Photograph: (Hindustan Times)
ପାଞ୍ଚଫୁଟ ସାଢ଼େ ଆଠ ଇଞ୍ଚର ଉଚ୍ଚତା, ଆକର୍ଷଣୀୟ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ବ, ମେକ୍ସିକୋ ଓ ଇଟାଲୀରେ ଫେସନ୍ ଓ ପରିବେଶ ଅନୁକୂଳ ସୌନ୍ଦର୍ଯ୍ୟ ଶିକ୍ଷା ସହିତ ମାନସିକ ଅନଗ୍ରସର ଓ କ୍ୟାନ୍ସର୍ ପୀଡ଼ିତ ଶିଶୁମାନଙ୍କ ପାଇଁ ସ୍ବେଚ୍ଛାସେବୀ ଭାବେ କାମ କରିବା, ପରିବେଶ ସୁରକ୍ଷା ଦିଗରେ େଯାଗଦାନ ଇତ୍ୟାଦି ତାଙ୍କ ସୌନ୍ଦର୍ଯ୍ୟର ସରଣୀରେ ଗୋଟିଏ ଲେଖାଏଁ ପର ଯୋଡ଼ିଥିଲେ। ମେ ୧୯, ୨୦୦୦ ମସିହାରେ ଟବାସ୍କୋରେ ଜନ୍ମ ହୋଇଥିବା ଫାତିମା ବୋସ୍ ବର୍ଷ ୨୦୨୫ର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହୋଇଛନ୍ତି।
ନଭେମ୍ବର ୪ରେ ଥାଇଲାଣ୍ଡରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଏଥର ମୂଳରୁ ସମ୍ବାଦର ଶିରୋନାମାରେ ରହିଛି। କିଛି ବାଦ ବିସମ୍ବାଦ, ୨ଜଣ ବିଚାରକ ଓହରିଯିବା ଏବଂ ସ୍ବୟଂ ଫାତିମାଙ୍କୁ ନେଇ କିଛି ନକାରାତ୍ମକ ପରିସ୍ଥିତି ପରେ ବି େସ ଲକ୍ଷ୍ୟ ହାସଲରେ ସଫଳ ହୋଇଛନ୍ତି। ତାଙ୍କ ଶେଷ ନାମରେ ଥିବା ‘ବୋସ୍’ର ଅର୍ଥ ହେଉଛି ‘ଜଙ୍ଗଲ’। ଏଣୁ ଏମିତି କୁହାଯାଇପାରେ କି ପ୍ରତିଯୋଗିତାରେ ଭାଗ ନେଇଥିବା ୧୦୦ଜଣ ସୁନ୍ଦରୀଙ୍କ ଜଙ୍ଗଲ ଭିତରୁ ସେ ହିଁ ପ୍ରକୃତରେ ଜଙ୍ଗଲର ସୁନ୍ଦରୀ। ନଭେମ୍ବର ୨୪ ସନ୍ଧ୍ୟାର ଫାଇନାଲ୍ ରାଉଣ୍ଡରେ ପରମ୍ପରା ଓ ଆଧୁନିକତାର ସମ୍ମିଶ୍ରଣରେ ଝଲ୍ମଲ୍ ଲାଲ୍ ହାଇନେକ୍ର ଗାଉନ୍, ହିଲ୍ ଓ ସୁନ୍ଦର ଟୋପି ପିନ୍ଧି ରାମ୍ପୱକ୍ କରିଥିଲେ। ଝିଅ ଓ ମହିଳାମାନଙ୍କୁ ନେଇ ତାଙ୍କର ଦମ୍ଦାର୍ ବକ୍ତବ୍ୟ ଜୁରିମାନଙ୍କୁ ପ୍ରଭାବିତ କରିଥିଲା। ଜିତିବା ପରେ ଡେନ୍ମାର୍କର ଗତବର୍ଷର ବିଜେତା ଭିକ୍ଟୋରିଆ ଥିଲ୍ଭିଗ୍ ତାଙ୍କୁ ୭୪ତମ ମିସ୍ ୟୁନିଭର୍ସ ବିଜୟିନୀ ଭାବରେ ମୁକୁଟ ପିନ୍ଧାଇଥିଲେ।
Follow Us