ମାଲେସିଆରେ ଲକ୍ଡାଉନ୍ ୨୩ ଦିନରେ ପହଞ୍ଚିଥିବାବେଳେ ସମଗ୍ର ଦେଶରେ ୪୦୦୦ରୁ ଅଧିକ କୋଭିଡ୍ ୧୯ ରୋଗୀ ଚିହ୍ନଟ ହୋଇଛନ୍ତି। ୬୫ ଜଣ ଏହି ରୋଗରେ ମୃତ ଘୋଷଣା ହୋଇଛନ୍ତି ଏବଂ ୧୪୮୭ଜଣ ରୋଗୀ ସୁସ୍ଥ ହୋଇଘରକୁ ଯାଇଥିବାର ସରକାରୀ ବିଭାଗରୁ ପ୍ରକାଶ କରାଯାଇଛି। ସର୍ବଦା ଚଳଚଞ୍ଚଳ କୁଆଲାଲମ୍ପୁର ସହର ସ୍ଥିର ଓ ଜନଶୂନ୍ୟ ହୋଇରହିଛି। ଲକ୍ଡାଉନ୍ ନିୟମ ଅନୁଯାୟୀ ପୁଲିସ୍ ଏବଂ ମୁତୟନ ହୋଇଥିବା ସୈନ୍ୟ ବିଭାଗ କଡ଼ାକଡ଼ି ଭାବେ ସର୍ତ୍ତାବଳୀକୁ ଲାଗୁକରିବା ପାଇଁ ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଛନ୍ତି। ଏହି ରୋଗର ଭୟାବହତାକୁ ଆଖିରେ ରଖି ଲୋକମାନେ ଖୁବ୍ ସଚେତନ ଓ ସତର୍କତାର ସହ ସାମାଜିକ ଦୂରତ୍ବ ଏବଂ ଘରେ ରହିବା ନିୟମକୁ ଗମ୍ଭୀରତାର ସହ ଅନୁସରଣ କରୁଛନ୍ତି।
ପ୍ରତ୍ୟେକ ସୋସାଇଟିରେ ପ୍ରବେଶ ଓ ପ୍ରସ୍ଥାନ ବେଳକୁ ଲୋକଙ୍କର ଜ୍ବର ଅଛି କି ନା ତାହା ମପାଯାଉଛି । ଯଦି କୌଣସି ବ୍ୟକ୍ତିଙ୍କୁ ଜ୍ବର ଥାଏ ତେବେ ସଂଗେ ସଂଗେ ଡାକ୍ତରକୁ ଡାକି ଟେଷ୍ଟ କରାଯାଉଛି । ଏଠାରେ ଟ୍ରେନ ଓ ବସ୍ ଚଳାଚଳ ଜାରି ରହିଥିଲେ ମଧ୍ୟ ଅତି ଜରୁରୀ ନହେଲେ ଲୋକଙ୍କର ଗମନାଗମନ ବନ୍ଦ ରହିଛି । ବିଭିନ୍ନ ମଲ୍ରେ ଏକାସାଙ୍ଗରେ ଅଳ୍ପ ଲୋକଙ୍କୁ ହିଁ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଛଡ଼ାଯାଉଛି, ଯାହାଦ୍ୱାରା ସାମାଜିକ ଦୂରତ୍ବ ରହିବ ଏବଂ ଏଇ ରୋଗ ସଂକ୍ରମଣକୁ କମ୍ କରିହେବ ।
ଏଠାରେ ଏକ ତୈଳ ଓ ଗ୍ୟାସ କମ୍ପାନୀରେ ସିନିୟର ଜିଓଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡିଆ ସତ୍ୟବ୍ରତ ନାୟକ ଏବଂ ପତ୍ନୀ ବୀଣାପାଣି ପ୍ରଧାନ ତାଙ୍କର ଏହି ଅଭିଜ୍ଞତାକୁ 'ସମ୍ବାଦ' ସହ ବାଣ୍ଟିଛନ୍ତି। ବର୍ତମାନର ବିଶ୍ୱର ପରିସ୍ଥିତି ଉପରେ ନଜର ରଖି ନିଜର ଜୀବନ ଶୈଳୀକୁ କିପରି ପରିବର୍ତ୍ତନ କରିଛନ୍ତି ସେ ବିଷୟରେ ଜଣାଇଛନ୍ତି। ଓଡିଆ ଲେଖାପଢାରେ ରୁଚି ରଖୁଥିବା ବୀଣା ଏହି ସମୟରେ ଓଡିଆ ଗଳ୍ପ ଓ କବିତା ପଢିବାରେ ସମୟ ବିତଉଥିବା ସହ ପରିବାରର ଯତ୍ନ ନେଉଛନ୍ତି। ପରିବାରରେ କିପରି ମାନସିକ ଓ ଶାରିରୀକ ସ୍ତରରେ ସମସ୍ତେ ସୁସ୍ଥ ରହିବେ ସେଥିନେଇ ସେ ଖୁବ୍ ସତର୍କ ଓ ସଜାଗ ଅଛନ୍ତି। ସେହିପରି ସତ୍ୟବ୍ରତ ନିୟମିତ ଘରୁ ରହି କାର୍ଯ୍ୟାଳୟର କାମ କରୁଥିବାବେଳେ ଉଭୟ ପତିପତ୍ନୀ ନିଜ ପିଲାମାନଙ୍କ ସହିତ ସମୟ ବିତାଉଛନ୍ତି।
କେନ୍ଦ୍ରାପଡା ଜିଲ୍ଲା ପୋଦନା ଗ୍ରାମର ମୂଳ ବାସିନ୍ଦା ସତ୍ୟବ୍ରତଏବଂ ତାଙ୍କ ପତ୍ନୀ ବୀଣାପାଣି ନିଜ ଜନ୍ମମାଟି ଠାରୁ ଦୂରରେ ରହି ମଧ୍ୟ ଓଡିଶାରେ ଥିବା ପରିବାରବର୍ଗଙ୍କୁ ସଚେତନ କରୁଛନ୍ତି ,ଓଡିଶାର କୋଭିଡ୍ ପରିସ୍ଥିତି ଉପରେ ଟିକିନିଖି ଖବର ରଖୁଛନ୍ତି। କରୋନା ମୁକାବିଲା ପାଇଁ ଓଡିଶାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ସତ୍ୟବ୍ରତ ନାୟକ, ସିନିୟର୍ ଜିଓଲୋଜିଷ୍ଟ ଓ
ବୀଣାପାଣି ପ୍ରଧାନ, କୁଆଲାଲମ୍ପୁର, ମାଲେସିଆ
Follow Us