ପାୟଲଙ୍କ ଐତିହାସିକ ଗ୍ରାନ୍‌ ପ୍ରି ବିଜୟ

Advertisment
ପାୟଲଙ୍କ ଐତିହାସିକ ଗ୍ରାନ୍‌ ପ୍ରି ବିଜୟ

୭୭ତମ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଭାରତ ନୂଆ ଇତିହାସ ରଚିଛି। ଏହି ସମ୍ମାନଜନକ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ଚଳଚ୍ଚିତ୍ର ‘ଅଲ୍‌ ଵି ଇମାଜିନ୍‌ ଏଜ୍‌ ଲାଇଟ୍‌’କୁ ‘ଲେ ଗ୍ରାନ୍‌ ପ୍ରି’ ପୁରସ୍କାର ମିଳିଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଏହି ପୁରସ୍କାରର ବିଜେତା ହେଉଛନ୍ତି ଜଣେ ନବାଗତା ମହିଳା ନିର୍ଦେଶକ- ପାୟଲ କପାଡ଼ିଆ। ଦୀର୍ଘ ତିରିଶ ବର୍ଷର ଅପେକ୍ଷା ପରେ ପାୟଲଙ୍କର ଏହି ଚଳଚ୍ଚିତ୍ର ଭାରତୀୟ ସିନେମା ଭାବେ କାନ୍‌ର ପ୍ରମୁଖ ପୁରସ୍କାର ଦୌଡ଼ରେ ସାମିଲ ହୋଇଥିଲା। ଏହି ବିଜୟ ପରେ ବିଶ୍ବର କୋଣଅନୁକୋଣରୁ ସମୀକ୍ଷକ, ନିର୍ଦେଶକ ଓ ଦର୍ଶକମାନଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।

‘ଲେ ଗ୍ରାନ୍‌ ପ୍ରି’ ହେଉଛି କାନ୍‌ ପିଲ୍ମ ଫେଷ୍ଟିଭାଲ୍‌ର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର। ପାୟଲଙ୍କ ସମେତ ଅଭିନେତ୍ରୀ ଛାୟା କଦମ, ଦିବ୍ୟା ପ୍ରଭା ଓ କନୀ କୁଶ୍ରୁତି କାନ୍‌ ମଞ୍ଚରେ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ଗ୍ରହଣ କରିବା ବେଳେ ପାୟଲ ଏକ ସାରଗର୍ଭକ ବକ୍ତବ୍ୟ ଦେଇ କହିଥିଲେ- ଏହି ଚଳଚ୍ଚିତ୍ର ହେଉଛି ତିନିଜଣ ମହିଳାଙ୍କ ବନ୍ଧୁତାର କାହାଣୀ। ସଦାବେଳେ ମହିଳାମାନଙ୍କୁ ପରସ୍ପରଙ୍କ ବିରୋଧୀ ଭାବେ ଦେଖାଯାଇଥାଏ। ଆମ ସମାଜର ଗଢ଼ଣ ହିଁ ଏହିପରି ଏବଂ ଏହା ଖୁବ୍ ଦୁର୍ଭାଗ୍ୟଜନକ। କିନ୍ତୁ ମୋ ପାଇଁ ବନ୍ଧୁତା ହେଉଛି ଏକ ଖୁବ୍ ଗୁରୁତ୍ବପୂର୍ଣ୍ଣ ସମ୍ପର୍କ କାରଣ ଏହା ପରସ୍ପର ପ୍ରତି ସହାନୁଭୂତି, ଅନ୍ତର୍ଭୁକ୍ତୀକରଣ ଓ ସମ୍ବେଦନା ଉତ୍ପନ୍ନ କରିଥାଏ।

୩୮ ବର୍ଷୀୟା ପାୟଲ କପାଡ଼ିଆ ହେଉଛନ୍ତି ପୁନେର ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ଉତ୍ତୀର୍ଣ୍ଣ ଜଣେ ନିର୍ଦେଶିକା। ୨୦୧୭ରେ ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର ‘ଆଫ୍‌ଟର୍‌ନୁନ୍ କ୍ଲାଉଡ୍‌ସ’ କାନ୍‌ରେ ଭାରତର ଏକମାତ୍ର ସିନେମା ଭାବେ ଦେଶର ପ୍ରତିନିଧିତ୍ବ କରିଥିଲା। ପୁଣି ୨୦୨୧ରେ ତାଙ୍କର ବହୁଚର୍ଚ୍ଚିତ ବୃତ୍ତଚିତ୍ର ‘ଏ ନାଇଟ୍‌ ଅଫ୍ ନୋଇଙ୍ଗ୍‌ ନଥିଙ୍ଗ୍‌’ କାନ୍‌ରେ ଗୋଲ୍‌ଡେନ୍ ଆଇ ପୁରସ୍କାର ଜିଣିଥିଲା। ‘ଅଲ୍‌ ଵି ଇମାଜିନ୍‌ ଏଜ୍‌ ଲାଇଟ୍‌’ ତାଙ୍କର ପ୍ରଥମ ଫିଚର୍‌ ସିନେମା। ଗତ ଗୁରୁବାର ରାତିରେ କାନ୍‌ ମହୋତ୍ସବରେ ଏହା ପ୍ରଦର୍ଶିତ ହେବା ପରେ ଦର୍ଶକମାନେ ଆଠ ମିନିଟ୍‌ ଛିଡ଼ା ହୋଇ କରତାଳି ଦେଇଥିଲେ। ପାୟଲଙ୍କ ଐତିହାସିକ ବିଜୟ ସାଙ୍ଗକୁ ଭାରତୀୟ ଅଭିନେତ୍ରୀ ଅନସୂୟା ସେନଗୁପ୍ତା ‘ଦି ସେମ୍‌ଲେସ୍‌’ରେ ଅଭିନୟ ପାଇଁ ‘ଅନ୍‌ ସର୍ଟନ୍‌ ରିଗାର୍ଡ’ ବିଭାଗରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିଣି ଚର୍ଚ୍ଚାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe