ସରିସ୍କା: ଶୂନରୁ ପଚାଶ

ଦୁଇ ଦଶନ୍ଧି ତଳେ ରାଜସ୍ଥାନର ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ବାଘ ବଂଶ ନିପାତ ହୋଇଯାଇଥିଲା। ୨୦୦୫ ମସିହାରେ ସେଠାରେ ଥିବା ଶେଷ ବାଘଟିର ମୃତ୍ୟୁ ପରେ ସରିସ୍କା ଭାରତର ବୃହତ୍ତର ବାଘ ସଂରକ୍ଷଣ ପ୍ରୟାସରେ ବିଫଳତାର ଅପବାଦ ମୁଣ୍ଡାଇଥିଲା।

sfsfsxcc

ଦୁଇ ଦଶନ୍ଧି ତଳେ ରାଜସ୍ଥାନର ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ବାଘ ବଂଶ ନିପାତ ହୋଇଯାଇଥିଲା। ୨୦୦୫ ମସିହାରେ ସେଠାରେ ଥିବା ଶେଷ ବାଘଟିର ମୃତ୍ୟୁ ପରେ ସରିସ୍କା ଭାରତର ବୃହତ୍ତର ବାଘ ସଂରକ୍ଷଣ ପ୍ରୟାସରେ ବିଫଳତାର ଅପବାଦ ମୁଣ୍ଡାଇଥିଲା। ଶିକାର ଓ ଦୁର୍ବଳ ପରିଚାଳନା ଉକ୍ତ ଅଭୟାରଣ୍ୟକୁ ବାଘଶୂନ୍ୟ କରି ଦେଇଥିଲା। ସେଠାରେ ବାଘସଂଖ୍ୟା ଶୂନ ହେବାର ପ୍ରାୟ ସାଢ଼େ ୩ ବର୍ଷ ପରେ ୨୦୦୮ରେ ରଣଥମ୍ବୋରରୁ ସରିସ୍କାକୁ ପ୍ରଥମ ବାଘ ‘ଏସ୍‌ଟି-୧’ ଅଣାଯିବା ପରେ ଆଶା ସଂଚାର ହୋଇଥିଲା। ଅଭୟାରଣ୍ୟକୁ ପୁନଃ ବାଘ ଅଣାଯିବାର ୧୭ ବର୍ଷ ପରେ ଏବେ ସେମାନଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ସରିସ୍କାରେ ବାଘ ବିଲୁପ୍ତ ହେବା ପରେ ‘ଜଏନିଂ ଦି ଡଟ୍‌ସ’ ଓ ‘ରାଜ୍ୟ କ୍ଷମତାପ୍ରାପ୍ତ କମିଟି ରିପୋର୍ଟ ୨୦୦୫’ ଶୀର୍ଷକ ଦୁଇଟି ଟାସ୍କଫୋର୍ସ ରିପୋର୍ଟ ପ୍ରକାଶ ପାଇଥିଲା, ଯାହା ଅଭୟାରଣ୍ୟରେ ବ୍ୟାଘ୍ର ପୁନଃପ୍ରବର୍ତ୍ତନର ବ୍ଲୁପ୍ରିଣ୍ଟ ପାଲଟିଲା। ସରିସ୍କା ହେଉଛି ଭାରତର ପ୍ରଥମ ଅଭୟାରଣ୍ୟ ଯେଉଁଠାକୁ ବାଘ ସ୍ଥାନାନ୍ତର କରାଯାଇଥିଲା। ଏହା ପରଠାରୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାଘ୍ର ସୁରକ୍ଷା ପାଇଁ ଏକାଧିକ ଆଇନ ପ୍ରଣୟନ କରିଥିଲେ। ପୁରୁଷ ବାଘ ‘ଏସ୍‌ଟି-୧’ ଓ ତାହାର କିଛି ଦିନ ପରେ ରଣଥମ୍ବୋରରୁ ଅଣାଯାଇଥିବା ମହିଳା ବାଘ ‘ଏସ୍‌ଟି-୨’ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ନିକଟସ୍ଥ ଗ୍ରାମର ଲୋକଙ୍କ ଆକ୍ରମଣରୁ ବର୍ତ୍ତିବା। ଏଥି ସହିତ ସରିସ୍କାରେ ଶିକାରୀମାନେ ବନ୍ୟପ୍ରାଣୀଙ୍କୁ ବିଷ ମିଶ୍ରିତ ମାଂସ ଖୁଆଇ ଶିକାର କରିଥାଆନ୍ତି।  ପ୍ରକୃତରେ, ୨୦୧୦ରେ ଅଭୟାରଣ୍ୟରେ ପୁନଃପ୍ରବର୍ତ୍ତିତ ପ୍ରଥମ ବାଘ ‘ଏସ୍‌ଟି-୧’ ବିଷକ୍ରିୟା ଯୋଗୁଁ ମୃତ୍ୟୁବରଣ କରିଥିଲା। ସେତେବେଳକୁ ବାଘ ସଂଖ୍ୟା ମାତ୍ର ୫ ହୋଇଥିବା ବେଳେ ଏବେ କଳ୍ପନାତୀତ ଭାବେ ୫୦ରେ ପହଞ୍ଚିଛି। ଅଭୟାରଣ୍ୟର ଏହି ସଫଳତାର ସ୍ୱତନ୍ତ୍ର ଅଧିକାରିଣୀ ହେଉଛି ବାଘୁଣୀ ‘ଏସ୍‌ଟି-୨୩୦୨’, ଯାହାର ସଦ୍ୟତମ ଶାବକ ଅଭୟାରଣ୍ୟର ବାଘସଂଖ୍ୟାକୁ ୫୦ରେ ପହଞ୍ଚାଇଛି। ବାଘ ସମ୍ପୂର୍ଣ୍ଣ ବିଲୁପ୍ତ ହେବା ଠାରୁ ଏକ ସମୃଦ୍ଧ ସଂଖ୍ୟାରେ ପହଞ୍ଚିବା ଏକ ଆକସ୍ମିକ ସଫଳତା ନୁହେଁ, ବରଂ ଦୀର୍ଘକାଳୀନ ସତର୍କତାପୂର୍ଣ୍ଣ ଉଦ୍ୟମର ଫଳ ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe