Heart Disease Photograph: (sambad.in )
ଡାକ୍ତର ଅଶୋକ କୁମାର ମହାନ୍ତି
ପୃଥିବୀର ଲକ୍ଷ ଲକ୍ଷ ଲୋକ ହୃଦ୍ରୋଗ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ। ସମସ୍ତେ ଉଚ୍ଚ ରକ୍ତଚାପ, ମଧୁମେହ, ଧୂମପାନ ଭଳି ବିପଦପୂର୍ଣ୍ଣ କାରକ ବିଷୟରେ ଜାଣନ୍ତି। ତେବେ ଏହା ମଧ୍ୟ ଜାଣି ରଖିବା ଉଚିତ ଯେ ମୁଖଗହ୍ୱର ସଂକ୍ରମଣ ହୃତ୍ପିଣ୍ଡର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଭଲ ମୁଖ ସ୍ୱାସ୍ଥ୍ୟ କେବଳ ଉଜ୍ଜ୍ୱଳ ହସ ବଜାୟ ରଖିବା ଲାଗି ଉପାଦେୟ ନୁହେଁ, ଏହା ହୃତ୍ପିଣ୍ଡ ସ୍ୱାସ୍ଥ୍ୟର ଏକ ପ୍ରମୁଖ ଉପାଦାନ ମଧ୍ୟ।
ଆମ ପାଟିରେ ଅନେକ ଜୀବାଣୁ ଥାଆନ୍ତି, କିନ୍ତୁ ଅଧିକାଂଶ କ୍ଷତିକାରକ ନୁହନ୍ତି। ସାଧାରଣତଃ ଶରୀରର ପ୍ରାକୃତିକ ପ୍ରତିରକ୍ଷା ଏବଂ ଉତ୍ତମ ମୁଖ ଯତ୍ନ ଅଭ୍ୟାସ ଜୀବାଣୁଙ୍କୁ ନିୟନ୍ତ୍ରଣରେ ରଖେ। ହେଲେ ଉପଯୁକ୍ତ ପରିଚ୍ଛନ୍ନତା ବିନା, ଜୀବାଣୁ ମୁଖ ସଂକ୍ରମଣର କାରଣ ହୋଇପାରେ। ପେରିଓଡଣ୍ଟାଇଟିସ୍ ବା ମାଢ଼ି ରୋଗ ଏକ ଦୀର୍ଘକାଳୀନ ସଂକ୍ରମଣ ଯାହା ଦାନ୍ତକୁ ଧରି ରଖିଥିବା ମାଢ଼ି ଓ ହାଡ଼କୁ କ୍ଷତି ପହଞ୍ଚାଏ। ପେରିଓଡଣ୍ଟାଇଟିସ୍ ହୃଦ୍ରୋଗର ବିପଦ ବୃଦ୍ଧି ସହିତ ଜଡ଼ିତ। ମାଢ଼ି ରୋଗର ଜୀବାଣୁ ରକ୍ତ ପ୍ରବାହରେ ପ୍ରବେଶ କରି କରୋନାରି ଧମନୀରେ ପ୍ଲାକ୍ (ଚର୍ବି, କୋଲେଷ୍ଟେରଲ୍, କ୍ୟାଲସିଅମ୍) ଜମା କରିବା ଦ୍ବାରା ରକ୍ତ ପ୍ରବାହ ହ୍ରାସ ପାଏ ଏବଂ ଅମ୍ଳଜାନ ଓ ପୋଷକତତ୍ତ୍ୱର ପରିମାଣ ସୀମିତ ହୋଇ ହୃଦ୍ଘାତର କାରଣ ହୁଏ। ମାଢ଼ି ରୋଗର ଜୀବାଣୁ ହୃତ୍ପିଣ୍ଡ ମଧ୍ୟକୁ ଯାଇ ପ୍ରଦାହ ସୃଷ୍ଟି କରେ, ଯାହା ଆଥେରୋସ୍ଲେରୋସିସ୍, ଏଣ୍ଡୋକାର୍ଡାଇଟିସ୍ ଓ ଷ୍ଟ୍ରୋକ୍ ସୃଷ୍ଟି କରିପାରେ। ଯଦି ଚିକିତ୍ସା ନ କରାଯାଏ ତେବେ ଏହି ଜୀବାଣୁ ଶରୀରର ଅନ୍ୟାନ୍ୟ ଅଂଶକୁ ସଂକ୍ରମିତ କରିପାରେ।
ପ୍ରଦାହ ଉଭୟ ମାଢ଼ି ରୋଗ ଓ ହୃଦ୍ରୋଗର ମୁଖ୍ୟ କାରଣ। ମୁଖ ଜୀବାଣୁ ରକ୍ତ ପ୍ରବାହରେ ପହଞ୍ଚି ରକ୍ତବାହୀ ନଳୀରେ ପ୍ରଦାହର କାରଣ ହୋଇପାରନ୍ତି, ଯାହା ଫଳରେ ଧମନୀଗୁଡ଼ିକ କଠିନ ଓ ସଂକୁଚିତ ହୋଇଯାଏ। ଆଥେରୋସ୍ଲେରୋସିସ୍ ନାମକ ଏହି ଅବସ୍ଥା ହୃଦ୍ଘାତ ଓ ଷ୍ଟ୍ରୋକର ବିପଦକୁ ବୃଦ୍ଧି କରେ। ସଂକ୍ରମଣଶୀଳ ଏଣ୍ଡୋକାର୍ଡାଇଟିସ୍ ଏକ ଗମ୍ଭୀର ଅବସ୍ଥା ଯେଉଁଥିରେ ପାଟି ଓ ଶରୀରର ଅନ୍ୟାନ୍ୟ ଅଂଶରୁ ଜୀବାଣୁ ହୃତ୍ପିଣ୍ଡର ଭିତର ଆବରଣକୁ ସଂକ୍ରମିତ କରନ୍ତି। ଜନ୍ମଗତ ହୃଦ୍ରୋଗ, ଭାଲଭ୍ୟୁଲାର ହୃଦ୍ରୋଗ କିମ୍ବା କୃତ୍ରିମ ହୃତ୍ପିଣ୍ଡ ଭଲ୍ଭ ଥିବା ଲୋକମାନେ ଏହାର ବିପଦରେ ଥାଆନ୍ତି।
ତେଣୁ ହୃତ୍ପିଣ୍ଡ ସ୍ୱାସ୍ଥ୍ୟକୁ ସମର୍ଥନ କରିବା ପାଇଁ ମୁଖଗହ୍ବର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରି। ଏଥିପାଇଁ ଫ୍ଲୋରାଇଡ୍ ଟୁଥପେଷ୍ଟ ବ୍ୟବହାର କରି ନରମ ବ୍ରସ୍ରେ ଦିନକୁ ଅତି କମ୍ରେ ଦୁଇଥର ଦାନ୍ତ ଘଷନ୍ତୁ। ପ୍ରତିଦିନ ଫ୍ଲସ୍ କରନ୍ତୁ। ଦାନ୍ତ ଘଷିବା ଓ ଫ୍ଲସ୍ କରିବା ପରେ ମାଉଥୱାସ୍ ବ୍ୟବହାର କରନ୍ତୁ। ଜିଭକୁ ସଫା କରିବା ସହିତ ମାଢ଼ିକୁ ଆଂଗୁଳିରେ ମାଲିସ କରନ୍ତୁ। ମିଠାଯୁକ୍ତ ଖାଦ୍ୟକୁ ସୀମିତ କରନ୍ତୁ। ପ୍ରତି ତିନି ମାସରେ ଟୁଥବ୍ରସ୍ ବଦଳାନ୍ତୁ। ତମାଖୁ ବ୍ୟବହାର ବର୍ଜନ କରନ୍ତୁ।
ଟାଟା ମେନ୍ ହସପିଟାଲ, ନୂଆମୁଣ୍ଡି, ଝାଡ଼ଖଣ୍ଡ
Follow Us