ନୂଆଦିଲ୍ଳୀ: ଫୋର୍ବସ୍ ପତ୍ରିକାର ୨୦୨୩ ମସିହାର ଶ୍ରେଷ୍ଠ ଧନୀ ତାଲିକା ପ୍ରକାଶ ପାଇସାରିଛି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସବୁଠାରୁ ଧନୀ ମାନ୍ୟତା ପାଇଛନ୍ତି । ତେବେ ଏହି ଧନୀ ତାଲିକାରେ ଦେଶର ୫ ମହିଳା ବି ସ୍ଥାନ ପାଇଛନ୍ତି।
ସେହି ମହିଳାମାନଙ୍କ ମଧ୍ୟରୁ ସାବିତ୍ରୀ ଜିନ୍ଦଲ ଅନ୍ୟତମ। ସେ ଫୋର୍ବସ୍ ପତ୍ରିକା ପକ୍ଷରୁ ପ୍ରକାଶ ପାଇଥିବା ଧନୀ ତାଲିକାରେ ୪୯ ନମ୍ବର ସ୍ଥାନରେ ଅଛନ୍ତି। ତାଙ୍କର ସଂପୂର୍ଣ୍ଣ ସଂପତ୍ତିର ମୂଲ୍ୟ ୧୭ ଆରବ ଡଲାର୍। ଦେଶର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲଙ୍କ ସଂପର୍କରେ ଏକ ଗୁରତ୍ବପୂର୍ଣ୍ଣ କଥା ହେଉଛି ସେ ଜୀବନରେ କେବେ ବି କଲେଜ୍ ଯାଇନାହାନ୍ତି।
ସେହିପରି ଫୋର୍ବସ୍ ପତ୍ରିକାରେ ସ୍ଥାନ ପାଇଥିବା ଅନ୍ୟ ଜଣେ ଭାରତୀୟ ମହିଳା ହେଉଛନ୍ତି ରୋଶନୀ ନାଦର ମାଲହୋତ୍ରା। ଇଏ ହେଉଛନ୍ତି ଆମ ଦେଶର ଦ୍ବିତୀୟ ଧନୀ ମହିଳା। ଏଚ୍ସିଏଲ୍ର ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରାଙ୍କ ପୂରା ସଂପତ୍ତିର ମୂଲ୍ୟ ହେଉଛି ୮୪,୩୩୦ କୋଟି ଟଙ୍କା।
ରେଖା ଝୁନ୍ଝୁନ୍ୱାଲାଙ୍କ ନାମ ତ ଆପଣ ଶୁଣିଥିବେ। ଭାରତୀୟ ସେୟାର୍ ବଜାରରେ ବିଗ୍ ବୁଲ୍ ନାମରେ ପରିଚିତ ଦିବଗଂତ ନିବେଶକ ରାକେଶ ଝୁନ୍ଝୁନ୍ୱାଲାଙ୍କ ପତ୍ନୀ ରେଖାଙ୍କ ସଂପୂର୍ଣ୍ଣ ସଂପତ୍ତିର ମୂଲ୍ୟ ପ୍ରାୟ ୫.୯ ଆରବ ଡଲାର ବା ୪୭,୬୫୦.୭୬ କୋଟି ଟଙ୍କା।
ଅନ୍ୟ ଜଣେ ଧନୀ ଭାରତୀୟ ମହିଳା ହେଉଛନ୍ତି ଫାଲ୍ଗୁନି ନାଏକା। ବିୟୁଟି ପ୍ରଡକ୍ଟ ବନାଉଥିବା ଭାରତର ଜଣାଶୁଣା କମ୍ପାନି ‘ନାଏକା’ର ପ୍ରତିଷ୍ଠାତା ଏବଂ ସିଇଓ ହେଉଛନ୍ତି ଫାଲ୍ଗୁନି। ଫୋର୍ବସ୍ ପତ୍ରିକା ଅନୁସାରେ ତାଙ୍କ ସଂପତ୍ତିର ମୂଲ୍ୟ ୨.୭ ଆରବ ଡଲାର ବା ୨୨,୧୯୨ କୋଟି ଟଙ୍କା।
ଫାର୍ମା ସେକ୍ଟର ପୁରୁଣା କମ୍ପାନି ବାୟକନ୍ର ଅଧ୍ୟକ୍ଷା କିରଣ ମଜୁମଦାର ସ ବି ଫୋର୍ବସ୍ ତାଲିକାରେ ନିଜର ସ୍ଥିତି ଜାହିର କରିଛନ୍ତି। ତାଙ୍କ ସଂପତ୍ତିର ମୂଲ୍ୟ ୨ ଆରବ ଡଲାର ବା ୧୬,୪୩୮ କୋଟି ଟଙ୍କା।
Follow Us