ବିଶ୍ୱର ପ୍ରାୟ ତିନି-ଚତୁର୍ଥାଂଶ ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟସ୍ଥଳ ଜଳସଂକଟ କିମ୍ବା ଜଳାର୍ଣ୍ଣବ ହେତୁ ବିପଦଗ୍ରସ୍ତ ହୋଇପଡ଼ିଛି ବୋଲି ଜାତିସଂଘର ସାଂସ୍କୃତିକ ସଂସ୍ଥା ‘ୟୁନେସ୍କୋ’ କହିଛି। ‘ୟୁନେସ୍କୋ’ ଅନୁଯାୟୀ ଐତିହ୍ୟ ତାଲିକାରେ ଥିବା ୧,୧୭୨ ଅଣ-ସାମୁଦ୍ରିକ ସ୍ଥାନ ମଧ୍ୟରୁ ୭୩ ପ୍ରତିଶତ ଜଳାଭାବ, ମରୁଡ଼ି ଓ ବନ୍ୟା ଭଳି କୌଣସି ଗୋଟିଏ ଗମ୍ଭୀର ଜଳ ବିପଦର ସମ୍ମୁଖୀନ ହୋଇଛନ୍ତି। ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା, ଦକ୍ଷିଣ ଏସିଆର କିଛି ଅଂଶ ଏବଂ ଉତ୍ତର ଚୀନ୍ ଭଳି ଅଞ୍ଚଳରେ ଜଳ ଚାପ ତୀବ୍ର ହେଉଥିବା ଆକଳନ କରାଯାଇଛି, ଯାହା ପରିବେଶ, ସାଂସ୍କୃତିକ ଐତିହ୍ୟ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ସମ୍ପ୍ରଦାୟ ଓ ପର୍ଯ୍ୟଟନ ଅର୍ଥନୀତି ପାଇଁ ଦୀର୍ଘକାଳୀନ ବିପଦ ସୃଷ୍ଟି କରିବ। ୟୁନେସ୍କୋର ଅଧ୍ୟୟନ ଅନୁଯାୟୀ, ସାଂସ୍କୃତିକ ସ୍ଥଳଗୁଡ଼ିକ ସାଧାରଣତଃ ଜଳାଭାବ ଦ୍ୱାରା ବିପଦରେ ପଡ଼ିଥିବା ବେଳେ ଅର୍ଦ୍ଧାଧିକ ପ୍ରାକୃତିକ ସ୍ଥଳ ନିକଟବର୍ତ୍ତୀ ନଦୀର ବନ୍ୟା ଦ୍ବାରା ବିପଦର ସମ୍ମୁଖୀନ ହୋଇଛନ୍ତି।
ଉଦାହରଣ ସ୍ୱରୂପ, ଭାରତରେ ପ୍ରଦୂଷଣ ଏବଂ ଭୂତଳ ଜଳସ୍ତର ହ୍ରାସ ଫଳରେ ଜଳାଭାବର ସମ୍ମୁଖୀନ ହୋଇ ଆଗ୍ରାର ତାଜମହଲ କ୍ଷତିଗ୍ରସ୍ତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୨ର ବନ୍ୟା ସମଗ୍ର ୟେଲୋଷ୍ଟୋନ୍ ଜାତୀୟ ଉଦ୍ୟାନକୁ ବନ୍ଦ କରିଦେଇଥିଲା ଏବଂ ଭିତ୍ତିଭୂମି ମରାମତିରେ ୨୦ ନିୟୁତ ଡଲାରରୁ ଅଧିକ ଖର୍ଚ୍ଚ ହୋଇଥିଲା। ସେହିପରି ଇରାକର ପ୍ରସିଦ୍ଧ ଦକ୍ଷିଣ ଆର୍ଦ୍ରଭୂମି ଅତ୍ୟନ୍ତ ଉଚ୍ଚ ଜଳ ଚାପର ସମ୍ମୁଖୀନ ହେଉଛି। ଜାମ୍ବିଆ ଏବଂ ଜିମ୍ବାୱେ ସୀମାରେ ଥିବା ଭିକ୍ଟୋରିଆ ଜଳପ୍ରପାତ ବାରମ୍ବାର ମରୁଡ଼ିର ସମ୍ମୁଖୀନ ହୋଇଛି ଏବଂ କେତେକ ସମୟରେ ଏହା ଏକ ଝରଣା ପରି କ୍ଷୀଣ ହୋଇଯାଉଛି।
Follow Us