ଏକଦା କୁରୁକ୍ଷେତ୍ରର ନାମ ଥିଲା ସମନ୍ତ ପଞ୍ଚକ କ୍ଷେତ୍ର

ଏକଦା କୁରୁକ୍ଷେତ୍ରର ନାମ ଥିଲା ସମନ୍ତ ପଞ୍ଚକ କ୍ଷେତ୍ର

ଆଜି ଯେଉଁ ସ୍ଥାନ କୁରୁକ୍ଷେତ୍ର ଭାବରେ ପ୍ରସିଦ୍ଧ, ଏକଦା ସେହି ସ୍ଥାନର ନାମ ଥିଲା ସମନ୍ତ ପଞ୍ଚକ। “ସମେତା ନାମ ଅନ୍ତୋଯସ୍ମିନ୍ ସ ସମନ୍ତ”; ଅର୍ଥାତ୍ ସମାଗତ ସମସ୍ତ ସେନାମାନଙ୍କର ଅନ୍ତ ଯେଉଁ ସ୍ଥାନରେ ହୁଏ ତାହାକୁ ସମନ୍ତ କହନ୍ତି ଏବଂ ପଞ୍ଚ ସରୋବର ଯୁକ୍ତ ହୋଇ ଏହି ସ୍ଥାନର ନାମ ହୋଇଥିଲା ସମନ୍ତ ପଞ୍ଚକ। ଏହି ନାମ ଅତ୍ୟନ୍ତ ପ୍ରତୀକାତ୍ମକ।

ପ୍ରାଚୀନ କାଳରେ ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ଭଗବାନ ପରଶୁରାମ ପିତୃହତ୍ୟାର ପ୍ରତିଶୋଧ ନେବାପାଇଁ ଭାରତର ଅସଂଖ୍ୟ କ୍ଷତ୍ରୀୟ ରାଜାଙ୍କର ବିନାଶ କରି ସେମାନଙ୍କର ରକ୍ତରେ ପାଞ୍ଚଟି ସରୋବର ସୃଷ୍ଟି କରି ନିଜର ପିତୃପୁରୁଷଙ୍କୁ ରକ୍ତାଞ୍ଜଳି ଦ୍ୱାରା ତର୍ପଣ କରିଥିଲେ। ଏଥିରେ ତାଙ୍କର ପିତୃପୁରୁଷଗଣ ସନ୍ତୁଷ୍ଟ ହେବା ସହିତ, ପର୍ଶୁରାମଙ୍କୁ ଯେକୌଣସି ବର ଦେବାକୁ ପ୍ରତିଶ୍ରୁତି ଦେବାରୁ, ପର୍ଶୁରାମ ପିତୃପୁରୁଷଙ୍କୁ ନିବେଦନ କଲେ, ଯେ କ୍ରୋଧବଶତଃ ସେ ବ୍ରାହ୍ମଣ ହୋଇ ମଧ୍ୟ ଯେଉଁ ସଂହାର ଲୀଳା କଲେ, ସେ ପାପରୁ ସେ ମୁକ୍ତ ହୁଅନ୍ତୁ। ଯେଉଁ ପାଞ୍ଚଟି ରକ୍ତ ସରୋବର ସେ ନିର୍ମାଣ କରିଛନ୍ତି, ତାହା ପୁଣ୍ୟ ଜଳରେ ପରିପୂର୍ଣ୍ଣ ହୋଇ ପ୍ରସିଦ୍ଧ ତୀର୍ଥରେ ପରିଣତ ହେଉ। ପିତୃପୁରୁଷ ପର୍ଶୁରାମଙ୍କର ନିବେଦନକୁ ସ୍ୱୀକୃତି ଦେଲେ। ପର୍ଶୁରାମ ତା’ ପରଠାରୁ ଆଉ କ୍ଷତ୍ରୀୟ ସଂହାର ନକରି ତପସ୍ୟାରେ ସମୟ ଅତିବାହିତ କଲେ।

‘ବାମନ ପୁରାଣ’ର ବର୍ଣ୍ଣନା ଅନୁସାରେ, ସରସ୍ୱତୀ ନଦୀ ତୀରର ଏହି ସ୍ଥାନରେ ମହାରାଜ କୁରୁ ତପ, ସତ୍ୟ, କ୍ଷମା, ଦୟା, ଦାନ, ଯଜ୍ଞ, ବ୍ରହ୍ମଚର୍ଯ୍ୟ ଆଦି ଅଷ୍ଟଗୁଣର ବୃଦ୍ଧି ନିମିତ୍ତ ତପସ୍ୟା କରିଥିଲେ। ଭଗବାନ ବିଷ୍ଣୁ ଦୟା ପରବଶ ହୋଇ କୁରୁଙ୍କ ନାମାନୁସାରେ ଏହାର ନାମ ରଖିଥିଲେ କୁରୁକ୍ଷେତ୍ର ଏବଂ କହିଥିଲେ, ଯେ ଏଠାରେ ମୃତ୍ୟୁବରଣ କରିବ ତାର ସ୍ୱର୍ଗ ପ୍ରାପ୍ତି ହେବ। ତେଣୁ ପରବର୍ତ୍ତୀ କାଳରେ ଯେତେବେଳେ ଏଠାରେ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଯୁଦ୍ଧ ହେଲା, ଉଭୟ ପକ୍ଷ ଏହି ଦୋଷରହିତ ସ୍ଥାନକୁ ଯୁଦ୍ଧପାଇଁ ବାଛିଥିଲେ। ତେଣୁ ଏହାର ପରିଚିତି ହେଲା ଧର୍ମକ୍ଷେତ୍ର କୁରୁକ୍ଷେତ୍ର। ଐତିହାସିକ କାଳରେ ମଧ୍ୟ କେତେକ ଯୁଦ୍ଧ ଏହି ସ୍ଥାନରେ ହୋଇଛି। ଏହି କ୍ଷେତ୍ରର ମାଟିର ରଙ୍ଗ ଲାଲ୍। ଯଦିଓ ଏଠାରେ ଥିବା ଲୌହ କଣିକା ହେତୁ ଏ ମାଟିର ରଂଗ ଲାଲ, କିନ୍ତୁ ଭକ୍ତ ବିଶ୍ୱାସ କରନ୍ତି, ଯେ ବାରମ୍ବାର ରକ୍ତରଂଜିତ ହୋଇ ଏ ମାଟି ଲାଲ୍ ରଙ୍ଗ ଧାରଣ କରିଛି। ତଥାପି ସମନ୍ତ ପଞ୍ଚକ ପୁଣ୍ୟଭୂମି, କାରଣ ଏହି ଭୂମି ହିଁ ଶ୍ରୀମଦ୍ ଭଗବଦ୍‌ଗୀତାର ଜନ୍ମଭୂମି। ସଂପ୍ରତି ଏହା ହରିୟାଣା ରାଜ୍ୟରେ ଅବସ୍ଥିତ।

-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe