ଅକ୍ସିଜେନ୍ ସଙ୍କଟ: ବିକାଶଶୀଳ ରାଷ୍ଟ୍ର ଅଧିକ ପ୍ରଭାବିତ

Advertisment
କରୋନା ବ଼ଢ଼ିବାରୁ ଅକ୍ସିଜେନ୍ ଚିନ୍ତା ଫେରିଲା

Image Courtesy of Zee News

କୋଭିଡ୍‌ ରୋଗୀଙ୍କ ପାଇଁ ଅକ୍ସିଜେନ୍ ଏକ ନିହାତି ଜରୁରୀ ସାମଗ୍ରୀ ପାଲଟିଯାଇଛି। କିନ୍ତୁ ଭାରତରେ ଅକ୍ସିଜେନ୍ ସଙ୍କଟ ଏବେ ଗୁରୁତର ଆକାର ଧାରଣ କରିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଦେଶର ବିଭିନ୍ନ ପ୍ରମୁଖ ସହରରେ ମେଡିକାଲ୍‌ ଅକ୍ସିଜେନ୍ ଅଭାବରୁ ବହୁ ଲୋକଙ୍କ ପ୍ରାଣ ଗଲାଣି। ଅକ୍ସିଜେନ୍‌ର ଅଭାବ ନାହିଁ ବୋଲି ସରକାର ଯେତେ ପ୍ରଚାର କରୁଥିଲେ ବି ବାସ୍ତବ କ୍ଷେତ୍ରରେ ସ୍ଥିତି ଭିନ୍ନ। ବିଶ୍ବରେ କରୋନା ପରିପ୍ରେକ୍ଷୀରେ ଜଣାପଡ଼ିଛି ‌ଯେ କେବଳ ଭାରତ ନୁହେଁ, ବହୁ ବିକାଶଶୀଳ ରାଷ୍ଟ୍ର ଅକ୍ସିଜେନ୍ ଅଭାବ ଜନିତ ସମସ୍ୟାରେ ସାଂଘାତିକ ଭାବେ ପ୍ରଭାବିତ ହେଉଛନ୍ତି।

ଏକ ଆକଳନରୁ ଜଣାପଡ଼ିଛି ଯେ ବର୍ତ୍ତମାନର କରୋନାର ପ୍ରଳୟ ଲୀଳା ଚାଲିଥିଲା ବେଳେ ପ୍ରତି ପାଞ୍ଚ ଜ‌ଣରେ ଜଣେ କୋଭିଡ୍‌ ରୋଗୀ ନିଜର ବ୍ଲଡ୍‌ ଅକ୍ସିଜେନ୍‌କୁ ସ୍ବାଭାବିକ ସ୍ତରରେ ରଖିବା ପାଇଁ ମେଡିକାଲ୍‌ ଅକ୍ସିଜେନ୍ ଆବଶ୍ୟକ କରୁଛନ୍ତି। କେବଳ କୋଭିଡ୍‌ ରୋଗ ପାଇଁ ନୁହେଁ, ସମସ୍ତ ପ୍ରକାର ଶ୍ବାସକ୍ରିୟା ଜନିତ ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ୍ ଅତ୍ୟାବଶ୍ୟକ ସାମଗ୍ରୀ ଅଟେ। ବିକାଶଶୀଳ ରାଷ୍ଟ୍ର ମଧ୍ୟରେ ଭାରତ ଦୈନିକ ସର୍ବାଧିକ ଅକ୍ସିଜେନ୍ ଆବଶ୍ୟକ କରୁଛି। ଏଠାରେ ‌ଏବେ ଦୈନିକ ଆବଶ୍ୟକତା ରହିଛି ୧,୩୫,୨୬,୦୭୬ କ୍ୟୁବିକ୍ ମିଟର୍‌ ଅକ୍ସିଜେନ୍। ବ୍ରାଜିଲ୍‌ରେ ଦୈନିକ ୨୭,୧୩,୯୯୭, ତୁର୍କୀରେ ୨୩,୯୧,୯୬୯, ଆର୍ଜେଣ୍ଟିନାରେ ୧୦,୬୯,୬୧୫, ୟୁକ୍ରେନ୍‌ରେ ୫,୦୫,୯୧୬, ପେରୁରେ ୩,୬୮,୭୧୦, ପାକିସ୍ତାନରେ ୨,୪୫,୯୪୯, ଇଣ୍ଡୋନେସିଆରେ ୨,୪୪,୪୦୯ କ୍ୟୁବିକ୍ ମିଟର୍‌ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ୁଛି।

ବିକଶିତ-ବିକାଶଶୀଳ ରାଷ୍ଟ୍ର ମଧ୍ୟରେ ବ୍ୟବଧାନ
ବିକଶିତ ରାଷ୍ଟ୍ରଗୁଡ଼ିକରେ ଅକ୍ସିଜେନ୍ ମହଜୁଦ୍ ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମି ପୂର୍ବରୁ ପ୍ରସ୍ତୁତ ହୋଇସାରିଛି। ସେଠାରେ ଥିବା ହସ୍ପିଟାଲ୍‌ଗୁଡ଼ିକର ନିଜସ୍ବ ବଡ଼ ବଡ଼ ଅକ୍ସିଜେନ୍ ଟ୍ୟାଙ୍କ୍‌ ରହିଛି। ସେମାନେ ପାଇପ୍ ଯୋଗେ ସିଧାସଳଖ ରୋଗୀଙ୍କ ଶଯ୍ୟା ନିକଟକୁ ଅକ୍ସିଜେନ୍ ପଠାଇବାର ବ୍ୟବସ୍ଥା କରିଥା'ନ୍ତି। କିନ୍ତୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଛୋଟ ଛୋଟ ଅକ୍ସିଜେନ୍ ସିଲିଣ୍ଡର୍‌ ବ୍ୟବହାର କରନ୍ତି। ଏହା ହିଁ ସବୁଠାରୁ ବଡ଼ ସମସ୍ୟା। ଏଠାରେ ଅକ୍ସିଜେନ୍ ଉତ୍ପାଦନ ଓ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ଏହାର କୁଫଳ ଏବେ ଭାରତ ସମେତ ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଭୋଗୁଛନ୍ତି।

ମେଡିକାଲ ଅକ୍ସ‌ିଜେନ୍ ମୁଖ୍ୟ ଉତ୍ପାଦ ନୁହେଁ
ବହୁଳ ମାତ୍ରାରେ ଅକ୍ସିଜେନ୍ ପ୍ରସ୍ତୁତ କରିବାକୁ କ୍ଷମତା ରଖୁଥିବା ଫ୍ୟାକ୍ଟ୍ରିଗୁଡ଼ିକ ମୁଖ୍ୟତଃ ବ୍ୟାବସାୟିକ କମ୍ପାନିଗୁଡ଼ିକର ମାଲିକାନାରେ ଅଛନ୍ତି। ସେମାନେ ମେଡିକାଲ୍‌ ବାଦ୍ ଅନ୍ୟ ବ୍ୟବହାର ପାଇଁ ଅକ୍ସିଜେନ୍ ଉତ୍ପାଦ କରନ୍ତି। ଯଦିଓ ସେଠାରେ ମେଡିକାଲ-ଗ୍ରେଡ୍‌ ଅକ୍ସିଜେନ୍ ପ୍ରସ୍ତୁତ ହେଉଛି, ତେବେ ତାହା କମ୍ପାନିର ମୁଖ୍ୟ ଉତ୍ପାଦ ନୁହେଁ। ତେଣୁ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ କେବେ ବି ଆମର ମୁଖ୍ୟ ଫୋକସ୍‌ରେ ରହି ନାହିଁ। ଆହୁରି ମଧ୍ୟ ମେଡିକାଲ ଅକ୍ସିଜେନ୍‌ର ସଂରକ୍ଷଣ ଓ ପରିବହନରେ ଅନେକ ସମସ୍ୟା ରହିଛି। ଏ ଦିଗରେ ପୂର୍ବରୁ କେବେ କୌଣସି ସରକାର ଗୁରୁତର ସହ ଚିନ୍ତା କରି ନାହାନ୍ତି।

ଭାରତର ଛବି ମଳିନ ହେଉଛି
ଭାରତରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଶିଳ୍ପ ସଂସ୍ଥାଗୁଡ଼ିକରୁ ବିଭିନ୍ନ ହସ୍ପିଟାଲ୍‌କୁ ଅକ୍ସିଜେନ୍ ଯୋଗାଉଛନ୍ତି ସତ। କିନ୍ତୁ ତାହା ଯଥେଷ୍ଟ ହେଉ ନାହିଁ। ବହୁ ରୋଗୀଙ୍କ ଜୀବନ ଗଲା ପରେ କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରି ଅକ୍ସିଜେନ୍ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି। ସବୁ ସତ୍ତ୍ବେ ପ୍ରତି ଦିନ ଅକ୍ସିଜେନ୍ ପାଇଁ ଜୀବନ ଯାଉଥିବାର ଖବର ଗଣମାଧ୍ୟମର ଶିରୋନାମା ପାଲଟୁଛି। ଦେଶର ରାଜଧାନୀରେ ଅକ୍ସିଜେନ୍ ଅଭାବର ବିକଳ ଚିତ୍ର ଆନ୍ତର୍ଜାତିକ ସ୍ତରରେ ଦେଶର ଛବି ମଳିନ କରିବାରେ ଲାଗିଛି। ଅକ୍ସିଜେନ୍ ସଙ୍କଟ ନାହିଁ ବୋଲି କହି ସରକାର ବିଶ୍ବାସ ସୃଷ୍ଟି କରିବାକୁ ଚାହୁଁଥିଲେ ବି ଲୋକଙ୍କ ଭରସା ପାଉ ନାହିଁ। ମେ' ମାସରେ କୋଭିଡ୍‌ ସଂକ୍ରମଣ ଶୀର୍ଷକୁ ଯିବାର ସମ୍ଭାବନା ଥିବାରୁ ଏ ଦିଗରେ ସରକାର କି ରଣନୀତି ପ୍ରସ୍ତୁତ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe