ଭୁବନେଶ୍ବର: ଆମ ଜେଜେ ଅମଳର ଲୋକେ ଖବର କାଗଜ ପଢୁଥିଲେ… ଖବର କାଗଜ ନପଢିଲେ ତାଙ୍କର ନିଦ ହେଉନଥିଲା । ସମୟ ବଦଳିଲା ଆମ ବାପା ଅମଳର ଲୋକେ ଟିଭି ଉପରେ ଗୁରୁତ୍ବ ଦେଲେ । ଟିଭି ଦେଖି ସମୟ ବିତାଇଲେ, ଖବର ଜାଣିଲେ । କିନ୍ତୁ ଆମ ଜମାନାର ପିଲା ଏବେ ରିଲ୍ସ ପଛରେ ବାଇୟା । ମାନେ ସମସ୍ତଙ୍କୁ ଘାରିଛି ସୋସିଆଲ ମିଡିଆ ନିଶା । ଆପଣ ଯଦି ଏବେ ଟିକେ ଭଲରେ ଲକ୍ଷ୍ୟ କରିବେ ତେବେ ସୋସିଆଲ ମିଡିଆରେ ଯୁବପିଢି ଟିକେ ଅଧିକ ସମୟ ବିତାଉଥିବା ଦେଖିବାକୁ ପାଇବେ । ରାତି ଦିନ- ସକାଳରୁ ସଞ୍ଜ ସେଇ ମୋବାଇଲ ଧରି ଘାଣ୍ଟି ହେଉଥିବେ । ମୋବାଇଲେ ଗୋଟେ ପରେ ଗୋଟେ ରିଲ୍ସ କିମ୍ବା ପୋଷ୍ଟ ସ୍କ୍ରଲ କରି ଚାଲିଥିବେ । ସ୍କ୍ରିନ ଟାଇମିଂ ଟିକେ ଯୁବପିଢିଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଥିବାରୁ ଏହି ବଦଭ୍ୟାସ ପାଇଁ କେବେ କେବେ ଘର ଲୋକଙ୍କ ଠାରୁ ଗାଳି ବି ଶୁଣିବାକୁ ପଡ଼େ ।

Advertisment

ଖାଲି ଯୁବପିଢି କାହିଁକି ପ୍ରାୟ ଅଧାରୁ ଅଧିକ ଲୋକ ଏବେ ରିଲ୍ସ ପଛରେ ପାଗଳ । ଟିକେ ଖାଲି ଫାଙ୍କା ସମୟ ପାଇବା ମାତ୍ର ପକେଟରୁ ମୋବାଇଲ ବାହାର କରି ରିଲ୍ସ ଦେଖିବାରେ ବ୍ୟସ୍ତ ଲୋକେ । ଅଫିସରେ ଟିକେ ଫାଙ୍କା ମିଳିଲେ, ବସ ଅପେକ୍ଷାରେ ଥିବା ବେଳେ, ଟ୍ରେନରେ ଯାଉଥିବା ବେଳେ, ହୋଟେଲରେ ଖାଇବାକୁ ଅର୍ଡର ଦେଇ ଖାଇବା ଆସିବା ଭିତରେ ବି ଲୋକେ ରିଲ୍ସ ଦେଖି ନିଜକୁ ଖୁସି କରୁଛନ୍ତି । ନିଜକୁ ଖୁସି ରଖିବା ଭଲ, ମାତ୍ର ଖୁସି କରୁଥିବା ଜିନିଷଟା ଯେବେ ନିଶାରେ ବଦଳିଯାଏ ତାହା ଭୟଙ୍କର ହୁଏ ।

New Project (27)

ରିଲ୍ସ ନିଶା ଏବେ ପିଲାଠୁ ବୁଢାଙ୍କୁ ଘାରିଛି । କହିବାକୁ ଗଲେ ରିଲ୍ସ ଏକ ରୋଗ ଭାବେ ଦେଖା ଦେଇଛି । ଘରେ କାନ୍ଦିଲେ ତାକୁ ବୁଝାଇବାକୁ ମାଆ ମୋବାଇଲ ଧରେଇ ଦେଇ କାର୍ଟୁନ କିମ୍ବା ରିଲ୍ସ ଦେଖାଉଛି । ପିଲା ନଖାଇଲେ ତାକୁ ଖୁଆଇବା ବେଳେ ବି ଫୋନ ଧରେଇ ମାଆ ପିଲାକୁ ଖୁଆଇବି ଦେଉଛି । ହେଲେ ଆପଣ ଜାଣି ରଖିବା ଦରକାର ଏବି ମୋବାଇଲ ଅଭ୍ୟାସ ପିଲା ବେଳୁ ହିଁ ଏକ ବଦ ବିପଦକୁ ଡାକି ଆଣିପାରେ । ପିଲା ବେଳର ଏହି ଅଭ୍ୟାସ ବଡ ହେଲେ ଭୟଙ୍କର ରୂପ ନିଏ । ମୋବାଇଲ ଉପରେ ଅହରହ ଆଖି ଏବଂ ମୋବାଇଲ ନିଶା ମାରାତ୍ମକ ରୋଗର କାରଣ ପାଲଟୁଥିବା ବେଳେ ଆଖି ସମସ୍ୟା ମଧ୍ୟ ଦେଖା ଦିଏ । 

reels

ଆପଣ ଜାଣନ୍ତି କି ଆମ ମସ୍ତିଷ୍କ ସବୁବେଳେ ସହଜ କାମ କରିବାକୁ ଚାହେଁ ବୋଲି। ତେଣୁ ମସ୍ତିଷ୍କ କଠିନ ପରିଶ୍ରମ କରିବାକୁ ଚାହେଁ ନାହିଁ । ତେଣୁ ଥରେ ମୋବାଇଲରେ କିଛି ରିଲ୍ସ କିମ୍ବା ଅନ୍ୟ ଭିଡିଓ ସ୍କ୍ରଲ କଲେ ତାହା ସ୍କ୍ରଲ ପରେ ସ୍କ୍ରଲ ହେଉଥିବ ପଛେ କିନ୍ତୁ ବନ୍ଦ ହେଉ ନଥିବ । ସେତେବେଳକୁ ରାତି ହେଉ କି ଦିନ କିଛି ଜଣାପଡେନି । ରାତିରେ ବିଲମ୍ବରେ କେହିକେହି ଏହି ରିଲ୍ସ ଦେଖି ଶୁଅନ୍ତି । ପୁଣି ଅଧ ରାତିରେ ଯଦି ନିଦ ଭାଙ୍ଗିଗଲା ତେବେ ପୁଣି ସେମାନେ ରିଲ୍ସ ଦେଖନ୍ତି ଯାହା ଆଉ ନିଦ ନଆସିବାର କାରଣ ପାଲଟେ । ତେବେ ନଜର ପକାନ୍ତୁ ଅଧିକ ରିଲ୍ସ ଦେଖିବା ଦ୍ବାରା କଣ ହୁଏ । ଶରୀର ପାଇଁ କେତେ ସମସ୍ୟା ସୃଷ୍ଟି କରେ ରିଲ୍ସ ନିଶା । 

ରିଲ୍ସ ନିଶା, ଡାକି ଆଣିବ ସମସ୍ୟା ?

-ଛୋଟପିଲା ହୁଅନ୍ତୁ କି ବଡ଼ଲୋକ ଅଧିକ ରିଲ୍ସ ଦେଖିବା ଦ୍ବାରା ଆଖି ଖରାପ ହୁଏ
- ଆଖିରେ ଅନେକ ସମସ୍ୟା ଦେଖାଦିଏ, ଆଖି ବିନ୍ଧେ, ଜଳାପୋଡା ହୁଏ, ଆଖିରୁ ଲୁହ ବାହାରେ
-ଅଧିକ ରିଲ୍ସ ନିଶା ମୁଣ୍ଡବିନ୍ଧା, ମାଇଗ୍ରେନର କାରଣ ପାଲଟେ
-ନିଦ ନହେବା ଭଳି ଅନେକ ସମସ୍ୟା ଦେଖା ଦିଏ
-ରିଲ୍ସ ଦେଖିବା ଦ୍ୱାରା କୌଣସି କାର୍ମ କରିବାକୁ ମନ ଲାଗେନି
-ମାନସିକ ରୋଗର ବଡ଼ ଆଶଙ୍କା ଥାଏ
-ରିଲ୍ସ ନିଶା ବ୍ୟକ୍ତିଗତ ଏବଂ ସାମାଜିକ ବିଚ୍ଛିନ୍ନତା ସୃଷ୍ଟି କରେ
- ବ୍ୟକ୍ତି ବ୍ୟକ୍ତି ମଧ୍ଯରେ ଭାବ ଆଦାନପ୍ରଦାନରେ ବାଧା ସୃଷ୍ଟି କରେ
-ପରିବାର କର୍ତ୍ତବ୍ୟ ସମ୍ପାଦନା କରିବାରେ ବାଧା ଆଣେ
- ରିଲ୍ସ ନିଶା, ସୋସିଆଲ ମିଡ଼ିଆ ଏବଂ ମୋବାଇଲର ଅଧିକ ବ୍ୟବହାର ଯୋଗୁଁ ଘରୋଇ ହିଂସା ବଢିବାର ଆଶଂକା ରହୁଛି
-ମଣିଷ ନିଜ ଦାୟିତ୍ବ ତୁଲାଇବାରେ ଅବହେଳା କରେ
-ଘରେ ରହି ବି କାହା ସହ ନଥିଲା ଭଳି ଏକ ସୁଯୋଗ ସୃଷ୍ଟି କରେ
-ନିଜ ଭିତରେ ଅଧିକ ଦ୍ବନ୍ଦ୍ବ ସୃଷ୍ଟି କରେ
-ନକାରାତ୍ମକ ଶକ୍ତି ମନକୁ ମାଡିବସେ
-ମାନସିକ ସ୍ବାସ୍ଥ୍ଯ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ
-ସାମାଜିକ ଦକ୍ଷତା କମିବାର ଆଶଙ୍କା ଥାଏ

ରିଲ୍ସ ନିଶାକୁ ମୁକୁଳିବେ କେମିତି ?

-ଆପଣ ପ୍ରଥମେ ସୋସିଆଲ ମିଡିଆ ଦେଖିବା ପାଇଁ ସମୟ ସୀମା ସ୍ଥିର କରନ୍ତୁ
-ଦିନକୁ କେତେ ସମୟ ରିଲ୍ସ ଦେଖିବେ, କେଉଁ ସମୟରେ ଦେଖିବେ ସ୍ଥିର କରନ୍ତୁ
-ସୋସିଆଲ ମିଡିଆରୁ ନିୟମିତ ବିରତି ନିଅନ୍ତୁ
-ଧିରେଧିରେ ଏହି ଅଭ୍ୟାସ ବଢାନ୍ତୁ ଏବଂ ଅଧିକ ଅଫଲାଇନ୍ ଜୀବନ ବିତାଇବାକୁ ଚେଷ୍ଟା କରନ୍ତୁ
-ଅନଲାଇନ ନୁହେଁ ଅଫଲାଇନରେ ଭାବ ଆଦାନପ୍ରଦାନ କରିବାକୁ ଚେଷ୍ଟା କରନ୍ତୁ
-ପରିବାର ଲୋକଙ୍କୁ ଏକାଠି କରି ସମୟ ବିତାଇବାକୁ ଯୋଜନା କରନ୍ତୁ
-ଆପଣଙ୍କ ଫୋନର ସ୍କ୍ରିନରେ ସ୍କ୍ରୋଲ୍ କରିବାର ଇଚ୍ଛାକୁ ନିୟନ୍ତ୍ରଣରେ ରଖନ୍ତୁ
- ବହି ପଢାପଢି କରନ୍ତୁ
-ସାଙ୍ଗସାଥି ଏବଂ ପରିବାର ସହିତ ଅଧିକ ସମୟ ବିତାନ୍ତୁ
-ଦେଖିବେ ଜୀବନ ସୁନ୍ଦର ହେବ ଆଉ ରିଲ୍ସ ନିଶାରୁ ମଣିଷ ମୁକ୍ତି ପାଇବ

ଅଧିକ ପଢନ୍ତୁ-

ଘାରିଛି ରିଲ୍ସ ନିଶା, ବଢୁଛି ଘରୋଇ ହିଂସା… ସୋସିଆଲ ମିଡ଼ିଆ ଭାଙ୍ଗୁଛି ସୁନାର ସଂସାର !