ସମଗ୍ର ବିଶ୍ବ ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ଦେଇ ଗତି କରୁଛି ଏବଂ ଏହା ପ୍ରଭାବରେ ବୈଶ୍ବିକ ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବୃଦ୍ଧି ମୂଷାଙ୍କ ବଂଶବୃଦ୍ଧିକୁ ସହାୟତା କରିବା ସହ ବିଶେଷ କରି ସହରାଞ୍ଚଳରେ ମୂଷାଙ୍କ ଉପଦ୍ରବ ବଢ଼ିଚାଲିଛି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି।
ସହରାଞ୍ଚଳ ଅଧିକ ସଂକୁଚିତ ହେବା ଯୋଗୁଁ ତାହା ଦ୍ରୁତ ଭାବରେ ଉଷ୍ମ ହେଉଛି, ସୁତରାଂ ମୂଷାଙ୍କ ବଂଶବୃଦ୍ଧି ସହରାଞ୍ଚଳରେ ବେଶୀ ପ୍ରଚଳିତ ବୋଲି ରିଚ୍ମଣ୍ଡ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି। ‘ସାଇନ୍ସ ଆଡ୍ଭାନ୍ସେସ୍’ ପତ୍ରିକାରେ ପ୍ରକାଶିତ ଏକ ଆଲେଖ୍ୟରେ ଗବେଷକମାନେ ତାପମାତ୍ରା ବୃଦ୍ଧି ଓ ମୂଷାଙ୍କ ଜୀବନଧାରଣ ଭିତରେ ଥିବା ସମ୍ପର୍କର ଅବତାରଣା କରିଛନ୍ତି। ତାପମାତ୍ରା ବୃଦ୍ଧି ମୂଷାମାନଙ୍କର ପ୍ରଜନନ ଚକ୍ର ବା ‘ଇଷ୍ଟ୍ରୋସ୍ ସାଇକଲ୍’କୁ ପରିବର୍ଦ୍ଧିତ କରିଦେଇଥାଏ। ମୂଷାମାନେ ସାଧାରଣତଃ ଗୋଟିଏ ଇଷ୍ଟ୍ରୋସ୍ ସାଇକଲ୍ରେ ୮ରୁ ୧୬ଟି ଛୁଆ ଜନ୍ମ କରିବାର ସାମର୍ଥ୍ୟ ରଖିଥା’ନ୍ତି ଏବଂ ତାହା ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବଳବତ୍ତର ରହିଥାଏ। ତାପମାତ୍ରା ବୃଦ୍ଧି ଯୋଗୁଁ ମୂଷାମାନଙ୍କ ଋତୁକାଳୀନ କାର୍ଯ୍ୟକଳାପ ଅବଧି ବଢ଼ିଯାଇଥାଏ, ଯାହା ସେମାନଙ୍କୁ ଶୀତ ଦିନ ପର୍ଯ୍ୟନ୍ତ ଅଧିକ ସମୟ ସକ୍ରିୟ ରହିବାକୁ ଏବଂ ବସନ୍ତ ଋତୁର ପ୍ରାରମ୍ଭରେ ଖାଦ୍ୟ ଅନ୍ବେଷଣ ପାଇଁ ସୁହାଇଥାଏ। ସେହିପରି ବନ୍ୟମୂଷାଙ୍କ ପାଇଁ ଭୂଇଁ ଉପରେ ଏକ କିମ୍ବା ଦୁଇ ସପ୍ତାହର ଅତିରିକ୍ତ କାର୍ଯ୍ୟକଳାପ ଆଉ ଗୋଟିଏ କିମ୍ବା ଦୁଇଟି ପ୍ରଜନନ ଚକ୍ର ପାଇଁ ଭିତ୍ତିଭୂମି ଯୋଗାଇଥାଏ, ଯାହା ବଂଶବୃଦ୍ଧିକୁ ତ୍ବରାନ୍ବିତ କରିଥାଏ।
ମନୁଷ୍ୟ ଓ ଘରୁଆ ମୂଷା ପରେ ବାହାର ମୂଷା ହେଉଛି ତୃତୀୟ ସଫଳ ସ୍ତନ୍ୟପାୟୀ ପ୍ରାଣୀ, ଯାହା ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବାରେ
ବେଶ୍ ପାରଙ୍ଗମ।
ସହରାଞ୍ଚଳର ଅନୁପଯୁକ୍ତ ବର୍ଜ୍ୟ ନିଷ୍କାସନ ମୂଷା ବଂଶବୃଦ୍ଧି ପାଇଁ ଦ୍ବିତୀୟ ମୁଖ୍ୟ କାରକ ସାଜିଥାଏ। ମନୁଷ୍ୟ ଓ ଘରୁଆ ମୂଷା ପରେ ବାହାର ମୂଷା ହେଉଛି ତୃତୀୟ ସଫଳ ସ୍ତନ୍ୟପାୟୀ ପ୍ରାଣୀ, ଯାହା ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବାରେ ଧୁରନ୍ଧର। ଅପରପକ୍ଷେ ମୂଷାଙ୍କ ବର୍ଦ୍ଧିତ ସଂଖ୍ୟା ମଣିଷର ସ୍ବାସ୍ଥ୍ୟ ପ୍ରତି ବିପଦ ବଢ଼ାଉଛି। ଏହା ଲୋକଙ୍କୁ ପଶୁଙ୍କ ଠାରୁ ମଣିଷ ଶରୀରକୁ ବ୍ୟାପୁଥିବା ରୋଗ (ଜୁନୋଟିକ୍ ଡିଜିଜ୍) ପ୍ରତି ଅଧିକ ସମ୍ବେଦନଶୀଳ କରିଦେଇଥାଏ। ଏଥିସହିତ ଏହା ମନୁଷ୍ୟର ଖାଦ୍ୟକୁ ଦୂଷିତ କରିବା ସହିତ ମାନସିକ ସୁସ୍ଥତାରେ ବ୍ୟାଘାତ ଆଣିଥାଏ। ବିଶ୍ବ ପାଣିପାଗ ସଂଗଠନର ତଥ୍ୟ ଅନୁଯାୟୀ, ୨୦୨୪ ମସିହା ଥିଲା ସବୁଠୁ ଉତ୍ତପ୍ତ ବର୍ଷ, ଯାହାର ତାପମାତ୍ରା ପ୍ରାକ୍ ଶିଳ୍ପଯୁଗ ତାପମାତ୍ରା ଠାରୁ ୧.୫୫ ଡିଗ୍ରି ସେଲ୍ସିଅସ୍ ଉପରେ ରହିଥିଲା। ଉଷ୍ମତା ବୃଦ୍ଧି ଜୈବବିବିଧତା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି। ମୂଷା ସଂଖ୍ୟାରେ ବୃଦ୍ଧି ଓ ତା’ ଉପରେ ପରିବେଶର ପ୍ରଭାବ କିପରି ରହୁଛି, ସେଥିପ୍ରତି ତୀକ୍ଷ୍ଣ ନଜର ରଖି ମୁକାବିଲା ଲାଗି ପ୍ରସ୍ତୁତ ରହିବା ଗୁରୁତ୍ବପୂର୍ଣ୍ଣ ବୋଲି ଗବେଷକମାନେ କହିଛନ୍ତି।
Follow Us