ନୂଆଦିଲ୍ଲୀ: ପହଲଗାମରେ ଶୀତ ଗାଉଛି ଗୀତ । ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଧଳା ଚାଦର ଘୋଡିଥିବା ବରଫର ପାହାଡ଼। ୭ ମାସ ଭିତରେ ବଦଳିଯାଇଛି ଅନେକ କିଛି । ସ୍ବାଭାବିକ ହୋଇଛି ଜନଜୀବନ, ନିଜ ସୌନ୍ଦର୍ଯ୍ୟକୁ ପୁଣି ଫେରି ପାଇଛି ପ୍ରକୃତି, ପରିବେଶ ବି ଆଗପରି ନିଜକୁ ବୁଝେଇ ସାରିଛି ଆଉ ପର୍ଯ୍ୟଟକଙ୍କ ଖୁସିରେ ଖୁସି ହେଇ ମୁରୁକି ମୁରୁକି ହସୁଛି… ହଁ ପହଲଗାମକୁ ନୂଆ ନୂଆ ଶୀତ ଛୁଇଁଛି, ପହିଲି ସ୍ପର୍ଶରେ ପହଲଗାମ ଟିକେ ଶୀତେଇ ଯାଉଛି ଟିକେ କୁଙ୍କୁରି କାଙ୍କୁରି ହେଇ ଘୁମେଇ ପଡୁଛି ପୁଣି ସୂର୍ଯ୍ୟଙ୍କ କଅଁଳ କିରଣର ଛିଟାରେ ସତେଜ ହେଇ ନିଜକୁ ମିନି ସୁଇଜରଲ୍ୟାଣ୍ଡ ବୋଲି ଘୋଷଣା କରୁଛି…
/filters:format(webp)/sambad/media/media_files/2025/10/14/baisaran-valley-cover-photo-840x425-2025-10-14-18-39-07.jpg)
ଭାରି କାନ୍ଦିଥିଲା ଭାରତର ଭୂସ୍ବର୍ଗ...
ଆଜି ପରି ସେଦିନ ବି ଥିଲା ମଙ୍ଗଳବାର । ୨୨ ଏପ୍ରିଲ ୨୦୨୫... ସମସ୍ତେ ନିଜ ନିଜ ପ୍ରିୟଜନ, ସମ୍ପର୍କୀୟ, ପରିବାର ସହ ବୁଲିଯାଇଥିଲେ ଭାରତର ଭୂସ୍ବର୍ଗ କାଶ୍ମୀର । କିଏ ନିଜ ସ୍ତ୍ରୀକୁ ନେଇ ବିବାହ ପରେ କାଶ୍ମୀର ବୁଲିବାକୁ ଯାଇଥିଲା ତ ପୁଣି କିଏ ନିଜ ବିବାହ ବାର୍ଷିକୀ ପାଳିବାକୁ ଯାଇଥିଲା । କେହି କେହି ହନିମୁଟ ଟ୍ରିପରେ ସୁଇଜରଲ୍ୟାଣ୍ଡ ପ୍ଲାନ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ମିନି ସୁଇଜରଲ୍ୟାଣ୍ଡ ପହଲଗାମ୍ ବୁଲିଯିବାକୁ ମନସ୍ଥ କରିଥିଲେ । କାଶ୍ମୀରର ବିଭିନ୍ନ ସ୍ଥାନ ବୁଲି ସେଦିନ ପହଲଗାମର ବୈସରଣରେ ଏକାଠି ହୋଇଥିଲେ ପର୍ଯ୍ଯଟକ । ଆଉ ପ୍ରକୃତିର ମଜା ବି ନେଉଥିଲେ...
/filters:format(webp)/sambad/media/media_files/2025/10/14/screenshot-2025-10-14-183827-2025-10-14-18-38-54.jpg)
କିଏ ମ୍ୟାଗି ସହ ମିନି ସୁଇଜରଲ୍ୟାଣ୍ଡର ମଜା ନେଉଥିଲା ତ କିଏ ଫଟୋ ଉଠାଇ ସୁନ୍ଦରୀ କାଶ୍ମୀରର କୋଳରେ ସୁନ୍ଦର ସ୍ମୃତି ସାଉଣ୍ଟୁଥିଲା ପୁଣି କିଏ ରିଲ୍ସରେ ମାତିଥିଲା ତ କିଏ କାଶ୍ମୀରର ଛାତି ଉପରେ ପ୍ରେମ-ପ୍ରକୃତିର ବିଭୋରତାଭରା କବିତା ଲେଖୁଥିଲା । ନୂଆନୂଆ ବାହା ହୋଇଥିବା ସ୍ତ୍ରୀର କୋଳରେ ଶୋଇ କାଶ୍ମୀରକୁ ଉପଭୋଗ କରୁଥିବା ସ୍ବାମୀଟିଏ ଜୀବନର ପରମ ଶାନ୍ତି ପାଇଯାଇଛି ବୋଲି କିଛି କ୍ଷଣ ଅନୁଭବ କରୁଥିବା ବେଳେ ସେହି ସୁଖ, ସେହି ସ୍ମୃତି ଯେ ସେଇଠି ସରିଯିବ ଆଉ ଶେଷ ସ୍ମୃତି ପାଲଟିଯିବ ନା ସେ ସ୍ବାମୀ ଜଣଙ୍କ ଜାଣିଥିଲେ ନା ସ୍ତ୍ରୀ ଜଣକ ।
/filters:format(webp)/sambad/media/media_files/2025/10/14/screenshot-2025-10-14-183740-2025-10-14-18-39-35.jpg)
ହଠାତ୍ ସବୁଜ ବନାନୀର ପାଇନ ଗଛ ଭିଡରୁ ବାହାରିଥିଲେ ସୈତାନ ଆଉ ଆଖି ବୁଜା ଗୁଳିମାଡ କରିଥିଲେ । ଠୋ ଠା ଶବ୍ଦରେ କାନ ତାବଦା ହୋଇଯାଇଥିଲା, କେଇ ମୁହୂର୍ତ୍ତରେ ମିନି ସୁଇଜରଲ୍ୟାଣ୍ଡ ମୃତ୍ୟୁର ଉପତ୍ୟକା ପାଲଟିଯାଇଥିଲା । ଆଉ ସବୁଜ ଘାସ ଗାଲିଚାରେ ସବୁଦିନ ପାଇଁ ଗୋଟେ ରକ୍ତାକ୍ତ କାହାଣୀ ଲେଖା ହୋଇଗଲା । ଭାରତର ଭୂସ୍ବର୍ଗରୁ ଭୟ ଆତଙ୍କର କାହାଣୀ ସାରା ବିଶ୍ବ ଦେଖିଥିଲା…
ପହଲଗାମରେ ପରିବର୍ତ୍ତନର ପହିଲି ପୁଲକ
କିନ୍ତୁ ଆଜି ସେହି ପହଲଗାମରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଦିନ ଯାଇଛି ତାସହ ଚିହ୍ନ ବି ଲିଭିଛି । ବରଫର ଧଳା ଚାଦର ଉପରୁ ରକ୍ତର ନାଲି ଚିହ୍ନ ଲିଭିଯାଇଛି । ପାଇନ ଗଛ ଭିଡରୁ ଆଉ ଆତତାୟୀଙ୍କ ଗୁଳିର ଗର୍ଜନ ଶୁଭୁନି କି ସେ ଭୟ ବି ଆଉ ନାହିଁ । ଏବେ ପହଲଗାମର ପାଇନ ଗଛମାନେ ପ୍ରେମର ପଣକିଆ ଘୋଷୁଛନ୍ତି… ନିରବରେ ବହିଯାଉଥିବା ନଈ ନୂଆ ନୂଆ ଦମ୍ପତ୍ତିଙ୍କ ମିଳନର ପ୍ରତିଛବି ଦେଖି ପୁଲକିତ ହେଉଛି… ଘନ କୁହୁଡିର ଆସ୍ତରଣ ଆସ୍ତେ ଆସ୍ତେ ସେ ଆତଙ୍କର ଦିନ ସବୁକୁ ଭୁଲି ଭବିତବ୍ୟ ଆଶାରେ ପହଲଗାମରେ ପୋଲିସ ପରି ପଇଁତରା ମାରୁଛି… ଛାତିର କ୍ଷତଚିହ୍ନକୁ ଲୁଚାଇ ପହଲଗାମ ପୁଣି ଥରେ ନିଜକୁ ପ୍ରସ୍ତୁତ କରିସାରିଛି…
/filters:format(webp)/sambad/media/media_files/2025/10/14/a-snow-laden-valley-2025-10-14-18-39-21.jpg)
ଖାଲି ପହଲଗାମ ନୁହେଁ ଶୀତ ଏଥର ଜାମ୍ମୁ-କାଶ୍ମୀରକୁ ସଅଳ ଛୁଇଁଛି । ଶୀତର ପ୍ରକୋପ କାଶ୍ମୀରରେ ଏବେଠୁ ଦେଖିବାକୁ ମିଳିଲାଣି । ଗୁଲମାର୍ଗ, ସୋନମାର୍ଗରେ ଖସିଛି ପାରଦ । ଦେଖା ଦେଇଛି ଶୀତର ଲହରୀ । ବିଭିନ୍ନ ସ୍ଥାନରେ ୨ ଇଞ୍ଚର ବରଫ ପଡୁଥିବା ଦେଖିବାକୁ ମିଳୁଥିବା ବେଳେ ବରଫର ଚାଦର ଘୋଡିଥିବା ପହଲଗାମ ଏବଂ ଆରୁ ଭ୍ୟାଲିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ।
Follow Us