ଜାତୀୟ ନିରାପଦ ମାତୃତ୍ବ ଦିବସ

ଜାତୀୟ ନିରାପଦ ମାତୃତ୍ବ ଦିବସ

ଆଜି ସମଗ୍ର ଭାରତବର୍ଷରେ ‘ଜାତୀୟ ନିରାପଦ ମାତୃତ୍ବ ଦିବସ’ ପାଳନ କରାଯାଉଛି। ଏକ ପରିସଂଖ୍ୟାନ ଅନୁଯାୟୀ, ପ୍ରତି ବର୍ଷ ବିଶ୍ବରେ ସଂଘଟିତ ମୋଟ ମାତୃ ମୃତ୍ୟୁର ୧୫ ପ୍ରତିଶତ ଭାରତରେ ହିଁ ଘଟୁଅଛି। ଏପରିକି ବିନା ଚିକିତ୍ସାରେ ଗର୍ଭବାସ ଓ ପ୍ରସବ ଯୋଗୁଁ ଦେଶରେ ପ୍ରତ୍ୟହ ୮୩୦ ଜଣ ମହିଳାଙ୍କର ମୃତ୍ୟୁ ହେଉଥିବା ଜଣାଯାଇଛି। ଗର୍ଭାବସ୍ଥା ଓ ପ୍ରସବ ସମୟରେ ଗର୍ଭବତୀମାନେ ଅସାବଧାନତା ଓ ଅପପୁଷ୍ଟିର ଶିକାର ହେବା ଯୋଗୁଁ ଏପରି ଘଟୁଛି। ଅପରପକ୍ଷେ, ମା’ମାନଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇ ନଦେବା ପଛରେ ଯୋଗ୍ୟ ତଥା ଅଭିଜ୍ଞ ପେସାଦାରଙ୍କ ଅଭାବ ମଧ୍ୟ ଅନ୍ୟତମ କାରଣ। ସେହିପରି ପଛୁଆ ଅଞ୍ଚଳରେ ଔଷଧ ଓ ଆବଶ୍ୟକ ଚିକିତ୍ସା ଉପକରଣର ଅନୁପଲବ୍‌ଧତା ମଧ୍ୟ ମାତୃ ମୃତ୍ୟୁହାର ବୃଦ୍ଧି ପାଇଁ ଦାୟୀ। ତେଣୁ ୨୦୦୩ ମସିହାରେ ୧,୮୦୦ଟି ବିଭିନ୍ନ ସଂସ୍ଥାର ମିଳିତ ସଂଗଠନ ‘ହ୍ବାଇଟ୍‌ ରିବନ୍‌ ଆଲାଏନ୍‌ସ ଇଣ୍ଡିଆ’ ସଂସ୍ଥାର ଅନୁରୋଧ କ୍ରମେ ଭାରତ ସରକାର କସ୍ତୁରବା ଗାନ୍ଧୀଙ୍କ ଜନ୍ମ ତାରିଖକୁ ‘ଜାତୀୟ ନିରାପଦ ମାତୃତ୍ବ ଦିବସ’ ରୂପେ ପାଳନ କରିବା ଲାଗି ଘୋଷଣା କରିଥିଲେ।

ଉଦ୍ଦେଶ୍ୟ ହେଉଛି, ଆମ ଦେଶର ମହିଳାମାନେ ବିଶେଷ କରି ଗର୍ଭଧାରଣ, ପ୍ରସବ ଓ ପରବର୍ତ୍ତୀ କାଳରେ ଯେପରି ଯଥୋଚିତ ଯତ୍ନ ଓ ସ୍ବାସ୍ଥ୍ୟସେବା ପାଇପାରିବେ। ନିରାପଦ ମାତୃତ୍ବ ହାସଲ ପାଇଁ ଜାତୀୟ ଦିବସ ଘୋଷଣା କରିବାରେ ଭାରତ ହେଉଛି ବିଶ୍ବରେ ପ୍ରଥମ। ଏପରି ଦିବସ ପାଳନ ଦ୍ବାରା ଗର୍ଭବତୀଙ୍କ ପାଇଁ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ସମୟୋଚିତ ଯତ୍ନ ଯୋଗାଇବା ଲାଗି ଜନସାଧାରଣ ସଚେତନ ହୋଇପାରିବେ। ଚଳିତ ବର୍ଷ ଏହି ଦିବସ ପାଳନର ମୁଦ୍ଦା ହେଉଛି, ‘କରୋନା ଭୂତାଣୁ ମଧ୍ୟରେ ଘରେ ରହନ୍ତୁ ଏବଂ ମାଆ ଓ ଶିଶୁକୁ କରୋନା ଭୂତାଣୁରୁ ସୁରକ୍ଷିତ ରଖନ୍ତୁ’। ଅର୍ଥାତ୍‌ ମହାମାରୀ ସୃଷ୍ଟିକାରୀ କରୋନା ଭୂତାଣୁର କ୍ଷିପ୍ର ତଥା ଘାତକ ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଘର ହିଁ ସବୁଠାରୁ ସୁରକ୍ଷିତ ସ୍ଥାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe