କର୍ମମୟ ଜୀବନର ବ୍ୟସ୍ତତାରେ ବିବ୍ରତ ମଣିଷ ବିଷାଦଗ୍ରସ୍ତ ଓ କ୍ଳାନ୍ତ ହୋଇ ଶାନ୍ତିର ମାର୍ଗ ଖୋଜିବୁଲୁଛି। ଆଜିର ଦୁନିଆରେ ଟିକେ ଶାନ୍ତି ପାଇବା ଏକ ପ୍ରକାର ଅସମ୍ଭବ ହୋଇଯାଇଛି। ଏ ଭଳି ପରିସ୍ଥିତିରେ ଶାନ୍ତି ପାଇବା ପାଇଁ ଜାପାନୀମାନେ ୫ଟି ମାର୍ଗ ବା ଉପାୟ ନିର୍ଦ୍ଧାରଣ କରିଛନ୍ତି। ଏହି ଉପାୟଗୁଡ଼ିକୁ ଯେ କେହି ଅଭ୍ୟାସ କରି ଚାଲିଲେ ଆଦୌ ଅଶାନ୍ତିର ବଶବର୍ତ୍ତୀ ହେବନାହିଁ ବୋଲି ସେମାନଙ୍କର ବିଶ୍ବାସ। କିନ୍ତୁ, ଏସବୁ କରିବାକୁ ହେଲେ ଆଗ ମନକୁ ଦୃଢ଼ କରିବା ଦରକାର। ତେବେ ଯାଇ ଜଣେ ମାନସିକ ଶାନ୍ତି ଅନୁଭବ କରିପାରିବ।
ଶୋଗାନାଇ: ସମଗ୍ର ଭାବେ କହିବାକୁ ଗଲେ, ଏହାର ଅର୍ଥ ହେଲା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଧୈର୍ଯ୍ୟଧରି ସ୍ବୀକାର କରିବା। ଆଜିର ସଭ୍ୟତାରେ ମଣିଷ ବେଳେବେଳ ନିଜ ନିୟନ୍ତ୍ରଣରେ ନ ଥିବା ସାମଗ୍ରୀ ପାଇବାକୁ ସଂଘର୍ଷ କରୁଛି, କିନ୍ତୁ ପାଇପାରୁ ନାହିଁ। ହତାଶ ଅନୁଭବ କରୁଛି। ଏଭଳି କ୍ଷେତ୍ରରେ, ସମୟ ନଷ୍ଟ ନ କରି ଅନ୍ୟ କାର୍ଯ୍ୟ ପ୍ରତି ମନ ବଳାଇବା ଉଚିତ। ସରଳ ଭାଷାରେ କହିବାକୁ ଗଲେ, ପ୍ରାପ୍ତିର ଲାଲସା ପରିହାର କରିବା ଉଚିତ।
ଶିନ୍ରିନ-େୟାକୁ: ଏହାର ଅର୍ଥ ହେଉଛି, ଭାରାକ୍ରାନ୍ତ ମନକୁ ହାଲୁକା କରିବାକୁ ଶାନ୍ତ ସୁନ୍ଦର ପ୍ରାକୃତିକ ପରିବେଶରେ କିଛି ସମୟ କଟାଇବା। ସୋସିଆଲ୍ ମିଡିଆରୁ କିଛି ସମୟ ଦୂରେଇ ରହି ପାରିଲେ ବି ମନରେ ଶାନ୍ତି ଆସି ପାରିବ।
ନେମ୍ବୁତ୍ସୁ: ଏହା ଏକ ସରଳ ଏବଂ ଶକ୍ତିଶାଳୀ ଉପାୟ, ଯାହା ମନକୁ ବାସ୍ତୁବାଦୀ ଚିନ୍ତାରୁ ସ୍ଥାନାନ୍ତରିତ କରିଥାଏ। ଏହାର ଅର୍ଥ ଈଶ୍ୱରଙ୍କ ଧ୍ୟାନ-ତପ-ଜପରେ କିଛି ସମୟ କାଟିବା ଦରକାର। ଏପରି କରିବା ଦ୍ବାରା ମନ ହାଲୁକା ଲାଗେ ଓ ସକାରାତ୍ମକ ଚିନ୍ତାଧାରା ଆସିଥାଏ।
ଗମାନ: ଜାପାନୀ ଦର୍ଶନରେ ଏହାର ଅର୍ଥ ଅସୀମ ସହନଶୀଳତା ବା ଧୈର୍ଯ୍ୟ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଅସହ୍ୟ ମନେ ହେଉଥିବା ପରିସ୍ଥିତିକୁ ସଂଯମ ଓ ସମ୍ମାନର ସହିତ ସହ୍ୟ କରିବା। ଏହାଦ୍ବାରା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ମଣିଷ ପାଇଁ ସହଜ ହୋଇଥାଏ।
ୱାବି-ସାବି: ଏ ଜାପାନୀ ଦର୍ଶନର ଅର୍ଥ ଜଗତ୍ରେ ସବୁ କ୍ଷଣସ୍ଥାୟୀ ଓ ଅପୂର୍ଣ୍ଣାଙ୍ଗ। ସମୟ ସହିତ ତାଳ ଦେଇ ମଣିଷକୁ ଚାଲିବାକୁ ପଡ଼ିଥାଏ। ତେଣୁ ଗୋଟିଏ କଥାକୁ ଧରି ରଖି ମନକୁ ଚାପଗ୍ରସ୍ତ କରିବା ଠିକ୍ ନୁହେଁ। ଅର୍ଥାତ୍ ବାହ୍ୟ ଜଗତ୍ଦ୍ବାରା ମୋହଗ୍ରସ୍ତ ନ ହୋଇ ଅନ୍ତରାତ୍ମାକୁ ଚିହ୍ନିଲେ ପ୍ରକୃତ ଶାନ୍ତି ମିଳିଥାଏ।
ଶାନ୍ତି ସୂୂତ୍ର: ଶାନ୍ତି ପାଇଁ ଜାପାନୀ ମାର୍ଗ
Advertisment
Follow Us