୨୦୨୫ବର୍ଷ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବେଶ୍ ସଫଳ ବର୍ଷ। ଚଳିତବର୍ଷ ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ସଂସ୍ଥାରମୂଳକ ପଦକ୍ଷେପ ନେଇଛନ୍ତି। ବହୁଚର୍ଚ୍ଚିତ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ହୋଇପାରିଛି। ପ୍ରଥମଥର ଲାଗି ଆୟୁଷ ଡାକ୍ତରଙ୍କ କ୍ୟାଡର୍ ଗଠନ ହୋଇଥିବା ବେଳେ ଏଲୋପ୍ୟାଥିକ ଡାକ୍ତର ଓ ନର୍ସିଂ ସେବା କ୍ୟାଡର୍ ସଂଶୋଧନ କରାଯାଇଛି। ଦୁଇଟି ନୂଆ ମେଡିକାଲ କଲେଜକୁ ଅନୁମୋଦନ ମିଳିଛି। ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ହୋଇଛି। ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ଏତେସବୁ ପଦକ୍ଷେପ ଭିତରେ ଅନେକ ଅବ୍ୟବସ୍ଥା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସ୍ବାସ୍ଥ୍ୟସେବାର ମେରୁଦଣ୍ଡ ପାଲଟିଥିବା ପୁରୁଣା ୧୦୮ ଆମ୍ବୁଲାନ୍ସକୁ ଠିକଣା ସମୟରେ ବଦଳାଇବାରେ ବିଳମ୍ବ ସରକାରଙ୍କ ପାଇଁ ବଦନାମ ଆଣିଛି। ଆୟୁଷ ଛାତ୍ରଛାତ୍ରୀ ଦାବି ପୂରଣ ପାଇଁ ଧର୍ମଘଟ ଆରମ୍ଭ କରିଥିବା ବେଳେ ସମୟ ସମୟରେ ଓମ୍ସା ମଧ୍ୟ ଆନ୍ଦୋଳନ ଧମକ ଦେଇଛି। ଏହାସାଙ୍ଗକୁ ବର୍ଷବ୍ୟାପୀ ବିଭିନ୍ନ ସମୟରେ ଅଲଗା ଅଲଗା ରୋଗ ରାଜ୍ୟବାସୀଙ୍କୁ ଏକପ୍ରକାର ରୋଗଣା କରିଦେଇଛି। ହଇଜାରେ ଶହ ଶହ ଲୋକ ଆକ୍ତାମାକ୍ତା ହୋଇଥିବା ବେଳେ ଦବି ରହିଥିବା କୋଭିଡ୍ ହଠାତ୍ ମୁଣ୍ଡ ଟେକି ଡରାଇବା ସହ ବର୍ଷ ଶେଷ ଆଡ଼କୁ ସ୍କ୍ରବ୍ ଟାଇଫସ୍ ଚିନ୍ତା ବଢ଼ାଇଛି।
ପ୍ରସ୍ତୁତି: କ୍ଷିତୀଶ ରାୟ, ଅଳଙ୍କରଣ: ଦୀପ୍ତି ଆଚାର୍ଯ୍ୟ
ରାଜ୍ୟବାସୀଙ୍କୁ ‘ଆୟୁଷ୍ମାନ’ ଭେଟି
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟବାସୀଙ୍କୁ ବଡ଼ ଭେଟି ଭାବେ ‘ଆୟୁଷ୍ମାନ ଭାରତ’ ଲାଗୁ କରିଛନ୍ତି। ଏପ୍ରିଲ ମାସରେ ଓଡ଼ିଶାରେ ଏହି େଯାଜନାର ଶୁଭାରମ୍ଭ େହାଇଛି। ହିତାଧିକାରୀ ଏବେ ଗୋଟିଏ କାର୍ଡରେ ଦେଶବ୍ୟାପୀ ଅନୁବନ୍ଧିତ ହସ୍ପିଟାଲ୍ରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ। ଏଥିପାଇଁ ଜାନୁଆରି ମାସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଯାହାଫଳରେ ରାଜ୍ୟ ସରକାରଙ୍କ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ (ଜିଜେଏୱାଇ) ଓ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ର ମିଶ୍ରଣ ହୋଇଛି। ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର ୧.୦୩କୋଟି ପରିବାରଙ୍କୁ ଚିକିତ୍ସା ସୁବିଧା ମିଳିବ। ଏଥିରେ ୬୭ଲକ୍ଷ ହିତାଧିକାରୀ ଆୟୁଷ୍ମାନ ଭାରତ ଓ ବଳକା ୩୩ଲକ୍ଷରୁ ଅଧିକ ହିତାଧିକାରୀ ଜିଜେଏୱାଇରେ ସାମିଲ ହେବେ। ପୁରୁଷଙ୍କୁ ୫ଲକ୍ଷ ଓ ମହିଳା ସଦସ୍ୟଙ୍କୁ ୧୦ଲକ୍ଷ ଚିକିତ୍ସା ସୁବିଧା ମିଳିବ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯିବ। ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ)ରେ ପରିବାର ପିଛା ଦୁଇଟି କାର୍ଡ ଦିଆଯାଉଥିଲା। ସେହିପରି ୭୦ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ନାଗରିକଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ବିନା ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ମିଳିବ। ଏଥିପାଇଁ କୌଣସି ପ୍ରକାର କଟକଣା ନାହିଁ। ପରିବାର ପିଛା ୫ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ପାଇପାରିବେ। ରାଜ୍ୟରେ ୨୩ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଥିବାବେଳେ ସେମାନଙ୍କୁ ପାଇଁ ଏହି ଯୋଜନା ବେଶ୍ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।
G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍ଟପ୍ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ
୨୯ଟି ସିଟ୍ରେ ଡିଏନ୍ବି ପାଠ୍ୟକ୍ରମକୁ ଅନୁମତି
ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର ହେବ। ୨ଟି ସରକାରୀ ମେଡିକାଲ କଲେଜର ୨୯ଟି ସିଟ୍ରେ ଡିପ୍ଲୋମେଟ୍ ଅଫ୍ ନ୍ୟାସନାଲ ବୋର୍ଡ(ଡିଏନ୍ବି) ପାଠ୍ୟକ୍ରମ ପାଇଁ ଅନୁମତି ମିଳିଛି। ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୨୫ ଏବଂ ବଲାଙ୍ଗୀର ମେଡିକାଲ କଲେଜ ପାଇଁ ୪ଟି ସିଟ୍କୁ ଜାତୀୟ ଡାକ୍ତରୀ ପରୀକ୍ଷା ବୋର୍ଡ(ଏନ୍ବିଇଏମ୍ଏସ୍) ପକ୍ଷରୁ ଅନୁମତି ଦିଆଯାଇଛି।
ଶିଶୁ ଭବନରେ ବଡ଼ ସଂପ୍ରସାରଣ
୧୯୬୦ ମସିହାରେ ଶିଶୁ ଭବନ ପ୍ରତିଷ୍ଠା ହେବା ପରଠାରୁ ସବୁଠୁ ବଡ଼ ସମ୍ପ୍ରସାରଣ ହୋଇଛି। ରାଜ୍ୟ ସରକାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ରୋଗ ଚିକିତ୍ସା ପ୍ରତିଷ୍ଠାନ ବା ଶିଶୁ ଭବନର ଶଯ୍ୟା ସଂଖ୍ୟାକୁ ବଢ଼ାଇଛନ୍ତି। ଆଉ ୫୬୯ଟି ନୂତନ ଶଯ୍ୟାକୁ ଅନୁମୋଦନ ମିଳିଥିବାରୁ ହସ୍ପିଟାଲରେ ସମୁଦାୟ ଶଯ୍ୟା ସଂଖ୍ୟା ୮୪୬କୁ ବଢ଼ିବ। ଏହାସହ ବିଭିନ୍ନ ବର୍ଗରେ ୫୯ ଟି ଡାକ୍ତରୀ ଶିକ୍ଷକ ଓ ଡାକ୍ତର ପଦକୁ ମଧ୍ୟ ମଞ୍ଜୁର କରିଛନ୍ତି। ନୂତନ ମଞ୍ଜୁର ପଦବିରେ ୫ ପ୍ରଫେସର, ୧୦ ଆସୋସିଏଟ୍ ପ୍ରଫେସର, ୧୮ ଆସିଷ୍ଟାଣ୍ଟ ପ୍ରଫେସର, ୨୪ ସିନିୟର ରେସିଡେଣ୍ଟ ଓ ୨ ମେଡିକାଲ ଅଫିସର ପଦବି ରହିଛି।
/filters:format(webp)/sambad/media/media_files/2025/12/06/shfshfxbv-2025-12-06-01-46-43.jpg)
୧୦୮ ଆମ୍ବୁଲାନ୍ସକୁ ଡରିଲେ
ରାଜ୍ୟରେ ରୋଗୀସେବାର ମେରୁଦଣ୍ଡ ହେଉଛି ୧୦୮ ଆମ୍ବୁଲାନ୍ସ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି। ୫ବର୍ଷ ପୁରୁଣା କିମ୍ବା ୫ଲକ୍ଷରୁ ଅଧିକ କିମି ଚାଲିଥିବା ୧୦୮ ଆମ୍ବୁଲାନ୍ସକୁ ବଦଳାଇବା ଜରୁରି ହୋଇପଡ଼ିଥିଲା। ମାତ୍ର ପୁରୁଣା ହୋଇପଡ଼ିଥିବା ଏହି ଆମ୍ବୁଲାନ୍ସକୁ ଠିକ୍ ସମୟରେ ପରିବର୍ତ୍ତନ କରିବାରେ ସରକାରୀ ଉଦାସନୀତା ସମସ୍ୟା ଆଣିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ କେଉଁ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ଯାଉଥିବା ବେଳେ ଅଧା ବାଟରେ ଅଟକିଥିଲା ତ ଆଉ କାହାର ବ୍ରେକ୍ଫେଲ୍ ହୋଇଥିଲା। ଏହି କାରଣ ପାଇଁ ଆମ୍ବୁଲାନ୍ସରେ ଯିବା ଲାଗି ରୋଗୀମାନେ ଡରିବା ଆରମ୍ଭ କରିଥିଲେ। ମାସ ମାସ ଧରି ଏହି ପରିସ୍ଥିତି ଲାଗି ରହିବା ପରେ ଶେଷରେ ସରକାର ୪୨୬ଟି ଆମ୍ବୁଲାନ୍ସକୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି।
Literature: ‘ସ୍ତମ୍ଭସାହିତ୍ୟ’ ଆଲୋଚନାରେ ଭାଗ ନେଲେ ବିଶିଷ୍ଟ ସ୍ତମ୍ଭକାର
୨୦୦ ବର୍ଷ ତଳେ ଭାରତରେ ବିଶ୍ବର ପ୍ରଥମ ହଇଜା ସଂକ୍ରମଣ ଚିହ୍ନଟ ହୋଇଥିଲା। ଏହାଭିତରେ ଦେଶ ଆର୍ଥିକ, ବୈଷୟିକ ଦୃଷ୍ଟିରୁ ଢେର୍ ବିକଶିତ ହୋଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ବେଶ୍ ଉନ୍ନତି କରିଛି। ହେଲେ ଓଡ଼ିଶା ଆଜି ବି ଝାଡ଼ାବାନ୍ତି କବଳରୁ ମୁକ୍ତ ହୋଇପାରିନାହିଁ। ଝାଡ଼ାବାନ୍ତିରେ ଲୋକଙ୍କ ଜୀବନ ଯାଉଛି। ଚଳିତବର୍ଷ ଅଧା ଓଡ଼ିଶା ଝାଡ଼ାବାନ୍ତିରେ ଆକ୍ତାମାକ୍ତା ହୋଇଛି। ବିଶେଷକରି ପୁରୀ ଜିଲ୍ଲା କଣାସ ଓ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଶହ ଶହ ଲୋକଙ୍କୁ ଡାକ୍ତରଖାନାକୁ ଟାଣି ଆଣିଥିଲା। ପରେ ଏକାଧିକ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିଥିଲା। ଯାଜପୁରରେ ହଇଜା ଚିହ୍ନଟ ହେବା ସରକାରଙ୍କ ପାଇଁ ଲଜ୍ଜା ଆଣିଥିଲା। ଜାନୁଆରି ମାସ ଆରମ୍ଭରୁ ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଦୟା ନଦୀର ଦୂଷିତ ଜଳ ପିଇବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଜାଗୁଳେଦଇଦର ଗାଁରୁ ଆରମ୍ଭ ହୋଇଥିବା ଡାଇରିଆ ଧୀରେ ଧୀରେ ଏକାଧିକ ଗାଁକୁ ବ୍ୟାପୀ ଯାଇଥିଲା। ଏଥିରେ ଶହେରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ଏଥିରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। କଣାସରେ ଝାଡ଼ାବାନ୍ତି କମିବା ବେଳକୁ ଯାଜପୁରରେ ଆରମ୍ଭ ହୋଇଯାଇଥିଲା। ମାସାଧିକ କାଳ ଝାଡ଼ାବାନ୍ତି ଯାଜପୁରରେ ଆତଙ୍କ ଖେଳାଇଥିଲା। ସରକାରଙ୍କ ବ୍ୟାପକ ପଦକ୍ଷେପ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା। ଯାଜପୁରରେ ସଂଗୃହୀତ ହୋଇଥିବା ୪୧ଟି ମଳ ନମୁନାରୁ ୮ଟିରେ ହଇଜା ଚିହ୍ନଟ ହୋଇଥିଲା। ପରେ କଟକ, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଝାଡ଼ାବାନ୍ତି ଚିହ୍ନଟ ହୋଇଥିଲା। ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ସଙ୍ଗିନ ହେବା ପରେ କେନ୍ଦ୍ରର ଏକ ୭ ଜଣିଆ ସ୍ୱାସ୍ଥ୍ୟ ଟିମ୍ ଓ ୩ଜଣିଆ ଖାଦ୍ୟ ନିରାପତ୍ତା ଟିମ୍ ଓଡ଼ିଶା ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ।
କନ୍ୟା ସନ୍ତାନଙ୍କୁ ୧୨ହଜାର
ଏଣିକି ଝିଅ ଜନ୍ମ ହେଲେ ଗର୍ଭବତୀଙ୍କୁ ମିଳିବ ୧୨ହଜାର ଟଙ୍କା। ରାଜ୍ୟ ସରକାରଙ୍କ ‘ମମତା’ ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେବା ଫଳରେ ଏହି ଅର୍ଥ ରାଶିରେ ବୃଦ୍ଧି ହୋଇଛି। ତେବେ ପୁଅ ଜନ୍ମ ହେଲେ ୧୦ହଜାର ଟଙ୍କା ମିଳିବ। ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ଦିଆଯିବ। ହେଲେ ପିଭିଟିଜି(ବିଶେଷଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ)ଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ। ସେହିପରି ସହାୟତା କରୁଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୫୦ ଟଙ୍କା, ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଏହି ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାର ୧୧୫.୯୭ କୋଟି ଓ ରାଜ୍ୟ ସରକାର ୩୯୫.୭୫ କୋଟି ଟଙ୍କା ଯୋଗାଇ ଦେବେ।
/filters:format(webp)/sambad/media/media_files/2025/12/06/dgdagadczvv-2025-12-06-01-47-37.jpg)
ହଠାତ୍ ମୁଣ୍ଡ ଟେକିଲା କୋଭିଡ୍
୨୦୨୨ ମସିହା ପରେ ଶାନ୍ତ ହୋଇଯାଇଥିବା କୋଭିଡ୍ ଚଳିତବର୍ଷ ପୁଣିଥରେ ଓଡ଼ିଶାରେ ମୁଣ୍ଡ ଟେକିଥିଲା। ଭୁବନେଶ୍ବର, କଟକ ବାଦ୍ ଅନ୍ୟ ଅଞ୍ଚଳରେ ମଧ୍ୟ କୋଭିଡ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ବେଶ୍ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍କୁ ନେଇ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଟପିଥିବା ବେଳେ ଜଣେ ୮୫ବର୍ଷର ବ୍ୟକ୍ତିଙ୍କ ଏଥିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ବହୁଦିନ ପରେ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କ କୋଭିଡ୍ରେ ମୃତ୍ୟୁ ହୋଇଛି କି ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ। ଏହାସହ ଓଡ଼ିଶାରେ କରୋନାର ଓମିକ୍ରନ ପ୍ରଜାତିର ଦୁଇ ଉପପ୍ରଜାତି ଏଲ୍ଏମ୍.୭.୯ ଓ ଏକ୍ସଏଫ୍ଜି ଚିହ୍ନଟ ହୋଇଛି। ଦେଶର କିଛି ହାତଗଣତି ରାଜ୍ୟ ଭିତରୁ ଓଡ଼ିଶାରେ ଏକ୍ସଏଫ୍ଜିର ନୂଆ ଷ୍ଟେନ୍ ଚିହ୍ନଟ ହୋଇଛି। ତେବେ ଏହି ଦୁଇ ଉପପ୍ରଜାତିର ସଂକ୍ରମଣ କ୍ଷମତା ଉପରେ ଅଧିକ ଗବେଷଣା ଜାରି ରହିଛି।
ନିରବ ଘାତକ ସ୍କ୍ରବ୍ ଟାଇଫସ୍
ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଏକ ନିରବ ଘାତକ ସାବ୍ୟସ୍ତ ହେଲାଣି। ଏକାଦା ଓଡ଼ିଶାରେ ଏହି ରୋଗକୁ ଜାଣି ନ ଥିବା ଲୋକ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେଣି। ବିଶେଷକରି ପଶ୍ଚିମ ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ମାଡ଼ିବାରେ ଲାଗିଛି। ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ହଠାତ୍ ମାଡ଼ିବା ପଛର କାରଣ ଓ ଏହାର କିଭଳି ନିରାକଣ କରାଯିବ ତାହାକୁ ନେଇ ସରକାରୀ ସ୍ତରରେ ଆନ୍ତରିକତା ଦେଖିବାକୁ ମିଳୁନାହିଁ। ୨୦୨୩ ମସିହାରେ ବରଗଡ଼ ସମେତ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ବଢ଼ିଥିଲା। କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସି ଏହାର ତନାଘନା କରି ଏକ ରିପୋର୍ଟ ଦେଇଥିଲେ। ହେଲେ ଏହି ରିପୋର୍ଟ ଉପରେ କିଛି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଚଳିତବର୍ଷ ସମାନ ଭାବେ ସ୍କ୍ରବ୍ ଟାଇଫସ୍ ବଢ଼ିବାରେ ଲାଗିଛି। ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ଶତାଧିକ ଆକ୍ରାନ୍ତ ହେବା ସହ ଜୀବନ ଯାଇଛି।
ମ୍ୟାଲେରିଆରେ ଅଲୋଡ଼ା ରେକର୍ଡ, ଡେଙ୍ଗୁ କମିଲା
ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଲଗାତାର ଦ୍ବିତୀୟବର୍ଷ ଲାଗି ଶୀର୍ଷରେ ରହି ଓଡ଼ିଶା ଅଲୋଡ଼ା ରେକର୍ଡ କରିଛି। ଦେଶର ୨୭% ମ୍ୟାଲେରିଆ ରୋଗୀ କେବଳ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି। ଗତ କିଛିବର୍ଷ ଧରି ରୋଗୀଙ୍କ ସଂଖ୍ୟା ବଢ଼ିବା ଫଳରେ ଓଡ଼ିଶାରେ ମ୍ୟାଲେରିଆ ୨୦୧୮ ମସିହା ସ୍ଥିତିକୁ ଫେରିଯାଇଛି। ମ୍ୟାଲେରିଆ ନିରାକରଣ ପାଇଁ କେନ୍ଦ୍ର ସରକାର ୨୦୩୦କୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ସେପଟେ ଗତ ୧୦ବର୍ଷ ଭିତରେ ଓଡ଼ିଶାରେ ମ୍ୟାଲେରିଆ ବଜେଟ୍ ୨ଗୁଣା ବଢ଼ିଛି। ରୋଗ ନିୟନ୍ତ୍ରଣ ଲାଗି ସରକାରୀସ୍ତରରେ ଆନ୍ତରିକତାର ଅଭାବ ପାଇଁ ୨୦୩୦ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିବା ଏକପ୍ରକାର ଅସମ୍ଭବ ମନେ ହେଉଛି। ଅନ୍ୟପଟରେ ଦୁଇବର୍ଷ ଧରି ଡେଙ୍ଗୁରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ଚଳିତବର୍ଷ ସାମାନ୍ୟ ଆଶ୍ବସ୍ତି ମିଳିଛି। ଚଳିତବର୍ଷ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଡେଙ୍ଗୁ ନିୟନ୍ତ୍ରଣାଧୀନ ରହିଛି। ଯାହାଫଳରେ ରାଜ୍ୟେର ଡେଙ୍ଗୁ ସ୍ଥିତି ୨୦୨୦ ମସିହା ବେଳର ସ୍ଥିତିକୁ ଫେରିଆସିଛି। ତେବେ ମଶା ନିୟନ୍ତ୍ରଣ ଦିଗରେ ସାମାନ୍ୟ ଅବହେଳା ରାଜ୍ୟରେ ମ୍ୟାଲେରିଆ ବଢ଼ିବା ଭଳି ଡେଙ୍ଗୁ ମଧ୍ୟ କଲବଲ କରିପାରେ ବୋଲି ଆଶଙ୍କା ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/06/sfhhffhxvb-2025-12-06-01-45-44.jpg)