ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ ଅବସରରେ ଆଜି ଅପରାହ୍ଣରେ ସୁବର୍ଣ୍ଣରେଖା ହଲ୍ ପରିସରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଲଜିଷ୍ଟିକ୍ସ ଓ ପରିବହନ ବିଭାଗ ପକ୍ଷରୁ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋଚକଭାବେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର, ଭାରତ ସରକାରଙ୍କ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ ଚଢ଼ା, ଜାହାଜ ଚଳାଚଳ ମନ୍ତ୍ରାଳୟର ଅତିରିକ୍ତ ସଚିବ ଏସ. ବନ୍ଦୋପାଧ୍ୟାୟ, ରେଳ ମନ୍ତ୍ରାଳୟର ଭିତ୍ତିଭୂମି ନିବେଶକ ପରାମର୍ଶଦାତା ଏସ. କେ. ମିଶ୍ର, ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ୍ର ସିଇଓ କରନ୍ ଆଦାନୀ, ଡାଲମିଆଁ ଭାରତ ଗ୍ରୁପ ଏମଡି ପୁନୀତ ଡାଲମିଆଁ ଏବଂ ଏସୀୟ ବିକାଶ ବ୍ୟାଙ୍କର ଡେପୁଟି କଣ୍ଟ୍ରି ହେଡ୍ ସବ୍ୟସାଚୀ ପ୍ରମୁଖ ଯୋଗଦେଇ ସେମାନଙ୍କ ମତ ରଖିଥିଲେ। ଏହି ସେମିନାରକୁ ବିଭାଗୀୟ ପ୍ରମୁଖ ସଚିବ ଜି. ଶ୍ରୀନିବାସ ଓ କୃଷି ଉତ୍ପାଦନ କମିସନର ଗଗନ ଧଳ ସଂଚାଳନା କରିଥିଲେ। ସେମିନାର ପରେ ଓଡ଼ିଶା ସରକାର ଓ ଆଦାନୀ ଗ୍ରୁପ୍ କମ୍ପାନି ଧାମରା ପୋର୍ଟ କମ୍ପାନି ଲିମିଟେଡ (ଡିପିସିଏଲ) ମଧ୍ୟରେ ଧାମରାରେ ଏୟାରଷ୍ଟ୍ରିପ୍ ନିର୍ମାଣ ନେଇ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର ହୋଇଥିଲା। ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡର ନିର୍ଦ୍ଦେଶକ ଜି ଜେ ରାଓ ଓ ରାଜ୍ୟର ବନ୍ଦର ନିଦ୍ଦେର୍ଶକ ଏହି ଏମଓୟୁ ସ୍ବାକ୍ଷର କରିଥିଲେ। ଉତ୍ତର ଓଡ଼ିଶା ପାଇଁ ଏହା ହେବ ପ୍ରଥମ ଏୟାର ଟର୍ମିନାଲ। ଏହାଦ୍ବାରା କେବଳ ଡିପିସିଏଲ ଲାଭବାନ ହେବନାହିଁ, ପର୍ଯ୍ୟଟନର ବିକାଶ ଏବଂ ଶିଳ୍ପାୟନ ପାଇଁ ମଧ୍ୟ ଏହା ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି। ଏହି ବିମାନ ବନ୍ଦର ମାଧ୍ୟମରେ ଉଭୟ ସାମଗ୍ରୀ ଓ ଯାତ୍ରୀ ପରିବହନ ସମ୍ଭବ ହେବ। ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରଖାଯାଇଛି। ବିମାନ ବନ୍ଦର ପାଇଁ ୫୦୦ ଏକର ଜାଗା ଆବଶ୍ୟକ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ସୁଦ୍ଧା ୪୦୦ ଏକର ଜମି ଚିହ୍ନଟ ଶେଷ ହୋଇଛି ବୋଲି ସେମିନାର ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଡାକ୍ତର ସାହୁ ଓ ପ୍ରମୁଖ ସଚିବ ଶ୍ରୀ ଶ୍ରୀନିବାସ ସୂଚନା ଦେଇଥିଲେ।
ଧାମରାରେ ହେବ ବିମାନ ବନ୍ଦର
Advertisment
Follow Us