ଭୁବନେଶ୍ବର: ‘ମନ୍ଦିର ଓ ବେଳାଭୂମିରେ ଅଟକିଛି ଆମ ପର୍ଯ୍ୟଟନ’। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟର ଆସୋସିଏଟ ତଥା ଲେଖିକା ପ୍ରଫେସର ଆଦ୍ୟାଶା ଦାସ ଅତିଥି ବକ୍ତା ଭାବେ ଯୋଗଦେଇ କହିଲେ, ଆମ ରାଜ୍ୟକୁ ଆମେ କାହା ପାଇଁ ସଜାଉଛୁ। ପର୍ଯ୍ୟଟକ କିଏ? ସେମାନେ କଣ ଦେଖିବାକୁ ଚାହୁଁଛନ୍ତି? ତାହାକୁ ତର୍ଜମା କରିବାର ଆବଶ୍ୟକତା ରହିଛି। ଯେଉଁ ପର୍ଯ୍ୟଟକ ଆସୁଛନ୍ତି ସେମାନେ ସମସ୍ତେ ଶିକ୍ଷିତ। ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍ ରହିଛି। ଡିଜିଟାଲ୍ ପାଇଁ ଜଣେ କାଲିଫର୍ଣ୍ଣିଆରେ ଥାଇ ମଧ୍ୟ କୋଣାର୍କ ଫେଷ୍ଟିଭାଲ୍ ଦେଖି ପାରୁଛି। ପ୍ରତ୍ୟେକ ଜିଲ୍ଲାର ଲୋକ ଯଦି ଆମ ସଂସ୍କୃତି ଆଉ ଐତିହ୍ୟ ବିଷୟରେ କହିବେ, ତେବେ ଯାଇ ଆମେ ଓଡ଼ିଶାକୁ ପର୍ଯ୍ୟଟନ ମାନଚ୍ଚିତ୍ରରେ ଆଗକୁ ଆଣିପାରିବା। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆମକୁ ବଜାର ତିଆରି ଏବଂ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଗାଇଡ୍ ଭାବରେ ପ୍ରଶିକ୍ଷଣ ଦେବାକୁ ପଡ଼ିବ।
ହେରିଟେଜ୍ ଟୁର ଓଡ଼ିଶା ଏବଂ ଦେଶିଆ କୋରାପୁଟର ପ୍ରତିଷ୍ଠାତା ଯୁଗବ୍ରତ କର କହିଲେ, ଟୁରଜିମ୍ ଗୋଟିଏ ପ୍ରଡକ୍ଟ ଯାହାର ମାର୍କେଟିଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ। କଚ୍ଛ୍କୁ ଗୁଜରାଟ ସରକାର ପ୍ରମୋଟ କରିବାକୁ ଚାହିଁଲେ, ଆଉ ଅମିତାଭ ବଚ୍ଚନଙ୍କୁ ନେଇ ବିଜ୍ଞାପନ କଲେ। ଆଉ ସେ ସମୟରେ ‘କଚ୍ଛ୍ ନେହିଁ ଦେଖା ତୋ, କୁଛ୍ ନେହିଁ ଦେଖା’ କ୍ଲିକ୍ କଲା। ଆଜି ଦିନରେ କଚ୍ଛରେ ୨ ଶହରୁ ୩ ଶହ ହୋମ୍ ଷ୍ଟେ ଅଛି। ଓଡ଼ିଶା ଟୁରିଜିମ୍ ମଧ୍ୟ ସେମିତି ଦିଗରେ ଯିବା ଦରକାର। ବଡ଼ଗଡ଼ ଜିଳ୍ଲାର ବାଲିଜୋରିରେ ଏକ ହସ୍ତତନ୍ତ ହାଟ ରାତି ୨ରୁ ସକାଳ ୬ ଯାଏ ଚାଲେ। ଏହା ଅନେକ ଜାଣନ୍ତି ନାହିଁ। ପ୍ରତ୍ୟେକ ଲୋକ ଜଣେ ଜଣେ ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡାର ହେବା ଦରକାର। ରଥଯାତ୍ରାକୁ ବାଦ୍ ଦେଲେ ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ନୈରାଶ୍ୟଜନକ। କୋଣାର୍କରେ ଜମି ସମସ୍ୟା ଥିବାରୁ ପର୍ଯ୍ୟଟକ ରହିବା ପାଇଁ ଭଲ ହୋଟେଲ୍ ନାହିଁ। ପ୍ରଥମେ ପ୍ରତିବନ୍ଧକକୁ ହଟାଇବାକୁ ପଡ଼ିବ।
ଅନ୍ୟତମ ବକ୍ତା ଭାବେ ଆଇଏଚ୍ସିଏଲ୍ର କ୍ଲଷ୍ଟର ଜେନେରାଲ ମ୍ୟାନେଜର ଆଶୀର୍ବାଦ ପ୍ରହରାଜ କହିଲେ, ଓଡ଼ିଶାର ଗମନାଗମନ ସୁବିଧା ନାହିଁ ବୋଲି ଆଲୋଚନା ହୁଏ। ହେଲେ ମୋର ଅନୁସନ୍ଧାନ ଯେ, ଓଡ଼ିଶାର ରାସ୍ତା ଘାଟ ପର୍ଯ୍ୟଟନ ପାଇଁ ଅନୁକୂଳ। ଏଥିସହ ବନ୍ଦେ ଭାରତ ଭଳି ଟ୍ରେନ୍ ଓ ବିମାନ ସେବାରେ ମଧ୍ୟ ବୃଦ୍ଧି କରାଯାଇଛି। ପର୍ଯ୍ୟଟନର ବିକାଶ ପାଇଁ ଯୋଜନାର କାର୍ଯ୍ୟକାରିତା ହେଉନାହିଁ। ପର୍ଯ୍ୟଟନର ବିକାଶ କରିବା ହେଲେ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ପର୍ଯ୍ୟଟକଙ୍କୁ ଉତ୍ତମ ସେବା ଦେବା ପାଇଁ ସେମାନଙ୍କ ରହିବା, ଖାଇବା ସହ ପର୍ଯ୍ୟଟନସ୍ଥଳୀକୁ ସ୍ବଚ୍ଛ ରଖିବା ଓ ଅନ୍ୟ ସମସ୍ତ କାର୍ଯ୍ୟରେ ସରକାରଙ୍କ ସହ ସାଧାରଣ ଲୋକଙ୍କ ସହଭାଗିତା ରହିବା ଉଚିତ। ଏହି ଅଧିବେଶନକୁ ସ୍ବସ୍ତିକା ପଣ୍ଡା ସଂଯୋଜନା କରିଥିଲେ। କନକ ନିୟୁଜ୍ର ସିଇଓ ରତିକାନ୍ତ ଶତପଥୀ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ।
Follow Us