The News Minute
ଭୁବନେଶ୍ବର : ଓଡ଼ିଶା ମୂଲ୍ୟ ଯୁକ୍ତ ଟିକସ, ପ୍ରବେଶ ଶୁଳ୍କ ଏବଂ ଖଣି ରାଜସ୍ବ ଭଳି ଗୁରୁତ୍ବପୂର୍ଣ୍ଣ ଟିକସ କ୍ଷେତ୍ରରେ ୨୦୨୦ ମାର୍ଚ୍ଚ ସୁଦ୍ଧା ୧୩,୬୮୩.୭୧ କୋଟି ଟଙ୍କାର ବକେୟା ରହିଛି। ସେଥି ମଧ୍ୟରୁ ୫୭୧୭.୩୪ କୋଟି ଟଙ୍କା ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବକେୟା ରହିଛି ବୋଲି ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡ଼ିଛି। ଓଡ଼ିଶା ଭାଟ୍ରେ ମୋଟ ୬୧୬୨.୭୪ କୋଟି ଟଙ୍କାର ବକେୟା ଥିବା ବେଳେ ସେଥିରୁ ୨୯୩୧.୫୬ କୋଟି ଟଙ୍କାର ବକେୟା ପାଞ୍ଚ ବର୍ଷରୁ ଅଧିକ ସମୟ ପଡ଼ିରହିଛି। ପ୍ରବେଶ ଶୁଳ୍କ କ୍ଷେତ୍ରରେ ମୋଟ ବକେୟା ପରିମାଣ ୩୧୪୭.୫୭ କୋଟି। ଏ ମଧ୍ୟରୁ ୧୨୩୦ କୋଟି ଟଙ୍କା ଦୀର୍ଘଦିନରୁ ବକେୟା ରହିଛି। ସେହିପରି ଗାଡ଼ି ଟିକସରେ ୨୯୦.୭୮ କୋଟି ଟଙ୍କା, ରାଜ୍ୟ ଅବକାରୀରେ ୬୬.୦୬ କୋଟି ଟଙ୍କା ଓ ଖଣି ରାଜସ୍ବରେ ୨୦୧୬.୫୬ କୋଟି ଟଙ୍କା ବକେୟା ରହିଛି। ବିଭିନ୍ନ ଅପିଲ୍ ମାମଲାଗୁଡ଼ିକ ଯୋଗୁଁ ୭୦୪୭.୫୦ କୋଟି ଟଙ୍କା ବକେୟା ରହିଛି। ଟିକସ ରାଶି ଫେରିପାଇବା ପ୍ରକ୍ରିୟାରେ ୭୯୭.୬୫ କୋଟି ଟଙ୍କା ପଡ଼ିରହିଛି।
ସିଏଜିଙ୍କ ଅଡିଟ୍ରୁ ଜଣାପଡ଼ିଛି ଯେ କାହିଁକି ଟିକସ ଦୀର୍ଘ ଦିନ ଧରି ବକେୟା ରହିଛି ତାହାର କାରଣ ଅର୍ଥ ବିଭାଗ ଦେଇନାହିଁ। ୨୦୧୮-୧୯ରେ ଫେରସ୍ତ ମିଳିବାରେ ବିଳମ୍ବ ହେବା ଯୋଗୁଁ ଯେଉଁ ସୁଧ ଗଣିବାକୁ ପଡ଼ିଲା ତାହାର କାରଣ ମଧ୍ୟ ବିଭାଗ ଜଣାଇନାହିଁ। କେତୋଟି ବକେୟା ମାମଲା ରହିଛି ତାହାର ବିବରଣୀ ମଧ୍ୟ ଦେଇନାହିଁ। ତେବେ ବକେୟା ଟିକସ ମାମଲାଗୁଡ଼ିକୁ ପ୍ରତି ମାସରେ ଓଡ଼ିଶା ବାଣିଜ୍ୟକର ଓ ଜିଏସ୍ଟି କମିସନର ଅନୁଧ୍ୟାନ କରୁଥିବା ବିଭାଗ ତରଫରୁ କୁହାଯାଇଛି। ଓଡ଼ିଶା ମୂଲ୍ୟଯୁକ୍ତ କର ଅଧିନିୟମରେ ଉପଯୁକ୍ତ ବ୍ୟବସ୍ଥା ଲାଗୁ କରିବାରେ କର୍ତ୍ତୃପକ୍ଷଙ୍କ ବିଫଳତା ଯୋଗୁଁ ୪୪୬.୭୪ ଲକ୍ଷ ଟଙ୍କାର କମ୍ ଜରିମାନା ଆଦାୟ ହୋଇଥିଲା। ଟିକସର କମ୍ ପ୍ରତ୍ୟାବର୍ତ୍ତନ ଫଳରେ ୧୨.୭୪ ଲକ୍ଷ ଟଙ୍କାର କର ଏବଂ ୨୫.୪୮ ଲକ୍ଷ ଟଙ୍କାର ଜରିମାନା ସ୍ବଳ୍ପାରୋପଣ ହୋଇଥିଲା। ନିୟମ ପାଳନ କରିବାରେ କର୍ତ୍ତୃପକ୍ଷଙ୍କ ବିଫଳତା ଯୋଗୁଁ ୨୦.୨୨ ଲକ୍ଷ ଟଙ୍କାର କମ୍ ଜରିମାନା ଆଦାୟ ହୋଇଥିଲା। ୨୦୧୬-୧୭ ଆର୍ଥିକ ବର୍ଷରେ ୨୪୫ ଜଣ ଲାଇସେନ୍ସଧାରୀଙ୍କ ଠାରୁ ୨୩.୨୫ କୋଟି ଟଙ୍କା ଓ ୨୦୧୭-୧୮ରେ ୩୮ ଜଣ ଲାଇସେନ୍ସଧାରୀଙ୍କ ଠାରୁ ୨.୪୫ କୋଟି ଟଙ୍କା ଭାରତ ତିଆରି ବିଦେଶୀ ମଦ ଓ ବିଅରର ସର୍ବନିମ୍ନ ପ୍ରତ୍ୟାଭୃତ ପରିମାଣର ସ୍ବଳ୍ପ ଉଠାଣ ଉପରେ କର ନିର୍ଧାରଣ କରାଯାଇନଥିଲା। ସର୍ବନିମ୍ନ ପ୍ରତ୍ୟାଭୃତ ପରିମାଣ ଠାରୁ କମ୍ ଦେଶୀ ମଦ ଉଠାଣ ଉପରେ ୧.୮୧ କୋଟି ଟଙ୍କାର ଅବକାରୀ ଶୁଳ୍କ କମ୍ ଆଦାୟ କରାଯାଇଥିଲା। ସେହିପରି, ଷ୍ଟାମ୍ପ୍ ଶୁଳ୍କ ଓ ନିବନ୍ଧନ ଫି’ର ଅଡିଟ୍ କରିବାକୁ ଜଣାପଡ଼ିଛି ଯେ ବିକ୍ରୟ ରାଜିନାମା ଏବଂ ଉନ୍ନୟନ ରାଜିନାମା, ଆଟର୍ଣ୍ଣିର କ୍ଷମତା, ବିକ୍ରୟ ପ୍ରମାଣପତ୍ର ଏବଂ ଜମିର ଅବମୂଲ୍ୟାୟନ, କୋଠାଘର ଓ ଅଧି ସରଞ୍ଚନାର ଅବମୂଲ୍ୟାୟନ ଉପରେ ୧୯୨.୧୭ ଲକ୍ଷ ଟଙ୍କାର ଷ୍ଟାମ୍ପ୍ ଡ୍ୟୁଟି ଓ ନିବନ୍ଧନ ଫି’ ସ୍ବଳ୍ପ ଆଦାୟ ହୋଇଥିଲା।
Follow Us