ଓଡ଼ିଶା ନିର୍ମାଣ କନକ୍ଲେଭ୍‌ : କାଳିଆ କରିବ କୃଷକ କଲ୍ୟାଣ

Advertisment
ଓଡ଼ିଶା ନିର୍ମାଣ କନକ୍ଲେଭ୍‌ : କାଳିଆ କରିବ କୃଷକ କଲ୍ୟାଣ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଓଡ଼ିଶାର ସାମଗ୍ରିକ ବିକାଶ ହୋଇଛି। ଋଣ ଛାଡ଼ ପରିବର୍ତ୍ତେ କାଳିଆ ଯୋଜନାରେ ଆର୍ଥିକ ସହାୟତା ଚାଷୀଙ୍କ ଆର୍ଥିକ ଅବସ୍ଥାକୁ ସୁଧାରିବ ବୋଲି କନକ୍ଲେଭରେ ମତ ପ୍ରକାଶ ପାଇଥିଲା। ଶନିବାର ଉଦ୍‌ଘାଟନୀ ଉତ୍ସବ ପରେ କାଳିଆ କରିବ କୃଷକ କଲ୍ୟାଣ ଶୀର୍ଷକ ଆଲୋଚନା ଚକ୍ରରେ ଭାଗ ନେଇ ଏହି ମତ ରଖିଛନ୍ତି ବିଜେଡି ଆଇଟି ସେଲ ମୁଖ୍ୟ ତଥା ଦଳର ମୁଖପାତ୍ର ଅମର ପଟ୍ଟନାୟକ। ସେହିପରି ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ମହାବାତ୍ୟା ପରେ ଆର୍ଥିକ ଦୁର୍ବଳ ସ୍ଥିତିରେ ଥିବା ରାଜ୍ୟର ଶାସନ ଭାର ଗ୍ରହଣ କରି ଦୁଇ ଦଶନ୍ଧି ଧରି ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଆସୁଛନ୍ତି।

କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ଆଲୋଚନାରେ ବିଜେଡି ଆଇଟି ସେଲ ମୁଖ୍ୟ କହିଥିଲେ, ରାଜ୍ୟରେ ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ। ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଯାଇ ରାଜ୍ୟ ସରକାର କାଳିଆ ଯୋଜନା ଦେଇଛନ୍ତି। ଏଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ଭାଗଚାଷୀ ବି ହିତାଧିକାରୀ ଭାବେ ସାମିଲ ହୋଇଛନ୍ତି। ଭାଗଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ନଥିଲେ ବି ସେମାନଙ୍କୁ ଚିହ୍ନଟ କରିବା ପାଇଁ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା କରାଯାଇଛି। କାଳିଆ ଯୋଜନାକୁ କାର୍ଯ୍ୟକାରି କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି ବର୍ତ୍ତମାନ ସୁଦ୍ଧା ତାଲିକାରେ ସ୍ଥାନ ପାଇଥିବା ୪୩ ହଜାର ବ୍ୟକ୍ତି ହିତାଧିକାରୀ ତାଲିକାରୁ ସେମାନଙ୍କ ନାମ ବାଦ ଦେବାକୁ ଆବେଦନ କରିଛନ୍ତି। ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା କହିଥିଲେ, ବର୍ତ୍ତମାନ ସୁଦ୍ଧା କାଳିଆ ଯୋଜନାରେ ୩୦ ଲକ୍ଷ ୪୦ ହଜାର ହିତାଧିକାରୀଙ୍କୁ ସହାୟତା ଅର୍ଥ ପ୍ରଦାନ କରାଯାଇଛି। ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ନୁହେଁ, ଚାଷୀଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ସମ୍ବେଦନଶୀଳ ଏକଥା ଅତୀତରୁ ପ୍ରମାଣ ଦେଇଆସିଛନ୍ତି। ୧୯୯୯ ମସିହା ମହାବାତ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାରକୁ ଆସିଲା ସେତେବେଳେ ରାଜ୍ୟର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଥିଲା। ଆଜି ସେ ଅବସ୍ଥାରେ ସୁଧାର ଆସିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବଲିଷ୍ଠ ନେତୃତ୍ବକୁ ଧନ୍ୟବାଦ ଦେବାକୁ ପଡ଼ିବ।

ଚାଷୀଙ୍କ ଋଣ ଛାଡ଼ ପ୍ରସଙ୍ଗରେ ଜବାବ ରଖି ବିଜେଡି ଆଇଟି ସେଲ ମୁଖ୍ୟ ଶ୍ରୀ ପଟ୍ଟନାୟକ କହିଥିଲେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମତାକୁ ଆସିବା ପାଇଁ ଯେଉଁ ପ୍ରତିଶ୍ରୁତି ରଖୁଛନ୍ତି ତାହା ରାଜ୍ୟର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବ। ଚାଷୀର ଋଣ ଛାଡ଼ କଲେ ମୂଳ ସିନା ଚାଲିଯାଏ କିନ୍ତୁ ସୁଧ ବାବଦ ଟଙ୍କା ବ୍ୟାଙ୍କକୁ ଚାଷୀକୁ ଦେବାକୁ ପଡ଼ିଥାଏ। ଫଳରେ ପୁଣି ଥରେ ଚାଷୀ ସାହୁକାର କିମ୍ବା ଅନ୍ୟ ବ୍ୟାଙ୍କରୁ ଋଣ ଆଣିବାକୁ ବାଧ୍ୟ ହୋଇଥାଏ। କାଳିଆର ଆର୍ଥିକ ସହାୟତା ଋଣ ଶୁଝିବାରେ କିଛିଟା ସହାୟକ ମଧ୍ୟ ହୋଇପାରିବ। ଏହାକୁ ପରୀକ୍ଷାମୂଳକ ଭାବେ ୩ ବର୍ଷ ପାଇଁ ଲାଗୁ କରାଯାଇଛି। ୩ ବର୍ଷ ପରେ ରାଜ୍ୟ ସରକାର ସମୀକ୍ଷା କରିବେ। ତାହା ପରେ ଯଦି ଚାଷୀକୁ ଅଧିକ ସହାୟତା ଆବଶ୍ୟକ ବୋଲି ଉପଲବ୍ଧି କରିବେ, ତେବେ ଏହି ଯୋଜନା ଚାଲୁରହିବ। ଅନ୍ୟପଟେ କାଳିଆ ଯୋଜନାରେ ସବୁ ପ୍ରକାର ସ୍ବଚ୍ଛତା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସର୍ବନିମ୍ନ ଯୋଗ୍ୟ ଚାଷୀ ଯେପରି ଏହି ଯୋଜନାର ଲାଭରୁ ବାଦ୍ ନ ପଡ଼ନ୍ତି ତାହାକୁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିବା ବିଧାୟକ ଶ୍ରୀ ଦାସବର୍ମା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe