ଭାରତରେ ସବୁଠୁ ସୁଖୀ ରାଜ୍ୟ ମିଜୋରାମ

ଭାରତରେ ସବୁଠୁ ସୁଖୀ ରାଜ୍ୟ ମିଜୋରାମ

ଆଇଜଲ: ଗୁରୁଗ୍ରାମସ୍ଥିତ ମ୍ୟାନେଜମେଣ୍ଟ ଡେଭ୍‌ଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ‌ଷ୍ଟ୍ରାଟେଜି ପ୍ରଫେସର ରାଜେଶ କେ ପିଲ୍ଲାନିଆଙ୍କ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଭାରତରେ ସବୁଠୁ ସୁଖୀ ରାଜ୍ୟ ହେଉଛି ମିଜୋରାମ। ଭାରତରେ ଶତପ୍ରତିଶତ ସାକ୍ଷରତା ହାସଲ କରିବାରେ ଦ୍ବିତୀୟ ରାଜ୍ୟ ହେଉଛି ମିଜୋରାମ ଯାହା ଛାତ୍ରଛାତ୍ରୀମାନଙ୍କୁ ବିଷମ ପରିସ୍ଥିତିରେ ମଧ୍ୟ ଉନ୍ନତି କରିବା ଲାଗି ସୁଯୋଗ ଦେଇଥାଏ।

ରିପୋର୍ଟ ଅନୁଯାୟୀ- ପାରିବାରିକ ସମ୍ପର୍କ, ନିଯୁକ୍ତି ପ୍ରସଙ୍ଗ, ସାମାଜିକ ପ୍ରସଙ୍ଗ, ଜନମଙ୍ଗଳ, ଧର୍ମ, କୋଭିଡ୍‌-୧୯ର ପ୍ରଭାବ ଏବଂ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ - ଏହି ଛଅଗୋଟି କାରକ ଉପରେ ଭିତ୍ତି କରି ମିଜୋରାମର ଖୁସି ସୂଚକାଙ୍କ ପ୍ରସ୍ତୁତ ହୋଇଛି। ଆଇଜଲସ୍ଥିତ ସରକାରୀ ମିଜୋ ହାଇସ୍କୁଲର ଜନୈକ ଛାତ୍ରଙ୍କ କହିବା ଅନୁସାରେ ତାଙ୍କ ବାପା ତାଙ୍କ ପରିବାରକୁ ତ୍ୟାଗ କରି ଚାଲିଯିବା ପରେ ତାଙ୍କୁ ବହୁ କଠିନ ସମସ୍ୟା ଭିତରଦେଇ ଗତି କରିବାକୁ ହୋଇଥିଲା। ତା’ ସତ୍ତ୍ବେ ସେ ସକାରତ୍ମକ ଭାବନା ତ୍ୟାଗ କରି ନ ଥିଲେ ଓ ପାଠପଢ଼ାରେ ବେଶ୍ ଭଲ କରିଥିଲେ। ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବେ କିମ୍ବା ପ୍ରଶାସନିକ ପରୀକ୍ଷା ଲାଗି ପ୍ରସ୍ତୁତ ହେବେ ବୋଲି କହିଛନ୍ତି।

ସେହିପରି ଉକ୍ତ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀର ଛାତ୍ର ଜାତୀୟ ପ୍ରତିରକ୍ଷା ଏକାଡେମି (ଏନ୍‌ଡିଏ)ରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ବାପା ଏକ କ୍ଷୀର କାରଖାନାରେ କାମ କରନ୍ତି ଏବଂ ତାଙ୍କ ମାଆ ଜଣେ ଗୃହିଣୀ। ତାଙ୍କ ସ୍କୁଲ କାରଣରୁ ଉଭୟ ବାପାମାଆ ତାଙ୍କ ଲକ୍ଷ୍ୟ ସଫଳ ହେବା ନେଇ ଆଶା ରଖିଛନ୍ତି। ଶିକ୍ଷକମାନେ ତାଙ୍କର ସାଙ୍ଗ ପରି। ଯେକୌଣସି ବିଷୟ ସେମାନେ ଶିକ୍ଷକଙ୍କ ସହ ସେୟାର କରିପାରନ୍ତି। ସେମାନେ ନିୟମିତ ଭାବେ ତାଙ୍କ ସହ ଓ ତାଙ୍କ ବାପାମାଆଙ୍କ ସହ ଯୋଗାଯୋଗ ରଖନ୍ତି। ମିଜୋରାମର ସାମାଜିକ ଢାଞ୍ଚା ମଧ୍ୟ ଏହାର ଯୁବବର୍ଗଙ୍କୁ ଖୁସି ରଖିବା ଲାଗି ଅବଦାନ ଦେଇଥାଏ। ତାଙ୍କ ସମାଜରେ ଜାତିଗତ ଭେଦବିଚାର ନାହିଁ। ପିଲାଙ୍କ ଉପରେ ପାଠପଢ଼ା ନେଇ ବାପାମାଆମାନେ ବି ଚାପ ପକାନ୍ତି ନାହିଁ। ପାଠପଢ଼ା ସରିବା ପରେ ପରେ ମିଜୋରାମର ପ୍ରତ୍ୟେକ ପିଲା ଲିଙ୍ଗ ନିର୍ବିଶେଷରେ ରୋଜଗାରକ୍ଷମ ହୋଇଥାନ୍ତି। ୧୬-୧୭ ବର୍ଷ ବୟସରେ ବି ପିଲାମାନେ ଚାକିରି ପାଇଯାନ୍ତି। ମିଜୋରାମର ଯୁବବର୍ଗ କୌଣସି କାମକୁ ଛୋଟ ମନେ କରନ୍ତି ନାହିଁ। ମିଜୋରାମରେ ଅନେକ ପରିବାର ଭାଙ୍ଗିଯାଇଥିଲେ ମଧ୍ୟ ମାଆମାନେ ରୋଜଗାରକ୍ଷମ ହୋଇଥିବାରୁ ଏବଂ ପିଲାମାନେ କମ୍ ବୟସରେ ଚାକିରି ପାଇଯାଉଥିବାରୁ ସେମାନେ କୌଣସି ଆର୍ଥିକ ଦୁଷ୍ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ନାହିଁ। ସ୍ବାମୀ-ସ୍ତ୍ରୀ ଉଭୟ ରୋଜଗାରକ୍ଷମ ହୋଇଥିବାରୁ ମନ ନ ପଡ଼ିଲେ କାହିଁକି ସେମାନେ ଆଶାନ୍ତି ଭିତରେ ଏକାଠି ରହିବେ ବୋଲି ଜଣେ ବ୍ୟକ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe