ତିନୋଟି ପରିବାରକୁ ବ୍ୟଞ୍ଜନ ଯୋଗାଉଥିବା ପୁଣେ ମହିଳାଙ୍କ ୩୫୦୦ ବର୍ଗ ଫୁଟ୍‌ର ଜୈବିକ ବଗିଚା

Advertisment
ତିନୋଟି ପରିବାରକୁ ବ୍ୟଞ୍ଜନ ଯୋଗାଉଥିବା ପୁଣେ ମହିଳାଙ୍କ ୩୫୦୦ ବର୍ଗ ଫୁଟ୍‌ର ଜୈବିକ ବଗିଚା

Image Courtesy of The Better India

ପୁଣେର ସୁଜାତା ନାଫାଡ଼େଙ୍କ ଜନ୍ମ ଚାଷୀକୁଳରେ। ତାଙ୍କର ଶାଶୂ ମଧ୍ୟ ଥିଲେ ଜଣେ କୃଷକ। ତେଣୁ ସୁଜାତା ସ୍ଥିର କଲେ ସେ ନିଜ ପରିବାରର କୌଳିକ ବୃତ୍ତିକୁ ପରିହାର କରିବେ ନାହିଁ। ଏ ଭଳି ସିଦ୍ଧାନ୍ତ ନେଇ ସହରରେ ବସବାସ କରୁଥିବା ସୁଜାତା କୃଷିରେ ସ୍ନାତକ ଡିଗ୍ରୀ ହାସଲ କଲେ। ସହରରେ କୃଷି ଡିଗ୍ରୀ କି କାମରେ ଆସିବ ବୋଲି ଅନେକ ସନ୍ଦିହାନ ହେଲେ। କିନ୍ତୁ, ଆଜି ପୁଣେର ସୁଜାତା ନିଜର ୩୫୦୦ ବର୍ଗ ଫୁଟ୍‌ ବିଶିଷ୍ଟ ପ୍ଲଟ୍‌କୁ ଗୋଟାଏ ସୁନ୍ଦର ବାଗାନ୍‌ରେ ପରିଣତ କରି ନାନା ଜାତିର ଫଳ ଓ ପରିବା ଅମଳ କରୁଛନ୍ତି ସୁଜାତା। ବଡ଼ କଥା ହେଲା ଏହି ବାଗାନ୍‌ରେ ସେ ବୁନ୍ଦାଏ ହେଲେ ରାସାୟନିକ କୀଟନାଶକ କିଂବା ସାର ପ୍ରୟୋଗ କରୁ ନାହାନ୍ତି। ତାଙ୍କର ଜୈବିକ ପ୍ଲଟ୍‌ ତଥା ବାଗାନ୍‌ ୧୦-୧୨ ଜଣ ସଦସ୍ୟ ଥିବା ତିନୋଟି ପରିବାରକୁ ଖୁଆଇବା ନିମନ୍ତେ ଯଥେଷ୍ଟ ଆହାର ଯୋଗାଇ ପାରୁଛି।

ପଡ଼ିଆ ପଡ଼ିଥିବା ସେ ପ୍ଲଟ୍‌ଟି ହେଉଛି ମୂଳତଃ ତାଙ୍କ ଭିଣୋଇଙ୍କର। ତାଙ୍କୁ ଅନୁରୋଧ କରି ତାଙ୍କ ଅନୁମତି କ୍ରମେ ସୁଜାତା ସେ ପ୍ଲଟ୍‌କୁ ଏକ ସୁନ୍ଦର ବାଗାନ୍‌ରେ ପରିଣତ କରିଛନ୍ତି।

ଆମେ ସର୍ବଦା ଜୈବଖତ ପ୍ରୟୋଗ କରି ପ୍ରାକୃତିକ ଉପାୟରେ ଗଛବୃଚ୍ଛ ବଢ଼ାଇବାକୁ ଚାହୁଁ। ଗତ ୬-୭ ବର୍ଷ ହେବ ଆମେ ଏକ ଟେରାସ୍‌ ଗାର୍ଡେନ୍‌ ଚଳାଇ ଆସୁଥିଲେ ମଧ୍ୟ ଏଥିରେ ସ୍ଥାନ ସୀମିତ। ଏ ପ୍ଲଟ୍‌ଟି ଜାଗା ଅଭାବ ସମସ୍ୟାର ସମାଧାନ କରିଦେଲା ବୋଲି ସେ କହନ୍ତି।

କଦଳୀ, ଷ୍ଟ୍ରବେରି, ଚେରି, ନଡ଼ିଆ, ଫୁଲକୋବି, ବନ୍ଧାକୋବି, ବାଇଗଣ ଏବଂ ଚେରି ଟମାଟୋ ଆଦି ନାନା କିସମର ପରିବା ଏବଂ ଫଳରେ ପୂରି ଉଠିଚି ସୁଜାତାଙ୍କ ବଗିଚା। ଅଧିକନ୍ତୁ, ସେ ତୁଳସୀ, ଓରିଗାନୋ, ଥାଇମ୍‌, ଚିବ୍ସ୍‌, ଲେମନ୍‌ଗ୍ରାସ୍‌ ଏବଂ ପୋଦିନା ଭଳି ଔଷଧୀୟ ବୃକ୍ଷ ମଧ୍ୟ ଚାଷ କରନ୍ତି।

ବଗିଚାରେ ବଢୁଥିବା ଫଳଫୁଲୁରିର ଦେଖାଶୁଣା କରିବା ଏବଂ ସାର ପାଣି ଆଦି ଦେବା ନିମନ୍ତେ ସେ ଦୈନିକ ଘଣ୍ଟାଏ ସମୟ ଦିଅନ୍ତି ଏବଂ ଟେରାସ୍‌ ଗାର୍ଡେନ୍‌ ପାଇଁ ଦିଅନ୍ତି ୨୦ ମିନିଟ୍‌।

publive-image Image Courtesy of The Better India

ତା’ଛଡ଼ା ଜୈବିକ ଆହାର ଚାଷରେ ସହାୟତା କରେ ତାଙ୍କ ପରିବାରର ମିଳିତ ଉଦ୍ୟମ। ତାଙ୍କ ଭାଇ ଏବଂ ଭିଣୋଇଙ୍କ ପରିବାର ମଧ୍ୟ ସମୟେ ସମୟେ ଏଥିରେ ସହଯୋଗ କରନ୍ତି।

ତଟକା ପନିପରିବା ସେ ବାଗାନ୍‌ରୁ ମିଳିଯାଉଥିଲେ ମଧ୍ୟ ପିଆଜ ଏବଂ ଅଦା ଖରିଦ କରିବା ପାଇଁ ସେ ପରିବା ଦୋକାନକୁ ଯାଆନ୍ତି। କୃତ୍ରିମ ସାର ବ୍ୟବହାର ଆବଶ୍ୟକ ହେଉଥିବାରୁ ସେ ଏ ଦୁଇଟି ଜିନିଷ ବାଗାନ୍‌ରେ ଚାଷ କରି ପାରୁ ନାହାନ୍ତି।

ତାଙ୍କର ମନେ ଅଛି, ସେ ପ୍ଲଟ୍‌ରେ ଚାଷ ଆରମ୍ଭ କରିବା ପୂର୍ବରୁ ମାଟି ଥିଲା ପ୍ରତିକୂଳ ଏବଂ ଘାସ ଏବଂ ଗୋଡ଼ିପଥରରେ ଭରା। ସାର ବ୍ୟବହାର ନ କରି ଜମିର ମାନ ବଢ଼ାଇବାକୁ ସେମାନେ ଶୁଖିଲା ପତ୍ର ଏବଂ ଗଛବୃଚ୍ଛର ଅନ୍ୟାନ୍ୟ ଅଂଶକୁ ଖତସାର ରୂପେ ବ୍ୟବହାର କରିଥିଲେ। ତା’ପରେ ସେଥିରେ ରୋପଣ କରିଥିଲେ ଦେଶୀ ପ୍ରଜାତିର ମଞ୍ଜି ଓ ଚାରା। ଏ ବର୍ଷ ଠାରୁ ସେ ଗୋଟିଏ ମଞ୍ଜି ବ୍ୟାଙ୍କ୍‌ ଆରମ୍ଭ କରି ସେଥିରୁ ଆଗ୍ରହୀ ବଗିଚା-ସଉକ ଲୋକମାନଙ୍କୁ ମଞ୍ଜି ବଣ୍ଟନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe