Image Source: Hindustan Times
ନୂଆଦିଲ୍ଲୀ : ଭୟାବହ କରୋନା ବିରୋଧରେ ଭାରତ ଯେଉଁ ଲଢେଇ ଲଢୁଛି, ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଯୋଦ୍ଧା ଭାବେ ରଣାଙ୍ଗନରେ ସର୍ବାଗ୍ରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହ ଏ ସଂପର୍କରେ ନିୟମିତ ସଂପର୍କ ରକ୍ଷା ପୂର୍ବକ ବିଚାର ଆଲୋଚନା ଜାରି ରଖିଛନ୍ତି। ଦୈନିକ ସେ ୨୦୦ରୁ ଅଧିକ ଲୋକଙ୍କ ସହ ଏ ସଂପର୍କରେ ମତ ବିନିମୟ କରୁଛନ୍ତି। ଏହା ମାଧ୍ୟମରେ ସେ ବିଭିନ୍ନ ସ୍ତରରୁ ପ୍ରତ୍ୟକ୍ଷ ସୂଚନା ପାଉଛନ୍ତି। ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଆଦିଙ୍କୁ ପ୍ରଧାନମନ୍ତ୍ରୀ ଦୈନିକ ଟେଲିଫୋନ କରି କରୋନା ବିରୋଧୀ ଲଢେଇର ଫଳାଫଳ ଓ ତତ୍ ସଂଲଗ୍ନ ବିଷୟ ସଂପର୍କରେ ଖବର ସଂଗ୍ରହ କରୁଛନ୍ତି।
ପ୍ରଧାନମନ୍ତ୍ରୀ ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ବିଶୋଧନ କାର୍ଯ୍ୟରେ ଲିପ୍ତ କର୍ମଚାରୀଙ୍କ ସହ ମତ ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିବା ସହ ସମାଜ ଓ ଦେଶପାଇଁ ସେମାନେ ଯେଉଁ ତ୍ୟାଗ ସ୍ବୀକାର କରି କାମ କରୁଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କଠାରୁ ଏହି କରୋନା ସଂକ୍ରମଣର ଗତିବିଧି ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସିଧାସଳଖ ତଥ୍ୟ ପାଉଛନ୍ତି। ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମଧ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗ ଓ କ୍ଷେତ୍ରର ଲୋକମାନଙ୍କ ସହ କରୋନାସ୍ଥିତି ଓ ଏହାର ମୁକାବିଲା ଜନିତ କାର୍ଯ୍ୟ ସଂପର୍କରେ ଆଲୋଚନା କରୁଛନ୍ତି।
ନିୟମିତ ବିମାରବିମର୍ଶ ଓ ବୈଠକ:
ଜାନୁଆରିଠାରୁ କରୋନା ସଂକ୍ରମଣ ଓ ଏହାର ମୁକାବିଲା ନେଇ ନିୟମିତ ବିଚାର ଆଲୋଚନା ଓ ବୈଠକ କରି ଆସୁଛନ୍ତି। ସେ ମଧ୍ୟ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ବରାବର ଏ ସଂପର୍କରେ ଆଲୋଚନା କରୁଛନ୍ତି।
ପ୍ରତିଦିନ ଉଚ୍ଚସ୍ତରୀୟ ବୈଠକ ଡକାଇ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ସଚିବଙ୍କଠାରୁ କରୋନା ସଂକ୍ରମଣ ଓ ଏହାର ପ୍ରତିକାର ସଂକ୍ରାନ୍ତ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି। ଏହାଛଡ଼ା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କରୋନା ସଂକ୍ରାନ୍ତ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦୈନିକ କରୋନା ସଂପର୍କରେ ସବିଶେଷ ତଥ୍ୟ ଅବଗତ କରାଉଛି।
କୋଭିଡ-୧୯ ଆର୍ଥିକ ମୁକାବିଲା ଟାସ୍ପଫୋର୍ସ
-କରୋନା ମହାମାରୀ ଦ୍ବାରା ଦେଶର ଆର୍ଥିକ କ୍ଷେତ୍ରରେ ଯେଉଁ ଗୁରୁତର ଆହ୍ବାନ ସୃଷ୍ଟି ହୋଇଛି, ତାହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ–୧୯ ଆଥିର୍କ ରେସପନ୍ସ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି ଟାସ୍କଫୋର୍ସ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହ ପରାମର୍ଶ, ଅନ୍ୟାନ୍ୟ କ୍ଷେତ୍ରରୁ ସଂଗୃହୀତ ତଥ୍ୟାବଳୀକୁ ବିଚାରକୁ ନେଇ ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ଆର୍ଥିକ ପଦକ୍ଷେପ ଗ୍ରହଣ କରିବ।
ପ୍ରଧାନମନ୍ତ୍ରୀ ଦେଶର ବ୍ୟବସାୟୀ ସମୁଦାୟ ଓ ଉଚ୍ଚ ଅଧିକାରୀବର୍ଗର ସଦସ୍ୟମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଏଭଳି ସଂକଟଜନକ ସ୍ଥିତିରେ ସେମାନେ ନିମ୍ନ ଆୟକାରୀବର୍ଗର ଆଥିର୍କ ଅନାଟନ ପ୍ରତି ଦୃଷ୍ଟି ଦେବା ଉଚିତ। ସେବା ପ୍ରଦାନ କରୁଥିବା ଏହି ବର୍ଗର ଲୋକେ କରୋନା ଯୋଗୁ କାର୍ଯ୍ୟସ୍ଥଳୀରେ ଉପସ୍ଥିତ ହୋଇ ନପାରିଲେ ସେମାନଙ୍କ ବେତନ କାଟ ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏଭଳି ସମୟରେ ମାନବିକତା ପ୍ରଦର୍ଶନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।
Follow Us