ପିଣ୍ତ-ବ୍ରହ୍ମାଣ୍ତ: କୃଷ୍ଣ ଅବତାର-୩

Advertisment
ପିଣ୍ତ-ବ୍ରହ୍ମାଣ୍ତ: କୃଷ୍ଣ ଅବତାର-୩

କଂସରୂପୀ ମୋକ୍ଷକାମନା କବଳରେ ମୂଳାଧାରଠାରୁ ଆଜ୍ଞା- ଏହି ଛ’ଟି ଚକ୍ରର ଚେତନା ବିଲୁପ୍ତ ହୁଏ। ଏହା ହେଉଛି ପିଣ୍ଡ ବ୍ରହ୍ମାଣ୍ଡ ସାଧକ ନିଜ ମଧ୍ୟରେ ଅନୁଭବ କରୁଥିବା ତତ୍ତ୍ୱ। ସାଧନାର ଦୀପ୍ତି ବା ଦେବକୀଙ୍କର ସପ୍ତମ ଗର୍ଭ ହେଉଛି, ସହସ୍ରାର ଚକ୍ରର ଚେତନା। ସହସ୍ରାର ସମସ୍ତ ସମ୍ଭାବନାର ସମଷ୍ଟି। ଏହା ଜୀବନର ଉତ୍ସ। ତେଣୁ ସହସ୍ରାର ଚକ୍ରର ଚେତନାକୁ ମରିବାକୁ ଦିଅନ୍ତି ନାହିଁ ଦେବକୀ ଓ ଜୀବନୀ ଶକ୍ତି ରୂପୀ ବସୁଦେବ। ମୋକ୍ଷ କାମନାଠାରୁ ଲୁଚାଇ ରଖିବାକୁ ଚେଷ୍ଟା କରନ୍ତି ସହସ୍ରାର ଚକ୍ରର ଚେତନାକୁ। ସହସ୍ରାର ଚକ୍ରର ଚେତନାକୁ ସାଧନାର ଦିବ୍ୟତାଠାରୁ ଦୂରରେ ବଢ଼ିବା ବା ପରିପ୍ରକାଶ ହେବାର ସୁଯୋଗ ଦିଅନ୍ତି। ଦେବକୀ ଓ ବସୁଦେବ ଅନୁଭବ କରନ୍ତି, ଏହି ସପ୍ତମ ଗର୍ଭ ବଞ୍ଚିବାର ଆବଶ୍ୟକତା ଅଛି। ଏହି ସପ୍ତମ ଗର୍ଭ ହେବ ଅଷ୍ଟମ ଗର୍ଭର ସହଚର। ସାହାଯ୍ୟ କରିବ ମୋକ୍ଷକାମନା ରୂପୀ କଂସର ବିନାଶରେ।

ପୁରାଣ ଅନୁସାରେ, ଦେବକୀଙ୍କ ଗର୍ଭରେ ସୃଷ୍ଟି ହୋଇଥିବା ସପ୍ତମ ଭ୍ରୂଣକୁ ବସୁଦେବଙ୍କର ଅନ୍ୟ ପତ୍ନୀ ରୋହିଣୀଙ୍କ ଗର୍ଭକୁ ସ୍ଥାନାନ୍ତରିତ କରାଯାଇଥିଲା। ‘ରୋହିଣୀ’ ଶବ୍ଦର ମୂଳ ଉତ୍ସ ‘ରୁହ୍‌’ ଧାତୁ, ଯାହାର ଅର୍ଥ ଉତ୍ପନ୍ନ ହେବା, ଗଜୁରିବା, ଆରୋହଣ କରିବା ବା ପହଞ୍ଚିବା। ଏହିସବୁ କର୍ମ ଆମ ଶରୀରରେ ନିରନ୍ତର ଚାଲିଥାଏ। ଏହି ନିରନ୍ତର ଚାଲିଥିବା କର୍ମଗୁଡ଼ିକୁ ମୋକ୍ଷକାମନା ହେୟଜ୍ଞାନ କରିଥାଏ। ଏଗୁଡ଼ିକ ଉପରେ ନଜର ରଖି ନଥାଏ। ଏହାରି ମଧ୍ୟରେ ହିଁ ସାଧକ ନିଜ ସହସ୍ରାର ଚେତନାର ଜନ୍ମକୁ ଲୁଚାଇ ରଖିପାରେ। ମୋକ୍ଷକାମନା ରୂପୀ କଂସ ଭାବେ, ସହସ୍ରାର ଚେତନା ଜନ୍ମ ନେଇ ପାରି ନାହିଁ। କିନ୍ତୁ ସହସ୍ରାର ଚେତନା ପିଣ୍ଡ ବ୍ରହ୍ମାଣ୍ଡର ସମସ୍ତ ନିରନ୍ତର ଉତ୍ପତ୍ତି ଭିତରେ ବଞ୍ଚି ରହେ, ମୋକ୍ଷ କାମନାର ଦୃଷ୍ଟି ଆଢ଼ୁଆଳରେ।

କଂସ ମାରିପାରେ ନାହିଁ ସପ୍ତମ ଗର୍ଭକୁ। ଏହି ସପ୍ତମ ଗର୍ଭର ନାମ ହୁଏ ‘ରାମ’। ଏହାଙ୍କର ଶକ୍ତିକୁ ଅନୁଭବ କରି ସମସ୍ତେ ଏହାଙ୍କୁ ବଳରାମ ଭାବରେ ଜାଣନ୍ତି। ‘ବଳ୍‌’ ଧାତୁର ଅର୍ଥ ଆବରଣ କରିବା ବା ବେଷ୍ଟନ କରିବା। ଏଥିରୁ ତିଆରି ହୋଇଥିବା ‘ବଳ’ ଶବ୍ଦର ଅର୍ଥ- କ୍ଷମତା ବା ସାମର୍ଥ୍ୟ। ‘ରମ୍‌’ ଧାତୁରୁ ଜାତ ‘ରାମ’ର ଅର୍ଥ- କ୍ରୀଡ଼ା କରିବା। ପିଣ୍ଡବ୍ରହ୍ମାଣ୍ଡ ସିଦ୍ଧଙ୍କ ମତରେ, ସହସ୍ରାର ଚକ୍ରର ଚେତନା ସଂପୂର୍ଣ୍ଣ ଶରୀରର କୋଣ ଅନୁକୋଣକୁ ବେଷ୍ଟନ କରି କ୍ରୀଡ଼ା କରି ଚାଲିଥାଏ। ତେଣୁ ଏହା ବଳରାମ। ଏହା ଏକ ନିର୍ଦ୍ଦିଷ୍ଟ ଅନୁଶାସନରେ କାର୍ଯ୍ୟରତ ଥାଏ। ତେଣୁ ଏହାର ଅନ୍ୟ ନାମ ବଳଭଦ୍ର। ଏହି ବଳରାମଙ୍କ ସ୍ଥିତି ସାଧକଙ୍କ ମଧ୍ୟରେ କୃଷ୍ଣ ଚେତନା ବା ଅବଶ୍ୟମ୍ଭାବୀ ଅଷ୍ଟମ ଗର୍ଭର ଆଗମନକୁ ସୂଚାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe