Poonam Chaturvedi Photograph: (sambad.in )
ଉତ୍ତର ପ୍ରଦେଶ କାନପୁରରେ ପୁନମ ଚତୁର୍ବେଦୀଙ୍କର ଜନ୍ମ। ହାଇସ୍କୁଲରେ ପଢ଼ିବାବେଳକୁ ତାଙ୍କର ଉଚ୍ଚତା ଅସ୍ବାଭାବିକ ଭାବେ ବଢ଼ି ଛଅଫୁଟ ହୋଇ ସାରିଥିଲା। ଫଳରେ ସେ ଭିଡ଼ ଭିତରୁ ବାରି ହୋଇପଡୁଥିଲେ। ହେଲେ ସାଙ୍ଗସାଥୀ ତାଙ୍କୁ ବହୁତ ଚିଡ଼ାଉଥିଲେ। ତେବେ ଥରେ ପୁନମଙ୍କ ଜଣେ ସାଙ୍ଗର ନଜର ତାଙ୍କ ଉଚ୍ଚତା ଉପରେ ପଡ଼ିଲା। ସେ ତାଙ୍କୁ କହିଲେ, ବାସ୍କେଟ୍ବଲ୍ ଖେଳିବା କଥା କେବେ ଭାବିଚ? ଏଇଠୁ ତାଙ୍କ ମନରେ ଏକ ନୂଆ ଆଶା ସଞ୍ଚରିତ ହେଲା। ସେ ଭାବିଲେ ଯେଉଁ ଉଚ୍ଚତା ପାଇଁ ତାଙ୍କୁ ପରିହାସର ଶିକାର ହେବାକୁ ପଡ଼ୁଛି, ତା’ର ସଦୁପଯୋଗ କରି ନାଁ କରିବି। ତେଣୁ ସେ ଏହି ଖେଳରେ ମନୋନିବେଶ କଲେ। ଖୁବ୍ଶୀଘ୍ର ରାଜ୍ୟସ୍ତରୀୟ ଖେଳ ପାଇଁ ମଧ୍ୟ ମନୋନୀତ ହୋଇଗଲେ। ଦିନକୁ ଦିନ ସେ ଭଲ ପ୍ରଦର୍ଶନ କରି ନାଁ କରିବାକୁ ଲାଗିଲେ।
ହେଲେ ଭାଗ୍ୟ ପୁଣିଥରେ ତାଙ୍କ ସହ ଖେଳ ଖେଳିଲା। ୨୦୧୩ରେ ତାଙ୍କର ବ୍ରେନ୍ ଟ୍ୟୁମର୍ ହୋଇଛି ବୋଲି ଜଣାପଡ଼ିଲା। ଦୁଇ ଦୁଇଟି ବଡ଼ ସର୍ଜରି ହେଲା। ପାଞ୍ଚବର୍ଷ ପର୍ଯ୍ୟନ୍ତ ଖେଳଠୁ ଦୂରେଇ ରହିବାକୁ ହେଲା। ହେଲେ ତାଙ୍କର ବାସ୍କେଟ୍ବଲ୍ ପ୍ରତି ଭଲପାଇବା ଓ ଦୃଢ଼ ମନୋବଳ ତାଙ୍କୁ ଟ୍ୟୁମର୍ ସହ ଲଢ଼ି ସୁସ୍ଥ ହେବାରେ ସାହାଯ୍ୟ କଲା। ୨୦୧୯ରେ ସେ ଟ୍ୟୁମର୍ମୁକ୍ତ ବୋଲି ଘୋଷିତ ହେଲେ। ସେ ପୁଣିଥରେ ଖେଳ ପଡ଼ିଆକୁ ଓହ୍ଲାଇଲେ। ଭଲ ପ୍ରଦର୍ଶନ ବି କଲେ। ସେ ଏବେ ଭାରତର ସାତଫୁଟିଆ ମହିଳା ବାସ୍କେଟ୍ବଲ୍ ଖେଳାଳି ଭାବେ ବେଶ୍ ପରିଚିତ।
Follow Us