ଓଡ଼ିଶା ରାଜନୀତିର ବର୍ଷୀୟାନ୍‌ ତଥା ପ୍ରବୀଣ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ବହୁବାର ବିଧାୟକ ହେବା ସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହି ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି। ମୋହନ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାରର ଦେଢ଼ବର୍ଷର ସଫଳତା ଓ ବିଫଳତା, ରାଜ୍ୟ ବଜେଟ୍‌ ବ୍ୟୟବରାଦ ଖର୍ଚ୍ଚ ନ ହୋଇପାରିବା, ପ୍ରତିଶ୍ରୁତି ପାଳନ‌େର ବ୍ୟର୍ଥତା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନରୁ ରାଜ୍ୟ ବଞ୍ଚିତ ହେବା ଏବଂ କୋଟିଆ, ମହାନଦୀ ଓ ପୋଲାଭରମ୍ ବିବାଦ ସମେତ ୨୦୧୪ରେ ବିଜେଡି ଟିକେଟ ନମିଳିବା ଭଳି ଚର୍ଚ୍ଚିତ ପ୍ରସଙ୍ଗ ଉପରେ ଶ୍ରୀ ଘଡ଼େଇ ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତିଙ୍କ ସହିତ କଥା ହୋଇଛନ୍ତି।

Advertisment

Delhi pollution: ଦିଲ୍ଲୀ ପ୍ରଦୂଷଣ ଅନିୟନ୍ତ୍ରିତ: ଏକ୍ୟୁଆଇ ୪୪୧ ଛୁଇଁଲା

ରାଜ୍ୟ‌େର ବିଜେପି ସରକାରର ଦେଢ଼ବର୍ଷ ଶାସନ ଏବଂ ବିରୋଧୀ ଦଳ ଭାବେ ବିଜେଡିର ଭୂମିକାକୁ ଆପଣ କିଭଳି ଆକଳନ କରନ୍ତି?
ବିଜେପି କ୍ଷମତାରେ ରହିବା ଏବଂ ବିଜେଡି ବିରୋଧୀ ଦଳ ଭୂମିକା ନିର୍ବାହ କରିବା ଘଟଣା ୨୦୨୪ ସାଧାରଣ ନିର୍ବା‌ଚନରେ ଅତି ଅପ୍ରତ୍ୟାଶିତ ଭାବେ ଘଟିଲା। ବିଜେପି ସରକାରର ଅଭିଜ୍ଞତା, ଉପଲବ୍ଧି ଓ ଦକ୍ଷତା ଯଥେଷ୍ଟ କମ୍। ସେମାନେ ଉପଯୁକ୍ତ ପ୍ରଶାସନିକ ଅଧିକାରୀଙ୍କୁ ଠିକ୍ ଭାବେ ଦାୟିତ୍ବ ଦେଇପାରୁ ନାହାନ୍ତି। ବହୁତ ଜାଗାରେ ପ୍ରଶାସନିକ ପଦବି ଖାଲି ପଡ଼ିଛି ଓ ପଦାଧିକାରୀ ନାହାନ୍ତି। ଅନ୍ୟପଟେ ବିଜେଡି ମଧ୍ୟ ବିରୋଧୀ ଦଳ ଭୂମିକାରେ ନବାଗତ। ତେଣୁ ବିରୋଧୀ ଦଳ ଭୂମିକା ନିର୍ବାହ କରିବା ପାଇଁ ବିଜେଡିକୁ ମଧ୍ୟ କସରତ କରିବାକୁ ପଡୁଛି। ଯଦିଓ ବିଜେପି ସରକାର ଅନେକ ନୂଆ ନୂଆ ଘୋଷଣା ଓ ଯୋଜନା କରୁଛନ୍ତି, କିନ୍ତୁ ଦକ୍ଷତା ଓ ଅନଭିଜ୍ଞତା କାରଣରୁ ସେମାନଙ୍କ ଯୋଜନା ସାକାର ହୋଇପାରୁ ନାହିଁ। ନୂଆ ନୂଆ କ୍ଷମତାକୁ ଆସିଥିଲା ବେଳେ ବିଜେଡି ମଧ୍ୟ ଏଭଳି ଝୁଣ୍ଟିଥିଲା। ତେଣୁ ଦେଢ଼ବର୍ଷର ଗୋଟାଏ ସରକାରର ଦକ୍ଷତାକୁ ଏତେଶୀଘ୍ର ମାପି ମତାମତ ଦେବା ସମୟ ଆସିନାହିଁ। 

ରାଜ୍ୟ ସରକାର ବଜେଟ୍‌ରେ ଥିବା ବ୍ୟୟବରାଦ ବିନିଯୋଗ କରିପାରୁ ନାହିଁ ବୋଲି ଚର୍ଚ୍ଚା ହେଉଛି। ଆପଣଙ୍କ ଦଳର ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଏଥିପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହା ଉପରେ ଆପଣଙ୍କ ମତ କ’ଣ?
ରାଜ୍ୟକୁ ଆର୍ଥିକ କ୍ଷେତ୍ରରେ ଅଗ୍ରସର କରାଇବା‌େର ବିଜେଡି ସରକାର ଯଥେଷ୍ଟ ସଫଳ ହୋଇଥିଲା। ବିଜେଡି ସରକାର ସମୟରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବଜେଟ୍ ହୋଇଥିଲା। ବର୍ତ୍ତମାନ ବିଜେପି ସରକାରର ବଜେଟ୍ ରହିଛି ୨ ଲକ୍ଷ ୯୦ ହଜାର କୋଟି ଟଙ୍କା। ବିଜେପି ସରକାରରେ ବଜେଟ୍‌ ଅର୍ଥ ଖର୍ଚ୍ଚ ‌େହାଇପାରୁ ନାହିଁ ବୋଲି ନବୀନ ପଟ୍ଟନାୟକ ଯାହା କହିଛନ୍ତି ତାହା ଶତପ୍ରତିଶତ ଠିକ୍। ଏହାର କାରଣ ହେଉଛି ଅନେକ ବିଜେପି ମନ୍ତ୍ରୀ, ବିଧାୟକ ଓ ରାଜନେତାଙ୍କର ଯୋଜନା ପରିଚାଳନା କରିବା ଦକ୍ଷତା ଓ ଅଭିଜ୍ଞତା ନାହିଁ। ମୂଳ କଥା ହେଉଛି ପ୍ରଶାସନିକ ପଦାଧିକାରୀଙ୍କୁ ନିୟନ୍ତ୍ରଣକରି କାର୍ଯ୍ୟ କରାଇବାର ଦକ୍ଷତା, କୌଶଳ ଓ ନିପୁଣତା ସରକାରରେ ଥିବା ମନ୍ତ୍ରୀ ଓ ବିଧାୟକମାନଙ୍କର ଆସିନାହିଁ। ତେଣୁ ବଜେଟ୍‌ର ଆର୍ଥିକ ବ୍ୟୟବରାଦକୁ ସେମାନେ କାର୍ଯ୍ୟକାରୀ କରିପାରୁ ନାହାନ୍ତି।

ରାଜନେତା ପ୍ରଶାସନିକ ପଦାଧିକାରୀମାନଙ୍କ ନିୟନ୍ତ୍ରଣରେ ରହିବା ନିର୍ବାଚିତ ସରକାର ପାଇଁ ଶୁଭଙ୍କର ନୁହେଁ। ବିଜେଡି ଶାସନ ବେଳେ ଏହା ଦେଖାଯାଇଥିଲା ଏବଂ ବିଜେପିରେ ବି ଏହା ଦେଖାଯାଉଛି ବୋଲି ଅଭିଯୋଗ ହେଉଛି। ଏହାକୁ ନେଇ କ’ଣ କହିବେ?
ଆପଣଙ୍କ କଥାରେ ମୁଁ ଏକମତ। ନିର୍ବାଚିତ ରାଜନେତା ଓ ସରକାରଙ୍କ ପ୍ରଶାସନିକ ପଦାଧିକାରୀ ଏବଂ ଅମଲାତନ୍ତ୍ର ନିୟନ୍ତ୍ରଣରେ ରହିବା ଶୁଭଙ୍କର ନୁହେଁ। ବିଜେଡି ଓ ବିଜେପି ମେଣ୍ଟ ସରକାର ସମୟରେ ଏବଂ ପରବର୍ତ୍ତୀ ୨୦୧୪ ମସିହା ପର୍ଯ୍ୟନ୍ତ ବିଜେଡି ସରକାର ଉପରେ ପ୍ରଶାସନିକ ପଦାଧିକାରୀଙ୍କର ନିୟନ୍ତ୍ରଣ ନ ଥିଲା। ଆମ ସଭାପତି ନବୀନ ପଟ୍ଟନାୟକ ବିଧାୟକ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁ ନ ଥିଲେ। ଆମେ ପ୍ରଶାସନିକ ଅଧିକାରୀଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରୁଥିଲୁ। କିନ୍ତୁ ୨୦୧୪‌ ପରେ ବିଜେଡିରେ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ବଢ଼ିଲା। ନିର୍ବାଚିତ ବିଜେଡି ସରକାର ପ୍ରଶାସନିକ ଅଧିକାରୀଙ୍କ ନିୟନ୍ତ୍ରଣକୁ ଚାଲିଗଲା। ବର୍ତ୍ତମାନ ବିଜେପି ସରକାରରେ ମଧ୍ୟ ତାହା ପରିଲକ୍ଷିତ ହେଉଛି। ବିଜେପି ସରକାର ଅମଲାତନ୍ତ୍ର ଚାପରେ ରହିଥିବାରୁ ସେମାନଙ୍କୁ ଠିକ୍ ମାର୍ଗରେ ପରିଚାଳିତ କରିପାରୁ ନାହିଁ।

ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ର‌େର ବିଜେପିର ଟ୍ରିପଲ୍‌ ଇଞ୍ଜିନ୍‌ ସରକାର ଓଡ଼ିଶାକୁ ପ୍ରତାରିତ କରି ଓଡ଼ିଶାବାସୀଙ୍କୁ ଭକୁଆ କରୁଛନ୍ତି। ବିଜେପି ଗଠନ କରିଥିବା ମହାନଦୀ କମିଟିର କୌଣସି କ୍ଷମତା ନାହିଁ। ଏହା କେବଳ କାଳକ୍ଷେପଣ ନୀତି। ସେମିତି ପୋଲାଭାମ୍ ଡ୍ୟାମ୍‌ର ଉଚ୍ଚତା ବୃଦ୍ଧିକୁ ମୋଦୀ ସରକାର ବିରୋଧ ନ କରିବା ମଧ୍ୟ ଓଡ଼ିଶା ପାଇଁ ପ୍ରତାରଣା।

ଦିବ୍ୟାଙ୍ଗଙ୍କୁ  ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ

ମହାନଦୀ ଜଳ ବିବାଦର ସମାଧାନ ପ୍ରସଙ୍ଗରେ ବିଜେପିର ଟ୍ରିପଲ୍‌ ଇଞ୍ଜିନ୍‌ ସରକାର ଫେଲ୍ ମାରିଛି ବୋଲି ଭାବୁଛନ୍ତି କି?
ମହାନଦୀ ଜଳ ବିବାଦ ସମାଧାନ କରିବାରେ ବିଜେପି କେବଳ ବାହାସ୍ଫୋଟ ମାରୁଥିଲା ଓ ବର୍ତ୍ତମାନ ମଧ୍ୟ ମାରୁଛି। ମୋହନ ସରକାର ଏଥିରେ ସାମାନ୍ୟତମ ଆନ୍ତରିକତା ଦେଖାଉନାହାନ୍ତି। ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ର‌େର ବିଜେପିର ଟ୍ରିପଲ୍‌ ଇଞ୍ଜିନ୍‌ ସରକାର ଓଡ଼ିଶାକୁ ପ୍ରତାରିତ କରି ଓଡ଼ିଶାବାସୀଙ୍କୁ ଭକୁଆ କରୁଛନ୍ତି। ବିଜେପି ଗଠନ କରିଥିବା ମହାନଦୀ କମିଟିର କୌଣସି କ୍ଷମତା ନାହିଁ। ଏହା କେବଳ କାଳକ୍ଷେପଣ ନୀତି। ସେମିତି ପୋଲାଭରମ୍‌ ଡ୍ୟାମ୍‌ର ଉଚ୍ଚତା ବୃଦ୍ଧିକୁ ମୋଦୀ ସରକାର ବିରୋଧ ନ କରିବା ମଧ୍ୟ ଓଡ଼ିଶା ପାଇଁ ପ୍ରତାରଣା। କେନ୍ଦ୍ର ବିଜେପି ସରକାର ନିଜକୁ ସୁରକ୍ଷିତ ରଖିବାକୁ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରତି ବିଶେଷ ଅନୁକମ୍ପା ଦେଖାଉଛନ୍ତି। ଆମ ନଦୀ ଶୁଖି ଯାଉଛି, ଚାଷୀ ‌କ୍ଷତିଗ୍ରସ୍ତ ହେଉଛନ୍ତି। ହଁ, ଏହା ସତ୍ୟ ଯେ ମହାନଦୀ ତଳମୁଣ୍ଡରେ ବିଜେଡି ସରକାର କୌଣସି ଆଖିଦୃଶିଆ ପ୍ରକଳ୍ପ କରିପାରି ନ ଥିଲା। ବିଜେପି ସରକାର ମଧ୍ୟ ଏ ଦିଗରେ କୌଣସି ଯୋଜନା କରିନାହାନ୍ତି କିମ୍ବା କରିବାପରି ମନେ ହେଉନାହିଁ।

ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘବର୍ଷ ଧରି ଜାରି ରହିଥିବା କୋଟିଆ ବିବାଦର ସମାଧାନ ନେଇ ଜଣେ ବୁଦ୍ଧିଜୀବୀ ଓ ରାଜନେତା ଭାବରେ ଆପଣଙ୍କର ମତ କ’ଣ?
କୋଟିଆ ପ୍ରସଙ୍ଗରେ ମୁଁ କେବଳ ଗୋଟିଏ ଧାଡ଼ିରେ ଗୋଟିଏ କଥା କହିବି। ଆମେ କୋଟିଆବାସୀଙ୍କ ମନରେ ଓଡ଼ିଶାପ୍ରୀତି ଜାଗରଣ କରିବାକୁ ସକ୍ଷମ ହୋଇପାରିନାହୁଁ। ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭକରି ସ୍ଥାନୀୟ ରାଜନେତା ଓ ବୁଦ୍ଧିଜୀବୀ ବିଶେଷଭାବେ‌ ଦାୟୀ। ଏ ପର୍ଯ୍ୟନ୍ତ ଆ‌େମ ଏ ଦିଗରେ ଆନ୍ତରିକ ଉଦ୍ୟମ କରିନାହୁଁ। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ଯେତେବେଳେ କୋଟିଆବାସୀଙ୍କ ନ୍ୟାଯ୍ୟ ଦାବି ଓ ଅଧିକାର କଥା ବୁଝିବେ ସେତେବେଳେ କୋଟିଆବାସୀ ଆପେ ଆପେ ଗର୍ବରେ ନିଜକୁ ଓଡ଼ିଆ ବୋଲି କହିବେ ଏବଂ ସମସ୍ୟାର ସମାଧାନ ହୋଇଯିବ।

ଓଡ଼ିଶାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ହେବ କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି। ଏହା କ’ଣ କେନ୍ଦ୍ରୀୟ ଅବହେଳାର ନମୁନା?
ନିରପେକ୍ଷ ଭାବେ କହିଲେ, ପ୍ରତ୍ୟେକ କେନ୍ଦ୍ର ସରକାର ଏ ଦିଗରେ ଓଡ଼ିଶାକୁ ଉପେକ୍ଷା କରିଆସିଛନ୍ତି। ମୁଁ ଅର୍ଥମନ୍ତ୍ରୀ ଥିବାବେଳେ ଅର୍ଥମନ୍ତ୍ରୀ ସମ୍ମିଳନୀରୁ ନେଇ କେନ୍ଦ୍ରର ଆର୍ଥିକ ନୀତି ବୈଠକରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଏକାଧିକ ବାର ଦାବି କରିଛି। ଯଦି ଏହା ସମ୍ଭବ ହେଉନାହିଁ ତେବେ ଓଡ଼ିଶାକୁ ବିହାର ଓ ଆନ୍ଧ୍ର ପରି କେନ୍ଦ୍ରର ସ୍ବତନ୍ତ୍ର ଅନୁଦାନ ରାଜ୍ୟ ମାନ୍ୟତା ଦିଆଯାଉନାହିଁ କାହିଁକି? କାରଣ, ନରେନ୍ଦ୍ର ମୋଦୀ ସରକାର ନିଜକୁ ସୁରକ୍ଷିତ ରଖିବାକୁ ବିହାର ଓ ଆନ୍ଧ୍ର ପାଇଁ କେନ୍ଦ୍ରରୁ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିଦେଉଛି। ଓଡ଼ିଶା କେନ୍ଦ୍ରକୁ ଯଥେଷ୍ଟ ଅଧିକ ଅର୍ଥ ଦେଉଥିଲେ ବି ଆମକୁ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ମିଳୁନାହିଁ।

୨୦୨୪ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଓଡ଼ିଶା ବିଜେପିର ବଡ଼ବଡ଼ ନେତା ଅନେକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ତାହା ପୂରଣ କରିବାରେ ବିଜେପି ସରକାର ବିଫଳ ହୋଇଛି। ଏଥିରେ ଆପଣ ଏକମତ?
୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଛାଡ଼ ଏବଂ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବା ଭଳି ଅନେକ ପ୍ରତିଶ୍ରୁତି ନିର୍ବାଚନ ସମୟରେ ବିଜେପି ଦେଇଥିଲା। ଏଭଳି ମିଛ ପ୍ରତିଶ୍ରୁତିକୁ ନବୀନ ପଟ୍ଟନାୟକ ମଧ୍ୟ ସମାଲୋଚନା କରିଥିଲେ। କିନ୍ତୁ ରାଜ୍ୟ ଓ କେନ୍ଦ୍ର ବିଜେପି ସରକାର ସେମାନଙ୍କର କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ବର୍ତ୍ତମାନ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ମଧ୍ୟ ହ୍ରାସ ପାଇଲାଣି।

୨୦୧୪ରେ ଆପଣଙ୍କୁ ବିଜେଡି ଟିକେଟ୍ ଦେଲାନାହିଁ। କୁହାଯାଏ ଆପଣ ଗୋଟିଏ ଚକ୍ରାନ୍ତର ଶିକାର ହେଲେ। ଏହାକୁ ନେଇ ମନରେ କିଛି ଅବସୋସ ରହିଛି?
ନେତା-ମନ୍ତ୍ରୀ ହୋଇ କ୍ଷମତା ଦଖଲ କରି ରାଜନୀତି କରିବାକୁ ମୁଁ ଆସିନାହିଁ। ତେଣୁ ଟିକେଟ୍ ନ ମିଳିଲେ ବି ମୋର ଟିକିଏ ଅବସୋସ ନଥିଲା। ମୁଁ ଜନସେବା କରିବାକୁ ରାଜନୀତିକୁ ଆସିଥିଲି ଏବଂ ଆଜି ବି କରୁଛି। ମୁଁ ବିଜେଡିରେ ଥିଲି, ରହିଛି ଓ ରହିବି। ୨୦୧୪ରେ ଅନେକ ବରିଷ୍ଠ ନେତା ବିଜେଡିରୁ ବିଦାହେଲେ। ମୋତେ ରାଜ୍ୟସଭାକୁ ପଠାଯିବ କହିଥିଲେ ବି ମୋ ଦଳ ତାହା କରି ନ ଥିଲା। ଏହା ସତ୍ତ୍ବେ ମୁଁ ଦଳ ପାଇଁ କାମ କରିଛି, ସେଥିପାଇଁ ମୋର ଦୁଃଖ ନାହିଁ।