ପ୍ରଫେସର ରାଧାମୋହନ ଓ ସାବରମତୀ : ମରୁଭୂମିକୁ ଦେଇଛନ୍ତି ଜୀବନ୍ୟାସ

Advertisment
ପ୍ରଫେସର ରାଧାମୋହନ ଓ ସାବରମତୀ : ମରୁଭୂମିକୁ ଦେଇଛନ୍ତି ଜୀବନ୍ୟାସ

ନିଷ୍ଠାପର ଉଦ୍ୟମ, ନିରନ୍ତର ଚେଷ୍ଟା କେବେ ବିଫଳ ଯାଏ ନାହିଁ। ପରିଶ୍ରମର ଫଳ ଦିନେ ନା ଦିନେ ଅବଶ୍ୟ ମିଳିଥାଏ। ନୟାଗଡ଼ର ବାପା-ଝିଅ ଯୋଡ଼ି ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ଏହା ପ୍ରମାଣିତ ହୋଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ର ରଙ୍ଗଣିପାଟଣା ଗ୍ରାମରେ ଜନ୍ମିତ ଏହି ଦୁଇ ମହାନ ବ୍ୟକ୍ତିତ୍ବଙ୍କ ପାଇଁ ସାରା ଓଡ଼ିଶା ଆଜି ଗର୍ବ କରୁଛି। ଓଡ଼ଗାଁରେ ଥିବା‌ ମରୁଭୂମି ସଦୃଶ ଜମିକୁ ସବୁଜିମାରେ ଭରିଦେବା, ଜୈବିକ କୃଷିକୁ ଆପଣାଇ ସ୍ଥାନୀୟ ଅଞ୍ଚଳରେ କୃଷିକୁ ଏକ ନୂତନ ରାହା ଦେଇଥିଲେ ପ୍ରଫେସର ରାଧାମୋହନ, ଯାହାକୁ ଆଜି ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି। ପ୍ରଫେସର ରାଧାମୋହନ ନିଜ ଦ୍ବାରା ପ୍ରତିଷ୍ଠିତ ‘ସମ୍ଭବ’ ଅନୁଷ୍ଠାନ ଜରିଆରେ ଏହି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି। ଯା‌ହାକୁ ପରବର୍ତ୍ତୀ ସମୟରେ ତାଙ୍କ ଝିଅ ସାବରମତୀ ଆଗେଇ ନେଇଛନ୍ତି। ଓଡ଼ଗାଁ ହାଇସ୍କୁଲ୍‌ରେ ଶିକ୍ଷା ଲାଭ ପରେ ପୁରୀ ଏସ୍‌ସିଏସ୍ କଲେଜରୁ ଅର୍ଥନୀତି ସମ୍ମାନରେ ସ୍ନାତକ ଓ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆପ୍ଲାଏଡ୍‌ ଇକନମିକ୍ସରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ରାଜ୍ୟର ବିଭିନ୍ନ କଲେଜରେ ଅର୍ଥନୀତିରେ ଅଧ୍ୟାପନା କରିଥିଲେ। ‌ସେ ରାଜ୍ୟ ସୂଚନା କମିସନର ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଭାରତ ସରକାରଙ୍କ ସମେତ ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡ, ଜଳଛାୟା ମିସନ, ରାଜ୍ୟ ବନ୍ୟପ୍ରାଣୀ ଉପଦେଷ୍ଟା ଭଳି ବହୁ କମିଟିରେ ସେ ଉପଦେଷ୍ଟା ଭାବେ କାର୍ଯ୍ୟ କରିଛନ୍ତି। ଲୋକସେବାରେ ତାଙ୍କର ଅବଦାନ ପାଇଁ ରାଜ୍ୟ ସରକାର ତାଙ୍କୁ ଉତ୍କଳ ସେବା ସମ୍ମାନ ମଧ୍ୟ ପ୍ରଦାନ କରିଛନ୍ତି। ସେହିଭଳି ୨୦୧୭ ମସିହାରେ ରାଷ୍ଟ୍ରପତିଙ୍କଠାରୁ ସାବରମତୀ ‘ନାରୀ ଶକ୍ତି ପୁରସ୍କାର’ ପାଇଛନ୍ତି। ଅର୍ଥନୀତିରେ ସ୍ନାତକ ପରେ ରୁରାଲ୍‌ ଡେଭଲପ୍‌ମେଣ୍ଟରେ ଏମ୍ଏ କରିଥିବା ସାବରମତୀ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗଠନ ଅକ୍ସଫାମ୍‌ ପାଇଁ ମଧ୍ୟପ୍ରଦେଶରେ ନିଜର ବୃତ୍ତିନିର୍ବାହ କରୁଥିଲେ। କିନ୍ତୁ ନିଜ ଅଞ୍ଚଳ, ନିଜ ମାଟି ପାଇଁ କିଛି କରିବାର ନିଶା ତାଙ୍କୁ ନିଜ ମାଟିକୁ ଟାଣି ଆଣିଥିଲା। ବର୍ତ୍ତମାନ ପ୍ରାୟ ୯୦ ଏକରରୁ ଏହି ଭଳି ଟାଙ୍ଗରା ଭୂମିରେ ସେ ସୁନାର ଫସଲ ଫଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe