୧୭୮୭-୧୮୬୮ ମଧ୍ୟରେ ୧,୬୬,୦୦୦ ମହିଳା, ପୁରୁଷ ଓ ଶିଶୁଙ୍କୁ ଇ˚ଲଣ୍ତ୍ରୁ ଅଷ୍ଟ୍ରେଲିଆ ପଠାଯାଇଥିଲା। ସେମାନେ ସମସ୍ତେ ଥିଲେ ଆଇନ ଦୃଷ୍ଟିରେ ଦୋଷୀ। ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ସରକାରୀ ଖର୍ଚ୍ଚରେ ଦେଶାନ୍ତରିତ କରାଯାଇଥିଲା। ସେମାନଙ୍କ ରହଣି ପାଇଁ ସେହି କାଳରେ ଅଷ୍ଟ୍ରେଲିଆର ବିଭିନ୍ନ ଅଞ୍ଚଳରେ ପ୍ରାୟ ତିନି ହଜାର ବନ୍ଦିଗୃହ ନିର୍ମାଣ କରାଯାଇଥିଲା। କେତେକ ବନ୍ଦିଗୃହରେ ଦୁର୍ଦ୍ଧର୍ଷ ଅପରାଧୀମାନେ କଡ଼ା ନିରାପତ୍ତା ମଧ୍ୟରେ ବନ୍ଦ ରହୁଥିଲେ। ଆଉ କେତେକରେ ଅପେକ୍ଷାକୃତ ଶାନ୍ତ ଅପରାଧୀମାନେ କିଛି ପରିମାଣରେ ମୁକ୍ତ ଜୀବନଯାପନ କରୁଥିଲେ। ସମସ୍ତଙ୍କ ପାଇଁ ଶ୍ରମ ବାଧ୍ୟତାମୂଳକ ଥିଲା। ସେମାନଙ୍କ ମାଧ୍ୟମରେ ସଡ଼କ ନିର୍ମାଣଠାରୁ ଆରମ୍ଭ କରି ଚାଷ-ବାସ କରାଯାଉଥିଲା। ପରେ ଅନେକଙ୍କୁ ସ୍ଥାୟୀ ଭାବେ ଥଇଥାନ କରାଯାଇଥିଲା। ସେହି ଅପରାଧୀଙ୍କ ମାଧ୍ୟମରେ ଅଷ୍ଟ୍ରେଲିଆରେ ବ୍ରିଟିସ୍ ଉପନିବେଶ ସ˚ପ୍ରସାରିତ ହୋଇଥିଲା। ସେମାନେ ସ୍ଥାନୀୟ ଆଦିମ ଅଧିବାସୀଙ୍କୁ ତଡ଼ି ବଳପୂର୍ବକ ସେମାନଙ୍କ ବାସସ୍ଥାନ, ଚାଷ ଜମି ଆଦି ଦଖଲ କରିଥିଲେ। ଫଳ ସ୍ବରୂପ ଏକ ଭିନ୍ନ ଅଷ୍ଟ୍ରେଲିଆର ସୃଷ୍ଟି ହୋଇଥିଲା। ସେହି ପ୍ରାଚୀନ ବନ୍ଦିଗୃହ ମଧ୍ୟରୁ ଏଗାରଟିକୁ ୨୦୧୧ରେ ବିଶ୍ବ ଐତିହ୍ୟର ମାନ୍ୟତା ମିଳିଥିଲା। ସେଗୁଡ଼ିକ ଟାସ୍ମାନିଆ, ନର୍ଫୋକ୍ ଆଇଲାଣ୍ତ୍, ନିଉ ସାଉଥ୍ ୱେଲ୍ସ ଓ ପଶ୍ଚିମ ଅଷ୍ଟ୍ରେଲିଆରେ ରହିଛି।
ଅଷ୍ଟ୍ରେଲିଆର ପ୍ରାଚୀନ ବନ୍ଦିଗୃହ
Advertisment
Follow Us