ନୂଆଦିଲ୍ଲୀ: ପ୍ରତ୍ୟେକ ବାପା-ମା’ଙ୍କ ପାଇଁ ତାଙ୍କ ପୁଅ ଭଲ ପାଠ ପଢ଼ୁ , ଭଲ ନମ୍ବର ରଖୁ ଏହା ହିଁ ଆଶା ରହିଥାଏ। ଏଭଳି କ୍ଷେତ୍ରରେ ପିଲା ଯଦି ଭଲ ନମ୍ବର ନରଖେ ତେବେ ବାପା-ମା’ମାନେ ତାକୁ ଗାଳି ଦେଇଥାଆନ୍ତି। ଯେଉଁ କାରଣରୁ ସେମାନେ ଜୀବନ ହାରି ଦେଇଥିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଦେଖିବାକୁ ଗଲେ ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି।
ପୁଅ ୧୦ମ ଶ୍ରେଣୀରେ ମାତ୍ର ୩୫ ପ୍ରତିଶତ ନମ୍ବର ରଖିଥିଲେ ବି ତାର ବାପା-ମା’ ବହୁତ ଖୁସି ହୋଇଯାଇଥିଲେ। ଏମିତି କି ଏହି ଖୁସିକୁ ସେମାନେ ସମସ୍ତଙ୍କ ସହ ବାଣ୍ଟିବା ପାଇଁ ମିଠା ଖୁଆଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓକୁ ଆଇଏଏସ ଅଫିସର ଅୱନିଶ ସରଣ ବି ଟୁଇଟରରେ ସେୟାର କରିଛନ୍ତି।
ସେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ମୁମ୍ବାଇରେ ରହୁଥିବା ୧୦ମ ଶ୍ରେଣୀର ଏହି ଛାତ୍ର ପରୀକ୍ଷାରେ ୩୫ ପ୍ରତିଶତ ନମ୍ବର ରଖିଛି। ପିଲାର ବାପା-ମା’ ମନ ଦୁଃଖ କରିବା ବଦଳରେ ଖୁସି ହୋଇ ମିଠା ବାଣ୍ଟିଥିଲେ। ’
ପ୍ରକାଶିତ ରିପୋର୍ଟ ମୁତାବକ, ବିଶାଲ ମୁମ୍ବାଇର ଠାଣେରେ ବସବାସ କରନ୍ତି। ୧୦ମ ପାଠପଢ଼ା ସେ ମରାଠୀ ମାଧ୍ୟମରେ କରିଥିଲେ। ତାଙ୍କ ବାପା ଜଣେ ଅଟୋ ଚାଳକ ଭାବେ କାମ କରନ୍ତି। ତାଙ୍କର ଇଚ୍ଛା ଥିଲା ବିଶାଲ ପରୀକ୍ଷାରେ କଳେବଳେ କୌଶଳେ କେମିତି ପାସ ହୋଇଯାଉ। ପୁଅ ପାସ ହୋଇଗଲେ ହିଁ ତାଙ୍କ ସ୍ବପ୍ନ ପୂରା ହୋଇଯିବ। ଯାହାକି ବିଶାଲ କରି ଦେଖାଇଥିଲେ। ଏଥିପାଇଁ ତାଙ୍କ ବାପା ଓ ମା’ଖୁସି ହୋଇଯାଇଥିଲେ। ବିଶାଲ ଆଗକୁ ଇଞ୍ଜିନିୟରିଂରେ କ୍ୟାରିୟର ଗଢ଼ିବେ ବୋଲି ଆଶା ରଖିଛନ୍ତି।
  
 Follow Us