କରୋନା ସହ ଲଢ଼େଇ କରୁଛନ୍ତି ଓଡ଼ିଆ ବୈଜ୍ଞାନିକ

Advertisment
କରୋନା ସହ ଲଢ଼େଇ କରୁଛନ୍ତି ଓଡ଼ିଆ ବୈଜ୍ଞାନିକ

ବିଶ୍ବରେ ଆତଙ୍କ ଖେଳାଇଥିବା କୋଭିଡ୍‌-୧୯ ଭାଇରସ୍‌ର ନିରାକରଣ ପାଇଁ ଏ ପର୍ଯ୍ୟନ୍ତ ଟିକା କିମ୍ବା ଔଷଧ ବାହାରି ନ ଥିବାରୁ ଏକାନ୍ତବାସ ହିଁ ଏକମାତ୍ର ରାସ୍ତା ବୋଲି କହିଛନ୍ତି ଜର୍ମାନୀରେ ଅବସ୍ଥାପିତ ଓଡ଼ିଆ ଯୁବ ବୈଜ୍ଞାନିକ ଡକ୍ଟର ଶିବାଶିଷ ଗିରି (୪୧)।ସଂପ୍ରତି ଜର୍ମାନୀର ଲ୍ୟାପଚିସ୍‌ ବିଶ୍ବବିଦ୍ୟାଳୟର ଷ୍ଟେମସେଲ୍‌ ବିଭାଗ ମେଡିକାଲ ଫ୍ୟାକଲ୍ଟିର ଉପମୁଖ୍ୟ ଅଛନ୍ତି ଶିବାଶିଷ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ହାଟବାଦଡାରେ। ପ୍ରାଣୀବିଜ୍ଞାନରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଏମ୍‌ଫିଲ୍ ଓ ଆଇଆଇଟି ଦିଲ୍ଲୀରେ ପିଏଚ୍‌ଡି କରିବା ପରେ ଶିବାଶିଷ ଗତ ୧୩ ବର୍ଷ ଧରି ଜର୍ମାନୀରେ ଷ୍ଟେମସେଲ୍‌ ‌ଓ କ୍ଲିନିକାଲ୍ ଥେରାପି ଉପରେ ଗବେଷଣା ଜାରି ରଖିଛନ୍ତି। ସେ ରହୁଥିବା ଜର୍ମାନର ଲିକ୍‌ଜିଙ୍ଗ୍‌ ସହରରେ ୪୦୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଜର୍ମାନ ସରକାର ମଧ୍ୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କେ‌ବଳ ଅତି ଜରୁରୀ ସାମଗ୍ରୀ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ରହିଛି।

ଶିବାଶିଷଙ୍କ କହିବାନୁସାରେ, ଜର୍ମାନର ଲୋକମାନେ ବେଶ କର୍ମଠ ଓ ନୀତିନିୟମକୁ ଅକ୍ଷରେ ଅକ୍ଷରେ ମାନନ୍ତି। ସୁତରାଂ ଏଠି ଛୋଟ ପିଲାଠୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନାର ଭୟାବହତା ବିଷୟରେ ସଚେତନ। କରୋନା ଭୂତାଣୁ ସମ୍ପର୍କରେ ବିଶେଷ ଜ୍ଞାନ ରଖୁଥିବା ଶିବାଶିଷ ଏକାନ୍ତବାସ ଓ ସଂଗରୋଧ ଉପରେ ଗୁରୁତ୍ବ ଦେଇଛନ୍ତି। ବିଭିନ୍ନ ରୋଗର ନିରାକରଣ ପାଇଁ ଷ୍ଟେମସେଲ୍‌ ଥେରାପିର ଉପଯୋଗ ଓ ସେ ସଂକ୍ରାନ୍ତୀୟ ଜ୍ଞାନକୌଶଳ, ଗବେଷଣା ଉପରେ ଜର୍ମାନୀର ଲ୍ୟାପଚିସ୍ ବିଶ୍ବବିଦ୍ୟାଳୟ ବିଶ୍ବରେ ପ୍ରସିଦ୍ଧି ଅର୍ଜନ କରିଛି। ଏହି ବିଶ୍ବବିଦ୍ୟାଳୟର ବାୟୋମେଡିକାଲ୍ ଓ ବାୟୋଟେକ୍ନୋଲୋଜିକାଲ୍ ସେଣ୍ଟର (ବିବି‌ଜେଡ୍) ମଧ୍ୟ କରୋନା ନିରାକରଣ ପାଇଁ ଗବେଷଣା ଜାରି ରଖିଛି।

ଗବେଷଣାଗାରରୁ ସେ ଘରକୁ ଫେରିବା ପରେ ଗାଁରେ ଥିବା ପରିବାର ଲୋକଙ୍କ ସହ ନିୟମିତ କଥା ହେଉଛନ୍ତି। ଶିବାଶିଷଙ୍କ ପରିବାର କହିଲେ ବାପା ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ଗିରି, ମା ସୁଲୋଚନା ଗିରି, ବଡ଼ଭାଇ ଦେବାଶିଷ ଗିରି। ଏକମାତ୍ର ଭଉଣୀ ବିବାହିତ। ପତ୍ନୀ ଓ ଦୁଇ ଝିଅଙ୍କ ସହ ଶିବାଶିଷ ଜର୍ମାନରେ ରହୁଥିବାବେଳେ ପରିବାର ଗାଁରେ ରହୁଛନ୍ତି। କରୋନା ବିରୋଧରେ ଲଢ଼େଇ ପାଇଁ ଗ୍ରାମବାସୀଙ୍କୁ ସେ ସଚେତନ ମଧ୍ୟ କରୁଛନ୍ତି। ଶିବାଶିଷଙ୍କ କହିବା କଥା, ବିଶୃଙ୍ଖଳିତ ଜୀବନଚର୍ଯ୍ୟା ସହ ପ୍ରଦୂଷିତ ପରିବେଶ କାରଣରୁ ମଣିଷ କରୋନା ଦ୍ବାରା ବେଶୀ ପ୍ରଭାବିତ ହେଉଛି। ତେଣୁ ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ସହ ପରିବେଶକୁ ସଜାଡ଼ିବାର ବିଶେଷ ଆବଶ୍ୟକତା ରହିଛି। ବର୍ତ୍ତମାନ ପରିସ୍ଥିତିରେ ଜୀବନଚର୍ଯ୍ୟାରେ ପରିବର୍ତ୍ତନ, ଶାରୀରିକ ସୁସ୍ଥତା ସହ ମାନସିକ ସୁସ୍ଥତା ଉପରେ ମଧ୍ୟ ସଭିଁଏ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଶିବାଶିଷ।

(ଶିବାଶିଷଙ୍କ ସହ କଥା ହୋଇଥିଲେ
ରାଇରଙ୍ଗପୁର ସମ୍ବାଦ ପ୍ରତିନିଧି ଅସୀମ ମହାପାତ୍ର)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe