ନୂଆଦିଲ୍ଲୀ: ଆଜି ଦେଶର ୧୫ଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ଶପଥ ଗ୍ରହଣ କରିସାରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟ୍ରୁ ରାଷ୍ଟ୍ରପତି ଭବନକୁ ପ୍ରତ୍ୟାବର୍ତ୍ତନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତେବେ ଶପଥ ଗ୍ରହଣ ପରେ ଦ୍ରୌପଦୀ ମୁର୍ମୁଙ୍କ ସହ ଜଡ଼ିତ ଏକ ଅଜଣା କଥା ସାମ୍ନାକୁ ଆସିଛି। ପିଲା ଦିନେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ଭାବେ ନୁହେଁ ବରଂ "ପୁତୀ" ନାମରେ ପରିଚିତ ଥିଲେ। ତାଙ୍କର ଜନ୍ମ ପରେ ତାଙ୍କର ନାଁ "ପୁତୀ" ରଖାଯାଇଥିଲା। ସ୍କୁଲରେ ମଧ୍ୟ ଏହି ନାଁ ଲେଖାଇ ସେ ପାଠ ପଢ଼ିବା ଆରମ୍ଭ କରିଥିଲେ।
ହେଲେ ସ୍କୁଲରେ ଥିବା ଶିକ୍ଷକ ତାଙ୍କ ନାଁକୁ ପସନ୍ଦ ନକରିବା ସହ ଏହାକୁ ବଦଳାଇ ଦେଇଥିଲେ। ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀଙ୍କ ନାଁ ତାଙ୍କ ସ୍କୁଲ ଶିକ୍ଷକ ବଦଳାଇ 'ମହାଭାରତ'ରେ ଥିବା ଏକ ଚରିତ୍ରର ନାଁ ହିସାବରେ ଦେଇଥିଲେ। ସେହିଦିନଠାରୁ ସେ ଦ୍ରୌପଦୀ ନାମରେ ପରିଚିତ ହୋଇଥିଲେ।
newindianexpressକିଛି ସମୟ ପୂର୍ବରୁ ଓଡ଼ିଆ ଭିଡିଓ ମାଗାଜିନକୁ ଦେଇଥିବା ଏକ ସାକ୍ଷାତକାରରେ ସେ ପ୍ରକାଶ କରିଥିଲେ ଯେ, ଛୋଟ ବେଳେ ତାଙ୍କର ଥିବା ସାନ୍ତାଳି ନାମ "ପୁତୀ"କୁ ତାଙ୍କ ସ୍କୁଲର ଜଣେ ଶିକ୍ଷକ ବଦଳାଇ ଦ୍ରୌପଦୀ ରଖିଥିଲେ। ସାକ୍ଷାତକାରରେ ସେ କହିଥିଲେ ଯେ, ଦ୍ରୌପଦୀ ମୋର ପ୍ରଥମ ନାମ ନଥିଲା। ଏହା ମୋ ଶିକ୍ଷକଙ୍କ ଦ୍ବାରା ଦିଆଯାଇଥିଲା। ମୋର ଶିକ୍ଷକ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା ହୋଇନଥିବାରୁ ତାଙ୍କୁ ମୋର ନାଁ ପସନ୍ଦ ଆସିନଥିଲା। ସାନ୍ତାଳି ସଂସ୍କୃତିରେ ନାମଗୁଡ଼ିକ କେବେ ମରନ୍ତି ନାହିଁ। ଯଦି ଝିଅ ଜନ୍ମ ହୁଏ, ତେବେ ସେ ତା’ର ଜେଜେମା’ଙ୍କ ନାଁ ନେଇଥାଏ। ଯେତେବେଳେ ଗୋଟିଏ ପୁଅ ଜନ୍ମ ହୁଏ, ସେତେବେଳେ ପୁଅଟିର ନାଁ ଜେଜେବାପାଙ୍କ ନାଁ ହିସାବରେ ତା’ର ନାଁ ରଖାଯାଏ। ବିବାହ ପୂର୍ବରୁ ମୁଁ ଟୁଡୁ ଉପନାମ ବ୍ୟବହାର କରୁଥିଲି। ହେଲେ ବିବାହ ପରେ ମୋର ଉପନାମ ମୁର୍ମୁ ହୋଇଥିଲା।
Follow Us