ନବଦୁର୍ଗା: ଶୈଳପୁତ୍ରୀ, ବ୍ରହ୍ମଚାରିଣୀ ଓ ଚନ୍ଦ୍ରଘଣ୍ଟା

ଆଶ୍ବିନ ମାସ ଅନେକ ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ ଓ ପବିତ୍ର। ଏହାର କୃଷ୍ଣପକ୍ଷ ‘ପିତୃପକ୍ଷ’ ଓ ଶୁକ୍ଳପକ୍ଷ ‘ଦେବୀପକ୍ଷ’ ରୂପେ କଥିତ ହୁଏ। ଦେବୀପକ୍ଷର ପ୍ରଥମ ନଅ ଦିନ ଦେବୀ ନଅଟି ଭିନ୍ନ ଭିନ୍ନ ନାମ ଓ ରୂପରେ ପୂଜିତା ହୁଅନ୍ତି।

shffhhfs

ଆଶ୍ବିନ ମାସ ଅନେକ ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ ଓ ପବିତ୍ର। ଏହାର କୃଷ୍ଣପକ୍ଷ ‘ପିତୃପକ୍ଷ’ ଓ ଶୁକ୍ଳପକ୍ଷ ‘ଦେବୀପକ୍ଷ’ ରୂପେ କଥିତ ହୁଏ। ଦେବୀପକ୍ଷର ପ୍ରଥମ ନଅ ଦିନ ଦେବୀ ନଅଟି ଭିନ୍ନ ଭିନ୍ନ ନାମ ଓ ରୂପରେ ପୂଜିତା ହୁଅନ୍ତି। ସେହି ନଅ ନାମ ଓ ରୂପ ‘ନବଦୁର୍ଗା’ ଭାବରେ ବିଦିତ। ତାହା ହେଉଛି- ପାର୍ବତୀ ବା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ। ଏହି ନଅ ଦିନର ପୂଜା ନବରାତ୍ରି ନାମରେ ମଧ୍ୟ ବିଦିତ।

ଶୈଳପୁତ୍ରୀ
ମା’ ଦୁର୍ଗାଙ୍କର ଏହି ନଅ ରୂପର ପ୍ରଥମ ରୂପ ‘ଶୈଳପୁତ୍ରୀ’। ସେ ପ୍ରଥମ ଦିନର ଉପାସ୍ୟା। ସେ ବୃଷଭ ବାହନା। ତାଙ୍କର ଦୁଇ ହସ୍ତ ମଧ୍ୟରୁ ଦକ୍ଷିଣ ହସ୍ତରେ ତ୍ରିଶୂଳ ଓ ବାମ ହସ୍ତରେ ପଦ୍ମପୁଷ୍ପ ଶୋଭିତ। ପୁରାଣ-ପ୍ରସଙ୍ଗ ଅନୁସାରେ- ପୂର୍ବ ଜନ୍ମରେ ସେ ଥିଲେ ଦକ୍ଷକନ୍ୟା ‘ସତୀ’। ତାଙ୍କର ବିବାହ ହୋଇଥିଲା ଶିବଙ୍କ ସହିତ। କିନ୍ତୁ ଦକ୍ଷଙ୍କ ଯଜ୍ଞରେ ଶିବଙ୍କର ଅପମାନ ଯୋଗୁଁ ସେ ସେହି ଯଜ୍ଞରେ ଆତ୍ମବିସର୍ଜନ କରିଥିଲେ। ସେଥିରେ କ୍ଷୁବ୍‌ଧ ହୋଇ ଶିବ ଦକ୍ଷ ଯଜ୍ଞ ଧ୍ବଂସ କରିଥିଲେ।
ସେହି ସତୀ ପରଜନ୍ମରେ ଶୈଳରାଜ ହିମାଳୟଙ୍କ ପୁତ୍ରୀ ରୂପେ ଜାତ ହୋଇଥିଲେ। ତେଣୁ ତାଙ୍କର ନାମ ‘ଶୈଳପୁତ୍ରୀ’। ତାଙ୍କର ଅନ୍ୟ ନାମ ପାର୍ବତୀ ଓ ‌େହୖମବତୀ। ଏ ଜନ୍ମରେ ମଧ୍ୟ ସେ ହୋଇଥିଲେ ଶିବପତ୍ନୀ। ପ୍ରଥମ ଦୁର୍ଗା ରୂପେ ତାଙ୍କର ଶକ୍ତି ଅନନ୍ତ। ଏହି ପୂଜାରେ ଯୋଗୀ ନିଜର ମନକୁ ମୂଳାଧାର ଚକ୍ରରେ ସ୍ଥିତ କରନ୍ତି ଏବଂ ସେହିଠାରୁ ତାଙ୍କର ଯୋଗସାଧନାର ଅୟମାରମ୍ଭ ହୁଏ।

ବ୍ରହ୍ମଚାରିଣୀ
ନବଦୁର୍ଗାଙ୍କ ମଧ୍ୟରୁ ଦ୍ବିତୀୟ ଦୁର୍ଗା- ‘ବ୍ରହ୍ମଚାରିଣୀ’। ଏହି ଶକ୍ତି ଦ୍ବିତୀୟ ଦିନର ଉପାସ୍ୟା। ‘ବ୍ରହ୍ମ’ର ଅର୍ଥ ତପସ୍ୟା ଏବଂ ଏ ଦୃଷ୍ଟିରୁ ସେ ତପଶ୍ଚାରିଣୀ। ଦେବୀଙ୍କର ଏ ରୂପ ହେଉଛି- ଜ୍ୟୋତିରୂପ। ତାଙ୍କର ବାମ ହସ୍ତରେ କମଣ୍ଡଳୁ ଓ ଦକ୍ଷିଣ ହସ୍ତରେ ଜପମାଳା ପରିଲକ୍ଷିତ ହୁଏ। ପୁରାଣ ପ୍ରସଙ୍ଗ ଅନୁସାରେ, ନାରଦଙ୍କ ପରାମର୍ଶରେ ଶୈଳପୁତ୍ରୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ। ତାହାର ଅବଧି ଥିଲା ତିନି ସହସ୍ର ବର୍ଷ। ସେହି ସମୟରେ ପତ୍ର (ପର୍ଣ୍ଣ) ଆହାର ମଧ୍ୟ ପରିତ୍ୟାଗ କରିବାରୁ ତାଙ୍କର ନାମ ହୋଇଥିଲା ‘ଅପର୍ଣ୍ଣା’। ସେହି ତପସ୍ୟା ଫଳରେ ତ୍ରିଲୋକରେ ‌ଆଲୋଡ଼ନ ସୃଷ୍ଟି ହୋଇଥିଲା। ପିତାମହ ବ୍ରହ୍ମା ତାଙ୍କୁ ଆଶୀର୍ବାଦ କରି କହିଥିଲେ- ଶିବଙ୍କୁ ସେ ପତି ରୂପେ ପାଇବେ। ଏଣୁ ଏହି ବ୍ରହ୍ମଚାରିଣୀ, ତପଶ୍ଚାରିଣୀଙ୍କ ଉପାସନା ଫଳରେ ମନୁଷ୍ୟ ତାହାର ସ୍ବଭାବରେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାର ଓ ସଂଯମ ଲାଭ କରେ। ତାଙ୍କର ପୂଜା ସାଧକକୁ ସ୍ବାଧିଷ୍ପାନ ଚକ୍ରରେ ସ୍ଥିତ କରେ।

ଚନ୍ଦ୍ରଘଣ୍ଟା
ନବଦୁର୍ଗା‌ଙ୍କ ମଧ୍ୟରୁ ତୃତୀୟ ଦୁର୍ଗା- ଚନ୍ଦ୍ରଘଣ୍ଟା। ତାଙ୍କର ମସ୍ତକରେ ଘଣ୍ଟା ଆକାରରେ ଅର୍ଦ୍ଧଚନ୍ଦ୍ର ସୁଶୋଭିତ। ତାଙ୍କର ଶରୀର ସ୍ବର୍ଣ୍ଣାଭ ଓ ଉଜ୍ଜ୍ବଳ। ସେ ଦଶଭୁଜା। ସେହି ଦଶଭୁଜରେ ଖଡ଼୍‌ଗ ଓ ବାଣ ଆଦି ବିଭୂଷିତ। ସେ ସିଂହବାହନା। ତାଙ୍କର ଘଣ୍ଟାଧ୍ବନିରେ ଦୁରାଚାରୀ ଦୈତ୍ୟ ପ୍ରକମ୍ପିତ ହୁଅନ୍ତି। ସେ ତୃତୀୟ ଦିନର ଉପାସ୍ୟା। ସାଧକ ‌ଏହି ଦିନ ମଣିପୁର ଚକ୍ରରେ ପ୍ରବେଶ କରନ୍ତି ଏବଂ ମାତା ଚନ୍ଦ୍ରଘଣ୍ଟାଙ୍କ କୃପାରେ ତାଙ୍କର ସମସ୍ତ ପାପ ଓ ବାଧା ନାଶ ହୁଏ। ଏହାଙ୍କର ବାହନ ସିଦ୍ଧି ହୋଇଥିବାରୁ ସାଧକ ପରାକ୍ରମୀ ଓ ନିର୍ଭୟ ହୁଅନ୍ତି। କିନ୍ତୁ ଦୁଷ୍ଟ ଦମନ ହେବା ଯୋଗୁଁ ସେ ମାତାଙ୍କ ପରି ଶାନ୍ତ ରହନ୍ତି। ତାହାଙ୍କର ଶରୀରରୁ ଦିବ୍ୟ ଆଭାର ବିକିରଣ ହୁଏ। ଏହାଙ୍କର ଉପାସନା ମନୁଷ୍ୟକୁ ସାଂସାରିକ କଷ୍ଟରୁ ମୁକ୍ତ କରି ପରମପଦର ଅଧିକାରୀ କରିଥାଏ।
(କ୍ରମଶଃ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe