ଅର୍ଥ ସୂତ୍ର: ସୁନାଗହଣାର ଦାମ୍ କେମିତି ହିସାବ କରନ୍ତି ବ୍ୟବସାୟୀ?

ଏବେ ସୁନାର ବଜାର ଦର ଯେତିକି ହେଲାଣି ତାହାକୁ କିଣିବା ସାଧାରଣ ବର୍ଗର ଲୋକଙ୍କ ପାଇଁ ଖୁବ୍ କଷ୍ଟକର। ହେଲେ ଦର ଯେତେ ବଢ଼ିଲେ ବି ଭାରତୀୟମାନେ ସୁନା କିଣିବାକୁ କେବେ ପଛଘୁଞ୍ଚା ଦେବେନାହିଁ।

00

ଏବେ ସୁନାର ବଜାର ଦର ଯେତିକି ହେଲାଣି ତାହାକୁ କିଣିବା ସାଧାରଣ ବର୍ଗର ଲୋକଙ୍କ ପାଇଁ ଖୁବ୍ କଷ୍ଟକର। ହେଲେ ଦର ଯେତେ ବଢ଼ିଲେ ବି ଭାରତୀୟମାନେ ସୁନା କିଣିବାକୁ କେବେ ପଛଘୁଞ୍ଚା ଦେବେନାହିଁ। କାରଣ ସୁନା କିଣିବା ଭାରତୀୟଙ୍କ ପାରିବାରିକ ପରମ୍ପରା ବୋଲି କୁହାଯାଏ। ତେବେ ସୁନା ଅଳଙ୍କାର ମୂଲ୍ୟ କେମିତି ନିର୍ଦ୍ଧାରଣ ହୁଏ ଆସନ୍ତୁ ଜାଣିବା। ମୁଖ୍ୟତଃ ସୁନା ଅଳଙ୍କାର ମୂଲ୍ୟ କେତେ ହେବ ତାହା ଅଳଙ୍କାର ଦୋକାନୀଙ୍କ ଉପରେ ନିର୍ଭର କରିଥାଏ। ଅର୍ଥାତ୍ ସୁନାର କ୍ବାଲିଟି, କ୍ୟାରେଟ୍, ରିଫାଇନିଂ, ପରିବହନ ଓ କର ଉପରେ ସୁନା ଦର ନିର୍ଭର କରିଥାଏ। ଏହି ସବୁ କାରଣରୁ ସୁନା ଦର ଦୋକାନ ଅନୁସାରେ ଅଲଗା ହୋଇପାରେ। ଏହାସହିତ ସୁନାର ଗଢ଼ାମଜୁରି ୧୦%ରୁ ୨୫% ପର୍ଯ୍ୟନ୍ତ ମଧ୍ୟ ଯୋଡ଼ାଯାଏ। 

 ଭାରତରେ ସୁନା ମୂଲ୍ୟ କିପରି ହିସାବ କରାଯାଏ?
ପ୍ରତ୍ୟେକ ବଡ଼ ସହରରେ ଗୋଟିଏ ସୁନା ସଂଘ (ଗୋଲ୍‌ଡ ଆସୋସିଏସନ୍) ଥାଏ, ଯାହା ଯୋଗାଣ, ଚାହିଦା, ପରିବହନ ଖର୍ଚ୍ଚ ଓ ସୁନାର ବଜାର କାର୍ଯ୍ୟଦକ୍ଷତାକୁ ବିଚାର କରିବା ପରେ ପ୍ରତିଦିନ ସୁନାର ନିର୍ଦ୍ଧାରିତ ମୂଲ୍ୟ ଘୋଷଣା କରେ।
ସୁନା ଅଳଙ୍କାରର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଅଳଙ୍କାର ବ୍ୟବସାୟୀ ନିମ୍ନଲିଖିତ ସୂତ୍ର ପ୍ରୟୋଗ କରନ୍ତି: 
ଗହଣାର ପ୍ରକୃତ ମୂଲ୍ୟ= ସୁନାର ଦାମ୍ x ସୁନାର ଓଜନ+ ୩% ଜିଏସ୍‌ଟି + ଗଢ଼ାମଜୁରି + ହଲ୍‌ମାର୍କିଂ ଚାର୍ଜେସ୍।
ମନେ କରନ୍ତୁ, ଜଣେ ଅଳଙ୍କାର ବ୍ୟବସାୟୀ ୨୨ କ୍ୟାରେଟ୍ ସୁନାର ମୂଲ୍ୟ (ଆମଦାନୀ ଶୁଳ୍‌କ ଏବଂ ଏଗ୍ରିକଲ୍‌ଚର୍ ଓ ଡେଭେଲପ୍‌ମେଣ୍ଟ ସେସ୍ ସହିତ) ୩୦,୦୦୦ ଟଙ୍କା ସ୍ଥିର କରିଛନ୍ତି ଏବଂ ୩୦୦ ଟଙ୍କା ଶୁଳ୍‌କ ରଖିଛନ୍ତି। ଜଣେ କ୍ରେତା ୨୦ ଗ୍ରାମ୍ ୨୨ କ୍ୟାରେଟ୍ ସୁନା ମୁଦି କିଣିବାକୁ ଚାହୁଛନ୍ତି, ତେବେ 
୧୦ ଗ୍ରାମ୍ ୨୨କେ ସୁନାର ମୂଲ୍ୟ = ୩୦,୦୦୦ ଟଙ୍କା
୧ ଗ୍ରାମ୍ ୨୨କେ ସୁନାର ମୂଲ୍ୟ = ୩,୦୦୦ ଟଙ୍କା
ଅଳଙ୍କାରର ଓଜନ = ୨୦ ଗ୍ରାମ୍
ଗଢ଼ା ମଜୁରି ଦାମ୍ = ପ୍ରତି ଗ୍ରାମ୍ ପାଇଁ ୩୦୦ ଟଙ୍କା
ଜିଏସ୍‌ଟି = ୩% (ଫ୍ଲାଟ୍-ରେଟ୍)
ଅର୍ଥାତ୍, ୨୨କେ ସୁନା ମୁଦିର ୨୦ ଗ୍ରାମ୍ ମୋଟ୍ ମୂଲ୍ୟ ୩,୦୦୦ ଟଙ୍କା x ୨୦ ଗ୍ରାମ୍ + (୨୦ ଗ୍ରାମ୍ x ୩୦୦ ଟଙ୍କା) + ୩% ଜିଏସ୍‌ଟି = ୬୭,୯୮୦ ଟଙ୍କା।
   ସୁନାର ମୂଲ୍ୟ କ୍ୟାରେଟ୍ ଉପରେ ନିର୍ଭର କରିଥାଏ। ଅର୍ଥାତ୍ ୨୪ କ୍ୟାରେଟ୍, ୨୨ କ୍ୟାରେଟ୍, ୧୮ କ୍ୟାରେଟ୍ ବା ୧୪ କ୍ୟାରେଟ୍‌ର ଦାମ୍ ଅଲଗା। କାରଣ ଅଧିକ କ୍ୟାରେଟ୍ ସୁନା‌େର ଶୁଦ୍ଧତା ପରିମାଣ ଅଧିକ। ଗହଣା ଦୋକାନୀ ନିଜ ପରିଶ୍ରମ ଅନୁସାରେ ଗଢ଼ାମଜୁରି ମୂଲ୍ୟକୁ ବଢ଼ାଇଥା’ନ୍ତି କିମ୍ବା କମ୍ କରିଥା’ନ୍ତି। କିଛି କିଛି ଗହଣା ବ୍ୟବସାୟୀ ପୂଜାପର୍ବରେ ଗହଣା ଉପରେ ଅଫର୍ ଦେଇଥାନ୍ତି, ସେମାନଙ୍କ ଗଢ଼ାମଜୁରି କମ୍ କରିଥାନ୍ତି। ଏହି ସମୟରେ ଗହଣା କିଣି ଅଫର୍‌ର ଲାଭ ଉଠାଇବା ଲାଭଦାୟକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe