ନିଶାମୁକ୍ତି କେନ୍ଦ୍ରରେ ଅସୁସ୍ଥ ହେବା ପରେ ଯୁବକଙ୍କୁ ହସ୍ପିଟାଲ ନେବାରୁ ପେଟରୁ ବାହାରିଲା ୬୦ରୁ ଊର୍ଧ୍ବ ଚାମଚ

Advertisment
ନିଶାମୁକ୍ତି କେନ୍ଦ୍ରରେ ଅସୁସ୍ଥ ହେବା ପରେ ଯୁବକଙ୍କୁ ହସ୍ପିଟାଲ ନେବାରୁ ପେଟରୁ ବାହାରିଲା ୬୦ରୁ ଊର୍ଧ୍ବ ଚାମଚ

ନୂଆଦିଲ୍ଲୀ: ବେଳେବେଳେ ବିଶ୍ବରେ ଏମିତି କିଛି ଘଟଣା ଘଟେ, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏହି କ୍ରମରେ ନିକଟରେ ଏକ ଖବର ଉତ୍ତରପ୍ରଦେଶର ମୁଜଫରନଗର ଜନପଦରେ ଥିବା ଏକ ଘରୋଇ ହସ୍ପିଟାଲରୁ ସାମ୍ନାକୁ ଆସିଛି । ଏଠାରେ ଡାକ୍ତର ଜଣେ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ଗୋଟିଏ କି ଦୁଇଟି ନୁହେଁ, ୬୦ରୁ ଊର୍ଧ୍ବ ଚାମଚ ବାହାର କରିଛନ୍ତି। ଏହି ଘଟଣା ଏକମାସ ପୂର୍ବର ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ମନସୁରପୁର ଅଞ୍ଚଳରେ ଥିବା ଗ୍ରାମ ବୋପାଡା ନିବାସୀ ବିଜୟ ନିଶାଦ୍ରବ୍ୟ ସେବନ କରୁଥିଲେ। ନିଶା ଛଡ଼ାଇବାକୁ ବିଜୟଙ୍କ ପରିବାର ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ପରିବାରଲୋକ  ବିଜୟଙ୍କୁ ମୁଜଫରନଗରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ସେଠାରେ ବିଜୟଙ୍କ ଚିକିତ୍ସା ପରେ ଡାକ୍ତର ତାଙ୍କର ଅସ୍ତ୍ରୋପଚାର ପାଇଁ କହିଥିଲେ। ଏହାପରେ ଡାକ୍ତର ବିଜୟଙ୍କ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ୬୩ଟି ଚାମଚ ବାହାର କରିଥିଲେ। ଯାହାକୁ ଦେଖି ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ସମେତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଡାକ୍ତରୀ ଦଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏମିତି ଘଟଣା ସେମାନେ କେବେ ପୂର୍ବରୁ ଦେଖି ନଥିଲେ ବୋଲି କହିଛନ୍ତି।

ତେବେ ଜଣେ ବ୍ୟକ୍ତିଙ୍କ ପେଟରେ ଏତେଗୁଡ଼ିଏ ଚାମଚ ଆସିଲା କେମିତି ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏହି ଘଟଣାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା  ବି ଦେଇଛନ୍ତି। ଲୋକେ କହିଛନ୍ତି, ନିଶା ମୁକ୍ତି କେନ୍ଦ୍ରରେ ଲୋକଙ୍କୁ କ’ଣ ଜୋରଜବରଦସ୍ତି ଚାମଚ ଖୁଆ ଯାଉଛି କି?

ବିଜୟଙ୍କ ଭଣଜା ବି କହିଛନ୍ତି କି ତାଙ୍କ ମାମୁଁଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଜୋରଜବରଦସ୍ତି ଚାମଚ ଗଳିବାକୁ କୁହାଯାଉଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ବିଜୟଙ୍କ ପେଟକୁ ଏତେ ଗୁଡ଼ିଏ ଚାମଚ କେମିତି ଗଲା ତାହା ରହସ୍ୟ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe