ପିଣ୍ତ-ବ୍ରହ୍ମାଣ୍ତ: ରଥରେ ବାମନ

Advertisment
ପିଣ୍ତ-ବ୍ରହ୍ମାଣ୍ତ: ରଥରେ ବାମନ

“ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ”। ରଥରେ ବାମନଙ୍କ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ। ଅର୍ଥାତ୍‌, ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତିମିଳେ। ଏହା ବହୁ ପୁରାକାଳରୁ ପ୍ରଚଳିତ ବିଶ୍ୱାସ। ଏହି ବିଶ୍ୱାସ ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରତିବର୍ଷ ଶ୍ରୀକ୍ଷେତ୍ରକୁ ଟାଣିଆଣେ ରଥଯାତ୍ରା ଦେଖିବାପାଇଁ। ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତି ରଥ ଉପରେ।
ମନରେ ପ୍ରଶ୍ନ ଉଠେ, ପ୍ରକୃତରେ କ’ଣ ରଥ ଉପରେ ବାମନରୂପୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ସମସ୍ତଙ୍କୁ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତି ମିଳିଯାଏ?

ଏକଥା ବି କୁହାଯାଏ, ଯେ ଶରୀରରୂପୀ ରଥରେ ବାମନସ୍ୱରୂପ କ୍ଷୁଦ୍ର ଆତ୍ମାର ଉପସ୍ଥିତିକୁ ଅନୁଭବ କରିବା ହେଉଛି ଏହି ଧାଡ଼ିଟିର ଅର୍ଥ। କିନ୍ତୁ ଯଦି ଦ୍ୱିତୀୟ ଅର୍ଥଟି ଠିକ୍‌, ତା’ହେଲେ ପ୍ରଥମ ଅର୍ଥଟି କ’ଣ ଭୁଲ୍‌? ଏହାର ତର୍ଜମା କରିବାପାଇଁ ଆମକୁ ‘ବାମନ’ ଶବ୍ଦର ପ୍ରକୃତ ସଂସ୍କୃତ ଅର୍ଥକୁ ବୁଝିବା ଆବଶ୍ୟକ। ‘ବାମନକ’ ଶବ୍ଦର ଅନ୍ୟ ରୂପ ହେଉଛି ‘ବାମନ’। ‘ବାମି’ ଧାତୁର ଅର୍ଥ ‘ବିରୁଦ୍ଧ ଭାଷିବା’ ବା ‘ବିରୋଧାଭାଷ’। ଏହା ବାମନ ଶବ୍ଦର ମୂଳ ଉତ୍ସ। ବାମନ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି, ଯେ ଅନ୍ୟାନ୍ୟ ପ୍ରାଣୀଙ୍କଠାରୁ ବିରୁଦ୍ଧ ବା ପୃଥକ୍।

ଏ ସଂସାରର ସମସ୍ତ ପ୍ରାଣୀ ପାର୍ଥକ୍ୟର ମାୟାକୁ ନେଇ ବଞ୍ଚନ୍ତି ଏବଂ ସବୁକିଛି ଭିତରେ ପାର୍ଥକ୍ୟ ହିଁ ଦେଖନ୍ତି। ଏହାଠାରୁ ଅଲଗା ବା ଏହାର ବିରୁଦ୍ଧ ତତ୍ତ୍ୱ ଦର୍ଶନ କରିବା ହେଉଛି ବାମନଙ୍କର ଅନୁଭବ। ରଥରେ ବିଗ୍ରହଙ୍କ ଦର୍ଶନ ହେଉ କିମ୍ବା ଶରୀରରେ ଆତ୍ମାର ଅନୁଭବ, ଟିକେ ଭଲକରି ଚିନ୍ତାକଲେ ବୁଝିହୁଏ- ଏହା ମଧ୍ୟ ପାର୍ଥକ୍ୟର ଦର୍ଶନ। ଏହାର ବିପରୀତ ଅନୁଭବ ହେଉଛି, ଏକାତ୍ମତା। ଶ୍ରୀଜଗନ୍ନାଥଙ୍କୁ ରଥରେ ଦେଖି ଭକ୍ତିର ସାଗରରେ ବୁଡ଼ିଗଲେ, କିମ୍ବା ଶରୀରରେ ଆତ୍ମଦର୍ଶନରେ ସଂପୂର୍ଣ୍ଣ ବିଭୋର ହୋଇଗଲେ, ପିଣ୍ଡବ୍ରହ୍ମାଣ୍ଡ ଓ ବାହ୍ୟ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ସମସ୍ତ ପାର୍ଥକ୍ୟର ଅନୁଭବ ଉଭେଇ ଯାଏ। ସମଗ୍ର ବ୍ରହ୍ମାଣ୍ଡ ହୋଇଯାଏ ସଂପୂର୍ଣ୍ଣ ଧାବମାନ ଅନନ୍ତ ରଥ। ଏଥିରେ ଅନୁଭବ ହେଉଥିବା ଚିରନ୍ତନ ଏକାତ୍ମତା ହୋଇଯାଏ ବାମନ ଦର୍ଶନ। ଜନ୍ମମୃତ୍ୟୁର ପାର୍ଥକ୍ୟ ମଧ୍ୟ ଦୂର ହୋଇଯାଏ। ତେଣୁ ଜନ୍ମମୃତ୍ୟୁର ପାର୍ଥକ୍ୟଚକ୍ର ବା ପୁନର୍ଜନ୍ମରୁ ମୁକ୍ତି ମିଳେ।
ଏହି ବାମନ ଦର୍ଶନ ହେଉଛି ବ୍ରାହ୍ମୀସ୍ଥିତି, ନିର୍ବାଣ ବା ନିର୍ବିକଳ୍ପ ସମାଧି। ଏହା ହେଉଛି ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧମାନଙ୍କର “ରଥରେ ବାମନ ଦର୍ଶନ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe