ନିକଟରେ ନୂଆଦିଲ୍ଲୀ ଗସ୍ତରେ ଆସିଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦୁଇଟି ଦାବି ରଖିଛନ୍ତି। ରାଜଧାନୀ ଦିଲ୍ଲୀର ଗୋଟିଏ ରାସ୍ତା ଡ. ହରେକୃଷ୍ଣ ମହତାବଙ୍କ ନାମରେ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ବରର ଗୋଟାଏ ରାସ୍ତା ଶ୍ରୀପତି ମିଶ୍ରଙ୍କ ନାମରେ ନାମିତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ନିଜ ରାଜନୈତିକ ଜୀବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ପ୍ରଜ୍ଞା ପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଭଳି ଉତ୍ତୁଙ୍ଗ ବ୍ୟକ୍ତିତ୍ବଙ୍କ ସଂସ୍ପର୍ଶରେ ଆସିଥିବା ଶ୍ରୀ ହରିଚନ୍ଦନଙ୍କ ସହ ତାଙ୍କର ଅଭୁଲା ସ୍ମୃତି, ରାଜ୍ୟ କଂଗ୍ରେସର କାର୍ଯ୍ୟକଳାପ ଓ ଭବିଷ୍ୟତ ରାଜନୀତିକ ଯୋଜନା ଉପରେ ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି
ଆପଣ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଆପଣ ଆଗାମୀ ନିର୍ବାଚନ ଲଢ଼ିବେ ନା, ଲଢ଼ିବେ ନାହିଁ? ପୁଣି ରାଜ୍ୟ କଂଗ୍ରେସରେ ବର୍ତ୍ତମାନ ସବୁକିଛି ଠିକ୍ଠାକ୍ ଚାଲିନି ବୋଲି କେତେକ ଅଭିଯୋଗ କରୁଛନ୍ତି। ଏହାକୁ ନେଇ ଆପଣଙ୍କ ମତ କ’ଣ?
ମୁଁ ପ୍ରତ୍ୟକ୍ଷ ରାଜନୀତିରେ ଥିଲି, ରହିଛି ଓ ରହିବି। ମୁଁ କହିଥିଲି, ୨୦୨୪ ନିର୍ବାଚନ ଲଢ଼ିବି ନାହିଁ। ଯଦି ଦଳ ଚାହିଁବ ଆଗାମୀ ନିର୍ବାଚନ ଲଢ଼ିବି। ସେତେବେଳର କଂଗ୍ରେସ ସଭାପତି ଉତ୍କଳମଣି ଗୋପବନ୍ଧୁ ଦାସ ନେତାଜୀ ସୁଭାଷ ବୋଷଙ୍କୁ ଚିଠି ଲେଖି ସାଧାରଣ ଜୀବନରୁ ଓହରି ଯିବେ ବୋଲି କହିଥିଲେ। ବର୍ମାର ମାଣ୍ଡାଲା ଜେଲ୍ରୁ ନେତାଜୀ ଉତ୍କଳମଣିଙ୍କୁ ଉତ୍ତରରେ ଲେଖିଥିଲେ, ଥରେ ସାର୍ବଜନୀନ ଜୀବନକୁ ଆସିଲେ ତାହା ଆଉ ଛାଡ଼ି ହୁଏ ନାହିଁ। ଦ୍ବିତୀୟରେ, ଆପଣ ଯେଉଁ କଥା କହୁଛନ୍ତି- କଂଗ୍ରେସରେ ସବୁ ଠିକ୍ଠାକ୍ ଚାଲିନି ବୋଲି ଚର୍ଚ୍ଚା ହେଉଛି, ଏହା ସହିତ ମୁଁ ଆଦୌ ସହମତ ନୁହେଁ। ବର୍ତ୍ତମାନ ଓଡ଼ିଶା କଂଗ୍ରେସ ଭକ୍ତଚରଣ ଦାସଙ୍କ ନେତୃତ୍ବରେ ନିଜକୁ ସଶକ୍ତ କରିଛି। କଂଗ୍ରେସ ଶୃଙ୍ଖଳାର ସହିତ ଦେଶବାସୀଙ୍କ ଅଧିକାର ପାଇଁ ଲଢ଼େଇ କରୁଛି। ରାହୁଲ୍ ଗାନ୍ଧୀଙ୍କ ଓଡ଼ିଶା ଗସ୍ତରେ କଂଗ୍ରେସର ଶକ୍ତି ଓ ଉତ୍ସାହ ସମସ୍ତେ ଦେଖିଛନ୍ତି। ନୂଆପଡ଼ା ଉପନିର୍ବାଚନରେ ଆମେ ଦ୍ବିତୀୟ ସ୍ଥାନ ଅଧିକାର କରିଛୁ। ଏହା ହିଁ କଂଗ୍ରେସର ଶକ୍ତି ଓ ସଫଳତାକୁ ଦର୍ଶାଉଛି। ବର୍ତ୍ତମାନ ଯୁବକ ଓ ମହିଳାମାନେ କଂଗ୍ରେସ ଦଳ ପ୍ରତି ଅଧିକ ସମର୍ଥନ ପ୍ରଦାନ କରିବା ଲକ୍ଷ୍ୟ କରାଯାଉଛି। ଲୋକମାନେ ଯେପରି ୨୪ ବର୍ଷର ବିଜେଡି ଶାସନରୁ ମୁହଁ ଫେରାଇ ନେଇଛନ୍ତି, ସେହିପରି ଆଗାମୀ ଦିନରେ ବିଜେପିକୁ ମଧ୍ୟ ବିଫଳତା ପାଇଁ ଦୂରେଇ ଦେବେ।
Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ
ଜୀବନର ପ୍ରଥମ ନିର୍ବାଚନ ଆପଣ ବିଜୁବାବୁଙ୍କ ସହିତ ଲଢ଼ିଥିଲେ। ସେତେବେଳେ ଆପଣଙ୍କ ମନରେ ଭୟ ଆସି ନ ଥିଲା?
ଥରେ ମୋର ମନୀଷ ତିୱାରୀଙ୍କ ସହିତ ରାଜୀବ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ସେତେବେଳେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ପିସିସି ସଭାପତି ତଥା ଦଳର ବରିଷ୍ଠ ପଦାଧିକାରୀ ମଧ୍ୟ ରାଜୀବ ଗାନ୍ଧୀଙ୍କୁ ଭେଟୁଥିଲେ। ଏହାପରେ ରାଜୀବ ଗାନ୍ଧୀ ସିଧାସଳଖ ରଙ୍ଗରାଜନ୍ କୁମାରମଙ୍ଗଳମ୍ ଓ ଅଜିତ ପାଞ୍ଜାଙ୍କୁ କହିଥିଲେ ଯେ ବିଜୁଙ୍କ ବିରୋଧରେ ଏହି ଯୁବକ ନିର୍ବାଚନ ଲଢ଼ିବ। କାଲି ୟାକୁ ଭୁବନେଶ୍ୱର ନେଇଯାଅ ସେ କଂଗ୍ରେସ ପ୍ରାର୍ଥୀ ହେବ। ୧୯୯୦ ମସିହାର ଘଟଣା ଇଏ। ମୁଁ ତାଙ୍କ କଥା ଅବାକ୍ ହୋଇ ଶୁଣୁଥିଲି। ବିଜୁବାବୁଙ୍କ ସାଙ୍ଗରେ ମୋର ପ୍ରଥମ ନିର୍ବାଚନ ଲଢ଼ିଥିଲି। ତେବେ ବିଜୁବାବୁ ସେଦିନ ନିଜର ବଡ଼ପଣରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ମୋ ସାଙ୍ଗ କାମରାଜକୁ ଗୋଟିଏ ହାଫ୍ପ୍ୟାଣ୍ଟ୍ ପିନ୍ଧା ପିଲା ହରାଇଥିଲା। ଏଇ ଯୁବକ ଭିତରେ ମୁଁ ପ୍ରଚଣ୍ଡ ସାହସ ଦେଖୁଛି। ତେଣୁ ମନରେ ଉତ୍ସାହ ଓ ପ୍ରେରଣା ରହିଥିଲା, ଭୟ ନ ଥିଲା।
ଆପଣ ରାଜନୀତି ବିଜ୍ଞାନର ଛାତ୍ର ଭାବରେ ରାଜନୀତିକୁ ଆସିଥିଲେ ନା ରାଜନୀତି ଆପଣଙ୍କର ନିଶା ଥିଲା?
ରାଜନୀତି ପ୍ରତି ପ୍ରକୃତରେ ମୋର କୌଣସି ଆକର୍ଷଣ କିମ୍ବା ଆଗ୍ରହ ନ ଥିଲା। ମୁଁ ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଗୋଟିଏ ଭଉଁରି ଭିତରେ ପଡ଼ି ରାଜନୀତି ପ୍ରତି ଆକର୍ଷିତ ହୋଇଥିଲି। ବକ୍ସି ଜଗବନ୍ଧୁଙ୍କ ସ୍ମୃତି ଓ ସମ୍ମାନ ଉଦ୍ଦେଶ୍ୟରେ ଗୋଟିଏ ଉତ୍ସବ ଆୟୋଜନ କରିଥିଲୁ। ଏହା ଥିଲା ୧୯୮୦ ମସିହାର କଥା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଆମେ ଏହି ଉତ୍ସବକୁ ନିମନ୍ତ୍ରଣ କରିଥିଲୁ। ସେହି ଉତ୍ସବରେ ମୁଁ ଜାନକୀବାବୁଙ୍କ ସଂସ୍ପର୍ଶରେ ଆସିଥିଲି। ଏହାପରେ ଇନ୍ଦିରା ଗାନ୍ଧୀ ଭୁବନେଶ୍ବରରୁ ପ୍ରତ୍ୟାବର୍ତ୍ତନ ପରେ ଆତତାୟୀ ଗୁଳିରେ ସହିଦ ହୋଇଥିଲେ। ସେଦିନ ଆମେ ବାଣୀବିହାରରୁ ଗୋଟିଏ ମହମବତି ଶାନ୍ତି ଶୋଭାଯାତ୍ରା ବାହାର କରିଥିଲୁ। ସମୟକ୍ରମେ ମୁଁ କଂଗ୍ରେସରେ ସାମିଲ ହୋଇଥିଲି ଏବଂ ଛାତ୍ର କଂଗ୍ରେସର ସାଧାରଣ ସଂପାଦକ ମଧ୍ୟ ହୋଇଥିଲି। ଏହା ପରେ ମୁଁ ଆଉ ପଛକୁ ଫେରି ଚାହିଁ ନ ଥିଲି।
ଜାନକୀବାବୁଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଆପଣ କ’ଣ କହିବେ?
ମୋ ବାପା ଫକୀର ହରିଚନ୍ଦନ ପୂଜ୍ୟ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ତଳ ଶ୍ରେଣୀରେ ପାଠ ପଢୁଥିଲେ। ଜାନକୀବାବୁଙ୍କ ନେତୃତ୍ବରେ ଖୋର୍ଦ୍ଧା ସ୍କୁଲ୍ରେ ମୋ ବାପା ସେତେବେଳେ ଭାରତ ଛାଡ଼ ଛାତ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ। ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ଏକ ସୁଖୀ ଓ ସମୃଦ୍ଧ ଓଡ଼ିଶା ଗଠନରେ ଜାନକୀବାବୁଙ୍କର ଭୂମିକାକୁ ତାଙ୍କର ସମାଲୋଚକମାନେ ମଧ୍ୟ ସ୍ବୀକାର କରନ୍ତି। ଆପିକଲ୍ ପ୍ରତିଷ୍ଠା ଓ ରାଜ୍ୟର କୃଷିନୀତି ପ୍ରଣୟନ ତଥା ହଜାର ଦିନରେ ହଜାର ଶିଳ୍ପ ପ୍ରତିଷ୍ଠାର ମୂଳଦୁଆ ସେ ହିଁ ପକାଇଥିଲେ। ତାଙ୍କରି ପ୍ରଚେଷ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନର ଶିଳ୍ପାଞ୍ଚଳ ସ୍ଥାପନ ହୋଇଥିଲା। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶରେ ତାଙ୍କର ଥିଲା ଅମୂଲ୍ୟ ଅବଦାନ। ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ସେ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ। କଳାହାଣ୍ଡିର ଧର୍ମଗଡ଼ ସବ୍ଡିଭିଜନ୍ ଅଂଚଳରେ ଦୀର୍ଘବର୍ଷ ଧରି ପଡ଼ି ରହିଥିବା ଜଳସେଚନ ପ୍ରକଳ୍ପକୁ ସେ ପୂର୍ଣ୍ଣାଙ୍ଗ କରିଥିଲେ। କଟକ ସମେତ ସମ୍ବଲପୁର ଓ ଆନନ୍ଦପୁର ଆଦି ରିଙ୍ଗ୍ ବନ୍ଧ ତଥା ବିଡ଼ାନାସୀର ବିକାଶରେ ତାଙ୍କର ଭୂମିକା ମହତ୍ତ୍ବପୂର୍ଣ୍ଣ। ତାଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ କଟକ-ଭୁବନେଶ୍ବର ମଧ୍ୟବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ତାଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ତାଙ୍କ ପ୍ରତି ଅନ୍ୟତମ ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ ହେବ। ତାଙ୍କର ଅମାପ ଧୈର୍ଯ୍ୟଶକ୍ତି ଓ ସହନଶୀଳତା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ପ୍ରତିକୂଳ ଅବସ୍ଥାରେ ଉଜାଣି ସୁଅରେ ଉପରକୁ ଉଠିବାର ନିପୁଣ କୌଶଳ ତାଙ୍କୁ ଜଣା ଥିଲା। ଏହା ମୋତେ ପ୍ରଭାବିତ କରିଛି।
PMGSY: ଅବଧି ସରିଲା, ଅଧାରେ ଅଟକିଲା ପିଚୁ ରାସ୍ତା କାମ
ନିକଟରେ ଆପଣ ଦିଲ୍ଲୀର କୌଣସି ଏକ ମୁଖ୍ୟରାସ୍ତାକୁ ଡକ୍ଟର ହରେକୃଷ୍ଣ ମହତାବଙ୍କ ନାମରେ ଏବଂ ଭୁବନେଶ୍ବରରେ ଗୋଟିଏ ରାସ୍ତା ଶ୍ରୀପତି ମିଶ୍ରଙ୍କ ନାମରେ ନାମିତ କରିବାକୁ ଦାବି ଜଣାଇଛନ୍ତି। ଏହି ଦୁଇ ଦାବି ପଛରେ କୌଣସି ଯୁକ୍ତିଯୁକ୍ତ କାରଣ ରହିଛି କି?
ବ୍ରିଟିସ୍ ପାର୍ଲାମେଣ୍ଟ୍ରେ ଭାରତକୁ ସ୍ବାଧୀନତା ଦେବାକୁ ଯେଉଁ ଆଇନ ପାରିତ ହେଲା ସେଥିରେ ଦେଶୀୟ ରାଜାମାନଙ୍କୁ ଭାରତ କିମ୍ବା ପାକିସ୍ତାନ କାହା ସହିତ ସେମାନେ ରହିବେ ଅଥବା ନିଜେ ସାର୍ବଭୌମ ରାଷ୍ଟ୍ର ଭାବରେ ରହିବେ, ତାହା ସେମାନଙ୍କର ଇଚ୍ଛାଧୀନ ବ୍ୟାପାର ଭାବେ ଘୋଷଣା କରାଯାଇଥିଲା। ପ୍ରଜାମଣ୍ଡଳ ଆନ୍ଦୋଳନକୁ ଆଧାରକରି ଡକ୍ଟର ହରେକୃଷ୍ଣ ମହତାବ ନୀଳଗିରି ରାଜ୍ୟକୁ ଅକ୍ତିଆର କରି ଓଡ଼ିଶାରେ ମିଶାଇଥିଲେ। ତାହା ପରେ ୫୬୫ ଦେଶୀୟ ରାଜ୍ୟକୁ ନେଇ ବର୍ତ୍ତମାନର ଅଖଣ୍ଡ ଭାରତ ଗଠିତ ହୋଇଥିଲା। ତାଙ୍କର ଏହି ମହାନ୍ ଅବଦାନ ପାଇଁ ଦିଲ୍ଲୀର ଲୋଧି ରୋଡ୍ଠାରୁ ଓଡ଼ିଶା ଭବନ ଦେଇ ସର୍ଦ୍ଦାର ପଟେଲ ମାର୍ଗ ପର୍ଯନ୍ତ ଯାଇଥିବା ରାସ୍ତାକୁ ଡକ୍ଟର ହରେକୃଷ୍ଣ ମହତାବ ମାର୍ଗ ଭାବରେ ନାମିତ କରିବାକୁ ମୁଁ ଦାବି କରିଛି। ସେହିପରି ଓଡ଼ିଆ ଭାଷାର ପୁନରୁଦ୍ଧାର ପାଇଁ ବ୍ରଜମୋହନ ପଟ୍ଟନାୟକ, ମଦନ ମୋହନ ମିଶ୍ର, ବଳଭଦ୍ର ସୁଆର ଓ ବିହାରୀ ଦାସ ମହନ୍ତ ମହାରାଜଙ୍କ ସମେତ ଶ୍ରୀପତି ମିଶ୍ର ମଧ୍ୟ ବଡ଼ଲାଟ୍ଙ୍କୁ ଭେଟିବାକୁ ଝାରସୁଗୁଡ଼ାରୁ ସିମ୍ଲା ଯାଇଥିଲେ। ଏହି ଦେଶହିତୈଷୀମାନଙ୍କ ଯୋଗୁ ସମ୍ବଲପୁର ଓଡ଼ିଶାରେ ମିଶିଥିଲା। ସେତେବେଳେ ପଶ୍ଚିମ ଓଡ଼ିଶାର କଥିତ ଭାଷା ଥିଲା କୋଶଳୀ। ଏହା ସହିତ ପଶ୍ଚିମଓଡ଼ିଶାରେ ଓଡ଼ିଆ ଭାଷାକୁ ଗ୍ରହଣ କରିବା, ପାଠପଢ଼ାରେ ଏହାର ପ୍ରଚଳନ କରିବା ଦିଗରେ ସେମାନଙ୍କର ପୃଷ୍ଠପୋଷକତା ଅବିସ୍ମରଣୀୟ। ଉପକୂଳ ଓ ପଶ୍ଚିମ ଓଡ଼ିଶା ଭିତରେ ସୌହାର୍ଦ୍ଦ୍ୟକୁ ଆହୁରି ମଜଭୁତ କରିବା ପାଇଁ ଭୁବନେଶ୍ୱରର କୌଣସି ଏକ ମାର୍ଗକୁ ଶ୍ରୀପତି ମିଶ୍ରଙ୍କ ନାମରେ ନାମିତ କରିବା ଯଥାର୍ଥ ହେବ।
ପ୍ରସାଦଙ୍କ ପରିଚୟ
ପୁରୀ ଜିଲ୍ଲାର ନାନକେରା ଗ୍ରାମରେ ପ୍ରସାଦ କୁମାର ହରିଚନ୍ଦନ ଜନ୍ମଗ୍ରହଣ କରିଥିଲେ। ପ୍ରସାଦଙ୍କ ବାପା ଫକୀର ହରିଚନ୍ଦନ ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଏକାନ୍ତ ଅନୁଗାମୀ ଭାବେ ଛାତ୍ରାବସ୍ଥାରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ବାପାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ବିଦ୍ୟାଳୟରେ ପଢ଼ିବା ବେଳେ ନିଜର ସହପାଠୀଙ୍କ ସହିତ ମିଶି ‘ସବୁଜ ମୈତ୍ରୀ’ ନାମରେ ଅନୁଷ୍ଠାନ ଗଠନକରି ସାମାଜିକ ଓ ପାରିବେଶିକ ସେବାରେ ସକ୍ରିୟ ହୋଇଥିଲେ। ଏହାପରେ ଭୁବନେଶ୍ବରର ବିଜେବି କଲେଜ୍ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷା ସମାପ୍ତି ପରେ ସେ ସକ୍ରିୟ ରାଜନୀତିକୁ ଆସିଥିଲେ। ପ୍ରସାଦ କଂଗ୍ରେସରେ ସାମିଲ ହୋଇ ୧୯୯୦ ମସିହାରେ ଜୀବନର ପ୍ରଥମ ନିର୍ବାଚନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିପକ୍ଷରେ ଲଢ଼ିଥିଲେ। ପରବର୍ତ୍ତୀ ସମୟରେ ସେ ଏକାଦଶ, ଦ୍ୱାଦଶ ଓ ଚତୁର୍ଦ୍ଦଶ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୯ରେ ଓଡ଼ିଶାର ସର୍ବକନିଷ୍ଠ ମନ୍ତ୍ରୀ ଭାବେ ବିଭିନ୍ନ ବିଭାଗରେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୯-୨୦୧୪ ଚତୁର୍ଦ୍ଦଶ ବିଧାନସଭାକୁ ନିର୍ବାଚିତ ହୋଇ କଂଗ୍ରେସ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇଥିଲେ। ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦବିରେ ମଧ୍ୟ କାର୍ଯ୍ୟ କରିଥିଲେ। ଓଡ଼ିଶା ପିସିସି ସଭାପତି ଭାବେ ସେ ଡାକରା ଦେଇଥିବା ‘ମୁଁ ନୁହେଁ, ଆମେ’ ସ୍ଲୋଗାନ୍ ଚର୍ଚ୍ଚାରେ ରହିଥିଲା।
Follow Us