Odisha after India's World Cup: ଭାରତର ବିଶ୍ବବିଜୟ ପରେ ଓଡ଼ିଶା: ମହିଳାଙ୍କୁ ମଉକା

ବହୁ ଦିନର ସ୍ବପ୍ନ, ବର୍ଷ ବର୍ଷର ସଂଘର୍ଷ, ଦଶନ୍ଧି ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତୀୟ କ୍ରୀଡ଼ାର ଅର୍ଦ୍ଧଶତାବ୍ଦୀର ଅବସୋସର ଅବସାନ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଥମଥର ପାଇଁ ବିଶ୍ବକପ୍ ଜିତି ଆପଣା ଶକ୍ତି, ସାମର୍ଥ୍ୟ ଓ ଦୃଢ଼ମନୋବଳର ପ୍ରମାଣ ଦେଇଛି।

fshfsshfxvbbxbv

Photograph: (ETV Bharat)

ବହୁ ଦିନର ସ୍ବପ୍ନ, ବର୍ଷ ବର୍ଷର ସଂଘର୍ଷ, ଦଶନ୍ଧି ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତୀୟ କ୍ରୀଡ଼ାର ଅର୍ଦ୍ଧଶତାବ୍ଦୀର ଅବସୋସର ଅବସାନ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଥମଥର ପାଇଁ ବିଶ୍ବକପ୍ ଜିତି ଆପଣା ଶକ୍ତି, ସାମର୍ଥ୍ୟ ଓ ଦୃଢ଼ମନୋବଳର ପ୍ରମାଣ ଦେଇଛି। ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ, ସରୋଜିନୀ ନାଇଡୁ, ଅରୁଣା ଆସଫ୍‌ ଅଲୀ, ବେଗମ୍‌ ହଜ୍‌ରତ୍‌ ମହଲ, କଳ୍ପନା ଚାୱଲା, କର୍ଣ୍ଣମ୍‌ ମାଲେଶ୍ବରୀ, ସୀମା ରାଓ, ଗୁଞ୍ଜନ୍‌ ସାକ୍ସେନା, ମେରି କମ୍ ଓ ସୋଫିଆ କ୍ୟୁରେସୀଙ୍କ ଭଳି ସାହସିନୀ ତଥା ବୀରାଙ୍ଗନାଙ୍କ ମାଟିରେ କ୍ରିକେଟ୍ ଭଳି ଲୋକପ୍ରିୟ ଖେଳରେ ମହିଳାମାନେ ଶୀର୍ଷ ସଫଳତାଠାରୁ ଦୂରେଇ ରହିଥାଆନ୍ତେ ବା କିପରି? ନୂଆ ଭାରତର ଯୁବା ପ୍ରମାଣିତ କରିଛନ୍ତି ଯେ ‘ଆମେ ବି କିଛି କମ୍ ନୋହୁଁ’। ବିଶ୍ବବିଜୟିନୀମାନଙ୍କ ବିଷୟରେ ଆଲୋଚନା କଲା ବେଳେ ସ୍ବତଃ ମନକୁ ଆସେ ଆମ ରାଜ୍ୟ ଓଡ଼ିଶାର କଥା। ଏହି ବିରାଟ ସଫଳତାରେ ଯଦି ଓଡ଼ିଶାର କୌଣସି ଖେଳାଳି, ପ୍ରଶିକ୍ଷକ କିମ୍ବା ପରିଚାଳକ ଯୋଡ଼ି ହୋଇଥାଆନ୍ତେ ତେବେ ଏ ଖୁସି ଆମ ପାଇଁ ବହୁଗୁଣିତ ହୋଇଯାଇଥାଆନ୍ତା‌! 
ଉପସ୍ଥାପନା: ସୁରେଶ ସ୍ବାଇଁ

ବଳ ଭାରତୀୟ କ୍ରିକେଟ୍‌ରେ ନୁହେଁ, ଦେଶର କ୍ରୀଡ଼ା ଇତିହାସରେ ୨୦୨୫ ନଭେମ୍ବର ୨ ତାରିଖ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଗଲା। ୧୯୮୩ ମସିହାରେ କପିଳ ଦେବଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍‌ ଦଳ ଯେଭଳି ଲର୍ଡସ୍ ମାଟିରେ ଦୁର୍ଦ୍ଧର୍ଷ ୱେଷ୍ଟ୍‌ଇଣ୍ଡିଜ୍‌କୁ ହରାଇ ପ୍ରଥମଥର ବିଶ୍ବକପ୍ ଜିତି ଇତିହାସ ରଚିଥିଲେ, ଏବେ ହର୍ମନପ୍ରୀତ୍ କୌର୍‌ଙ୍କ ‘ବେଟୀ ବାହିନୀ’ ସେଭଳି ଭାବେ ନଭି ମୁମ୍ବାଇର ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ବିଶ୍ବ କ୍ରୀଡ଼ା ଇତିହାସରେ ଏକ ନୂଆ ଫର୍ଦ୍ଦ ସଂଯୋଗ କରିଛନ୍ତି। ଇତିହାସରୁ ଜଣାଯାଏ, ୧୯୭୩ ମସିହାରୁ ମହିଳା କ୍ରିକେଟ୍‌ରେ ଦିନିକିଆ ବିଶ୍ବକପ୍ ଆରମ୍ଭ ହୋଇଥିଲେ ହେଁ ଭାରତ ୧୯୭୮ରେ ଏଥିରେ ଅଂଶଗ୍ରହଣ କରିଥିଲା। ଦେଶର ସବୁଠାରୁ ଲୋକପ୍ରିୟ ଖେଳ ବୋଲି ବିବେଚନା କରାଯାଉଥିବା କ୍ରିକେଟ୍‌ରେ ନିଜର ଭାଗୀଦାରି ସାବ୍ୟସ୍ତ କରିବାକୁ ବହୁ ସଂଘର୍ଷ କରିଥିଲେ ଭାରତୀୟ ମହିଳା କ୍ରିକେଟର୍‌। ବହୁ ଉତ୍‌ଥାନପତନ ଓ ଘାତପ୍ରତିଘାତ ଭିତରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ୨୦୦୫ ଏବଂ ୨୦୧୭ ମସିହାରେ ଫାଇନାଲ୍‌‌ରେ ପହଞ୍ଚିଯାଇଥିଲେ ବି ବିଶ୍ବକପ୍ ତୋଳି ଧରିବାର ସୌଭାଗ୍ୟରୁ ଅଳ୍ପକେ ବଞ୍ଚିତ ହୋଇଥିଲା‌। ଯଥାକ୍ରମେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ୍‌ ଦଳଠାରୁ ପରାଜିତ ହୋଇ ଉପବିଜେତା ଭାବେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏହା ପୂର୍ବରୁ ୨୦୧୩ରେ ବି ଘରୋଇ ପରିବେଶରେ ବହୁ ଉଦ୍ୟମ ସତ୍ତ୍ବେ ଭାରତ ବିଶ୍ବବିଜୟିନୀ ହେବାର ସୁଯୋଗ ହାତେଇ ପାରି ନଥିଲା। ୨୦୨୫ରେ କିନ୍ତୁ ହର୍ମନପ୍ରୀତ୍ କୌର୍‌ଙ୍କ ଦଳ ପଡ଼ିଆ ଭିତର ଓ ବାହାର ଚାପର ଠିକଣା ମୁକାବିଲା କରି ବିଶ୍ବ ବିଜୟିନୀ ହେବାର ଅପୂର୍ବ ଗୌରବ ହାସଲ କରିଛନ୍ତି। ଏହାର ଶ୍ରେୟ ଦଳର ପ୍ରତି ସଦସ୍ୟଙ୍କ ପରିଶ୍ରମ, ନିଷ୍ଠା, ମନୋବଳ ଓ ସଂଘର୍ଷ ପ୍ରବଣତାକୁ ଯିବ। 

ଅନ୍ୟପକ୍ଷରେ ସାଂଗଠନିକ ଉଦ୍ୟମ କଥା ଯଦି ଆମେ ବିଚାରକୁ ନେବା ତେବେ ଦେଶରେ କ୍ରିକେଟ୍‌କୁ ନିୟନ୍ତ୍ରଣ କରୁଥିବା ଶୀର୍ଷ ସଂସ୍ଥା ବିସିସିଆଇ ମଧ୍ୟ ଏହି ସଫଳତା ଲାଗି ‌ଶ୍ରେୟ ପାଇବା ପାଇଁ ଦାବିଦାର। ପ୍ରଥମେ ପୁରୁଷ କ୍ରିକେଟ୍‌କୁ ପରିଚାଳନା କରୁଥିବା ବିସିସିଆଇ ୨୦୦୬ ମସିହାରୁ ମହିଳା କ୍ରିକେଟ୍‌କୁ ଆପଣାଇଥିଲା ଏବଂ କିଛି ବର୍ଷ ତଳେ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ମ୍ୟାଚ୍ ପାଉଣାକୁ ସମାନ କରିଦେବା ଭଳି ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିଲା। ଏହା ପରୋକ୍ଷରେ ମହିଳା କ୍ରିକେଟର୍‌ଙ୍କ ସମ୍ମାନ ବଢ଼ାଇବା ସହ ସେମାନେ ନିଜକୁ ପୁରୁଷ ପ୍ରତିପକ୍ଷଙ୍କ ସମକକ୍ଷ ମନେକରିଥିଲେ। ଏ ପଦକ୍ଷେପ ଏହି ସଫଳତା ଲାଗି ଏକ ଯୋଗଦାନ ରଖିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ନିଷ୍ପତ୍ତି ମହିଳା ଖେଳାଳିଙ୍କ ଭିତରେ ପ୍ରତିଯୋଗୀ ମନୋଭାବକୁ ସକ୍ରିୟ କରିବା ସହ ଆତ୍ମବିଶ୍ବାସକୁ ଦୃଢ଼ କରିଥିଲା। ଅନ୍ୟ ପକ୍ଷରେ ପୁରୁଷ କ୍ରିକେଟର୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ବି ମହିଳାଙ୍କୁ ପରୋକ୍ଷରେ ସମାନ ପ୍ରଦର୍ଶନ ଓ ସମାନ ସଫଳତା ଆଣିବାକୁ ପ୍ରେରିତ କରିଥିଲା। ଏ ସମସ୍ତ ଦିଗର ସଫଳ ସମନ୍ବୟରୁ ଶେଷରେ ସୁଫଳ ମିଳିଛି ଏବଂ ୧୪୫ କୋଟି କ୍ରିକେଟ୍‌ ପ୍ରଶଂସକ ଆନନ୍ଦରେ ଆତ୍ମହରା ହୋଇଛନ୍ତି। ଭାରତୀୟ ମହିଳା କ୍ରିକେଟ୍‌କୁ ସଶକ୍ତ କରିବାରେ ଡାଏନା ଏଦୁଲଜି, ସୌରଭ ଗାଙ୍ଗୁଲି ଓ ଜୟ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ।
ମହିଳା ବିଶ୍ବକପ୍ ନ ଜିତି ପାରିବାର ଅବସୋସ ସହିତ ଅଞ୍ଜୁମ୍ ଚୋପ୍ରା, ମିତାଲି ରାଜ୍‌, ଝୁଲଣ ଗୋସ୍ବାମୀଙ୍କ ଭଳି ମହାନ୍‌ ଭାରତୀୟ ମହିଳା କ୍ରିକେଟର୍‌ଙ୍କ ଖେଳ ଜୀବନ ଶେଷ ହୋଇଯାଇଥିଲା। ତେବେ ଆଇସିସି ଦିନିକିଆ ମହିଳା ବିଶ୍ବକପ୍‌ର ୨୦୨୫ ସଂସ୍କରଣର ଆୟୋଜନ ଅଧିକାର ମିଳିବା ପରଠାରୁ ବିସିସିଆଇ ବଡ଼ ସଫଳତା ଲାଗି ସୁଚିନ୍ତିତ ଖସଡ଼ା ପ୍ରସ୍ତୁତି ଆରମ୍ଭ କରିଥିଲା। ୨୦୨୩ରେ ଭାରତୀୟ ମହିଳା କ୍ରିକେଟର୍ ମହାନ୍‌ ବ୍ୟାଟର୍ ଅମୋଲ୍‌ ମଜୁମଦାର୍‌ଙ୍କୁ ମୁ୍ଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରି ଜୟଯାତ୍ରା ଦିଗରେ ପ୍ରଥମ ପଦକ୍ଷେପ ଗ୍ରହଣ କରିଥିଲା।

କେବଳ ଠିକଣା ପ୍ରଶିକ୍ଷଣ ବଳରେ ଯେ ବିଶ୍ବକପ୍ ହାସଲ କରିହେବ, ଏକଥା ଭାବିବା ସ୍ପୃହଣୀୟ ନୁହେଁ। ଭାରତୀୟ ଦଳ ଶ୍ରୀଲଙ୍କା ଓ ପାକିସ୍ତାନକୁ ହରାଇ ଦେଇଥିଲେ ମଧ୍ୟ ମଝିରେ କ୍ରମାଗତ ଭାବେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡଠାରୁ ହାରି ଅଲୋଡ଼ା ହ୍ୟାଟ୍ରିକ୍ ଅର୍ଜନ କରିଥିଲା। ଡ୍ରେସିଂ ରୁମ୍‌ର ମାହୋଲ୍‌ ବିଗିଡ଼ିଯାଇଥିଲା। ବିଶ୍ବକପ୍‌ରେ ଭାରତର ଆଗୁଆ ବିଦାୟର ଅବଗଣନା ବି ଆରମ୍ଭ ହୋଇଯାଇଥିଲା। କିନ୍ତୁ ବିସ୍ମୟଜନକ ଭାବେ ନୀଳଜର୍ସି ଭିତରେ ଲୁଚି ରହିଥିବା ବିଶ୍ବାସ ଓ ସଙ୍କଳ୍ପ ପୁଣି ପରିସ୍ଫୁଟିତ ହୋଇଥିଲା। ପ୍ରତୀକା ରାୱଲ୍‌, ସ୍ମୃତି ମନ୍ଧାନାଙ୍କ ଶତକ ଓ ଦ୍ବିଶତକ ଭାଗୀଦାରି ବଳରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଜବରଦସ୍ତ ବିଜୟ ସହ ଭାରତ ପୁଣି ଦୌଡ଼କୁ ଫେରିଥିଲା।

ବାଂଲାଦେଶ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲେ ବି ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ସବୁଠାରୁ ବଡ଼ ପ୍ରତିବନ୍ଧକ କିନ୍ତୁ କଟିଥିଲା ସେମିଫାଇନାଲ୍‌ରେ। ୭ଥର ବିଜେତା ତଥା ଚାମ୍ପିଅନ୍ ଭଳି ଖେଳୁଥିବା ଅଷ୍ଟ୍ରେଲିଆକୁ ଜେମିମା ରଡ୍ରିଗ୍ସଙ୍କ ଶତକ ବିଦାୟର ରାସ୍ତା ଦେଖାଇଦେବା ପରେ ସେହିଠାରେ ହିଁ ଫାଇନାଲ୍ ହୋଇଯାଇଥିଲା। ତଥାପି ବିଶ୍ବକପ୍ ସାରା ଭଲ ଖେଳିଥିବା ଏବଂ ଲିଗ୍ ପର୍ଯ୍ୟାୟରେ ଭାରତକୁ ହରାଇଥିବା ଦକ୍ଷିଣ ଆଫ୍ରିକାକୁ ଫାଇନାଲ୍‌ରେ ହରାଇବା ଏତେ ସହଜ ନଥିଲା। ଶେଫାଳି ବର୍ମା ଓ ଦୀପ୍ତି ଶର୍ମାଙ୍କ ବ୍ୟାଟ୍ ଓ ବଲ୍ ବିଶ୍ବକପ୍ ବିଜୟର ଗାଥା ଲେଖିଦେଇଗଲା। ପିଢ଼ି ପରେ ପିଢ଼ି ଏହି ପ୍ରଦର୍ଶନ ସମସ୍ତଙ୍କ ମାନସପଟରେ ସଜୀବ ହୋଇରହିବ।

ଦୀପ୍ତି ଶର୍ମାଙ୍କ ବୋଲିଂରେ ଏକ୍ସଟ୍ରା କଭର୍‌ ଅଞ୍ଚଳରେ ଥିବା ହର୍ମନପ୍ରୀତ୍ କୌର୍‌ ପଛକୁ ଦୌଡ଼ି କ୍ୟାଚ୍ ଧରି ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ମାଟିର ଈଗଲ୍ ଭଳି ଉଡ଼ିବା ଅନେକ ବର୍ଷଯାଏ ଅଭୁଲା ରହିବ। ଅନେକ ହୃଦୟବିଦାରକ ପରାଜୟ ଓ ବିଶ୍ବକପ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ହର୍ମନପ୍ରୀତ୍‌ଙ୍କ ମନରୁ ସେସବୁ ଦୁଃସ୍ବପ୍ନ ଭଳି ଲିଭିଯାଇଛି। ସ୍ମୃତି ମନ୍ଧାନା, ହର୍ମନପ୍ରୀତ୍‌ କୌର୍‌, ପ୍ରତୀକା ରାୱଲ୍‌, ଦୀପ୍ତି ଶର୍ମା, ଶେଫାଳି ବର୍ମାଙ୍କ ଭଳି ଖେଳାଳି ବି ତାରକାରୁ କିଂବଦନ୍ତୀ ପାଲଟିଯାଇଛନ୍ତି।

ଓଡ଼ିଶାରେ ମହିଳା କ୍ରିକେଟ୍‌
ଭାରତୀୟ ମହିଳା କ୍ରିକେଟ୍ ଆଜି ଯେଉଁ ଅପୂର୍ବ ସଫଳତା ହାସଲ କରି ଇତିହାସ ରଚିଛି, ଓଡ଼ିଶା କିନ୍ତୁ ସେଥିରେ ଭାଗୀଦାର ହୋଇପାରିନାହିଁ। ଅତୀତରେ ଏକାଧିକ ଓଡ଼ିଆ ଖେଳାଳି ଭାରତୀୟ ମହିଳା କ୍ରିକେଟ୍‌ ଦଳରେ ସ୍ଥାନିତ ହୋଇଥିଲେ ହେଁ  ବିଶ୍ବବିଜୟୀ ଦଳରେ ଓଡ଼ିଶାର ପ୍ରତିନିଧିତ୍ବ ରହିପାରିନାହିଁ। ସେ ଦୃଷ୍ଟିରୁ ଓଡ଼ିଶା ନିରାଶ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରଶିକ୍ଷଣ, ପରିଚାଳନା କିମ୍ବା ଅନ୍ୟ କୌଣସି ସହାୟକ ବିଭାଗରେ ଓଡ଼ିଆଙ୍କ ସମ୍ପୃକ୍ତି ଦେଖିବାକୁ ମିଳିନାହିଁ। ତେବେ ଯେଉଁ ହାତଗଣତି ଓଡ଼ିଆ ଖେଳାଳି ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଛନ୍ତି, ସେମାନଙ୍କ ମଧ୍ୟରେ ଏକମାତ୍ର ରସନାରା ପରବିନ୍ ହିଁ ବିଶ୍ବକପ୍ ଖେଳିଛନ୍ତି। ୨୦୧୩ ମସିହାରେ ଭାରତ ଆୟୋଜକ ଥିବାବେଳେ ମୁମ୍ବାଇର ବାବର୍ଣ୍ଣ ଷ୍ଟାଡିୟମ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରସନାରା ତାଙ୍କ ଜୀବନର ଏକମାତ୍ର ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହାଛଡ଼ା ସେ ଦୁଇଟି ଅନ୍ତର୍ଜାତୀୟ ମହିଳା ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ମଧ୍ୟ ଭାରତର ପ୍ରତିନିଧିତ୍ବ କରିଛନ୍ତି। ରସନାରାଙ୍କ ବ୍ୟତୀତ ଅନ୍ୟ ୩ଜଣ ଓଡ଼ିଆ ବି ଭାରତୀୟ ଦଳର ପ୍ରତିନିଧିତ୍ବ କରିଛନ୍ତି। ସେମାନେ ହେଲେ ମାଧୁରୀ ମେହେଟ୍ଟା, ସ୍ବାଗତିକା ରଥ ଓ ସୁକନ୍ୟା ପରିଡ଼ା। ମାଧୁରୀ ପ୍ରଥମ ଓଡ଼ିଆ ଝିଅ ଭାବେ ୨୦୧୨ ମସିହାରେ ଦେଶର ପ୍ରତିନିଧିତ୍ବ କରିଥିଲେ। ସେ ମଧ୍ୟ ଭାରତର ୧୦୦ତମ ଦିନିକିଆ ମହିଳା କ୍ରିକେଟର୍ କ୍ୟାପ୍ ପାଇଥିଲେ। ମାଧୁରୀଙ୍କ ଖେଳ ଜୀବନ ବି ୨ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସୀମିତ ରହିଛି। ସେହିଭଳି ସ୍ବାଗତିକା ରଥ ୩ଟି ଦିନିକିଆ ଓ ୨ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଏ ତିନିହେଁ ଓଡ଼ିଶାର ପ୍ରତିନିଧିତ୍ବକରି ଭାରତୀୟ ଦଳର ସଦସ୍ୟା ହୋଇଥିବା ବେଳେ ସୁକନ୍ୟା ପରିଡ଼ା କିନ୍ତୁ ବେଙ୍ଗଲ୍‌ ପାଇଁ ଖେଳିବା ପରେ ୨୦୧୬ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ତାଙ୍କ କ୍ୟାରିୟର୍‌ର ଏକମାତ୍ର ଅନ୍ତର୍ଜାତୀୟ ଦିନିକିଆ ସେ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। ଏହାପରେ ଆଉ କୌଣସି ଓଡ଼ିଆ ଝିଅ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦେଶର ପ୍ରତିନିଧିତ୍ବ କରିପାରିନାହାନ୍ତି। ଓଡ଼ିଶାରେ ପ୍ରତିଭା ଅଛନ୍ତି, କିନ୍ତୁ ସେମାନଙ୍କୁ ପ୍ରକୃଷ୍ଟ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ବଳରେ ମହିଳା କ୍ରିକେଟ୍‌ରେ ରାଜ୍ୟର ଭାଗୀଦାରି ସାବ୍ୟସ୍ତ କରାଯାଇପାରନ୍ତା। ଏ ଦିଗରେ ସରକାର, କ୍ରୀଡ଼ା ସଂଗଠନ ଓ କ୍ରୀଡ଼ାବିତ୍‌ ଉଦ୍ୟମ କରିବାର ସମୟ ଉପନୀତ।

ସୁଯୋଗ ଅଛି, ସଫଳତା ବି ଦୂର ନୁହେଁ
ଭାରତୀୟ ମହିଳା କ୍ରିକେଟ୍‌ ଦଳର ବିଶ୍ବବିଜୟୀ ସଫଳତା ନିଶ୍ଚିତ ଭାବେ ଦେଶରେ ଏକ ବୈପ୍ଲବିକ ପରିବର୍ତ୍ତନର ସୂତ୍ରପାତ କରିବ। ଯୁବପିଢ଼ିର ଖେଳାଳିମାନେ ଅଧିକରୁ ଅଧିକ ସଂଖ୍ୟାରେ ମହିଳା କ୍ରିକେଟ୍‌ ଖେଳିବାକୁ ଆଗ୍ରହ ଦେଖାଇବେ ଏବଂ ସେମାନଙ୍କ ପିତାମାତା ବି ଝିଅକୁ କ୍ରିକେଟ୍‌ ଖେଳିବାକୁ ପ୍ରୋତ୍ସାହିତ କରିବେ, ଏଥିରେ ଦ୍ବିମତ ନାହିଁ। ଫଳରେ ଓଡ଼ିଶାର ମହିଳା କ୍ରିକେଟ୍‌ରେ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଦୂର ହୋଇଯିବ। ଭାରତୀୟ ଦଳର ବିଜୟ ସହିତ ବିପୁଳ ପୁରସ୍କାର ରାଶି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମ୍ମାନ, ଖେଳାଳିଙ୍କ ପଛରେ ପ୍ର‌ାୟୋଜକଙ୍କ ଭିଡ଼ ଆଦି ଓଡ଼ିଶା କ୍ରିକେଟ୍‌କୁ ବି ପରୋକ୍ଷରେ ଉତ୍ସାହିତ କରିଛି। ଏକ ସମ୍ଭାବନାମୟ ସମୟ ଓ ଅପୂର୍ବ ସମ୍ଭାର ନେଇ ଭବିଷ୍ୟତ ଅପେକ୍ଷା କରିଛି। ଓଡ଼ିଶା ମହିଳା କ୍ରିକେଟ୍‌ର ମୁଖ୍ୟ ଚୟନକର୍ତା ତଥା ପୂର୍ବତନ ଖେଳାଳି ସସ୍ମିତା ପଟ୍ଟନାୟକ ବି ସୁନେଲୀ ଭବିଷ୍ୟତକୁ ନେଇ ଢ଼େର ଆଶାବାଦୀ ଅଛନ୍ତି। ଓଡ଼ିଶାରେ କ୍ରିକେଟ୍‌ ପ୍ରତିଭାର ଅଭାବ ନାହିଁ। ସେମାନଙ୍କୁ ଠିକଣା ଭ‌ାବେ ମାର୍ଗଦର୍ଶନ ମିଳିଲେ ଏବଂ ସେମାନେ ନିଷ୍ଠାର ସହ କଠିନ ପରିଶ୍ରମ କଲେ ନିଶ୍ଚିତ ଭାବେ ଭାରତୀୟ ଦଳରେ ସାମିଲ ହୋଇ ଅନୁରୂପ ସଫଳତା ପାଇପାରିବେ ବୋଲି କହିଛନ୍ତି ଏହି ପୂର୍ବତନ କ୍ରିକେଟର୍। ଭୁବନେଶ୍ବରରେ ଜାଗୃତି କ୍ରିକେଟ୍‌ ଏକା‌ଡେମୀ, କଟକରେ ଓସିଏ ଏକାଡେମୀ, ରାଉରକେଲାରେ ରାଉରକେଲା ୟଙ୍ଗ୍ କ୍ରିକେଟ୍‌ କ୍ଲବ୍ ସହିତ ବିଭିନ୍ନ ଜିଲ୍ଲାରେ ବି ଝିଅମାନେ କ୍ରିକେଟ ଅଭ୍ୟାସ କରୁଥିବାରୁ ଓଡ଼ିଶା ଖେଳାଳିଙ୍କ ପାଇଁ ଏବେ ମଉକା ପରେ ମଉକା ରହିଛି ବୋଲି ବିଶ୍ବାସ କରାଯାଉଛି। ବିଶ୍ବକପ୍ ବିଜୟ ପରେ ଏକାଧିକ ଖେଳାଳି ଜାଗୃତି କ୍ରିକେଟ୍ ଏକାଡେମୀରେ ନାମ ଲେଖାଇଥିବା ମଧ୍ୟ ପ୍ରକାଶ କରିଛନ୍ତି ମହିଳା କ୍ରିକେଟ୍‌ର ବରିଷ୍ଠ ପ୍ରଶିକ୍ଷକ କ୍ଷୀରୋଦ ବେ‌ହେରା।

‘ଦ ଫାୟାର୍ ବର୍ଣ୍ଣସ୍ ବ୍ଲୁ’ର ସ୍ରଷ୍ଟା ସିଦ୍ଧାନ୍ତ

ଓଡ଼ିଶା ନ ହେଲେ ବି ଭାରତୀୟ ମହିଳା କ୍ରିକେଟ୍ ସହ ଜଣେ ଓଡ଼ିଆ ସାମ୍ବାଦିକଙ୍କ ସମ୍ପୃକ୍ତି ଓ ତାଙ୍କ ଅବଦାନ ଏବେ ଚର୍ଚ୍ଚାକୁ ଫେରିଛି। ମାତ୍ର ୩୫ ବର୍ଷ ବୟସରେ ସେ କର୍କଟରେ ପୀଡ଼ିତ ହୋଇ ୨୦୧୯ ମସିହାରେ ପ୍ରାଣ ହରାଇଥିଲେ। ସେ ହେଉଛନ୍ତି ଜଣାଶୁଣା କ୍ରୀଡ଼ା ସାମ୍ବାଦିକ ସିଦ୍ଧାନ୍ତ ପଟ୍ଟନାୟକ। ମହିଳା କ୍ରିକେଟ୍ ପ୍ରତି ସମ୍ପୂର୍ଣ୍ଣ ଭାବେ ସମର୍ପିତ ଥିଲେ ସ୍ବର୍ଗତ ପଟ୍ଟନାୟକ। ତୃଣମୂଳସ୍ତରଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ପ୍ରତିଯୋଗିତା ପର୍ଯ୍ୟନ୍ତ ମହିଳା କ୍ରିକେଟ୍‌ର ପ୍ରତିଟି ମ୍ୟାଚ୍‌ର କଭରେଜ୍ ସେ ନିଷ୍ଠାର ସହିତ କରୁଥିଲେ। ଏବେ ବି ବିଶ୍ବ ବିଜେତା ହୋଇଥିବା ଦଳର ଅଧିକାଂଶ ଖେଳାଳି ସିଦ୍ଧାନ୍ତଙ୍କୁ ଢେର୍‌ ସମ୍ମାନ କରିଥାଆନ୍ତି। ସିଦ୍ଧାନ୍ତ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ସ୍ମୃତି ମନ୍ଧାନା ଓ ଜେମିମା ରଡ୍ରିଗ୍ସ ବ୍ୟକ୍ତିଗତ ଭାବେ ଭେଟିଥିଲେ। ସିଦ୍ଧାନ୍ତଙ୍କ ଦେହାନ୍ତ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରିପ୍ରେକ୍ଷୀ‌େର ଏହା ଜଣାପଡ଼ିଥିଲା। ମହିଳା କ୍ରିକେଟ୍‌ର ବିକାଶ ଦିଗରେ ସିଦ୍ଧାନ୍ତଙ୍କ ପ୍ରତିବଦ୍ଧତା ଓ ସମର୍ପଣ ଅତୁଳନୀୟ ଥିଲା। ଜାତୀୟସ୍ତରର କ୍ରିକେଟ୍ ସାମ୍ବାଦିକଙ୍କ ମଧ୍ୟରେ ସମ୍ମାନାସ୍ପଦ ବ୍ୟକ୍ତିତ୍ବ ଭାବେ ପରିଚିତ ସିଦ୍ଧାନ୍ତ ୨୦୧୧ ମସିହାରେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ସେ ପୁରୁଷ ଓ ମହିଳା ବିଶ୍ବକପ୍‌କୁ ମିଶାଇ ମୋଟ ୬ଟି ସଂସ୍କରଣକୁ କଭର୍‌ କରିଥିଲେ। ଭାରତୀୟ ମହିଳା କ୍ରିକେଟ୍ ଉପରେ ଆଧାରିତ ତାଙ୍କ ପୁସ୍ତକ ‘ଦ ଫାୟାର୍ ବର୍ଣ୍ଣସ୍ ବ୍ଲୁ’ ବହୁପ୍ରସାରିତ ଏବଂ ଚର୍ଚ୍ଚିତ ହୋଇଥିଲା। କର୍କଟ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ମଧ୍ୟ ସେ ଶଯ୍ୟାରେ ଥାଇ କ୍ରିକେଟ୍ କାହାଣୀ ଲେଖି ଉଚ୍ଚ ପ୍ରଶଂସିତ ହୋଇଥିଲେ।

ଓଡ଼ିଶାରେ ମହିଳା କ୍ରିକେଟ୍‌ର ପ୍ରଥମ ଚେହେରା 
ଓଡ଼ିଶାର ମହିଳା କ୍ରିକେଟ୍‌ରେ ପ୍ରଥମ ଚେହେରା ଭାବେ ବିବେଚିତା ହୁଅନ୍ତି ରଶ୍ମିତା ମହାନ୍ତି। ଖେଳାଳି ଜୀବନରୁ ପ୍ରଶିକ୍ଷକ ହୋଇଥିବା ରଶ୍ମିତା ରାଜ୍ୟର ପ୍ରଥମ ପେସାଦାର ମହିଳା କ୍ରିକେଟ୍ ପ୍ରଶିକ୍ଷକ ଯିଏ ଏନ୍‌ଆଇଏସ୍‌ ଉତ୍ତୀର୍ଣ୍ଣ କ୍ରିକେଟର୍‌। ତାଙ୍କ ପ୍ରଶିକ୍ଷିତ ଓଡ଼ିଶା ଦଳ ଏକଦା ଜାତୀୟ ପ୍ରତିଯୋଗିତାରେ ଉପବିଜେତା ହେବାର ବିରଳ ସଫଳତା ହାସଲ କରିଥିଲା। ଏହି ରେକର୍ଡ ଏବେ ବି ଅତୁଟ ଅଛି। ଓଡ଼ିଶା କ୍ରିକେଟ୍ ସଂଘର ମୁଖ୍ୟ ଚୟନକର୍ତ୍ତା ଭାବେ ମଧ୍ୟ ସେ କାମ କରିଛନ୍ତି। କିଟ୍ ବିଶ୍ବବିଦ୍ୟାଳୟରେ ବର୍ତ୍ତମାନ କ୍ରୀଡ଼ା ନିର୍ଦ୍ଦେଶକ ଭାବେ କାମ କରୁଥିବା ରଶ୍ମିତାଙ୍କୁ ଦେଖି ଅନେକ ଝିଅ ରାଜ୍ୟରେ କ୍ରିକେଟ୍ ଖେଳିବାକୁ ପ୍ରେରିତ ହୋଇଛନ୍ତି। ଖେଳ ପାଇଁ ସମର୍ପିତା ରଶ୍ମିତାଙ୍କୁ ମିଳିସାରିଛି ଅନେକ କ୍ରୀଡ଼ା ପୁରସ୍କାର ଓ ସମ୍ମାନ। ରଶ୍ମିତାଙ୍କ ପ୍ରଶିକ୍ଷଣ ପଥକୁ ଅନୁସରଣ କରିବା ପରେ ଅରୁଣ ନାୟକ, କ୍ଷୀରୋଦ ବେହେରା, ସସ୍ମିତା ପଟ୍ଟନାୟକ, ମନୋଜ ମହାପାତ୍ର ପ୍ରମୁଖ ଏକାଧିକ ପ୍ରଶିକ୍ଷକ ମହିଳା କ୍ରିକେଟର୍‌ଙ୍କ ଖେଳ ଜୀବନ ଗଢ଼ିବାରେ ସଫଳ ହୋଇଛନ୍ତି। ଅରୁଣ ସାର୍‌ଙ୍କ ପ୍ରଶିକ୍ଷଣରୁ ମାଧୁରୀ ମେହେଟ୍ଟା ଓ ରସନାରା ପରବିନ୍ ବାହାରିଥିବା ବେଳେ କ୍ଷୀରୋଦ ବେହେରାଙ୍କ ଦିଗ୍‌ଦର୍ଶନରେ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନଙ୍କ ଭଳି ଖେଳାଳି ସୃଷ୍ଟିହୋଇ ଆଗକୁ ବଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe