ଓଡ଼ିଶା ଆସିଲେ ଶ୍ରୀମନ୍ଦିର ଦର୍ଶନ ନିଶ୍ଚିତ

Advertisment
ଓଡ଼ିଶା ଆସିଲେ ଶ୍ରୀମନ୍ଦିର ଦର୍ଶନ ନିଶ୍ଚିତ

ପଣ୍ଡିତ ଯଶରାଜ ଓଡ଼ିଶାକୁ ଅନେକଥର ଆସିଛନ୍ତି। ସୃଜନର କାର୍ଯ୍ୟକ୍ରମରେ ପୁରସ୍କାର ଦେବାଠୁ ନେଇ ସଂଗୀତ ପରିବେଷଣ କରିଛନ୍ତି। ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲ ଓ ସ୍ପିକ୍‌ ମାକେର ସଂଗୀତ କାର୍ଯ୍ୟକ୍ରମରେ ମଧ୍ୟ ଅନେକବାର ପଣ୍ଡିତ ଯଶରାଜ ସଂଗୀତ ପରିବେଷଣ କରିଛନ୍ତି। ତେବେ ଓଡ଼ିଶା ଆସିବା ପଛରେ ତାଙ୍କର ଆଉ ଏକ ଲକ୍ଷ୍ୟ ଥାଏ ଶ୍ରୀମନ୍ଦିରରେ ପ୍ରଭୁଙ୍କ ଦର୍ଶନ। ଗୁରୁ କେଳୁଚରଣ ମହାପାତ୍ରଙ୍କ ପୁତ୍ର ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର କୁହନ୍ତି, ଓଡ଼ିଶା ଆସିଲେ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେ ଏତେ ବ୍ୟାକୁଳ ହେଉଥିଲେ ଯେ ୧୯୯୭ ମସିହାରେ ଦିନେ ଏକ କାର୍ଯ୍ୟକ୍ରମ ସରିବା ପରେ କହିଲେ ମୁଁ ଏଇ ରାତିରେ ପୁରୀ ପଳେଇବି। ସକାଳେ ଯିବା କଥା ବୁଝାଇବା ପରେ ଏକ ସର୍ତରେ ସେ ରାଜି ହୋଇଥିଲେ। କହିଥିଲେ, ଯଦି ମୁଁ ସକାଳେ ଯିବି ତେବେ ଭୋର ସମୟରେ ହେଉଥିବା ମଙ୍ଗଳ ଆଳତି ଯେମିତି ଦେଖିବି। ତାଙ୍କ କଥା ମୁତାବକ ଭୋରୁ ଭୁବନେଶ୍ବରରୁ ପୁରୀ ଯାଇ ସେ ପ୍ରଭୁଙ୍କ ମଙ୍ଗଳ ଆଳତି ଦେଖିବା ପରେ ବିଭୋର ହୋଇଯାଇଥିଲେ।

ରାଷ୍ଟ୍ରପତିଙ୍କ ଗାର୍ଡେନ୍‌ରେ ଭାରତରତ୍ନର ସ୍ବପ୍ନ
ରତିକାନ୍ତ ମହାପାତ୍ର ପିତା ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଶୁଣିଥିବା ଏକ କଥାର ସ୍ମୃତିଚାରଣ କରି କହିଛନ୍ତି, ୨୦୦୦ ମସିହାରେ ଏକା ସାଙ୍ଗେ ସଂଗୀତ ଓ ନୃତ୍ୟର ୩ଜଣ ଗୁରୁ ପଣ୍ଡିତ ହରିପ୍ରସାଦ ଚୌରାସିଆ, ପଣ୍ଡିତ ଯଶରାଜ ଓ ଗୁରୁ କେଳୁଚରଣ ମହାପାତ୍ର ପଦ୍ମବିଭୂଷଣ ସମ୍ମାନ ଲାଭ କରିଥିଲେ। ସମ୍ମାନ ପାଇବା ପରେ ୩ଜଣ ବନ୍ଧୁ ରାଷ୍ଟ୍ରପତିଙ୍କ ଗାର୍ଡେନ୍‌କୁ ଯାଇ ସେଠାରେ ଫଟୋ ଉଠାଇଥିଲେ। ଏହି ଅବସରରେ ପଣ୍ଡିତ ହରିପ୍ରସାଦ ଚୌରାସିଆ କହିଥିଲେ, ଆମେ ପୁଣି ୩ ଜଣ ଏକାଠି ଏଇଠି ଆସି ଭାରତରତ୍ନ ନେବା ପରେ ଫଟୋ ଉଠାଇବା। ଏ ସୌଭାଗ୍ୟ ଲାଭ ହୋଇପାରିନଥିଲେ ହେଁ ୩ ଗୁରୁ ପାଲଟିଯାଇଛନ୍ତି ସଂଗୀତ ଓ ନୃତ୍ୟ ଜଗତର ଯୁଗପୁରୁଷ।

ଚନ୍ଦନପୁର ବଜାରରେ ଖାଇଥିଲେ ମାଲପୁଆ ଡାଲମା
ପଣ୍ଡିତ ଯଶରାଜ ଗୁରୁ‌ କେଳୁଚରଣ ମହାପାତ୍ରଙ୍କ ସହ ପୁରୀରୁ ଫେରିବା ବାଟରେ ତାଙ୍କ ରଘୁରାଜପୁର ଗ୍ରାମକୁ ଯାଇଥିଲେ। ସେଠାରୁ ଆସି ଗୁରୁ କେଳୁଚରଣ ମହାପାତ୍ର ନିଜ ନାଗୁଆ ଦୋକାନକୁ ଯାଇଥିଲେ। ସେଠାରେ ନିଜ ପରିବାର ଓ ପଣ୍ଡିତ ଯଶରାଜଙ୍କ ସହ ମାଲପୁଆ ଓ ଡାଲମା ଖାଇଥିଲେ। ତେବେ ଓଡ଼ିଶା ଆସିଲେ ସେ ଛେନାପୋଡ଼ ଓ ରାବିଡ଼ି ‌ଖାଇବାକୁ ଭୁଲୁନଥିଲେ ବୋଲି କହିଛନ୍ତି ରତିକାନ୍ତ ମହାପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe