The Statesman
ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲାରେ ମଞ୍ଜୁରିପ୍ରାପ୍ତ ୮୬ଟି ଆର୍ଆଇ ପଦବି ମଧ୍ୟରୁ ୮୧ଟି ଖାଲି ପଡ଼ିଛି। ଏଠାରେ ୯୪ ଅମିନ ପଦବି ମଧ୍ୟରୁ ୭୫ ଖାଲି ପଡ଼ିଛି। ଭଦ୍ରକ ଜିଲ୍ଲାରେ ୮୨ଟି ଆର୍ଆଇ ପଦବିରୁ ୩୧ଟି ଖାଲି ଥିବା ବେଳେ ୫୧ଟି ଅମିନ ପଦବି ମଧ୍ୟରୁ ୨୫ଟି ଖାଲି ଅଛି।
ଆଜି ବିଧାନସଭାର ପ୍ରଶ୍ନ କାଳରେ ରାଜସ୍ବ ମନ୍ତ୍ରୀଙ୍କ ଏହି ତଥ୍ୟ ସଭ୍ୟମାନଙ୍କ ଆଖି ତରାଟି ଦେଇଥିଲା। ବିନା ଆର୍ଆଇ, ଅମିନରେ ଜିଲ୍ଲା କେମିତି ଚାଲିଛି ବୋଲି ଉଦ୍ବେଗ ପ୍ରକାଶ ପାଇଥିଲା। ଦଳ ମତ ନିର୍ବିଶେଷରେ ବିଧାୟକମାନେ କହିଥିଲେ, ଏବେ ସବୁ କାମରେ ଆର୍ଆଇ ରିପୋର୍ଟ ଖୋଜାଯାଉଛି। ବନ୍ୟା, ବାତ୍ୟା ଠାରୁ ଆରମ୍ଭ କରି ଜନ୍ମ, ମୃତ୍ୟୁ ପର୍ଯ୍ୟନ୍ତ ସବୁଥିରେ ଆର୍ଆଇମାନେ ସରଜମିନ୍ ଯାଞ୍ଚ୍ କରି ରିପୋର୍ଟ ଦେବେ। ତହସିଲ୍ଦାର ନ ଥିଲେ ଚଳିଯିବ, କିନ୍ତୁ ଆର୍ଆଇ, ଅମିନ ନ ଥିଲେ ଗାଁ ଠାରୁ ସହର ଯାଏ ଲୋକ କେବଳ ସମସ୍ୟା ହିଁ ଭୋଗିବେ।
ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସମସ୍ୟାର ଗମ୍ଭୀରତାକୁ ସ୍ବୀକାର କରିଥିଲେ। କହିଥିଲେ, ସରକାର ଏ ନେଇ ସେଚତନ ଅଛନ୍ତି। ପୂରା ରାଜ୍ୟରେ ୫୦୦ରୁ ଅଧିକ ଆର୍ଆଇ ପଦବି ଖାଲି ପଡ଼ିଛି। ଉଭୟ ଆର୍ଆଇ, ଅମିନ ପଦବି ପୂରଣ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏହି ସମସ୍ୟା ସମାଧାନ ହେବ।
ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲଙ୍କ ମୂଳ ପ୍ରଶ୍ନ ଥିଲା, ରାଜସ୍ବ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ଏକ ଆର୍ଆଇ ସର୍କଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ ହେବାର କାରଣ କ’ଣ ? ମନ୍ତ୍ରୀଙ୍କ ଉତ୍ତର ଥିଲା, ପ୍ରତ୍ୟେକ ପଞ୍ଚାୟତକୁ ଗୋଟିଏ ଆର୍ ଆଇ ସର୍କଲରେ ପରିଣତ କରିବା ପାଇଁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଜନସଂଖ୍ୟା, ଭୌଗଳିକ ଅବସ୍ଥିତି ଓ କାର୍ଯ୍ୟର ଗୁରୁତ୍ବକୁ ବିଚାରକୁ ନେଇ ଆବଶ୍ୟକ ସ୍ଥଳେ ନୂଆ ଆର୍ଆଇ ସର୍କଲ ଗଠନ କରାଯାଉଛି।
ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ସାମଲ କହିଲେ, ରାଜ୍ୟେର ୬,୮୩୧ ଗ୍ରାମ ପଞ୍ଚାୟତ ଥିଲା ବେଳେ ଆର୍ଆଇ ସର୍କଲ ମାତ୍ର ୨୨୭୧ ଅଛି। ଏତେ କମ୍ ଆର୍ଆଇରେ ଲୋକଙ୍କ କାମ କେମିତି ହେବ ? ସବୁ କାମରେ ତ ସରକାର ଆର୍ଆଇ ରିପୋର୍ଟ ମାଗୁଛନ୍ତି। ଆର୍ଆଇ ନ ରହିଲେ ଲୋକଙ୍କ କାମ ଅଟକିଯିବ। ବନ୍ତ ବ୍ଲକ୍ରେ ଜଣେ ବି ଆର୍ଆଇ ନାହାନ୍ତି ବୋଲି ସେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶାଣିତ ଭାଷାରେ ସରକାରଙ୍କ ଅବହେଳା ଉପରେ ପ୍ରଶ୍ନ କରି କହିଲେ, କେବେ ସୁଦ୍ଧା ପ୍ରତି ପଞ୍ଚାୟତକୁ ଆର୍ଆଇ ସର୍କଲରେ ପରିଣତ କରାଯିବ, ମନ୍ତ୍ରୀ ତାହାର ଠିକ୍ ଉତ୍ତର ଦିଅନ୍ତୁ। ବିନା ଆର୍ଆଇ, ଅମିନରେ ଜିଲ୍ଲା ଚାଲିପାରିବ ତ ? ରାଜ୍ୟରେ ରାଜସ୍ବ ପ୍ରଶାସନ କିପରି ଚାଲିଛି ? ଅତି ଶୀଘ୍ର ଆର୍୍ଆଇ, ଅମିନ ନିଯୁକ୍ତି ଦେବେ କି ?
ଶାସକ ଦଳ ସଭ୍ୟ ନୃସିଂହ ସାହୁ କହିଥିଲେ, ଜମି ଚିହ୍ନଟ ପାଇଁ ଲୋକ ଆବେଦନ କରୁଛନ୍ତି। କିନ୍ତୁ ଅମିନ ନ ଥିବାରୁ କାମ ହୋଇପାରୁନି। ଜନସେବା କେନ୍ଦ୍ରରେ ବି ରାଜସ୍ବ ସେବା ମିଳୁ ନାହିଁ। ସଭ୍ୟ ଅମର ଶତପଥୀ କହିଥିଲେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆର୍ଆଇ, ଅମିନ ପଦବି ପୂରଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ।
କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଥିଲେ, ଖୋର୍ଦ୍ଧା ଜିଲ୍ଲାରେ ବହୁ ଆଦିବାସୀ ଗାଁ ଅଛି। ଫନି ବାତ୍ୟାରେ ସେମାନଙ୍କ ଘର ଭାଙ୍ଗିଯାଇଛି। କିନ୍ତୁ ଦୁଇ ମାସ ହେଲା ଆର୍ଆଇ ରିପୋର୍ଟ ଦେଉ ନାହାନ୍ତି। ସେମାନେ କେବଳ ବିଲ୍ଡର୍ଙ୍କ କାମରେ ମାତିଛନ୍ତି। କେ ନାରାୟଣ ରାଓ ଓ ସୁବ୍ରତ ତରାଇ ଅତିରିକ୍ତ ପ୍ରଶ୍ନ କରିଥିଲେ।
ମନ୍ତ୍ରୀ ଗୃହରେ ଆଶ୍ବାସନା ଦେଇଥିଲେ, ରାଜସ୍ବ ପ୍ରଶାସନରେ ଆର୍ଆଇ, ଅମିନଙ୍କର ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେଥି ପାଇଁ ସଭ୍ୟମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ସରକାର ଯଥାଶୀଘ୍ର ନିଯୁକ୍ତି ପ୍ରକ୍ରିୟା ସାରିବାକୁ ଉଦ୍ୟମ କରିବେ।
Follow Us