ବଢ଼ୁଛି ଶୈଶବ ମେଦବହୁଳତା

Advertisment
ବଢ଼ୁଛି ଶୈଶବ ମେଦବହୁଳତା

ଦିନକୁ ଦିନ ସାରା ବିଶ୍ବରେ ମେଦବହୁଳ ଶିଶୁଙ୍କ ସଂଖ୍ୟା ବଢ଼ି ଚାଲିଛି। ଭବିଷ୍ୟତରେ ଏହାର ପରିଣତି ସାଂଘାତିକ ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇ ଦେଇଛି।
ଏକ ପରିସଂଖ୍ୟାନ ଅନୁଯାୟୀ, ୨୦୨୨ ସୁଦ୍ଧା ସମଗ୍ର ବିଶ୍ବରେ ୧୬ କୋଟି ଲୋକ ମେଦବହୁ​ଳତାର ପରିଣାମ ସ୍ବରୂପ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରି ଘାଣ୍ଟି ହେଉଥିବା ବେଳେ ୩୯ କୋଟିରୁ ଅଧିକ ୫ରୁ ୧୯ ବର୍ଷ ବୟସର ଶିଶୁ ଓ କିଶୋରଙ୍କ ଠାରେ ମେଦବହୁଳତା ଦେଖାଯାଇଛି। ଏଥିପାଇଁ ମୁଖ୍ୟତଃ ମଧୁମିଶ୍ରିତ ପାନୀୟ ସେବନ, ଫାଷ୍ଟଫୁଡ୍‌ ଭୋଜନ, ଟିଭି ବା ଫୋନ୍‌ ପରଦା ଆଗରେ ମାତ୍ରାଧିକ ସମୟ କାଟିବା ଓ ଶାରୀରିକ ପରିଶ୍ରମ ନ କରିବା ଆଦି କାରଣ ଦାୟୀ। ପ୍ରଖ୍ୟାତ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ, ବିଶେଷ କରି ଶୈଶବାବସ୍ଥାରୁ କେତେକ ପଦକ୍ଷେପ ଆରମ୍ଭ କରିବା ଉଚିତ। ସେଥିପାଇଁ ପିଲାଙ୍କୁ ପ୍ରଥମେ ନାନା ଜାତିର ପୋଷକପୂର୍ଣ୍ଣ ଖାଦ୍ୟ ଖାଇବାକୁ ପ୍ରୋତ୍ସାହିତ କରିବା ଦରକାର।

ମାତ୍ରାଧିକ ଶର୍କରା ଥିବା ଖାଦ୍ୟ ବଦଳରେ ଫଳମୂଳ, ପନିପରିବା ଓ ସଂପୂର୍ଣ୍ଣ ଶସ୍ୟଯୁକ୍ତ ଖାଦ୍ୟ ଚୟନ ଜରୁରି। ସେହିପରି ସେମାନଙ୍କୁ ଦୈନିକ ନିୟମିତ ଅତି କମ୍‌ରେ ୬୦ ମିନିଟ୍‌ ପାଇଁ କିଛି ନା କିଛି ଶାରୀରିକ ପରିଶ୍ରମ କି ବ୍ୟାୟାମ ଅଭ୍ୟାସ କରାଇବା ଗୁରୁତ୍ବପୂର୍ଣ୍ଣ। ଅବଶ୍ୟ ପିଲାମାନଙ୍କୁ ସେଥି ପ୍ରତି ଆକର୍ଷିତ କରିବା ଲାଗି ପରିବାରର ଅନ୍ୟ ସଦସ୍ୟମାନେ ସେଥିରେ ସାମିଲ ହେଲେ ଭଲ। ସେହିପରି ପିଲାଙ୍କ ସୁସ୍ଥ ଶରୀର ପାଇଁ ଏକ ସମର୍ଥନଶୀଳ ପରିବେଶର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଶିଶୁମାନଙ୍କ ପାଇଁ ଆହରଣକ୍ଷମ ବାସ୍ତବ ଲକ୍ଷ୍ୟ ଧାର୍ଯ୍ୟ କରି ଯେତେ ଗୌଣ ହେଉ ପଛକେ ସେମାନଙ୍କର ଯାବତୀୟ ସଫଳତାରେ ଖୁସି ମନାଇ ସେମାନଙ୍କୁ ଉତ୍ସାହିତ କରିବା ଉଚିତ। ଏଥି ସହିତ ଶୈଶବାବସ୍ଥାରେ ଶିଶୁର ଶାରୀରିକ ଓଜନ ଅପେକ୍ଷା ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ବ ଦେବା ଦରକାର। ସେଥିପାଇଁ ସମଗ୍ର ପରିବାର ସୁସ୍ଥ ଅଭ୍ୟାସମାନ ଗ୍ରହଣ କରି ନିଜେ ଉଦାହରଣ ସାଜିଲେ ପିଲାମାନେ ପ୍ରୋତ୍ସାହିତ ହେବେ। ସର୍ବୋପରି ଶୈଶବ ମେଦବହୁଳତାର ମୁକାବିଲା ପାଇଁ ଏକ ମୁଖ୍ୟ ଅସ୍ତ୍ର ହେଉଛି ନିଜେ ଶିଶୁ ଓ ଅଭିଭାବକ ଏ ଦିଗରେ ସଚେତନ ହେବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe