେ, ଏପରିକି ସିଧାସଳଖ ବ୍ଲୁଟୁଥ୍ ପରିସର ବାହାରେ ଥିବା ଲୋକଙ୍କ ପାଖରେ ମଧ୍ୟ ମେସେଜ୍ ପହଞ୍ଚିପାରିବ। ଏହାର ଅର୍ଥ ହେଉଛି ଦୁର୍ବଳ ସଂଯୋଗ କିମ୍ବା ଇଣ୍ଟରନେଟ୍ ସଂପୂର୍ଣ୍ଣ ବନ୍ଦ ଥିବା ଅଞ୍ଚଳରେ ମେସେଜିଂ ଜାରି ରହିପାରିବ। ଜ୍ୟାକ୍ ଡୋର୍ସିଙ୍କ ଏହି ଉଦ୍ୟମ ସରକାରୀ କଟକଣା ଭେଦ କରିବା ଏବଂ ଗୋପନୀୟତାକୁ ବଜାୟ ରଖିବାକୁ ଅଭିପ୍ରେତ।
Follow Us