ଆଗାମୀ ବର୍ଷ ପ୍ୟାରିସ୍ ଠାରେ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ା ପାଇଁ କ୍ରୀଡ଼ାବିତ୍ମାନେ ନିଜ ପ୍ରସ୍ତୁତିରେ ମଗ୍ନ ଥିବା ବେଳେ ବିଶ୍ବର ପ୍ରଥମ ବିଦ୍ୟୁତ୍ଚାଳିତ ଉଡ଼ନ୍ତା ଟାକ୍ସି ନେଟଵର୍କ ମଧ୍ୟ ନିଜ ଯୋଜନାକୁ ବାସ୍ତବ ରୂପ ଦେବାକୁ ଲାଗିପଡ଼ିଛି। ଖେଳ ସମୟରେ ପ୍ରଥମ କରି ଭୂଇଁରୁ ସିଧାସଳଖ ଉଡ଼ାଣ ଆରମ୍ଭ ଓ ଅବତରଣ କରିପାରୁଥିବା ବିଦ୍ୟୁତ୍ଚାଳିତ ଇ-ଭିଟଲ (ଭର୍ଟିକାଲ ଟେକଅଫ୍ ଆଣ୍ଡ୍ ଲ୍ୟାଣ୍ଡିଂ) ବିମାନର ଶୁଭାରମ୍ଭ କରାଯିବ ବୋଲି ଜଣାଯାଇଛି। ଭଡ଼ାରେ ଏହି ସେବା ଯୋଗାଇଦେବାକୁ ସଂପୃକ୍ତ କମ୍ପାନି ଲକ୍ଷ୍ୟ ରଖିଛି। ‘ଭଲୋସିଟି’ ନାମକ ଏହି ଭଡ଼ା ବିମାନରେ ଥରକେ ଜଣେ ଯାତ୍ରୀ ଓ ଜଣେ ପାଇଲଟ ଯାଇପାରିବେ।
ଦୁଇଟି ବିମାନପଥରେ ଯାତାୟାତ କରିବାକୁ ଥିବା ଏହି ବିମାନ ପାଇଁ ପାଞ୍ଚଟି ସ୍ବତନ୍ତ୍ର ଧରଣର ଅବତରଣ କେନ୍ଦ୍ର ରହିବ ଯେଉଁଠାରୁ ଯାତ୍ରୀ ଉଠିପାରିବେ। ଏଥିରେ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଏ ପ୍ରକାର ସେବା ପ୍ରତି ଜନସାଧାରଣଙ୍କ ପ୍ରତିକ୍ରିୟା ଉପରେ ଏହି ବିମାନ ଟାକ୍ସିର ଭବିଷ୍ୟତ ନିର୍ଭର କରୁଛି ବୋଲି ଆଲୋଚନା ହେଉଛି। ତେବେ ଡାକ୍ତରୀ ସେବାରେ ଏହି ବିମାନର ଉପଯୋଗ ସୁଫଳ ଆଣିଦେବ ବୋଲି ଆଶା କରାଯାଉଛି। କାରଣ କୌଣସି ଜରୁରୀ ସ୍ଥିତିରେ ଜଣେ ବିଶେଷଜ୍ଞ ଡାକ୍ତର ଏହି ବିମାନ ସାହାଯ୍ୟରେ ଗୋଟିଏ ମିନିଟ୍ ଆଗୁଆ ପହଞ୍ଚିପାରିଲେ ବି ଜଣେ ହୃଦ୍ଘାତ ରୋଗୀର ବଞ୍ଚିବା ସମ୍ଭାବନା ୧୦ ପ୍ରତିଶତ ବୃଦ୍ଧି ପାଇପାରିବ।
Follow Us