ଜଣାଅଜଣା ଓଡ଼ିଶା: ରାଜା ଶୋଇଥିଲେ ରାସ୍ତାକଡ଼ରେ

ରାଜା ମହାରାଜାମାନଙ୍କର ବିଳାସବ୍ୟସନ ଭରା ଜୀବନ, ମନମୁଖୀ ଶାସନ ଓ ପ୍ରଜା ନିର୍ଯାତନାର କାହାଣୀ ଅନେକ ଶୁଣିବାକୁ ମିଳେ। ଓଡ଼ିଶାରେ କିନ୍ତୁ ଏଭଳି ଜଣେ ପ୍ରଜାବତ୍ସଳ ରାଜପୁରୁଷ ଥିଲେ ଯେ କି ସାଧାରଣ ମଣିଷଙ୍କ ସହ ଖୁବ୍‌ ସହଜରେ ମିଶି ପାରୁଥିଲେ।

RETQR

ସ୍ବରାଜ ମିଶ୍ର

ରାଜା ମହାରାଜାମାନଙ୍କର ବିଳାସବ୍ୟସନ ଭରା ଜୀବନ, ମନମୁଖୀ ଶାସନ ଓ ପ୍ରଜା ନିର୍ଯାତନାର କାହାଣୀ ଅନେକ ଶୁଣିବାକୁ ମିଳେ। ଓଡ଼ିଶାରେ କିନ୍ତୁ ଏଭଳି ଜଣେ ପ୍ରଜାବତ୍ସଳ ରାଜପୁରୁଷ ଥିଲେ ଯେ କି ସାଧାରଣ ମଣିଷଙ୍କ ସହ ଖୁବ୍‌ ସହଜରେ ମିଶି ପାରୁଥିଲେ। ଦେଶ ସ୍ବାଧୀନ ହେବା ପରେ  ରାଜତନ୍ତ୍ର ଓ ସାଧାରଣତନ୍ତ୍ରର ସନ୍ଧିକ୍ଷଣରେ ସେ ରାଜସିଂହାସନରୁ ଓହ୍ଲାଇ ଜନପ୍ରତିନିଧିର ଆସନରେ ବସିଥିଲେ। ଓଡ଼ିଶାବାସୀଙ୍କ ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ କିନ୍ତୁ ତାଙ୍କୁ ନେଇ ବସାଇ ଦେଇଥିଲା ରାଜ୍ୟର ମୁଖ୍ୟମନ୍ତ୍ରୀ ଗାଦିରେ। ମହାରାଜାରୁ ମୁଖ୍ୟମନ୍ତ୍ରୀ ବନିଥିବା ଏହି ମହାନୁଭବଙ୍କ  ନାଁ ରାଜେନ୍ଦ୍ର ନାରାୟଣ ସିଂହଦେଓ। ପାଟଣା ମହାରାଜା ନାମରେ ରାଜେନ୍ଦ୍ର ନାରାୟଣ ସାରା ଓଡ଼ିଶାରେ ପରିଚିତ। ଅବିଭାଜିତ ବଲାଙ୍ଗୀର ଜିଲ୍ଲା ଓ ଆଖପାଖ ଅଞ୍ଚଳକୁ ନେଇ ପୁରାତନ ପାଟଣା ରାଜ୍ୟ ଗଠିତ ଥିଲା, ଯେଉଁଠାରେ ଚୌହାନ ବଂଶର ରାଜାମାନେ ରାଜତ୍ବ କରୁଥିଲେ। କିନ୍ତୁ ଅନେକେ ହୁଏତ ଜାଣିନଥିବେ ଯେ ରାଜେନ୍ଦ୍ର ନାରାୟଣ ଏହି ବଂଶରେ ଜନ୍ମି ନଥିଲେ। ପାଟଣା ମହାରାଜା ପୃଥ୍ବୀରାଜ ସିଂହଦେଓ ଅପୁତ୍ରିକ ଥିବାରୁ ସେ ଷଢ଼େଇକଳା ରାଜବଂଶର ସନ୍ତାନ ରାଜେନ୍ଦ୍ର ନାରାୟଣଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ। 

ରାଜେନ୍ଦ୍ର ଥିଲେ ରାଠୋର ବଂଶୀୟ ଷଢ଼େଇକଳାର ରାଜା ଆଦିତ୍ୟ ପ୍ରତାପଙ୍କର ଦ୍ବିତୀୟ ପୁତ୍ର। ତାଙ୍କର ମା’ ପଦ୍ମିନୀ କୁମାରୀ ଥିଲେ ପାଟଣା ମହାରାଜା ପୃଥ୍ବୀରାଜ  ସିଂହଦେଓଙ୍କ ଝିଆରି। ୧୯୧୨ ମସିହାରେ ଜନ୍ମିତ ରାଜେନ୍ଦ୍ର ଥିଲେ ପାଠପଢ଼ା, ଖେଳକୁଦ ଓ ନାଚଗୀତରେ ମସଗୁଲ୍‌ ଏକ ପ୍ରତିଭାବାନ କିଶୋର। ପାଠପଢ଼ାରେ ଯେତିକି ବିଚକ୍ଷଣ, ଫୁଟବଲ୍, କ୍ରିକେଟ୍, ଟେନିସ୍ ଓ ପୋଲୋ ଆଦି ଖେଳରେ ସେତିକି ପ୍ରବୀଣ। ୧୯୨୪ରେ ପୃଥ୍ବୀରାଜ ସିଂହଦେଓଙ୍କ ତିରୋଧାନ ବେଳକୁ ତାଙ୍କୁ ମାତ୍ର ବାର ବର୍ଷ ବୟସ। ତେଣୁ ତାଙ୍କୁ ୨୧ ବର୍ଷ ହେବା  ପରେ ୧୯୩୩ ମସିହାରେ ସେ ରାଜ୍ୟଭାର ସମ୍ଭାଳିଲେ। ରାଜା ହିସାବରେ ରାଜେନ୍ଦ୍ର ଥିଲେ ଅତ୍ୟନ୍ତ ପ୍ରଜାବତ୍ସଳ ଓ ପ୍ରଗତିଶୀଳ। କୃଷି, ଜଳସେଚନ, ସ୍ବାସ୍ଥ୍ୟସେବା, ଶିକ୍ଷା ଓ ସାଂସ୍କୃତିକ ନବଜାଗରଣ ପାଇଁ ସେ ଅନେକ ଲୋକହିତକର କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ବିଶେଷକରି ଅସ୍ପୃଶ୍ୟତା ନିରାକରଣ ପାଇଁ ହରିଜନମାନଙ୍କୁ ମନ୍ଦିର ପ୍ରବେଶର ଅଧିକାର ଦେବା ତାଙ୍କର ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଥିଲା। 

୧୯୪୭ରେ ଦେଶ ସ୍ବାଧୀନ ହେଲାବେଳକୁ ସେ ଠିକ୍ ବୁଝିପାରିଥିଲେ ସମୟର ଆହ୍ବାନକୁ। ଏଣୁ ସେ ଗଡ଼ଜାତ ମିଶ୍ରଣ ରାଜିନାମାରେ ବିନାଦ୍ବିଧାରେ ସ୍ବାକ୍ଷର କରିଥିଲେ ଏବଂ ନିଜକୁ ପ୍ରସ୍ତୁତ କରିଥିଲେ ନୂଆ ଯୁଗ ସହ ତାଳ ମିଳାଇ ଚାଲିବା ପାଇଁ। ପାଟଣା ମହାରାଜା ହିସାବରେ ଦୀର୍ଘ ୧୫ ବର୍ଷର ସୁଶାସନ ପରେ ସେ ଜନତାଙ୍କ ସ୍ବାର୍ଥରକ୍ଷା ପାଇଁ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିଲେ। ‘ଗଣତନ୍ତ୍ର ପରିଷଦ’ ନାମରେ ଏକ ଆଞ୍ଚଳିକ ଦଳ ପ୍ରତିଷ୍ଠା କରି ସେ ରାଜ୍ୟ ରାଜନୀତିରେ କଂଗ୍ରେସକୁ କଡ଼ା ଟକ୍କର ଦେଇଥିଲେ। ୧୯୫୧-୫୨ରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ତାଙ୍କ ଦଳ ରାଜ୍ୟ ବିଧାନସଭାର ୧୪୦ଟି ଆସନରୁ ୩୧ଟିରେ ବିଜୟୀ ହୋଇ ବିଧାନସଭାରେ ମୁଖ୍ୟ ବିରୋଧୀଦଳର ମାନ୍ୟତା ପାଇଥିଲା। ସେ ନିଜେ ବଲାଙ୍ଗୀର-କଳାହାଣ୍ଡି ଆସନରୁ ଜିଣି ଯାଇଥିଲେ ଲୋକସଭାକୁ।
ସେହି ସମୟରେ ଯେଉଁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାଟି ତାଙ୍କୁ ସବୁଠାରୁ ଅଧିକ ବ୍ୟଥିତ କରିଥିଲା, ତାହା ହେଉଛି ତାଙ୍କର ପ୍ରିୟ ଜନ୍ମମାଟି ଷଢ଼େଇକଳା ଓ ଖରସୁଆଁ ଆଦି ଗଡ଼ଜାତର ତତ୍କାଳୀନ ବିହାର ପ୍ରଦେଶ ସହ ମିଶ୍ରଣ। ଓଡ଼ିଶା ସହ ମିଶିବା ପାଇଁ ଏଠିକାର ସାଧାରଣ ଜନତାଙ୍କ ଆଗ୍ରହକୁ ଅତି ନିକଟରୁ ବୁଝିଥିଲେ ରାଜେନ୍ଦ୍ର। ଏହି ନିଷ୍ପତ୍ତି ବିରୁଦ୍ଧରେ ଜନ ଆନ୍ଦୋଳନର ନେତୃତ୍ବ ନେଇ ସେ ଗିରଫ ହୋଇଥିଲେ। ଲୋକସଭାରେ ତାଙ୍କର ଦୃଢ଼ ପ୍ରତିବାଦ ସତ୍ତ୍ବେ  ରାଜ୍ୟ ପୁନର୍ଗଠନ ଆଇନ ପାସ୍ ହୋଇଯାଇଥିବାରୁ ପ୍ରତିବାଦ ସ୍ୱରୂପ ସେ ୧୯୫୬ ନଭେମ୍ବରରେ ଲୋକସଭାରୁ ଇସ୍ତଫା ଦେଇଥିଲେ।ତେବେ ତାଙ୍କୁ ସବୁଠାରୁ ଅଧିକ ସଫଳତା ମିଳିଲା ୧୯୬୭ରେ। ସେତେବେଳକୁ ତାଙ୍କର ଆଞ୍ଚଳିକ ଦଳଟି ସର୍ବଭାରତୀୟ ‘ସ୍ବତନ୍ତ୍ର ଦଳ’ ସହ ମିଶିଯାଇଥାଏ। ପୂର୍ବ ସରକାର ବିରୁଦ୍ଧରେ ପ୍ରବଳ ଜନ ଅସନ୍ତୋଷକୁ ଆଧାର କରି ତାଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଦଳ ଓ ମହତାବଙ୍କ ଜନକଂଗ୍ରେସ ଦଳର ମିଳିତ ମନ୍ତ୍ରିମଣ୍ଡଳ କ୍ଷମତାକୁ ଆସିଲା ଏବଂ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହିସାବରେ ଶପଥ ନେଲେ। 

ବାପାଙ୍କ ଦ୍ୱିତୀୟ ପୁତ୍ର ହୋଇଥିବାରୁ କେବେ ବି ମହାରାଜା ହେବାର ସ୍ବପ୍ନ ଦେଖିନଥିବା ରାଜେନ୍ଦ୍ର ବିଧିର ନିର୍ଦ୍ଦେଶରେ ପାଟଣା ସିଂହାସନ ଆରୋହଣ କରିଥିଲେ। ସେହିପରି, କେବେ ବି କ୍ଷମତା ପଛରେ ଧାଇଁନଥିବା ଏହି ସ୍ବାଭିମାନୀ ରାଜପୁରୁଷ ଲୋକଙ୍କ ଶ୍ରଦ୍ଧା ଓ ସ୍ନେହ ବଳରେ ୧୯୬୭ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କର ଶାସନକାଳ ଥିଲା ନୀତିନିଷ୍ଠ ସୁଶାସନର ସମୟ।

ତାହା ଥିଲା ଏକ ଐତିହାସିକ ମୁହୂର୍ତ୍ତ। ବାପାଙ୍କ ଦ୍ୱିତୀୟ ପୁତ୍ର ହୋଇଥିବାରୁ କେବେ ବି ମହାରାଜା ହେବାର ସ୍ବପ୍ନ ଦେଖିନଥିବା ରାଜେନ୍ଦ୍ର ବିଧିର ନିର୍ଦ୍ଦେଶରେ ପାଟଣା ସିଂହାସନ ଆରୋହଣ କରିଥିଲେ। ସେହିପରି, କେବେ ବି କ୍ଷମତା ପଛରେ ଧାଇଁ ନଥିବା ଏହି ସ୍ବାଭିମାନୀ ରାଜପୁରୁଷ ଲୋକଙ୍କ ଶ୍ରଦ୍ଧା ଓ ସ୍ନେହ ବଳରେ ୧୯୬୭ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କର ଶାସନକାଳ ଥିଲା ନୀତିନିଷ୍ଠ ସୁଶାସନର ସମୟ। ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦେଉ ନଥିବା ମୁଖ୍ୟମନ୍ତ୍ରୀ ଏହି ସମୟରେ ନିଜ ସମେତ ନିଜ ସରକାର ସହ ସଂପୃକ୍ତ ମନ୍ତ୍ରୀମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାରୁ ତାହାର ନିରପେକ୍ଷ ତଦନ୍ତ ଲାଗି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ମୁଧୋଲକରଙ୍କ ଅଧ୍ୟକ୍ଷତାରେ କମିସନ୍ ବସାଇଥିଲେ। ସମଦର୍ଶିତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଦୃଢ଼ନିଷ୍ପତ୍ତିରେ ଅଟଳ ରହୁଥିଲେ ମଧ୍ୟ ରାଜନୀତିର କୂଟକପଟଠାରୁ ସେ ଥିଲେ ଅନେକ ଦୂରରେ। ଏଣୁ ଘଟଣାଚକ୍ରରେ ଜାନୁଆରି ୧୯୭୧ରେ ମହତାବଙ୍କ ଜନକଂଗ୍ରେସ ତାଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାରୁ ସେ ତୁରନ୍ତ ଇସ୍ତଫା ଦେଇଥିଲେ।

ସେ ଥିଲେ ଜଣେ ଭିନ୍ନ ମଣିଷ। ତାଙ୍କର ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ଅଇଁଠୁ ସାହୁ ‘ମହାନୁଭବ ମହାରାଜା’ ପୁସ୍ତକରେ ଲେଖିଛନ୍ତି ଯେ ସେ ମହାରାଜାଙ୍କୁ ହରିଜନମାନଙ୍କ ସହ ଏକାଠି ଭୋଜନ କରିବାର ବହୁବାର ଦେଖିଛନ୍ତି। ଥରେ ବେଲପଡ଼ାରେ ଅଇଁଠୁବାବୁଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ଡାକବଙ୍ଗଳା ନମିଳିବାରୁ ଜଣେ ଦଳୀୟ କର୍ମୀ ତାଙ୍କ ଘରେ ମହାରାଜାଙ୍କ ଶୋଇବା ବ୍ୟବସ୍ଥା କରିଥିଲେ। ମାତ୍ର ଖୁବ୍ ଗରମ ହେଉଥିବାରୁ ମହାରାଜା ଘର ବାହାରେ ଶଯ୍ୟା ବ୍ୟବସ୍ଥା କରିବା ପାଇଁ କହିଲେ। ସରକାରୀ ରାସ୍ତାଠାରୁ ଅନତିଦୂରରେ ମଶାରି ବାନ୍ଧି ଖଟିଆରେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ ମହାରାଜା। ଗାଁ ଲୋକେ ଦୂରରେ ଥାଇ ସ୍ବଇଚ୍ଛାରେ ରାତିସାରା ଜଗିରହିଥିଲେ ରାଜମହଲର ତୂଳୀତଳ୍ପ ଶଯ୍ୟା ଛାଡ଼ି ଧୂଳିଧୂସରିତ ରାସ୍ତାକଡ଼ରେ ଶୋଇଥିବା ମହାରାଜାଙ୍କୁ। କେତେ ସରଳ ଓ ନିର୍ମଳ ହୃଦୟର ମଣିଷ! ତାଙ୍କର ଏହି ଛଳନାହୀନ  ବ୍ୟକ୍ତିତ୍ବ ଯୋଗୁଁ ଲୋକଙ୍କ ହୃଦୟରେ ରାଜ୍‌ କରୁଥିଲେ ରାଜେନ୍ଦ୍ର।

ଯେ ବି ତାଙ୍କ ନିକଟ ସମ୍ପର୍କରେ ଆସିଛି, ସେ ପ୍ରଭାବିତ ହୋଇଛି ତାଙ୍କର ବ୍ୟକ୍ତିତ୍ୱରେ। ପ୍ରଖ୍ୟାତ ଲେଖକ ସୁରେନ୍ଦ୍ର ମହାନ୍ତି ନିଜର ଆତ୍ମଜୀବନୀ ‘ପଥ ଓ ପୃଥିବୀ’ରେ  ମହାରାଜାଙ୍କ ସହ ତାଙ୍କର ଶେଷ ସାକ୍ଷାତର ଅନୁଭୂତି ବର୍ଣ୍ଣନା କରିଛନ୍ତି। “ବମ୍ବେ ଏୟାର୍‌ପୋର୍ଟରେ ପହଞ୍ଚିଲା ପରେ  ସିଧା ଆସିଲି ଟାଟା କ୍ୟାନ୍‌ସର୍‌ ଇନ୍‌ଷ୍ଟିଚ୍ୟୁଟ୍‌। ମହାରାଜା ସବା ଉପର ମହଲା ନର୍ସିଂହୋମର ଗୋଟିଏ ପ୍ରଶସ୍ତ କକ୍ଷରେ ରହୁଥିଲେ। ଖଟ ଉପରେ ସେ ଚିତ୍ ହୋଇ ଶୋଇଥାନ୍ତି। ସବୁଦିନେ ତାଙ୍କୁ ଯେଉଁ ପୋଷାକରେ ଦେଖିଆସିଛି, ସେଦିନ ମଧ୍ୟ ସେହିପରି ପୋଷାକରେ ତାଙ୍କୁ ଦେଖିଥିଲି- ପାଇକଛାମରା ଧୋତି ଓ ଇସ୍ତ୍ରୀକରା ପଞ୍ଜାବି। ଛାତି ପକେଟରେ ରୁମାଲ, ପଦାକୁ ଅଳ୍ପ ବାହାରି ଆସିଛି। ଆଖିରେ ଚଷମା। ସେଇ କାନ୍ତକୋମଳ ଚେହେରା। ରୋଗଶଯ୍ୟାରେ ସୁଦ୍ଧା ବନ୍ଧୁମାନଙ୍କ ପାଇଁ ସେଇ ହସ-ସେଇ ଅଭ୍ୟର୍ଥନା-ସେଇ ଜିଜ୍ଞାସା- ଆଉ ଖବର କ’ଣ?”

କିଛିସମୟ ପାଖରେ ବସିବା ପରେ ସେ ତାଙ୍କ ପାଦ ଛୁଇଁ ବିଦାୟ ନେଲେ। ବାହାରକୁ ଆସି ଦରଜାଟା ଆଉଜାଇ ଦେବାବେଳେ ହଠାତ୍ ପଛରୁ ମହାରାଜାଙ୍କ କଣ୍ଠସ୍ବର ଶୁଭିଲା, “ଗୁଡବାଏ!” ତାହାହିଁ ଥିଲା ସେ ଶୁଣିଥିବା ଏଇ ମହାମନୀଷୀଙ୍କର ଶେଷସ୍ବର। ତାହାର ଦୁଇତିନିଦିନ ପରେ ୧୯୭୫ ମସିହା ଫେବ୍ରୁଆରି ମାସ ୨୩ ତାରିଖରେ ତାଙ୍କର ଦେହାବସାନ ହେଲା। ତାହା ଥିଲା ଏକ ଯୁଗର ଅବସାନ। ସେ ଥିଲେ ଜନତାଙ୍କ ହୃଦୟର ରାଜା, ଏଇ ମାଟିର ମହାରାଜା!
ତିରୋଧାନ ଦିବସ ଅବସରରେ ସେହି ଯୁଗପୁରୁଷଙ୍କୁ ବିନମ୍ର ପ୍ରଣାମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe