‘ଭୂ’ ଧାତୁର ଅର୍ଥ ଜନ୍ମିବା ବା ସ୍ଥିତିପ୍ରାପ୍ତ ହେବା। ଏହି ଧାତୁରୁ ଜାତ ‘ଭୁବନ’ ଶବ୍ଦ ବିଶ୍ୱ ବା ସଚରାଚର ଜଗତକୁ ଦର୍ଶାଏ। ସେହି ଭଳି ‘ଈଶ୍ୱର’ ଶବ୍ଦ ତିଆରି ହୋଇଛି ‘ଈଶ୍’ ଧାତୁରୁ, ଯାହାର ଅର୍ଥ ଆଧିପତ୍ୟ କରିବା। ତେଣୁ ‘ଈଶ୍ୱର’ ଶବ୍ଦର ଅର୍ଥ ହେଉଛି ଅଧିପତି ବା ଶାସନକର୍ତ୍ତା। ‘ଈଶ୍ୱରୀ’ ଶବ୍ଦ ଏହାର ସ୍ତ୍ରୀଲିଙ୍ଗ। ଭୁବନ ଓ ଈଶ୍ୱରୀ ଷଷ୍ଠୀ ତତ୍ପୁରୁଷ ସମାସ ଦ୍ୱାରା ମିଳିତ ହୋଇ ମହାବିଦ୍ୟା ଭୁବନେଶ୍ୱରୀଙ୍କ ନାମ ଉତ୍ପନ୍ନ କରିଛନ୍ତି। ଏହି ଦେବୀଙ୍କ ଆସ୍ଥାନ ମଧ୍ୟ ମଣିଦ୍ୱୀପ ବା ଶ୍ରୀନଗରରେ। ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ମସ୍ତିଷ୍କ ହେଉଛି ଜୀବନୀଶକ୍ତିମାନଙ୍କର ଆସ୍ଥାନ, ଯାହାକୁ ସୃଷ୍ଟିର ବୈଭବ ରୂପେ ମଣି ବା ଶ୍ରୀ ଭାବେ ବର୍ଣ୍ଣନା କରାଯାଏ। ପିଣ୍ଡବ୍ରହ୍ମାଣ୍ଡ ସାଧନା ଦର୍ଶନର ଅନୁଭବ କହେ, ମସ୍ତିଷ୍କରେ ହିଁ ଭୁବନେଶ୍ୱରୀଙ୍କ ଅବସ୍ଥିତି। ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ମହାବିଦ୍ୟା ଭୁବନେଶ୍ୱରୀ ଆଜ୍ଞାଚକ୍ରର କର୍ତ୍ତା ଭାବର ଅନୁଭୂତି ଅଟନ୍ତି। ଆଜ୍ଞାଚକ୍ରର ଏହି ଭୁବନେଶ୍ୱରୀ ରୂପ ଦର୍ଶନ ଧ୍ୟାନ ଦ୍ୱାରା ସମ୍ଭବ ହୁଏ।
ଭୁବନେଶ୍ୱରୀ ହେଉଛନ୍ତି ଭୁବନର ରାଣୀ ବା ଅଧୀଶ୍ୱରୀ। ଆମ ଶରୀର ହେଉଛି ଆମ ବିଶ୍ୱ। ଏହାର ଅଧୀଶ୍ୱରୀ ଭାବେ ଏହାକୁ ନିଜ ନିର୍ଦ୍ଦେଶରେ ପରିଚାଳନା କରନ୍ତି ଆଜ୍ଞାଚକ୍ରରୂପୀ ଦେବୀ ଭୁବନେଶ୍ୱରୀ। ଏହି ମହାବିଦ୍ୟାଙ୍କ ମୁଖ ଓ ତ୍ରିନୟନ ଶାନ୍ତ। ଏହା ଧ୍ୟାନର ଶାନ୍ତାବସ୍ଥାରେ ଆଜ୍ଞାଚକ୍ରର ଦର୍ଶନକୁ ଦର୍ଶାଏ। ଏହି ମହାବିଦ୍ୟା ସୁବର୍ଣ୍ଣବର୍ଣ୍ଣା ଏବଂ ସେ ପୀତବସ୍ତ୍ର ପରିଧାନ କରିଥାଆନ୍ତି। ଧ୍ୟାନର ଏକ ସ୍ଥିତିରେ ସାଧକ ଅନୁଭବ କରନ୍ତି, ଯେ ଆଜ୍ଞାଚକ୍ରରୁ ପରିବ୍ୟାପ୍ତ ଏକ ସ୍ୱର୍ଣ୍ଣିମ ଆଭା ତାଙ୍କର ସମଗ୍ର ଶରୀରକୁ ଆଚ୍ଛାଦିତ କରି ରହିଛି। ଅନ୍ତଃଦୃଷ୍ଟିଦ୍ୱାରା ଏହି ପ୍ରକାର ପିଣ୍ଡବ୍ରହ୍ମାଣ୍ଡ ଦର୍ଶନ ସମୟରେ ଏହି ସ୍ୱର୍ଣ୍ଣିମ ଦ୍ୟୁତି କିଛି ସ୍ଥାନରେ (ଯେପରି ମେରୁଦଣ୍ଡରେ ସ୍ଥିତ ଚକ୍ରସମୂହରେ) ଅଧିକ ଜାଜ୍ଜ୍ୱଲ୍ୟମାନ ହୋଇଥାଏ। ଏହା ଦେବୀଙ୍କଦ୍ୱାରା ପରିହିତ ଅଳଙ୍କାରକୁ ଦର୍ଶାଏ।
ଏହି ଦେବୀଙ୍କର ଚାରିଟି ହସ୍ତ ମଧ୍ୟରୁ ଦୁଇଟିରେ ଥାଏ ପାଶ ଓ ଅଙ୍କୁଶ। ଏଗୁଡ଼ିକ ଆଜ୍ଞାଚକ୍ରରୂପୀ ଭୁବନେଶ୍ୱରୀଙ୍କ ପାଶ ବା ନିୟନ୍ତ୍ରଣରେ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ରହିବାକୁ ଦର୍ଶାଏ। ଏମାନେ ସମସ୍ତେ ଆଜ୍ଞାଚକ୍ରର ନିର୍ଦ୍ଦେଶ ବା ଅଙ୍କୁଶ ଦ୍ୱାରା ପରିଚାଳିତ ହୁଅନ୍ତି। ଦେବୀଙ୍କର ଅନ୍ୟ ଦୁଇ ହସ୍ତ ମୁକ୍ତ ସ୍ଥିତିରେ ଦାନ ଓ ବରଦ ମୁଦ୍ରାରେ ଥାଏ। ସାଧକ ଆଜ୍ଞାଚକ୍ରର ଭୁବନେଶ୍ୱରୀ ଦର୍ଶନଦ୍ୱାରା ଆହୁରି ଅନେକ କିଛି ଦିବ୍ୟ ଅନୁଭୂତି ପ୍ରାପ୍ତ ହେବାପାଇଁ କୃପା ଲାଭ କରନ୍ତି। ଏହା ତାହାକୁ ଦର୍ଶାଏ। ଆଜ୍ଞାଚକ୍ରକୁ ଭୁବନେଶ୍ୱରୀ ରୂପରେ ଅନୁଭବ କରିବା ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ଏକ ମହାବିଦ୍ୟା ପ୍ରାପ୍ତି ବା ଉପାସନା।
Follow Us