ଆଭ୍ୟନ୍ତରୀଣ ଅସନ୍ତୋଷ... ଅଶାନ୍ତି। 
ରାଜ୍ୟର ତିନି ପ୍ରମୁଖ ଦଳକୁ କଲବଲ କରିଦେଉଛି ଅନ୍ତଃକନ୍ଦଳ। ଶାସକ ଓ ବିରୋଧୀ ସମସ୍ତଙ୍କୁ ସମାନ ଦଶା। ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିଛି ବିଜେପି। ନିଗମ ଓ ବୋର୍ଡରେ ଥଇଥାନ ପାଇଁ ଅପେକ୍ଷାରତ ଶତାଧିକ ନେତା। ୨୦୨୪ରେ ନିଯୁକ୍ତି ମିଳିଲାନି। ୨୦୨୫ରେ ବି ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି। ଦିନ ଗଡ଼ୁଛି କିନ୍ତୁ କାହାକୁ ପଦ ମିଳୁନି। ଏହାକୁ ନେଇ ଦଳ ଭିତରେ ଅସନ୍ତୋଷ କାହିଁରେ କ’ଣ? କ୍ଷମତାରେ ଥିବାରୁ ଅସନ୍ତୋଷ ଫୁଟିକି ଆଗକୁ ଆସୁନି, ସମସ୍ତେ ଗୁମ୍‌ସୁମ୍‌। ଆଉ କ୍ଷମତାରୁ ଗଲା ପ‌ରେ ବିଜେଡି ସ୍ଥିତି ସଙ୍ଗିନ। ଯିଏ ଯାହା ପାରୁଛି କହୁଛି। ଠୋସ୍ କାର୍ଯ୍ୟାନୁଷ୍ଠାନ ନେଇ କାହାକୁ ଫିଙ୍ଗି ଦେଲା ପରି ସାହସ ଆଉ ଦଳ ମୁଖିଆଙ୍କର ନାହିଁ। କ୍ଷମତାର ନାଲି ଆଖି ନାହିଁ କାହାରିକୁ ବଦନାମ କରି ଏକ ଘରିକିଆ କରିବାକୁ। କଂଗ୍ରେସ ସ୍ଥିତି ଯଥା ପୂର୍ବଂ ତଥା ପର। ଯିଏ ବି ସଭାପତି ହେଉ। ଦଳ ଭିତରେ ଟଣାଓଟରା ଚାଲିବ ମାନେ ଚାଲିବ। ୨୦୨୫ ବି ସେହି ଉଦାହରଣ ଦେଖାଇଛି। ତିନି ଦଳର ଅନ୍ତଃକନ୍ଦଳ, ଅସନ୍ତୋଷ ବର୍ଷତମାମ ଚର୍ଚ୍ଚାରେ ରହିଛି। ୨୦୨୬ରେ ସେସବୁକୁ ପ୍ରଶମିତ କରି ୨୦୨୭ରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ସବୁଠାରୁ ବଡ଼ ଆହ୍ବାନ।
ଉପସ୍ଥାପନା: ଚୌଧୁରୀ ଅମିତାଭ ଦାସ, ବିଶ୍ବଜିତ ଦାଶ
ଅଳଙ୍କରଣ: କମଳ ଲୋଚନ ପଣ୍ଡା
କାର୍ଟୁନ୍‌: ଦେବାଶିଷ ସିଂହ

Advertisment

ବିଜେପିରେ ନିଷ୍ପତ୍ତି ଅଡ଼ୁଆ

sfhfshfsbxvbv

ଦେଢ଼ ବର୍ଷ ହେଲା ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କଲାଣି। ହେଲେ ଏପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରିମଣ୍ଡଳରେ ଖାଲି ପଡ଼ିଥିବା ୬ଟି ପଦବି ପୂରଣ ହେଉନି। ଯାହାକୁ ନେଇ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କେବଳ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନିଷ୍ପତ୍ତି ହୋଇପାରୁନି, ତାହା ନୁହେଁ। ଏପର୍ଯ୍ୟନ୍ତ ବିଭିନ୍ନ ବୋର୍ଡ ଓ ନିଗମର ସଭାପତି ଓ ଅଧ୍ୟକ୍ଷ ପଦ ବି ପୂରଣ ହୋଇପାରିଲାନି। ରାଜ୍ୟ ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଯୋଗୁ ନିଷ୍ପତ୍ତି ହୋଇପାରୁନଥିବା କୁହାଯାଉଛି। ଯାହାକୁ ନେଇ ଦଳର ଦ୍ବିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେହିପରି ରାଜ୍ୟ ସରକାର ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଥିବା ବେଳେ ନୀତି ଆୟୋଗ ଢାଞ୍ଚାରେ ଏହାକୁ ପୁନଃଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କିଏ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ହେବେ ତାହା ବି ସ୍ଥିର ହୋଇପାରୁନି। ଜିଲ୍ଲା ଯୋଜନା ବୋର୍ଡଗୁଡ଼ିକର ଅଧ୍ୟକ୍ଷ ପଦବି ବି ଖାଲି ପଡ଼ିଛି। ତାହାକୁ ପୂରଣ କରିବା ନେଇ ତତ୍ପରତା ଦେଖାଯାଉନି। ଏହାବାଦ୍ ସବୁ ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତି ଏବଂ ଅନ୍ୟାନ୍ୟ ରାଜନୈତିକ ପଦବି ପୂରଣ ହୋଇପାରିନି। ମୁଖ୍ୟତଃ ଏହି ପଦପଦବିଗୁଡ଼ିକ ସରକାର ଓ ଦଳ ମଧ୍ୟରେ ସମନ୍ବୟ ରଖି ପୂରଣ କରିବାର ଥିଲେ ହେଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରୁନି।

T-20 : ଶ୍ରୀଲଙ୍କାକୁ ୧୫ ରନରେ ହରାଇଲା ଭାରତୀୟ ମହିଳା ଦଳ

ସେହିପରି ଦଳ ତରଫରୁ ୩୭ଟି ସାଙ୍ଗଠନିକ ଜିଲ୍ଲାରୁ ୩୬ଟିରେ ଜିଲ୍ଲା ସଭାପତି ନିଯୁକ୍ତି ଦିଆ ସରିଥିବାବେଳେ ସମ୍ବଲପୁର ଜିଲ୍ଲା ଅଡ଼ୁଆ ତୁଟୁନି। କୌଣସି ଜିଲ୍ଲାରେ ଜିଲ୍ଲା କମିଟି ଗଠନ ହୋଇପାରୁନି କି ରାଜ୍ୟ କାର୍ଯ୍ୟକାରିଣୀ କମିଟି ଗଠନ ହୋଇପାରୁନି। ବିଜେପି ସରକାର ଗଠନ କରିଥିଲେ ବି କୌଣସି ପ୍ରସଙ୍ଗରେ ତ୍ବରିତ ନିଷ୍ପତ୍ତି ନେବାରେ ଦଳ ପଛଘୁଞ୍ଚା ଦେଉଥିବା ଚର୍ଚ୍ଚ‌ା ଚାଲିଛି।

ନୂଆପଡ଼ାରେ ବାଜି ମାରିଲା ବିଜେପି

fgsfhjfshfsxbxbv

ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ଉପନିର୍ବାଚନ ନୂଆପଡ଼ାରେ ହେଲା। ଗତ ଦୁଇଦଶନ୍ଧି ଧରି ରାଜ୍ୟରେ ପ୍ରାୟ ସମସ୍ତ ଉପନିର୍ବାଚନରେ ଏକତରଫା ବାଜି ମାରୁଥିବା ବିଜେଡି ପାଇଁ ଏହି ଉପନିର୍ବାଚନ ଥିଲା ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଭରସା ଭରିବାର ବଡ଼ ସୁଯୋଗ। ଆଉ ବିଜେପି ପାଇଁ ଥିଲା ସମ୍ମାନର ବିଷୟ। କଂଗ୍ରେସ ବି ପଛରେ ନାହିଁ ତାହା ପ୍ରମାଣ କରିବାର ସୁଯୋଗ ଦଳ ପାଖରେ ଥିଲା। କିନ୍ତୁ ନୂଆପଡ଼ା ଉପନିର୍ବାଚନରେ ବିଜେପି ନିଜର ସମ୍ମାନ ରଖିବାକୁ ବିଜେଡି ଓ କଂଗ୍ରେସକୁ ଧୂଳି ଚଟେଇ ଦେଲା। ବିଜେଡିରୁ ବିଧାୟକ ଥାଇ ମୃତ୍ୟୁବରଣ କରିଥିବା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରୁ ପ୍ରାର୍ଥୀ ହୋଇ ନୂଆପଡ଼ାରେ ୮୩ହଜାରରୁ ଅଧିକ ଭୋଟରେ ବାଜି ମାରିନେଲେ। ବିଜେପିର ଏହି ଏକତରଫା

ବିଜୟ ଯେତିକି ଅବିଶ୍ବସନୀୟ ଥିଲା ତା’ଠାରୁ ଅଧିକ ଅବିଶ୍ବସନୀୟ ଥିଲା ବିଜେଡି ଏଠାରେ ତୃତୀୟ ସ୍ଥାନରେ ରହିବା। ଜୟ ଢୋଲକିଆ ବି‌େଜପିରୁ ପ୍ରାର୍ଥୀ ହେବା ପରେ ବିଜେଡି ପ୍ରାର୍ଥୀ ଚୟନ କରିବାର ଦ୍ବନ୍ଦ୍ବ ଭିତରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ବିଜେଡିର ଦୁର୍ବଳ ରଣନୀତି ପାଇଁ ସ୍ନେହାଙ୍ଗିନୀ ମାତ୍ର ୩୮୪୦୮ ଖଣ୍ଡ ଭୋଟ ପାଇଲେ। ଗତ ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ଥିବା ଘାସିରାମ ମାଝୀ ଏଥର କଂଗ୍ରେସର ପ୍ରାର୍ଥୀ ହୋଇ ସେହି ଦ୍ବିତୀୟ ସ୍ଥାନରେ ରହିଲେ। କିନ୍ତୁ ଭୋଟ କମି ୪୦,୧୨୧ରେ ପହଞ୍ଚିଲା। ବିଜେପିର ଏହି ବଡ଼ ବିଜୟ ମୋହନ-ମନମୋହନ ଯୋଡ଼ିକୁ ଅଧିକ ଆତ୍ମବିଶ୍ବାସ ଦେଇଛି।

ଚର୍ଚ୍ଚାରେ ରହିଲେ ଧର୍ମେନ୍ଦ୍ର

ବିହାର ବିଧାନସଭା ନିର୍ବାଚନ ବିଜେପି ପାଇଁ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା। ଏହି ନିର୍ବାଚନ ଜାତୀୟ ରାଜନୀତିକୁ ଅନେକ ମାତ୍ରାରେ ପ୍ରଭାବିତ କରିବାର ସମ୍ଭାବନା ଥିଲା। ଏଠାରେ ନିର୍ବାଚନ ପ୍ରଭାରୀ ଭାବେ ପ୍ରଚାରର ମଙ୍ଗ ଧରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିହାରରୁ ସେ ରାଜ୍ୟସଭାକୁ ମନୋନୀତ ହେବା ସହ ସେଠାରେ ତାଙ୍କର ନିର୍ବାଚନ ପରିଚାଳନାର ଅଭିଜ୍ଞତା ରହିଥିଲା। ଏଥର ବିହାରରେ ଏନ୍‌ଡିଏ ସଫଳତାର ଏକ ବଡ଼ ଶ୍ରେୟ ଧର୍ମେନ୍ଦ୍ରଙ୍କୁ ଦିଆଯାଇଥିଲା। ଜାତୀୟ ଗଣମାଧ୍ୟମରେ ତାଙ୍କୁ ନେଇ ଜୋର୍‌ଦାର ଚର୍ଚ୍ଚା ହୋଇଥିଲା। ଦାୟିତ୍ବ ନେବା ପରଠାରୁ ବିହାରରେ ରହି ପୂରା ନିର୍ବାଚନ ପ୍ରଚାରକୁ ସେ ପରିଚାଳନା କରିଥିଲେ।

ତାଙ୍କର କ୍ଷେତ୍ରୀୟ ଅନୁଭବ, ଅଭିଜ୍ଞତା, ସହଯୋଗୀ ଦଳମାନଙ୍କୁ ଏକାଠି ରଖିବାର ଦକ୍ଷତା ଓ ମୋଦୀ ସରକାରଙ୍କ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରଭାବଶାଳୀ ରଣନୀତି ଏନ୍‌ଡିଏର ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ବୋଲି କୁହାଯାଉଛି। ଗତବର୍ଷ ଅକ୍ଟୋବରରେ ଧର୍ମେନ୍ଦ୍ର ହରିୟାଣାର ନିର୍ବାଚନ ପ୍ରଭାରୀ ଭାବେ କାର୍ଯ୍ୟ କରି ସେଠାରେ ବିଜେପିକୁ ତୃତୀୟ ଥର କ୍ଷମତାକୁ ଆଣିବାରେ ବଡ଼ ଭୂମିକା ନେଇଥିଲେ। ତ୍ରିପୁରା, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ପ୍ରଭାରୀ ଓ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ବ ନେଇ ବିଜେପି ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି।  

ନବୀନଙ୍କ ଯାଦୁ ନିଷ୍ପ୍ରଭ

ରାଜ୍ୟରେ ବିଜେଡି କ୍ଷମତାଚ୍ୟୁତ ହେଲା ପରେ ନବୀନ ପଟ୍ଟନାୟକଙ୍କ ଯାଦୁ ବି ନିଷ୍ପ୍ରଭ ହୋଇଯାଇଛି। ଆଉ ନବୀନଙ୍କ ନାଁରେ ଭୋଟ ନାହିଁ, ତାହା ନୂଆପଡ଼ା ଉପନିର୍ବାଚନ ପ୍ରମାଣିତ କରିଦେଲା। ନବୀନ ଓ ବିଜେଡି ନାଁରେ ଭୋଟ ମିଳିବ ବୋଲି ଆକଳନ କରି ବିଜେଡି ନୂଆପଡ଼ାରେ ମନଇଚ୍ଛା ପ୍ରାର୍ଥୀ ଚୟନ କରିଥିଲା। ନିଜେ ନବୀନ ପ୍ରଚାରର ମଙ୍ଗ ଧରିଥିଲେ। ମୁଖ୍ୟମନ୍ତ୍ରୀ ଥିଲା ବେଳେ ଗତ ୧୦ ବର୍ଷରେ ଯେତେ ଉପନିର୍ବାଚନ ହୋଇଛି, ସେଠାକୁ ପ୍ରଚାର କରିବାକୁ ନିଜେ ଯାଇନାହାନ୍ତି। କିନ୍ତୁ ଏଠାରେ ନବୀନଙ୍କ ଭାବମୂର୍ତ୍ତିକୁ ବାଜିରେ ଲଗାଗଲା। ଦୁଇ ଦୁଇ ଥର ନବୀନ ନୂଆପଡ଼ା ଯାଇ ପ୍ରଚାର କଲେ।

ବୟସାଧିକ ଯୋଗୁ ଶାରୀରିକ ଅସୁସ୍ଥତା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ତାହା ସତ୍ତ୍ବେ ନବୀନ ନୂଆପଡ଼ା ଗଲେ। ବିଜେଡିର ଧାରଣା ଥିଲା ଯେ ନବୀନଙ୍କ ପ୍ରତି ଲୋକଙ୍କର ସମ୍ବେଦନଶୀଳତା ରହିବ। ନବୀନ ହାତ ହଲେଇଲେ ଭୋଟ ମିଳିଯିବ। କିନ୍ତୁ ତାହା ହେଲା ନାହିଁ। ନବୀନଙ୍କୁ ଦେଖିବା ପାଇଁ ଲୋକଙ୍କର ସେଠାରେ ଆଗ୍ରହ ଥିଲା ସତ। କିନ୍ତୁ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପଡ଼ିଲା ନାହିଁ। ୨୦୨୪ରେ ନିଜେ ନବୀନ ପ୍ରଥମ ଥର ପାଇଁ ପରାଜୟର ସାମନା କରିଥିଲେ। ଆଉ ଏଥର ପ୍ରଚାର ମଇଦାନକୁ ଓହ୍ଲାଇବା ସତ୍ତ୍ବେ ନିଜ ଦଳର ପ୍ରାର୍ଥୀ ତିନି ନମ୍ବରକୁ ଖସିଗଲେ। କେବଳ ସେତିକି ନୁହେଁ, ଦଳ ଭିତରେ ବୟାନବାଜି, ଗୋଷ୍ଠୀ ବିବାଦ ବି ଦିନକୁ ଦିନ ବଢ଼ିଚାଲିଛି। ଦୁର୍ବଳ ରଣନୀତି ଯୋଗୁ ଗୋଟିଏ ପରେ ଗୋଟିଏ ବ୍ଲକ୍ ହାତରୁ ଖସିଯାଉଛି। ଦଳର ସାଂଗଠନିକ ସ୍ଥିତିକୁ ସଶକ୍ତ କରିବା ପାଇଁ ନବୀନ ମ୍ୟାଜିକ୍ ବି କାମ ଦେଉ ନଥିବା ସମସ୍ତେ ଅନୁଭବ କଲେଣି।

କଂଗ୍ରେସରେ କନ୍ଦଳ

sfhhfshfxvbbv

ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ ବି ପୂର୍ବାପେକ୍ଷା ତାଙ୍କର ଭୋଟ କମିଥିଲା। ପିସିସି ସଭାପତି ଭକ୍ତଚରଣ ଦାସ ଏହାପରେ ଦଳରେ କିଛି ବିଭୀଷଣ ଥିବା ବିବୃତି ଦେଇଥିଲେ। ଯାହାକୁ ନେଇ କଂଗ୍ରେସ ଶିବିରରେ ଥିବା ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା। ଭକ୍ତଙ୍କ ମନ୍ତବ୍ୟକୁ ଅନେକ ବରିଷ୍ଠ ନେତା ନାପସନ୍ଦ କରିଥିଲେ। କିନ୍ତୁ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ନୂଆପଡ଼ାରେ ଦଳର ପରାଜୟ ଏବଂ ବିଭିନ୍ନ କାରଣ ଦର୍ଶାଇ ଭକ୍ତଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଏହାପରେ ମୋକିମ୍ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ଆଣି ତାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଦିଆଗଲା। ଯାହାକୁ କଂଗ୍ରେସର କେତେକ ବରିଷ୍ଠ ନେତା ନାପସନ୍ଦ କରିଥିଲେ। ଯେଉଁ ଭକ୍ତ ପିସିସି ସଭାପତି ହେବା ପରେ ଦଳରେ ପୂର୍ବରୁ ବହିଷ୍କୃତ ହୋଇଥିବା ସମସ୍ତ ନେତାଙ୍କ ଉପରୁ ଗୋଟିଏ ଚିଠିରେ ବହିଷ୍କାର ଉଠାଇ ଦେଇଥିଲେ, ସେ ତାଙ୍କର ଗୋଟିଏ ବର୍ଷର କାର୍ଯ୍ୟକାଳ ପୂରୁ ପୂରୁ ଏକାଧିକ ନେତାଙ୍କୁ ଦଳରୁ ବହିଷ୍କାର କଲେଣି। ଯାହାକୁ ନେଇ କଂଗ୍ରେସ କନ୍ଦଳ ପଦାରେ ପଡ଼ିଛି।

ପ୍ରଥମ ରାଷ୍ଟ୍ରପତି ଭାବେ ବିଧାନସଭାରେ ଅଭିଭାଷଣ

ଶୀତ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭା ଗୃହରେ ବିଧାୟକଙ୍କୁ ଉଦ୍‌ବୋଧ ଦେଇଥିଲେ। ପ୍ରଥମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଓଡ଼ିଶା ବିଧାନସଭାରେ ଅଭିଭାଷଣ ରଖିଥିଲେ। ଏହି ଅବସରରେ ରାଷ୍ଟ୍ରପତି ବିଧାୟକମାନଙ୍କୁ ଗୃହରେ କିପରି ନୈତିକତା ରଖିବାକୁ ହେବ, ନିଜ ଆଚରଣ ଓ ଉଚ୍ଚାରଣରେ ସଞ୍ଜମ ଆଣିବାକୁ ହେବ ସେନେଇ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତିଙ୍କୁ ବିଧାନସଭାରେ ନିଆରା ଢଙ୍ଗରେ ବି ସ୍ବାଗତ କରାଯାଇଥିଲା। ଶ୍ରୀମତୀ ମୁର୍ମୁ ଓଡ଼ିଶା ସରକାରରେ ମନ୍ତ୍ରୀ ଥିବାବେଳେ ଯେଉଁ ପ୍ରକୋଷ୍ଠରେ ବସୁଥିଲେ ସେହି ପ୍ରକୋଷ୍ଠକୁ ନୂଆ ରୂପ ଦିଆଯାଇଥିଲା। ସେଠାରେ ରାଷ୍ଟ୍ରପତି କିଛି ସମୟ ବିତାଇଥିଲେ। ଏହା ସହ ବିଧାନସଭାରେ ସମସ୍ତ ବିଧାୟକଙ୍କ ସହ ଗ୍ରୁପ୍ ଫଟୋ ଉଠାଇ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ।

ପଞ୍ଚାୟତ ଉପନିର୍ବାଚନ ଘୁଞ୍ଚାଇଦେଲେ

ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୪୩ଟି ୱାର୍ଡମେମ୍ବର, ୪୩ଟି ସରପଞ୍ଚ, ୪୦ଟି ସମିତି ସଭ୍ୟ, ୫ଟି ଜିଲ୍ଲା ପରିଷଦ ସଭ୍ୟ ପଦ ଖାଲି ପଡ଼ିଛି। ଏଗୁଡ଼ିକୁ ପୂରଣ କରିବା ପାଇଁ ଜୁନ୍ ୨୩ ତାରିଖରେ ଉପନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିସନର୍‌ ମଧୁସୂଦନ ପାଢ଼ୀ ମେ’ ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ବିଜ୍ଞପ୍ତି ପ୍ରକାଶକୁ ୨୪ଘଣ୍ଟା ନପୂରୁଣୁ ଏହାକୁ ରଦ୍ଦ କରିଦିଆଗଲା। ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ କୁହାଗଲା, ଉପନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିବା ସମୟରେ ରାଜ୍ୟରେ ମୌସୁମୀ ଜନିତ ବର୍ଷା ହେବାକୁ ଥିବାରୁ ଏହା ଦ୍ବାରା ମତଦାତାମାନଙ୍କର ବିଭିନ୍ନ ସମସ୍ୟା ହେବ। ମତଦାନ ସାମଗ୍ରୀ ଓ ପୋଲିଂ ଅଧିକାରୀଙ୍କ ଯାତାୟତରେ ସମସ୍ୟା ହେବାର ଆଶଙ୍କା ଥିବାରୁ ଏବେ ଉପନିର୍ବାଚନ ନ କରିବା ପାଇଁ ନିଷ୍ପତ୍ତି ହୋଇଛି। ବର୍ଷା ଋତୁ ପରେ ଏହି ଉପନିର୍ବାଚନ ହେବ। ହେଲେ ବର୍ଷା ଯାଇ ଶୀତ ଋତୁ ସରିବାକୁ ବସିଲାଣି, କିନ୍ତୁ ରାଜ୍ୟ ନିର୍ବାଚନ କମିସନ୍‌ କେବେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ହେବ ସେନେଇ କିଛି କହୁନାହାନ୍ତି। ବିଜ୍ଞପ୍ତି ଜାରି ହେବା ଏବଂ ୨୪ ଘଣ୍ଟା ଭିତରେ ତାହା ବାତିଲ୍‌ ହେବା ଘଟଣା ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚିତ ବିଷୟ ଥିଲା। ଏହା ପଛର କାରଣ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। 

shhfhfsshf

ବିଧାୟକଙ୍କ ବିଶୃଙ୍ଖଳା ସୀମା ଲଂଘିଲା

ବଜେଟ୍ ଅଧିବେଶନ ବେଳେ ବିଧାନସଭା ଗୃହରେ ଚରମ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା।  ଗୃହ ମଧ୍ୟରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଧସ୍ତାଧସ୍ତି ହୋଇଥିଲେ। ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରକୁ ସେମାନେ ଯୁଦ୍ଧକ୍ଷେତ୍ରରେ ପରିଣତ କରିଦେଇଥିଲେ। ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ସାମନାରେ ହୋହଲ୍ଲା କରିଥିଲେ। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମନ୍ତ୍ରୀଙ୍କ ନିକଟକୁ ଆସି ହାତ ଠାରି ବିଜେପିର ବିଧାୟକମାନଙ୍କୁ ଡାକି ଦେଇଥିଲେ। ସଙ୍ଗେ ସଙ୍ଗେ ଶାସକ ଦଳର ବିଧାୟକମାନେ ଏକଜୁଟ୍ ହୋଇ କଂଗ୍ରେସ ବିଧାୟକଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ଗୃହ ମଧ୍ୟଭାଗରେ ଉଭୟ ଦଳ ବିଧାୟକଙ୍କ ମଧ୍ୟରେ ଠେଲାପେଲା ହେଲା। ପରସ୍ପରକୁ ଧକ୍କା, ଗାଳିଗୁଲଜରେ ଗୃହ କମ୍ପିଥିଲା। ବିଧାନସଭାରେ ଏହି ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା। ବିଧାୟକମାନଙ୍କର ଏହି ଉତ୍ସୃଙ୍ଖଳ ଆଚରଣକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କୁ ସାତ ଦିନ ପାଇଁ ଗୃହରୁ ନିଲମ୍ବିତ କରାଗଲା। ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଶୃଙ୍ଖଳା କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଥିଲେ। ଏପରିକି ମନ୍ତ୍ରୀ ଅଶ୍ଳୀଳ ଭାଷା କହିଥିବାର ଆରୋପ ବି ଲଗାଯାଇଥିଲା।

ରାଜ୍ୟ ପାଇଲା ପ୍ରଥମ ମହିଳା ମୁଖ୍ୟ ସଚିବ

shfshfxbvxvb

୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅନୁ ଗର୍ଗ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହେବେ। ଜାନୁଆରି ୧ରୁ ଶ୍ରୀମତୀ ଗର୍ଗ ଦାୟିତ୍ବ ଗ୍ରହଣ କରିବେ। ସେ ହେବେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ସଚିବ। ୧୯୩୬ ମସିହାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ମୋଟ ୪୬ଜଣ ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଥିବାବେଳେ ସମସ୍ତେ ପୁରୁଷ ଆଇଏଏସ୍ ଅଧିକାରୀ ଥିଲେ। ୪୭ତମ ମୁଖ୍ୟ ସଚିବ ଜଣେ ମହିଳା ହେବାକୁ ଯାଉଛନ୍ତି। ୨୦୨୯ ମାର୍ଚ୍ଚରେ ଶ୍ରୀମତୀ ଗର୍ଗ ଅବସର ନେବେ। ଅବସର ପର୍ଯ୍ୟନ୍ତ ସେ ଯଦି ମୁଖ୍ୟ ସଚିବ ରୁହନ୍ତି, ତେବେ ତାଙ୍କର ଅବଧି ୩ ବର୍ଷ ୩ ମାସ ରହିବ। ଅପରପକ୍ଷରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ମନୋଜ ଆହୁଜା ମୁଖ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୨୪ ଡିସେମ୍ବର ୩୧ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ବି ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ୧ବର୍ଷ ବୃଦ୍ଧି କରିଥିଲେ। ୨୦୨୫ ଡିସେମ୍ବର ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ସରକାର ଏହାକୁ ଆଉ ବୃଦ୍ଧି ନକରି ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ପରବର୍ତ୍ତୀ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।