ନୂଆଦିଲ୍ଲୀ: ଗୋଟିଏ ପୁଅ ଆଇଏଏସ୍ ଅଧିକାରୀ, ଅନ୍ୟ ଜଣେ ବଡ ବ୍ୟବସାୟୀ, ସବୁ ଥାଇ ବି ବୃଦ୍ଧାଶ୍ରମ ଚାଲିଗଲେ ବାପା। ଆଜ୍ଞା ହଁ, ଏହି ଘଟଣା ଆଗ୍ରାରେ ଘଟିଥିବା ଜଣାପଡ଼ିଛି। ପତ୍ନୀ ଏବଂ ପୁଅମାନଙ୍କ ଆଚରଣରେ ବିରକ୍ତ ହୋଇ ଜଣେ ବୃଦ୍ଧ ବୃଦ୍ଧାଶ୍ରମରେ ପହଞ୍ଚିଥିଲେ। ପ୍ରଥମେ ସେ ଜଣେ ସାଧାରଣ ପରିବାରରୁ ଆସିଥିବା କଥା ସମସ୍ତେ ଭାବୁଥିବା ବେଳେ ପରେ ତାଙ୍କ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କୋଟି କୋଟି ଟଙ୍କାର ମାଲିକ ହୋଇ ବି ସେ ବୃଦ୍ଧାଶ୍ରମରେ କାହିଁକି ରହିବାକୁ ଆସିଲେ ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା।
aajtakହେଲେ ବୃଦ୍ଧଙ୍କ କାହାଣୀ ଶୁଣିବା ପରେ ସବୁ ପ୍ରଶ୍ନର ଉତ୍ତର ମିଳିଯାଇଥିଲା। ନିଜର ଦୁଃଖ କାହାଣୀ ଶୁଣାଇ ବୃଦ୍ଧ କହିଥିଲେ ଯେ ମୋତେ ନିଜ ଘରେ ଚାକର ଭଳି ବ୍ୟବହାର କରାଯାଉଥିଲା। ଘରେ କେହି ମୋ ସହ ଠିକ୍ ଭାବରେ କଥାବାର୍ତ୍ତା କରୁନଥିଲେ ଏବଂ ମୋତେ କ୍ରମାଗତ ଭାବରେ ଅପମାନିତ କରାଯାଉଥିଲା। ମୁଁ ସେଣ୍ଟ୍ରାଲ ବ୍ୟାଙ୍କରେ ଚାକିରି କରି ଅବସର ନେଇଥିବା ବେଳେ ମୋର ବଡ଼ ପୁଅ ଜଣେ ଆଇଏଏସ ଅଫିସର ଓ ସାନ ପୁଅ ଜଣେ ବ୍ୟବସାୟୀ। ମୋ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥାଇ ବି ମୋ ସହ ନିଜ ଘରେ ନିଜ ପୁଅମାନେ ଚାକର ଭଳି ବ୍ୟବହାର କରୁଥିଲେ। ସାନ ପୁଅ ନିଜ ପରିବାର ସହ ଅଲଗା ରହୁଥିବା ବେଳେ ବଡ଼ ପୁଅ ଘରେ ରହୁଛି। ହେଲେ ସମସ୍ତେ ଏତେ ବ୍ୟସ୍ତ ଯେ, କାହା ପାଖରେ ନିଜ ବାପାଙ୍କ ସହ କଥା ହେବାକୁ ସମୟ ନାହିଁ। ମୋ ପତ୍ନୀ ଅଧିକ ସମୟ ଫୋନରେ କଟାଉଥିବା ବେଳେ ସେ ମଧ୍ୟ ମୋତେ ଅପମାନିତ କରନ୍ତି। ଏସବୁ ଦେଖିବା ପରେ ମୁଁ ଘରେ ନରହି ବୃଦ୍ଧାଶ୍ରମ ଆସିବାକୁ ନିଷ୍ପତ୍ତି ନେଲି।
ତେବେ ବୃଦ୍ଧାଶ୍ରମକୁ ଯାଇଥିବା ଜାଣି ବୃଦ୍ଧଙ୍କ ପରିବାର ତାଙ୍କୁ ପୁଣି ଥରେ ଘରକୁ ଫେରାଇ ନେଇଥିବା କୁହାଯାଉଛି।
Follow Us