ଭୁବନେଶ୍ବର: ହଁ… ହଁ… ସିଏ ବି ଜଣେ ଦୁର୍ଗା । ତୋ ପରି ହୁଏତ ତା ହାତରେ ସେଦିନ ନଥିଲା ଖଡ୍ଗ, ତ୍ରିଶୂଳ କି ଅନ୍ୟାନ୍ୟ ଅସ୍ତ୍ର । ତୁ ମାନ୍ କି ନମାନ ସିଏ ବି ତୋ ପରି ଜଣେ ଦୁର୍ଗା, ଜଣେ ଯୋଦ୍ଧା… ତୁ ଦେବୀ ହେଇପାରୁ ସିଏ କିନ୍ତୁ ମଣିଷ ଦେହରେ ବି ଦୁର୍ଗାଟିଏ । ସିଏ ତୋ ପରି ବର୍ଛା କି ଧନୁଧାରିଣୀ ନହେଇପାରେ କିନ୍ତୁ ସିଏ ବି ଧରେ ସିରିଞ୍ଚ, ଷ୍ଟେଥୋ, କଇଁଚି… ନାନାଦି ମହାମାରୀ ମୁକାବିଲାର ଅସ୍ତ୍ର । ତୁ ଭକ୍ତିରେ ଡାକିଲେ ଆସୁ… ଲୋକଙ୍କୁ ବିପଦେ ଆପଦେ ସାହା ହେଉ… ସିଏ ବି ଲୋକଙ୍କ ବିପଦ ଆପଦରେ ଛିଡା ହେବାକୁ ପଣ କରିଥିଲା… ରୋଗୀଙ୍କ ସେବା କରିବାକୁ ପାଠ ପଢୁଥିଲା । ଆଉ କିଛି ବର୍ଷ ଗଲା ପରେ ହୁଏତ ସିଏ ବି ରୋଗୀଙ୍କ ଡାକରେ ପହଞ୍ଚିଥାନ୍ତା ଠିକ୍ ଦୁଃଖୀଙ୍କ ଡାକରେ ତୁ ପହଞ୍ଚିବା ପରି…

Advertisment

ହେଲେ କହ ମାଆ ଯିଏ ଲୋକଙ୍କ ବିପଦ ଆପଦେ ଛିଡା ହେବାକୁ ଶିକ୍ଷା ନେଉଥିଲା ତା ବିପଦରେ କାହିଁକି କେହି ଛିଡା ହେଲେନି…? ଯଦି ତାକୁ ବି ଆମେ ଦୁର୍ଗା ବୋଲି କହିବା ତାହାଲେ କାହିଁକି ସେଦିନ ଅନ୍ଧାରୀ ଜଙ୍ଗଲରେ ମହିଷାସୁରମାନେ ନାରୀର ଶକ୍ତି ଆଗରେ ଭାରି ପଡିଗଲେ…? ଓଃ… ସେଦିନ ସିଏ ବିନା ଅସ୍ତ୍ରରେ ବାହାରକୁ ବାହାରିଥିଲା,ଏଇୟା ତା ଭୁଲ ନୁହେଁ... ହେଲେ ଯେଉଁ ଅସ୍ତ୍ର ରୋଗୀଙ୍କ ପାଇଁ ଉଦିଷ୍ଟ ସେହି ଅସ୍ତ୍ରରେ କଣ ରାକ୍ଷସଙ୍କୁ କରିହେବ ନିପାତ ? କହ ମାଆ କହ… ତୁ ଯାଉ ଯାଉ କାହିଁକି ଏ ମହିଷାସୁରମାନେ ପୁଣି ଜାଗ୍ରତ ହେଇଗଲେ ? ତୁ କାହିଁକି କିଛି କରିପାରିଲୁନି ? କାହିଁକି ତୁ ଯିବା ଆଗରୁ ସେମାନଙ୍କୁ ମାରିକି ଗଲୁନି ? ଜବାବ ଦିଅ ହେ ଦୁର୍ଗା ମାଆ…ଜବାବ ଦିଅ... 

Untitled-20

ଦୁର୍ଗାପୁରରେ ଘଟିଥିବା ଅମାନବୀୟକାଣ୍ଡକୁ ଯେତେ ନିନ୍ଦା କଲେ ବି, ଯେଉଁ ପ୍ରକାରରେ ନିନ୍ଦା କଲେବି ତାହା କମ୍ ହେଇପଡିବ । ଯେତେବେଳେ ଗୋଟେ ଡାକ୍ତରୀ ପଢୁଆ ଯୁବତୀ ସହ ଯୌନ ଜହ୍ଲାଦମାନେ ଅତି ନିର୍ମମ ଭାବେ ଜଣେ ପରେ ଜଣେ ଗଣଦୁଷ୍କର୍ମ କରି ତାକୁ ଲହୁଲୁହାଣ କରି ପକାଉଛନ୍ତି ସେଠି ନାରୀ ସୁରକ୍ଷାର କଥା, ମହିଳାଙ୍କୁ ସୁରକ୍ଷା ଦେବାରେ ଏ ସମାଜ, ଏ ଦେଶ କେତେ ଆଗରେ ତାହା ଜଳ ଜଳ ହୋଇ ଦେଖାଯାଉଛିୁ ।

ଆରଜି କର ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଦୁର୍ଗାପୁର ଘଟଣା କୋଲକାତାର କଳା କାହାଣୀକୁ ସାମ୍ନାକୁ ଆଣିଛି । କେମିତି ପଶ୍ଚିମବଙ୍ଗରେ ନାରୀଟିଏ ଅସୁରକ୍ଷିତ ତାହା ବାରି ହୋଇପଡିଛି । ସେଦିନ ଆରଜି କର ପୀଡିତା ଅଭୟା ବି ଏମିତି ଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଆଉ ଆଜି ଯେତେବେଳେ ଓଡିଆ ଡାକ୍ତରୀ ଛାତ୍ରୀ ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସେତେବେଳେ ଓଡିଶାର ଝିଅ ସହ, ଦୁର୍ଗା ଭଳି ସାହସର ସହ ହସ୍ପିଟାଲ ବେଡରେ ଜୀବନ ପାଇଁ ଲଢୁଥିବା ଯୁବତୀ ଯେମିତି ସୁସ୍ଥ ହୋଇ ଓଡିଶା ଫେରିଆସିବେ ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । କାରଣ ପଶ୍ଚିମବଙ୍ଗରେ କେତେବେଳେ କିଛି ବି ହୋଇପାରେ ବୋଲି ପରିବାର ଲୋକେ ଆଶଙ୍କା କରୁଥିବା ବେଳେ ଝିଅର ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ପୀଡିତାଙ୍କ ବାପା । 

New Project (1)

ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ ପୀଡିତାଙ୍କ ବାପା କହିଛନ୍ତି- ମୋ ଝିଅ ପଶ୍ଚିମବଙ୍ଗରେ ଅସୁରକ୍ଷିତ । ମୋ ଝିଅର ଜୀବନ ପ୍ରତି ବିପଦ ରହିଛି । ଝିଅକୁ ମାରିଦେବାକୁ ଉଦ୍ୟମ ହୋଇପାରେ । ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ଦୟାକରି ଝିଅକୁ ଓଡିଶା ଯିବାକୁ ଅନୁମତି ଦିଅନ୍ତୁ । ଏଠାରେ ମୋ ଝିଅ ସୁରକ୍ଷିତ ନୁହେଁ, ଓଡିଶାରେ ସିଏ ସୁରକ୍ଷିତ ରହିବ । ଝିଅ ମୋର ଚଳାବୁଲା କରିବାକୁ ଅସମର୍ଥ, ସେ ଏବେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସାଧୀନ ବୋଲି ବାପା ପ୍ରତିକ୍ରିୟାରେ କହିଥିବା ବେଳେ ଓଡିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ଝିଅ ପାଇଁ ଓଡିଶାର ମେଡିକାଲ କଲେଜରେ ନାମଲେଖା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ପୀଡିତାଙ୍କ ବାପା କହିଛନ୍ତି- ମୋ ପାଇଁ ଏବେ ଝିଅର ଜୀବନ ଆଗ, ତାପରେ ପାଠପଢା… ତେଣୁ ଆମକୁ ଏଠାରୁ ଯିବାକୁ ଦିଅନ୍ତୁ । 

ଅଧିକ ପଢନ୍ତୁ-

ଦୁର୍ଗାପୂଜା ପରେ ଦୁର୍ଗାପୁରରେ ଦୁଷ୍କର୍ମ: ଦେବୀଙ୍କ ବିସର୍ଜନ ସରୁସରୁ ସକ୍ରିୟ ହେଲେ ସୈତାନ, ଅନ୍ଧାର ଭିତରେ ନାରୀକୁ କଲେ ଆସୁରିକ ଆକ୍ରମଣ…